Unknown

 

 

 

 

 

 

 

 

 

ସାହିତ୍ୟ ପ୍ରସଙ୍ଗ

ଭକ୍ତକବି ମଧୁସୂଦନ ରାଓ

 

ସୂଚୀପତ୍ର

 

୧.

ମନୁଷ୍ୟର ଧର୍ମବୁଦ୍ଧି

୨.

ପ୍ରେମର ଜୟ

୩.

ଲିସ୍‌ବନ ଭୂମିକମ୍ପ

୪.

ବୁଦ୍ଧଦେବ

୫.

ଉଲ୍‌କାପିଣ୍ଡ

୬.

ବାନର (୧)

୭.

ବାନର (୨)

୮.

ହସ୍ତୀ

୯.

କୃଷ୍ଣମୋହନ ବନ୍ଦ୍ୟୋପାଧ୍ୟାୟ

୧୦.

ଚନ୍ଦ୍ର ଓ ତାରା

୧୧.

ରାଣୀ ଦୁର୍ଗାବତୀ

୧୨.

ସାର୍‌ ଆଇଜାକ୍‌ ନିଉଟନ୍‌

୧୩.

ରୋମନ୍ଥକ ଜନ୍ତୁ

୧୪.

ଆନ୍ଦ୍ରୋକ୍ଲିସ୍‌ ଓ ସିଂହ

୧୫.

କୁମାରୀ ଫ୍ଲରେନ୍‌ସ ନାଇଟିଙ୍ଗେଲ

୧୬.

ଆଗ୍ନେୟଗିରି

୧୭.

ଜଳରାଶି

୧୮.

ଜଳପ୍ରପାତ

୧୯.

ମହାପୁରୁଷ ମହମ୍ମଦ

୨୦.

ବାବର

୨୧.

ଅଶୋକ

୨୨.

କୁମାରୀ ତରୁ ଦତ୍ତ

୨୩.

ହିମାଳୟ

୨୪.

ରାଜମସ୍ତକ ବିକ୍ରୟ

୨୫.

ମହାମହୋପାଧ୍ୟୟ ସାମନ୍ତ ଚନ୍ଦ୍ରଶେଖର ସିଂହ

୨୬.

ଅସ୍ତ୍ର-ପରୀକ୍ଷା

Image

 

ମନୁଷ୍ୟର ଧର୍ମବୁଦ୍ଧି

 

ମନୁଷ୍ୟ ଯେଉଁ ଯେଉଁ ବିଷୟରେ ପଶୁ ପକ୍ଷୀ ପ୍ରଭୃତି ନିକୃଷ୍ଟ ଜୀବମାନଙ୍କ ଅପେକ୍ଷା ଶ୍ରେଷ୍ଠ, ସେଥିମଧ୍ୟରେ ତାହାର ଧର୍ମବୁଦ୍ଧି ବା କର୍ତ୍ତବ୍ୟଜ୍ଞାନ ପ୍ରଧାନ ଅଟେ । ଇତର ପ୍ରାଣୀମାନଙ୍କଠାରେ ଏପରି ବୃତ୍ତି ଦେଖାଯାଏ ନାହିଁ । ମନୁଷ୍ୟର ଏହି ଅଦ୍ଭୁତ ବୃତ୍ତି ବିଷୟରେ ନିମ୍ନରେ ତିନିଗୋଟି ଆଖ୍ୟାନ ପ୍ରଦତ୍ତ ହେଉଅଛି ।

 

ଏକଦା ସମୁଦ୍ର ମଧ୍ୟରେ ଗୋଟିଏ ଷ୍ଟୀମାର୍‌ ବା ବାଷ୍ପୀୟ ପୋତରେ ହଠାତ୍ ଅଗ୍ନି ଲାଗିଲା । ଜାହାଜର ତଳରେ କେଉଁଠାରେ ଅଗ୍ନି ଲାଗିଲା ତାହା କେହି ସ୍ଥିର କରିପାରିଲେ ନାହିଁ । ତେଣୁ ଅଗ୍ନିକୁ ନିର୍ବାପିତ କରିବାର ଉପାୟ ନିର୍ଣ୍ଣୀତ ହୋଇପାରିଲାନାହିଁ । ସମସ୍ତେ ନିଶ୍ଚୟ କଲେ ଯେ,ଜାହାଜ ଅଳ୍ପକାଳ ମଧ୍ୟରେ ସମ୍ପୂର୍ଣ୍ଣରୂପେ ଭସ୍ମୀଭୂତ ହୋଇଯିବ; କିନ୍ତୁ ପୋତାଧ୍ୟକ୍ଷ ଗଣନା କରି ଦେଖିଲେ ଯେ, ଅତ୍ୟନ୍ତ ଦ୍ରୁତବେଗରେ ଜାହାଜକୁ ଚଳାଇଲେ ତାହା ବିନଷ୍ଟ ହେବାପୂର୍ବରୁ ତୀରରେ ପହଞ୍ଚି ପାରିବ । ଅତଏବ, ତୀର ଆଡ଼କୁ ପୋତ ଚାଳିତ ହେଲା । ଜାହାଜର ଯନ୍ତ୍ର-ଚାଳକ ଦୃଢପ୍ରତିଜ୍ଞା ସହ ନିଜ ସ୍ଥାନରେ ଦଣ୍ଡାୟମାନ ରହି ଅଗ୍ନିର ପ୍ରଚଣ୍ଡ ଉତ୍ତାପ ମଧ୍ୟରେ ଯନ୍ତ୍ର ଚଳାଇବାକୁ ଲାଗିଲେ । ପୋତାଧ୍ୟକ୍ଷ ବା କପ୍ତାନ ଜାହାଜର ଉପରୁ ଯନ୍ତ୍ରଚାଳକଙ୍କୁ ଡ଼ାକି ପଚାରୁଛନ୍ତି ‘‘କିପରି ଅଛ ?’’ ତଳୁ ଉତ୍ତର ଆସୁଅଛି ‘‘ଭୟ ନାହିଁ, ଭଲ ଅଛି ।’’ କିନ୍ତୁ କ୍ରମେ ଯନ୍ତ୍ରଚାଳକର କଣ୍ଠ ରୁଦ୍ଧ ହୋଇଆସିଲା । କପ୍ତାନଙ୍କ ଉତ୍ତରରେ କେବଳ ଗଁ ଗଁ ଶବ୍ଦ ଶ୍ରୁତିଗୋଚର ହେଲା । କ୍ରମେ ସେ ଶବ୍ଦ ମଧ୍ୟ ଶୁଣାଗଲା ନାହିଁ । କିନ୍ତୁ ସେତେବେଳେ ସୁଦ୍ଧା କଳ ଚାଳିତ ହେଉଥିବାରୁ ଜଣାଯାଉଥିଲା ଯେ, ଯନ୍ତ୍ରଚାଳକର ହସ୍ତ କାର୍ଯ୍ୟରେ ନିଯୁକ୍ତ ରହିଅଛି । ଦେଖୁଁ ଦେଖୁଁ ଜାହାଜ ତୀରଦେଶରେ ଉପସ୍ଥିତ ହେଲା ଏବଂ ଚାଳକକୁ ତଳୁ ବାହାରକରି ଆଣିବାରୁ ଦେଖାଗଲା ଯେ, ଧୂମରେ ତାହାର ଶ୍ୱାସରୁଦ୍ଧ ହୋଇଅଛି ଏବଂ ତାହାର ଦେହ ଅଗ୍ନିର ଉତ୍ତାପରେ ସିଝି ଯାଇଅଛି । ଆଉ କିଛିକ୍ଷଣ ପରେ ତାହାର ଜୀବନ ବିନଷ୍ଟ ହୋଇଥାନ୍ତା । କି ବିସ୍ମୟକର କର୍ତ୍ତବ୍ୟପରାୟଣତା ।

 

ଡ଼େନ୍‌ମାର୍କ ନାମକ ଶୀତପ୍ରଧାନ ଦେଶରେ ଯେତେବେଳେ ଘୋର ଶୀତ ଉପସ୍ଥିତ ହୁଏ,ସେତେବେଳେ ଘୋର ଶୀତ ଉପସ୍ଥିତ ହୁଏ,ସେତେବେଳେ ସମୁଦ୍ରର ଜଳେ ବସିଯାଇ କଠିନ ତୁଷାର ରାଶିରୂପେ ସର୍ବତ୍ର ଥାଏ । ଏହି ସମୟରେ ନଗରର ଲୋକେ ସେହି ତୁଷାରରାଶି ଉପରେ ଏକ ପ୍ରକାର ଶକଟ ଚଳାଇ କ୍ରୀଡ଼ା କରନ୍ତି । ମାତ୍ର ସେ ଦେଶରେ ଶୀତକାଳରେ କେବେ ହଠାତ୍‌ ଏକପ୍ରକାର ମେଘର ଉଦୟ ସହିତ ବାତ୍ୟା ଉପସ୍ଥିତ ହେଲେ ତୁଷାରରାଶି ଚାହୁଁ ଚାହୁଁ ବିଗଳିତ ହୋଇଯାଏ । ଏକଦା ନଗରର ଲୋକେ ତୁଷାରରାଶି ଉପରେ ଖେଳୁଅଛନ୍ତି, ଏପରି ସମୟରେ ଆକାଶର ଏକଦିଗରେ ସେହି ଭୟଙ୍କର ମେଘ ଉଦିତ ହେଲା । ସମୁଦ୍ରତୀରବାସିନୀ ଗୋଟିଏ ବୃଦ୍ଧା ପୀଡ଼ିତା ଦରିଦ୍ରା ସ୍ତ୍ରୀ ସେହି ଭୟଙ୍କର ମେଘର ଆବିର୍ଭାବ ଦେଖି ଭୀତ ହେଲା । ଆଉ କେହି ସେ ମେଘକୁ ଲକ୍ଷ୍ୟ କରିନଥିଲେ । କ୍ରୀଡ଼ାମତ୍ତ ନଗରବାସୀମାନେ କିପରି ଏ ବିପଦରୁ ରକ୍ଷା ପାଇବେ ଭାବି ବୃଦ୍ଧା ଅତ୍ୟନ୍ତ ଆକୁଳ ହୋଇ ଗୋଟିଏ ଉପାୟ ନିରୁପଣ କଲା ଏବଂ ତତ୍‌କ୍ଷଣାତ୍ ନିଜ ଘରେ ଅଗ୍ନି ଲଗାଇ ଦେଲା । ଅଗ୍ନି ଜଳି ଉଠିବାରୁ କ୍ରୀଡ଼ାରତ ଲୋକେ ତାହା ଦେଖି କହିଲେ, ‘‘ଆରେ, ଏ ତ ରୁଗ୍‌ଣା ବୃଦ୍ଧାର ଘର ପୋଡ଼ି ଯାଉଅଛି ।’’ ଏହା କରି ସମସ୍ତେ ଦୟାପରବଶ ହୋଇ ଅବିଳମ୍ବେ ସେହି ଘର ଆଡ଼କୁ ଦୈାଡ଼ିଲେ । ଆସି ଦେଖିଲେ ଯେ, ବୃଦ୍ଧା ଅଚେତନ ଅବସ୍ଥାରେ ପଡ଼ି ରହିଅଛି । ଅନେକ ଯତ୍ନ କଲାରୁ ବୃଦ୍ଧା ଚୈତନ୍ୟ ଲାଭକରି ପଚାରିଲା, ‘‘ସମସ୍ତେ କୁଶଳରେ ଫେରି ଆସିଛନ୍ତି ତ ?’’ ଯେତେବେଳେ ବୃଦ୍ଧା ଶୁଣିଲା ଯେ, ସମସ୍ତେ ଫେରିଆସିଛନ୍ତି ସେତେବେଳେ ସେ ଆନନ୍ଦ ଗଦ୍‌ଗଦ ସ୍ୱରରେ ‘‘ମହାପ୍ରଭୁଙ୍କୁ କୋଟି କୋଟି ଧନ୍ୟବାଦ’’ ଏହା କହି ଚିରକାଳ ନିମିତ୍ତ ନୟନ ମୁଦ୍ରିତ କଲା । ପରୋପକାର ନିମିତ୍ତ ବୃଦ୍ଧାର କି ଆଶ୍ଚର୍ଯ୍ୟ ଧର୍ମବୁଦ୍ଧି !

 

ରେଳପଥରେ ସ୍ଥାନେ ସ୍ଥାନେ ପ୍ରୟୋଜନାନୁସାରେ ରେଲମାର୍ଗଚାରୀ ଶକଟମାନଙ୍କୁ ଏକ ଲୈାହମର୍ତ୍ମରୁ ସନ୍ନିହିତ ଅନ୍ୟ ବର୍ତ୍ମକୁ ସଞ୍ଚାଳିତ କରିଦେବାପାଇଁ ପଏଣ୍ଟ ନାମକ ଏକପ୍ରକାର କଳ ଅଛି । ସେହି କଳର ଚାଳକକୁ ପଏଣ୍ଟସ୍‌ମାନ୍‌ ବୋଲାଯାଏ । ଏକଦା ମାନ୍ଦ୍ରାଜ ପ୍ରଦେଶର କୈାଣସି ରେଳପଥର ଜଣେ ପଏଣ୍ଟଚାଳକ ପଏଣ୍ଟ ଧରି ଛିଡ଼ା ହୋଇଥିଲା । ସେହି ସମୟରେ ଦୁଇ ବିପରୀତ ଦିଗରୁ ଦୁଇଟି ଟ୍ରେନ୍‌; ଅର୍ଥାତ୍‌ ଶକଟଶ୍ରେଣୀ ଅତି ବେଗରେ ଆସୁଥିଲା । ସେତେବେଳେ ସେ ପଏଣ୍ଟ-ଚାଳକ ଟିକିଏ ହେଳା କଲେ ମହାଭୟଙ୍କର ସର୍ବନାଶ ଘଟିବାର ସମ୍ଭାବନା । ଏପରି ସମୟରେ କାହୁଁ ଗୋଟାଏ ବିଷଧର ସର୍ପ ହଠାତ୍‌ ଆସି ସେ ଲୋକ ଗୋଡ଼ରେ ଗୁଡ଼ାଇ ହୋଇଗଲା; କିନ୍ତୁ ସେ ନିଜ କର୍ତ୍ତବ୍ୟସାଧନରେ ଏପରି ଦୃଢଭାବ ଅବଲମ୍ବନ କଲା ଯେ, ସେ ସର୍ପଦଂଶନଭୟରେ କିଛିମାତ୍ର କାତର ନହୋଇ ସ୍ୱ-ସ୍ଥାନରୁ ଲେଶମାତ୍ର ଘୁଁଞ୍ଚିଲା ନାହିଁ । ସର୍ପଟା ରେଳ ଶକଟର ଶବ୍ଦରେ ନିଜେ ପଳାଇଗଲା । ପଏଣ୍ଟ-ଚାଳକର କର୍ତ୍ତବ୍ୟନିଷ୍ଠା ଯୋଗୁଁ ଶତ ଶତ ଲୋକଙ୍କର ପ୍ରାଣରକ୍ଷା ହେଲା ।

 

ଏପରି କର୍ତ୍ତବ୍ୟନିଷ୍ଠା ସହସ୍ର ବ୍ୟକ୍ତିଙ୍କ ଜୀବନରେ ଦେଖା ଯାଉଅଛି । କେତେ ପିତାମାତା, କେତେ ପୁତ୍ରକନ୍ୟା, କେତେ ପତିପତ୍ନୀ, କେତେ ନରନାରୀ ପ୍ରତିଦିନ କର୍ତ୍ତବ୍ୟ ସାଧିବା ପାଇଁ ନିଜ ସୁଖ ଓ ସ୍ୱାସ୍ଥ୍ୟ ବିସର୍ଜ୍ଜନ କରୁଅଛନ୍ତି ।

Image

 

ପ୍ରେମର ଜୟ

 

ଜଣେ ଚୀନଦେଶୀୟ ଧନବନ୍ତ ଗୃହସ୍ଥର ଏକମାତ୍ର ପୁତ୍ର ଥିଲା । ପିତାମାତା ଆଶୈଶବ ତାହାକୁ ଅତ୍ୟନ୍ତ ଆଦର କରୁଥିବାରୁ ସେ ଲାଳନର ଆତିଶଯ୍ୟ ହେତୁରୁ କ୍ରମେ ନିତାନ୍ତ ସ୍ୱେଚ୍ଛେଚାରୀ ହୋଇପଡ଼ିଲା । କୁସଂସର୍ଗରେ ପଡ଼ି ନାନା ଦୁଷ୍କାର୍ଯ୍ୟରେ ଲିପ୍ତ ହୋଇ ନିତାନ୍ତ ଦୁଶ୍ଚରିତ୍ର ହୋଇଗଲା । ତାହାର କୁରୀତି ଓ ଦୁଷ୍ଟ ଆଚରଣ ଦେଖି ପିତାମାତା କିପରି ମନସ୍ତାପ ଓ ନୈରାଶ୍ୟରେ ଦିନ ଯାପନ କରୁଅଛନ୍ତି, ତାହା ସେ ଥରେ ସୁଦ୍ଧା ଭାବିଲା ନାହିଁ । କ୍ରମେ କ୍ରମେ ତାହାର ଦୈାରାତ୍ମ୍ୟ ଏପରି ବଢିଲା ଯେ, ନଗରସ୍ଥ ପ୍ରତିବେଶୀମାନେ ସମସ୍ତେ ନିତାନ୍ତ ଉତ୍ପୀଡ଼ିତ ଓ ବିରକ୍ତ ହୋଇ ସେହି ଦୁର୍ବୃତ୍ତ ଯୁବକର ପିତାମାତାଙ୍କୁ କହିଲେ, ‘‘ତୁମ୍ଭେ ଯଦି ତୁମ୍ଭର ଦୁରାଚାର ପୁତ୍ରକୁ ବର୍ଜନ ନ କରିବ ତାହାହେଲେ ଆମ୍ଭେମାନେ ତୁମ୍ଭଙ୍କୁ ବର୍ଜ୍ଜନ କରିବୁଁ ।’’

 

ଅଗତ୍ୟା ପିତାମାତା ଦୁର୍ବୁତ୍ତ ପୁତ୍ରକୁ ବର୍ଜନ କରିବା ନିମିତ୍ତ ସମ୍ମତ ହେଲେ । ଗୋଟିଏ ଦିନ ନିର୍ଦ୍ଧାରିତ ହେଲା । ନଗରରେ ପ୍ରଚାରିତ ହେଲା ଯେ, ଅମୁକ ଧନୀ ତାଙ୍କ ପୁତ୍ରକୁ ଚିରକାଳ ପାଇଁ ତ୍ୟାଗ କରିବେ । ନିରୂପିତ ଦିବସରେ ନଗରବାସୀ ଲୋକେ ସଭାସ୍ଥଳରେ ରୁଣ୍ଡ ହେଲେ । ସେହି ଦୁରାତ୍ମା ଯୁବକ ସେ ସମ୍ବାଦ ଶୁଣି ଉପହାସ କରି ସଙ୍ଗୀମାନଙ୍କୁ କହିଲା, ‘‘ଆସରେ ଭାଇ, ଆଜି ମୋର ପିତା ମୋତେ ବର୍ଜନ କରିବେ ବୋଲି ସଭା ବସିଅଛି । ଆସ ସେ କୈାତୁକଟା ଦେଖି ଆସିବା ।’’ ଏହା କହି ବୟସ୍ୟମାନଙ୍କ ସଙ୍ଗରେ ଗୋପନରେ ଉପସ୍ଥିତ ହୋଇ ପଛଆଡ଼େ ବସି ସମୁଦାୟ କଥାବାର୍ତ୍ତା ଶୁଣିବାକୁ ଲାଗିଲା । ବୃଦ୍ଧ ପିତାମାତାଙ୍କର ଅଶ୍ରୁସିକ୍ତ ମୁଖ ଓ ବିଷଣ୍ଣ ନିରାଶ ଭାବ ଦେଖି ହଠାତ୍‌ ତାହାର ହୃଦୟରେ ଭାବାନ୍ତର ଉପସ୍ଥିତ ହେଲା । ଏଣେ ସଭାସ୍ଥଳରେ ତ୍ୟାଗପତ୍ର ଯଥାବିଧି ଲିଖିତ ହୋଇ ପଠିତ ହେଲା ଏବଂ ସ୍ୱାକ୍ଷର କରିବା ନିମିତ୍ତ ଉକ୍ତ ବର୍ଜନ-ପତ୍ର ବୃଦ୍ଧ ପିତାମାତାଙ୍କର ହସ୍ତରେ ଅର୍ପିତ ହେଲା । ପିତାମାତା ସେହି କୁପୁତ୍ରକୁ ଚିରକାଳ ପାଇଁ ଗୃହରୁ ନିର୍ବାସିତ କରି ତାହାକୁ ସେମାନଙ୍କର ସମ୍ପତ୍ତି ଓ ସ୍ନେହରୁ ବଞ୍ଚିତ କରି ତ୍ୟାଗ-ପତ୍ର ସ୍ୱାକ୍ଷର କରିବେ, ଏହା ଦେଖିବା ପାଇଁ ସମସ୍ତେ ଉତ୍ସୁକ ଭାବରେ ଅନାଇ ରହିଅଛନ୍ତି, ଏପରି ସମୟରେ ଦୁଃଖିନୀ ଜନନୀ ସେହି ବର୍ଜନ-ପତ୍ର ହସ୍ତରେ ଧରି ବାଷ୍ପରୁଦ୍ଧ କଣ୍ଠରେ କହିଲେ, ‘‘ଆପଣମାନେ ମୋତେ କ୍ଷମା କରନ୍ତୁ । ମୁଁ ମୋର ପୁତ୍ରର ସଂଶୋଧନ ଆଶା ଛାଡ଼ିଦେଇ ତାହାକୁ ଚିରକାଳ ନିମିତ୍ତ ତ୍ୟାଗ କରିପାରିବି ନାହିଁ ।’’ ସଭାସ୍ଥ ଲୋକେ ସେହି ଜନନୀର ଏପରି ଭାବ ଦେଖି ସ୍ତବ୍‌ଧ ହୋଇଗଲେ । ଏଥିମଧ୍ୟରେ କିଏ ଜଣେ ସମସ୍ତଙ୍କର ପଛଆଡ଼ୁ ଦୈାଡ଼ିଆସି ସେହି ଦୁଃଖିନୀ ନାରୀର ଚରଣତଳେ ପଡ଼ିଗଲା ଏବଂ ଉଚ୍ଚ ସ୍ୱରରେ କ୍ରନ୍ଦନ କରି କହିଲା,‘‘ମା’ ଗୋ ମା’ ! ଏହି ପାପିଷ୍ଠ ଅଧମ ପୁତ୍ର ପ୍ରତି ଆଉ ଦୟା କରନା । ମା’ ! ମୋତେ ଏହିକ୍ଷଣି ତ୍ୟାଗକର ।’’ ସ୍ନେହମୟୀ ଜନନୀ ପାଦତଳେ ପତିତ ପୁତ୍ରକୁ ଆପଣାର ବକ୍ଷଆଡ଼କୁ ଟାଣି ଆଣିଲେ । ମାତ୍ରା ଓ ପୁତ୍ର ପରସ୍ପରର କଣ୍ଠାଲିଙ୍ଗନ କରି କାନ୍ଦିବାକୁ ଲାଗିଲେ । ଏହି ଦୃଶ୍ୟ ଦେଖି ସମସ୍ତେ ଆନନ୍ଦ ଓ ବିସ୍ମୟରେ ନିମଗ୍ନ ହେଲେ । ଏଥିଉତ୍ତାରେ ସେହି ଦୁରାଚାର ଯୁବକର ଚିତ୍ତ ପରିବର୍ତ୍ତିତ ହୋଇଗଲା ଏବଂ ସେ ସମସ୍ତେ ଦୁଷ୍କ୍ରିୟା ପରିତ୍ୟାଗ କରି ସଚ୍ଚରିତ୍ର ସୁପୁତ୍ର ହେବାକୁ ଚେଷ୍ଟା କଲା ।

Image

 

ଲିସ୍‌ବନ ଭୂମିକମ୍ପ

 

[ଯେଉଁ ଭୟାବହ ଘଟନାମାନ ଏହି ଭୂମିକମ୍ପ ସମୟରେ ଘଟିଥିଲା ତାହା ଲିସ୍‌ବନ ନଗରବାସୀ ଜନୈକ ଇଂରାଜ ବଣିକ ସ୍ୱଚକ୍ଷୁରେ ଦର୍ଶନ କରି ବର୍ଣ୍ଣନା କରିଥିଲେ । ତାଙ୍କ ବିବରଣର ଅନୁବାଦ ନିମ୍ନରେ ଦିଆଯାଇଛି ।]

 

୧୭୫୫ ଅବ୍ଦର ନଭେମ୍ବର ମାସର ପ୍ରଥମ ଦିବସରେ ପ୍ରଭାତ ତୁଲ୍ୟ ରମଣୀୟ ପ୍ରଭାତ ପୂର୍ବେ କଦାପି ନୟନଗୋଚର ହୋଇ ନ ଥିଲା । ପ୍ରଶାନ୍ତ ସୁନିର୍ମଳ ଆକାଶରେ ସୂର୍ଯ୍ୟ ବିରାଜିତ ହୋଇ ହେମୋଜ୍ଜ୍ୱଳ ରଶ୍ମିଜାଲ ବିସ୍ତାର କରୁଥିଲେ । ସେହି ଭୀଷଣ ବିପତ୍‌ପାତ, ଯାହା କିୟତ୍‌କ୍ଷଣ ଉତ୍ତାରେ ଏହି ଋଦ୍ଧିମନ୍ତ ଏବଂ ଜନପୂର୍ଣ୍ଣ ନଗରକୁ ଛାରଖାର କରିଥିଲା, ତାହାର କୈାଣସି ଲକ୍ଷଣ ପ୍ରଭାତକାଳରେ ପରିଦୃଷ୍ଟ ହେଉ ନଥିଲା ।

 

ସେହି ଦିନ ପୂର୍ବାହ୍‌ଣ ଦଶଘଟିକା ସମୟରେ ମୁଁ ମୋହର ପ୍ରକୋଷ୍ଠ ମଧ୍ୟରେ ବସି ଖଣ୍ଡେ ପତ୍ର ଲେଖୁଥିଲି । ସହସା ପ୍ରକୋଷ୍ଠ ମଧ୍ୟରେ ବସି ଖଣ୍ଡେ ପତ୍ର ଲେଖୁଥିଲି । ସହସା ପ୍ରକୋଷ୍ଠମଧ୍ୟସ୍ଥ ମେଜ ଓ ଅନ୍ୟ ସାମଗ୍ରୀମାନ ମୃଦୁଭାବରେ କମ୍ପିତ ହେଲା । ଏହି କମ୍ପନର କାରଣ ମୁଁ ମନୋମଧ୍ୟରେ ଚିନ୍ତା କରୁଅଛି,ଏମନ୍ତ ସମୟରେ ସମସ୍ତ ଗୃହଟି ଆମୂଳ କମ୍ପିତ ହେବାକୁ ଲାଗିଲା । ମୁଁ ବିଚାରିଲି ରାଜମାର୍ଗରେ ଚାଳିତ ହେଉଥିବା ଯାନମାନଙ୍କର ଘୋର ଘର୍ଘର ଶବ୍ଦ ଯୋଗୁଁ ଏହି କମ୍ପ ଜାତ ହେଉଥିବ; କିନ୍ତୁ ଏହି ଭ୍ରମ ଶୀଘ୍ର ନିରାକୃତ ହେଲା । ଦୂର ବଜ୍ରନିନାଦ ତୁଲ୍ୟ ଭୟାବହ ଧ୍ୱନି ଭୂମିର ଅଭ୍ୟନ୍ତରରୁ ବାହାରନ୍ତେ ମୋର ହୃଦୟ ଭୟରେ କାତର ହେଲା । ମୁଁ ଏବେ ବୁଝିପାରିଲି ଯେ, ଏହା ଭୂମିକମ୍ପର ପୂର୍ବଗାମୀ ଶବ୍ଦ ।

 

ମୁଁ ଲେଖନୀ ନିକ୍ଷେପ କରି ଦଣ୍ଡାୟମାନ ହେଲି । ପ୍ରକୋଷ୍ଠ ମଧ୍ୟରେ ରହିବି କି ବାହାରକୁ ଯିବି, ଏହି ବିଷୟ ଆନ୍ଦୋଳନ କରୁଅଛି, ଏମନ୍ତ ସମୟରେ ଗୋଟାଏ ଭୟଙ୍କର ଶବ୍ଦ ଶୁଣି ଅଚେତନ ପ୍ରାୟ ହୋଇଗଲି । ନଗରର ସମସ୍ତ ଅଟ୍ଟାଳିକାଚୟ ଭୂପତିତ ହେଲାପରି ଜଣାଗଲା । ଯେଉଁ ଗୃହରେ ଥିଲି ତାହା ଏପରି ବେଗରେ କମ୍ପିବାକୁ ଲାଗିଲା ଯେ, ଉପରିସ୍ଥ ତଳ ଅଚିରାତ୍‌ ଭାଙ୍ଗିପଡ଼ିଲା ଏବଂ ନିମ୍ନ ତଳର ଯେଉଁ ପ୍ରକୋଷ୍ଠରହେ ମୁଁ ଥିଲି ତନ୍ମଧ୍ୟସ୍ଥ ସାମଗ୍ରୀମାନ ଇତସ୍ତତଃ ବିକ୍ଷିପ୍ତ ହେବାକୁ ଲାଗିଲା । ବିଦୀଣ୍ଣ ଭିତ୍ତିଦେହରୁ ବୃହତ୍‌ ପ୍ରସ୍ତରଖଣ୍ଡର ସ୍ଖଳନ ଦେଖି ମୁଁ ଜୀବନର ଆଶା ବିସର୍ଜନ କଲି । ମୂହୂର୍ତ୍ତକ ମଧ୍ୟରେ ଭଗ୍ନସୈାଧୋତ୍‌ଥିତ ପ୍ରକାଣ୍ଡ ଧୂଳିପଟଳ ଅନ୍ତରୀକ୍ଷକୁ ଏପରି ନିବିଡ଼ ଅନ୍ଧକାରରେ ଆବୃତ କଲା ଯେ, ମୁଁ କୈାଣସି ପଦାର୍ଥ ସ୍ପଷ୍ଟରୂପେ ଦେଖିପାରିଲିନାହିଁ । ଭୂତଳରୁ ପ୍ରଭୁତ ଗନ୍ଧକବାଷ୍ପ ଉଦ୍‌ଗୀର୍ଣ୍ଣ ହୋଇ ଶ୍ୱାସରୋଧ କରିବାକୁ ଲାଗିଲା-

 

କିଛିକ୍ଷଣ ଉତ୍ତାରେ ସେହି ନିବିଡ଼ ଅନ୍ଧକାର କିୟତ୍‌ ପରିମାଣରେ ଅପସାରିତ ହୁଅନ୍ତେ ମୁଁ ଦୃଷ୍ଟି ସଞ୍ଚାଳନ କରି ଦେଖିଲି ଯେ, ଗୋଟିଏ ସ୍ତ୍ରୀ ନିଜ ସନ୍ତାନକୁ ଉତ୍ସଙ୍ଗରେ ରଖି ନିସ୍ତବ୍‌ଧ ଭାବରେ ଗୃହର ଏକ କୋଣରେ ବସିଅଛି । ମୁଁ ବିସ୍ମିତ ହୋଇ ତାହାକୁ ପଚାରିଲି, ‘‘ତୁମ୍ଭେ ଏଠାକୁ କିପରି ଆସିଲ ?’’ ସେ ଏପରି ଭୟବିହ୍ୱଳ ହୋଇଥିଲା ଯେ, ସେତେବେଳେ ତାହାର ବାକ୍‌ସ୍ଫୂର୍ତ୍ତି ହୋଇପାରିଲାନାହିଁ । କିୟତ୍‌କ୍ଷଣ ଉତ୍ତାରେ ସେ କ୍ଷୀଣକଣ୍ଠରେ କହିଲା, ‘‘ମୋତେ ଅଳ୍ପେ ଜଳ ଦିଅ,ପିପାସାରେ ମୋର କଣ୍ଠ ଶୁଷ୍ପ ହେଉଅଛି ଏବଂ ବକ୍ଷ ଫାଟି ଯାଉଅଛି ।’’ ମୁଁ ତାହାକୁ କହିଲି, ‘‘ଏତେବେଳେ ଜଳ କାହୁଁ ପାଇବି ? ଏ ପିପାସା-ଶାନ୍ତିର ସମୟ ନୁହେଁ, ପ୍ରାଣରକ୍ଷାର ଉପାୟ ଚିନ୍ତା କର । ଏହି ଗୃହ ଏହିକ୍ଷଣି ଆମ୍ଭମାନଙ୍କର ମସ୍ତକ ଉପରେ ପଡ଼ିବ । ଏଠାରୁ ପଳାୟନ କର ।’’ଏହା କହି ସେହି ଘରୁ ବାହାରିଲି । ସେହି ସ୍ତ୍ରୀ ମୋ ହସ୍ତ ଅବଲମ୍ବନ କରି ମୋ ସାଙ୍ଗରେ ଆସିଲା । ରାଜମାର୍ଗକୁ ଆସି ଦେଖିଲି ଯେ, ତାହା ବିପର୍ଯ୍ୟସ୍ତ ସୈାଧମାଳାର ସ୍ତୂପୀକୃତ ଭଗ୍ନଖଣ୍ଡନିଚୟଦ୍ୱାରା ରୁଦ୍ଧ ହୋଇଅଛି । ଅତ୍ୟନ୍ତ ଆୟାସ ସହାକାରେ ସେହି ସସନ୍ତାନା ଅବଳାକୁ ଗୋଟିଏ ସ୍ତୂପ ପାର କରାଇ ଆଉ ଗୋଟିଏ ପ୍ରକାଣ୍ଡ ସ୍ତୂପ ନିକଟରେ ଉପସ୍ଥିତ ହେଲି । ସେହି ସ୍ତୂପକୁ ଅତିକ୍ରମ କରିବା ସାଧ୍ୟାୟତ୍ତ କି ନୁହେଁ, ଏହା ଦେଖିବା ନିମନ୍ତେ ମୁଁ ଦୁଇ ପହଣ୍ଡ ମାତ୍ର ଅଗ୍ରସର ହୋଇଅଛି, ଏମନ୍ତ ସମୟରେ ଗୋଟାଏ ପ୍ରକାଣ୍ଡ ଶିଳା ଏକ ପ୍ରାଚୀର ଦେହରୁ ପ୍ରଚଣ୍ଡ ବେଗରେ ସ୍ଖଳିତ ହୋଇ ସେହି ଅଭାଗିନୀ ନାରୀ ଓ ତାହାର ଅପତ୍ୟ ଦୁହିଁଙ୍କୁ ଚୂର୍ଣ୍ଣ କରିଦେଲା ।

 

ଏଥିଉତ୍ତାରେ ମୁଁ ଗୋଟିଏ ସଂକୀର୍ଣ୍ଣ ଗଳିମଧ୍ୟରେ ପ୍ରବେଶ କରି ଦେଖିଲି ଯେ, ତାହାର ଉଭୟ ପାର୍ଶ୍ୱସ୍ଥ ଅଟ୍ଟାଳିକାଚୟ ଚତୁସ୍ତଳ ଅଥବା ପଞ୍ଚତଳ ବିଶିଷ୍ଟ । ସେଥିମଧ୍ୟରୁ ଅଧିକାଂଶ ପତିତ ହୋଇଥିଲା ;ଅବଶିଷ୍ଟ ପତନୋନ୍ମୁଖ ହୋଇ ପ୍ରତି ମୁହୂର୍ତ୍ତ ପଥିକମାନଙ୍କର ଭୀତିସମ୍ପାଦନ କରୁଥିଲା-। ଚାରିଆଡ଼େ ପରିପିଷ୍ଟେ ଏବଂ ଭଗ୍ନାଂଶ ଶବରାଶି ଦର୍ଶନ କରି ମୁଁ ଅତ୍ୟନ୍ତ ତ୍ରସ୍ତ ଏବଂ କିଂକର୍ତ୍ତବ୍ୟବିମୂଢ ହେଲି । କିୟନ୍ମହୂର୍ତ୍ତ ପରେ ପୁନର୍ବାର ସାହାସ ଅବଲମ୍ବନ କରି ପ୍ରାଣରକ୍ଷା ନିମିତ୍ତ ଦ୍ରୁତପଦରେ ସେଣ୍ଟ୍ ପଲ ଗିର୍ଜ୍ଜା ନାମକ ଉପାସନା ମନ୍ଦିରକୁ ଗମନ କଲି । ଦେଖିଲି, ସେଠାରେ ଅନେକ ନରନାରୀ ସମବେତ ହୋଇଅଛନ୍ତି । ସମସ୍ତଙ୍କ ମୁଖ ବିଷାଦଚ୍ଛାୟାରେ ମଳିନ ଏବଂ ବିବଣ୍ଣ ହୋଇଅଛି । ସମସ୍ତେ ଜାନୁପାତପୂର୍ବକ ଅଶ୍ରୁପୂର୍ଣ୍ଣେ ଲୋଚନରେ ଏବଂ କରୁଣ ସ୍ୱରରେ ଈଶ୍ୱରଙ୍କ ଆରାଧନା କରୁଅଛନ୍ତି । ତ୍ରାହି ତ୍ରାହି ନିନାଦରେ ଗଗନ ପ୍ରତିଧ୍ୱନିତ ହେଉଅଛି । ଏମନ୍ତ ସମୟରେ ଦ୍ୱିତୀୟବାର ଭୂମିକମ୍ପ ଉପସ୍ଥିତ ହୋଇ ଗିର୍ଜ୍ଜାର ଅଧିକାଂଶକୁ ବିପର୍ଯ୍ୟସ୍ତ ଓ ଚୂର୍ଣ୍ଣ କରି ବହୁସଂଖ୍ୟକ ମନୁଷ୍ୟର ପ୍ରାଣସଂହାର କଲା । ଯେଉଁମାନେ ଗିର୍ଜ୍ଜାର ପଶ୍ଚିମ ପାର୍ଶ୍ୱରେ ଥିଲେ (ମୁଁ ପଶ୍ଚିମ ପାର୍ଶ୍ୱରେ ଥିଲି), ସେମାନେ କଥଞ୍ଚିତ୍‌ ପ୍ରାଣରକ୍ଷା କରିବାକୁ ସମର୍ଥ ହୋଇଥିଲେ । ନଗରର ଚତୁର୍ଦ୍ଦିଗରେ ଆର୍ତ୍ତ ହାହାକାରପୂର୍ଣ୍ଣ କୋଳାହଳ ଶ୍ରୁତିଗୋଚର ହେଲା । ପ୍ରୋକ୍ତ ଗିର୍ଜ୍ଜା ନଦୀତଟର ସମୀପବର୍ତ୍ତୀ ଥିଲା । ମୁଁ ନଦୀତଟ ନିରାପଦ ସ୍ଥାନ ମଣି ସେଠାକୁ ଗମନ କଲି ‘‘ସମୁଦ୍ର ମାଡ଼ି ଆସୁଅଛି; ଏଥର ଆଉ ରକ୍ଷା ନାହିଁ’’ ଏହି ଆର୍ତ୍ତଧ୍ୱନି ସହସା କର୍ଣ୍ଣଗୋଚର ହେଲା । ମୁଁ ନଦୀଆଡ଼କୁ ଅନାଇ ଦେଖିଲି ଯେ,ନଦୀଜଳ ଅତି ଅଦ୍ଭୁତ ପ୍ରକାରରେ ସ୍ଫୀତ ହେଉଅଛି । ମୁହୂର୍ତ୍ତମଧ୍ୟରେ ପ୍ରକାଣ୍ଡ ଜଳପ୍ରବାହ ପର୍ବତାକାର ଧାରଣ କରି ଭୀଷଣ ଗର୍ଜ୍ଜନ ଏବଂ ଫେନୋଦ୍‌ଗାର ସହକାରେ ଅତି ଦ୍ରୁତବେଗରେ ତଟଆଡ଼କୁ ଧାବମାନ ହେବାକୁ ଲାଗିଲା । ଉକ୍ତ ଜଳପ୍ରବାହ ଅନେକ ହତଭାଗ୍ୟ ଲୋକଙ୍କୁ ଭସାଇ ନେଇଗଲା । ମୁଁ ଭାଗ୍ୟକ୍ରମେ ଗୋଟାଏ ବଡ଼ କଡ଼ିକାଠକୁ ଆଶ୍ରୟ କରି ରକ୍ଷା ପାଇଗଲି । ଜଳ ଏବଂ ସ୍ଥଳ ଉଭୟତ୍ର ସମାନ ବିପଦ ଦେଖି ଆଶ୍ରୟଗ୍ରହଣାର୍ଥ କେଉଁଠାକୁ ଯିବି ଅବଧାରଣ କରିପାରିଲି ନାହିଁ । ଅବଶେଷରେ ସେଣ୍ଟପଲ୍‌ ଗିର୍ଜ୍ଜାର ପ୍ରାଙ୍ଗଣକୁ ଲେଉଟି ଆସିଲି । ସେଠାରେ ଦଣ୍ଡାୟମାନ ହୋଇ ଦେଖିଲି ଯେ,ନଦୀମଧ୍ୟସ୍ଥ ତରଣୀମାଳା ପ୍ରଚଣ୍ଡ ବେଗରେ ଉତ୍‌କ୍ଷିପ୍ତ ଏବଂ ନିପତିତ ହେଉଅଛି । କେତେକ ପୋତ ଛିନ୍ନରଜ୍ଜୁ ହୋଇ ଟେଗସ୍‌ ନଦୀର ଅପରପାର୍ଶ୍ୱକୁ ଭାସିଯାଉଅଛି,ଆହୁରି କେତେକ ଅକଥନୀୟ ବେଗରେ ଘୂର୍ଣ୍ଣିତ ହେଉଅଛି ଏବଂ କେତେଗୁଡ଼ିଏ ବୃହତ୍‌ ପୋତ ସମ୍ପୂର୍ଣ୍ଣରୂପେ ବିପର୍ଯ୍ୟସ୍ତ ହୋଇଅଛି; କିନ୍ତୁ ବିସ୍ମୟର ବିଷୟ ଏହି କି ଯେ, ଯେତେବେଳେ ନଦୀମଧ୍ୟରେ ଏପରି ଭୀଷଣ କାଣ୍ଡ ଅଭିନୀତ ହେଉଥିଲା,ତେତେବେଳେ ପବନର ସଞ୍ଚାର ମୁଣହୁଁ ଅନୁଭୂତ ହେଉ ନଥିଲା । ଏହି ସମୟରେ ନଦୀତୀରସ୍ଥ ପ୍ରସ୍ତରନିର୍ମିତ ସୁଦୃଢ ବନ୍ଧ ସଲିଳସାତ୍‌ ହେଲା ଏବଂ ସେହି ବନ୍ଧକୁ ନିରାପଦ ମଣି ଯେଉଁ ବହୁସଂଖ୍ୟକ ଲୋକ ସେଠାରେ ଏକତ୍ର ହୋଇଥିଲେ, ସେମାନେ ସମସ୍ତେ ମୃତ୍ୟୁର କରାଳ କବଳରେ ପତିତ ହେଲେ । ଆହୁରି ଉକ୍ତ ସମୟରେ ସେହି ବନ୍ଧର ନିକଟବର୍ତ୍ତୀ ବହୁ ମନୁଷ୍ୟପୂର୍ଣ୍ଣ ଅନେକଗୁଡ଼ିଏ ନୈାକା ଆବର୍ତ୍ତମୟ ଭୀଷଣ ବାରିରାଶି ମଧ୍ୟରେ ନିମଗ୍ନ ହୋଇଥିଲା ।

 

ଶେଷୋକ୍ତ ଘଟନା ମୁଁ ସ୍ୱୟଂ ଦେଖି ନଥିଲି । କତିପୟ ପୋତାମଧ୍ୟକ୍ଷମାନଙ୍କଠାରୁ ତାହାର ବିବରଣ ପ୍ରାପ୍ତ ହୋଇଅଛି । ସେମାନଙ୍କ ମଧ୍ୟରୁ ଜଣେ କହିଲେ ଯେ; ଦ୍ୱିତୀୟବାର ଭୂମିକମ୍ପ ସମୟର ପ୍ରଭଞ୍ଜନାକୁଳିତ ତରଙ୍ଗମୟ ସମୁଦ୍ରତୁଲ୍ୟ ସମସ୍ତ ନଗ୍ର ଅଗ୍ରପଶ୍ଚାତ୍‌ ଅନେକବାର ସଞ୍ଚାଳିତ ହୋଇଥିଲା ଏବଂ ନଦୀ ମଧ୍ୟରେ ଭୂମିକମ୍ପର ଏପରି ବେଗ ଉପସ୍ଥିତ ହୋଇଥିଲା ଯେ, ଲଙ୍ଗରମାନ ଉପରକୁ ଭାସି ଉଠିଲା ଏବଂ ଜଳରାଶି ସହସା ପଞ୍ଚଦଶ ହସ୍ତ ଊର୍ଦ୍ଧ୍ୱକୁ ଉଠି କ୍ଷଣକମଧ୍ୟରେ ପୁନର୍ବାର ଧାରଣ କଲା । କିଛିଦିନ ଉତ୍ତାରୁ ମୁଁ ପୂର୍ବୋକ୍ତ ବନ୍ଧ ଆଡ଼କୁ ଯାଇ ଦେଖିଲି ଯେ, ଯେଉଁ ସ୍ଥାନରେ ମୁଁ ଅଳ୍ପଦିବସ ପୂର୍ବରେ ସାୟଂକାଳରେ ଭ୍ରମଣ କରି ସୁଶୀତଳ ସମୀରଣ ସେବନ କରିଥିଲି ତାହାର କିଛିମାତ୍ର ଚିହ୍ନ ଲକ୍ଷିତ ହେଉନାହିଁ । ମୁଁ ଆହୁରି ଜଣେ ବନ୍ଧୁଙ୍କଠାରୁ ଶୁଣିଅଛି ଯେ, ନଦୀଜଳ ସ୍ଫୀତ ହେବା ଉତ୍ତାରେ ତାହାର ଅପର ତଟରେ ଅବନୀତଳ ବହୁଧା ବିଦୀର୍ଣ୍ଣ ଅଂଶମାନଙ୍କରୁ ବାଲୁକାସ୍ତମ୍ଭମାନ ଉଦ୍‌ଗୀର୍ଣ୍ଣ ହୋଇଥିଲା । ଭୂଗର୍ଭ କିପରି ଭୟାନକରୂପ ଆନ୍ଦୋଳିତ ହୋଇଥିଲା ତାହା ଏହି ବିସ୍ମୟକର ଘଟନାମାନଙ୍କର ଅନୁମିତ ହୋଇପାରେ ।

 

ସେଣ୍ଟପଲ୍‌ ଗୀର୍ଜ୍ଜାର ପ୍ରାଙ୍ଗଣରେ କିୟନ୍ମୁହୂର୍ତ୍ତମାତ୍ର ରହିଅଛି, ଏମନ୍ତ ସମୟରେ ତୃତୀୟବାର ଭୂମିକମ୍ପ ଉପସ୍ଥିତ ହେଲା । ଏହି ଭୂମିକମ୍ପର ବେଗ ପୂର୍ବାପେକ୍ଷା ଅଳ୍ପ ହେଲେହେଁ ସମୁଦ୍ରର ଉଚ୍ଛ୍ୱାସ ଅତ୍ୟନ୍ତ ଭୟଙ୍କର ହୋଇଥିଲା । ଉକ୍ତ ବାରିପ୍ରବାହ ଏପରି ଭୀଷଣ ବେଗରେ ପ୍ରତ୍ୟାବର୍ତ୍ତିତ ହେଲା ଯେ, ଯେଉଁ ପୋତଗୁଡ଼ିକ ଅଠେଇଶ ହସ୍ତ ଜଳ ଉପରେ ଭାସୁଥିଲା, ତାହା ଝଟତି ଶୁଷ୍କ ଭୂମି ଉପରେ ଅବସ୍ଥାପିତ ହେଲା । ମୁଁ ଚତୁର୍ଦ୍ଦିଗ ସଙ୍କଟପୂର୍ଣ୍ଣ ଦେଖି ନୈାରାଶ୍ୟଜର୍ଜ୍ଜରିତ ହୃଦୟରେ ମୁଦ୍ରାଶାଳା ଆଡ଼କୁ ପ୍ରସ୍ଥାନ କଲି । ଦେଖିଲି ସେଠାରୁ ପ୍ରହରିବର୍ଗ ପଳାୟନ କରି ଅଛନ୍ତି, କେବଳ ତୋରଣ ଦେଶରେ ଜଣେ ସାହାସିକ ଯୁବା ମୁଦ୍ରାରାଶିର ରକ୍ଷା ନିମିତ୍ତ ଦଣ୍ଡାୟମାନ ଅଛି । ଏହି ମହାନୁଭବ ଯୁବକର ସ୍ଥିରସଂକଳ୍ପ ଯୋଗୁଁ ଉକ୍ତ ମୁଦ୍ରାଶାଳା ଲୁଣ୍ଠିତ ହୋଇପାରି ନଥିଲା । ମୁଁ ଏଠାରେ ଭଗ୍ନ ରାଜପ୍ରାସାଦ ଦେଇ ଗୋଟିଏ ସଂକୀର୍ଣ୍ଣ ମାର୍ଗରେ ଅତି କଷ୍ଟରେ ଅଗ୍ରସର ହେବାକୁ ଲାଗିଲି । ପଥମଧ୍ୟରେ ଯେଉଁସବୁ ରୋମହର୍ଷଣକାରୀ ବ୍ୟାପାରମାନ ନୟନଗୋଚର ହେଲା, ତାହା ବର୍ଣ୍ଣନାତୀତ ଅଟେ । ମୃତ କିମ୍ବା ମୁମୂର୍ଷୂ ବ୍ୟକ୍ତିର ଶରୀର ଉପରେ ପାଦକ୍ଷେପ ନକରି ପହଣ୍ଡେ ମାତ୍ର ଅଗ୍ରସର ହେବାର ସମ୍ଭାବନା ନ ଥିଲା । କେଉଁଠାରେ ନିଜ ନିଜ ସ୍ୟନ୍ଦନପାର୍ଶ୍ୱରେ ଆରୋହୀ, ସାରଥି ଏବଂ ଅଶ୍ୱମାନେ ଜୀବଲୀଳା ସମ୍ବରଣ କରି ପଡ଼ିଅଛନ୍ତି, କେଉଁଠାରେ ଜନନୀମାନେ ସନ୍ତାନମାନଙ୍କୁ ବକ୍ଷରେ ଧାରଣ କରି ମୃତ୍ୟୁରୂପ ମହାନିଦ୍ରାରେ ଅଭିଭୂତ ଅଛନ୍ତି, କେଉଁଠାରେ ସମ୍ଭ୍ରାନ୍ତବଂଶୀୟ ମହାର୍ଘ ପରିଚ୍ଛଦଧାରିଣୀ ରମଣୀମାନେ ଶେଷ ନିଃଶ୍ୱାସ ନିକ୍ଷେପ କରୁଅଛନ୍ତି । କାହାର ପାଦ ଅବା ପୃଷ୍ଠ ଭଗ୍ନ ହୋଇଅଛି, କାହାର ବକ୍ଷଉପରେ ବିଶାଳ ଶିଳାଖଣ୍ଡ ନିକ୍ଷିପ୍ତ ରହିଅଛି-। କେହି ଉଚ୍ଚସ୍ୱରରେ ବିଳାପ କରୁଅଛି, କେହି ଅବା କାତର କଣ୍ଠରେ ସାହାଯ୍ୟ ପ୍ରାର୍ଥନା କରୁଅଛି ।

 

ସେହି ପ୍ରଳୟସଙ୍କାଶ ଭୟଙ୍କର ଦିବସରେ ଯେଉଁସବୁ ଦୁର୍ଘଟନା ଘଟିଥିଲା, ତାହାର ପ୍ରତ୍ୟେକକୁ ବର୍ଣ୍ଣନା କଲେ ଗୋଟିଏ ବୃହତ୍‌ ଗ୍ରନ୍ଥେ ହେବ । ଏହି କ୍ଷୁଦ୍ର ପତ୍ରୀରେ ତାହା ଲେଖିବା ଅସମ୍ଭବ । ଯାହା ହେଉ, ଆଉ ଗୋଟିଏ ଭୀଷଣ ଘଟନା ବିଷୟ ଉଲ୍ଲେଖ ନକରି ରହିପାରିଲି ନାହିଁ-। ସେହିଦିନ ପ୍ରଦୋଷକାଳରେ ଶର୍ବରୀର ଅନ୍ଧକାର ଧରଣୀମୁଖକୁ ଅବଗୁଣ୍ଠିତ କଲାମାତ୍ରକେ ଏକ ପ୍ରକାଣ୍ଡ ଅଗ୍ନିକାଣ୍ଡ ନୟନଗୋଚର ହେଲା । ସମସ୍ତ ନଗର ହୁତାଶନ ତେଜରେ ଏପରି ଉଜ୍ଜ୍ୱଳିକୃତ ହେଲା ଯେ, ସେହି ଆଲୋକଦ୍ୱାରା ଆମ୍ଭେମାନେ ପୁସ୍ତକାଦି ପାଠ କରିଥିଲୁଁ । ନଗରର ସର୍ବଦିଗରେ ଶତ ଶତ ସ୍ଥାନରେ ପ୍ରଚଣ୍ଡ ପାବକଶିଖା ସମୁତ୍‌ଥିତ ହେଲା । ଛଅଦିନ ପର୍ଯ୍ୟନ୍ତ ଏହି ସର୍ବଗ୍ରାସୀ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇ ନଗରର ଯାବତୀୟ ଗୃହକୁ ଭସ୍ମଭୂତ କଲା । ନଗରବାସୀମାନେ ଏପରି ଭୀତ ଓ ବିଷଣ୍ଣ ହୋଇଥିଲେ ଯେ, ସେହି ଅଗ୍ନିକୁ ନିର୍ବାପିତ କରିବାପାଇଁ କିଛିମାତ୍ର ଉଦ୍‌ଯୋଗ କରିପାରି ନଥିଲେ । ଏହି ଭୀଷଣ ଅଗ୍ନିକାଣ୍ଡ ଏବଂ ସେହି ରଜନୀର ମୁହୁର୍ମୁହୁଃ ଭୂମିକମ୍ପଦ୍ୱାରା ଘୋର ତ୍ରାସାକୁଳ ସମସ୍ତ ନରନାରୀ ନୀରବ ଦୁଃଖରେ ଏବଂ ଅଶ୍ରୁପୂର୍ଣ୍ଣ ନୟନରେ କେବଳ ଅନାଇ ରହିଥିଲେ । ମୁଁ ପ୍ରଥମେ ବିଚାରିଲି ଯେ, ଭୂମିକମ୍ପର ସମକାଳୀନ ଆନ୍ତଭୈାମାଗ୍ନି ସମୁତ୍‌ଥିତ ହୋଇ ନଗରକୁ ଦଗ୍‌ଧ କରିଅଛି । ମାତ୍ର ଅନୁସନ୍ଧାନଦ୍ୱାରା ଅବଗତ ହେଲି ଯେ, ନଭେମ୍ବର ମାସର ପ୍ରଥମ ଦିନ ରୋମାନ୍‌ କାଥଲିକ ଧର୍ମ ସମ୍ପ୍ରଦାୟର ଗୋଟିଏ ପ୍ରଧାନ ପର୍ବଦିବସ-। ସେହି ରଜନୀରେ ପ୍ରତ୍ୟେକ ଗିର୍ଜ୍ଜା ଆଲୋକମାଳାରେ ବିଭୂଷିତ ହୋଇଥିଲା । ପ୍ରଜ୍ଜ୍ୱଳିତ ଦୀପାବଳିର ଅଗ୍ନି ଭୂମିକମ୍ପର ଅଭିଘାତରେ ପତିତ କାଷ୍ଠ, ବସ୍ତ୍ର ପ୍ରଭୃତି ଦାହ୍ୟ ପଦାର୍ଥ ସଙ୍ଗରେ ସଂଲଗ୍ନ ହେବାରୁ ଗିର୍ଜ୍ଜାଗୁଡ଼ିକ ଦଗ୍‌ଧ ହୋଇଥିଲା ଏବଂ ତହିଁରୁ ଅଗ୍ନିଶିଖା ସମୁତ୍‌ଥିତ ହୋଇ ସନ୍ନିହିତ ଗୃହମାନଙ୍କର ସଂଲଗ୍ନ ହେଲା । ଏହି ପ୍ରକାରେ ଜ୍ୱଳନ୍ତ ଅଗ୍ନି ସର୍ବତ୍ର ବ୍ୟାପ୍ତ ହୋଇ ଲିସ୍‌ବନ୍‌ ନଗରକୁ ଭସ୍ମସାତ୍‌ କଲା ।

 

ଏହି ଭୂମିକମ୍ପ ଓ ଅଗ୍ନିକାଣ୍ଡ ଯୋଗୁଁ ଷଷ୍ଠିସହସ୍ରାଧିକ ମନୁଷ୍ୟ ବିନଷ୍ଟ ହୋଇଅଛନ୍ତି ଏବଂ ସମୃଦ୍ଧିଶାଳୀ ଲିସ୍‌ବନ୍‌ ନଗର ଭସ୍ମରାଶି ଏବଂ ଭଗ୍ନାବଶେଷ ରୂପରେ ପରିଣତ ହୋଇଅଛି । କି ଐଶ୍ୱର୍ଯ୍ୟଶାଳୀ, କି ଦରିଦ୍ର, ସମସ୍ତେ ସମଦଶାପନ୍ନ ହୋଇଅଛନ୍ତି । ଦୁଇଦିନ ପୂର୍ବରେ ଯେଉଁମାନେ ନାନା ବିଳାସ ଏବଂ ଆମୋଦରେ କାଳଯାପନ କରୁଥିଲେ, ସେମାନେ ଆଜି ଆଶ୍ରୟବିହୀନ ହୋଇ ଇତସ୍ତତଃ ଭ୍ରମଣ କରୁଅଛନ୍ତି ।

Image

 

ବୁଦ୍ଧଦେବ *

 

ଯେଉଁ ମହାପୁରୁଷଙ୍କର ପ୍ରଚାରିତ ଧର୍ମ ସମ୍ପ୍ରତି ଆସିଆ ଖଣ୍ଡର ଅଧିକାଂଶ ଅଧିବାସୀଙ୍କର ଅବଲମ୍ବିତ,ସେହି ଭୂବନବିଖ୍ୟାତ ମହାତ୍ମା ବୁଦ୍ଧଦେବ ନେପାଳ ରାଜ୍ୟର ହିମାଚ୍ଛନ୍ନ ପର୍ବତମାଳାର ସମୀପବର୍ତ୍ତୀ କପିଳାବାସ୍ତୁନାମ୍ନୀ ନଗରୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଶୁଦ୍ଧୋଦନ କପିଳବାସ୍ତୁର ଅଧିପତି ଥିଲେ । ତାଙ୍କର ଜନନୀ ମାୟାଦେବୀ ସୁପ୍ରବୃଦ୍ଧ ନାମକ ରାଜାର ତନୟା ଥିଲେ । ବୁଦ୍ଧଦେବ କ୍ଷତ୍ରିୟ ଶାକ୍ୟବଂଶରୁ ସମ୍ଭୂତ ହୋଇଥିଲେ; ପୈାତୃକ ନାମାନୁସାରେ ସେ ଶାକ୍ୟ ନାମରେ ଅଭିହିତ ହେଲେ । ବୁଦ୍ଧ ବାଲ୍ୟକାଳରେ ସିଦ୍ଧାର୍ଥ ନାମରେ ଆଖ୍ୟାର ହୋଇଥିଲେ । ଯୈାବନ ସମୟରେ ସେ ଆପଣାକୁ ବୁଦ୍ଧ ନାମରେ ପରିଚିତ କରାଇଥିଲେ । ଗୈାତମକୁଳ ସଙ୍ଗରେ ତାଙ୍କର ସମ୍ବନ୍ଧ ଥିବାରୁ ତାଙ୍କର ଅନ୍ୟତମ ନାମ ଗୈାତମ ହୋଇଥିଲା ।

 

* Maxmuller’s “Chips from a German workshop.”

 

ବୁଦ୍ଧଦେବଙ୍କର ଜନ୍ମଗ୍ରହଣର ସପ୍ତମ ଦିବସରେ ତାଙ୍କର ଧର୍ମଶୀଳା ଜନନୀ ମାନବଲୀଳା ସମ୍ବରଣ କଲେ । ତାଙ୍କ ପିତା ନବପ୍ରସୂତ ପୁତ୍ରକୁ ମୃତପତ୍ନୀର ଭଗିନୀ ହସ୍ତରେ ସମର୍ପଣ କଲେ । ବୁଦ୍ଧଦେବ ଅତି ଶୈଶବକାଳରେ ଚିନ୍ତାଶୀଳତା ନିମିତ୍ତ ଖ୍ୟାତି ଲଭିଥିଲେ । ସେ ଅତି ଅଳ୍ପ ବୟସରେ ନିଜର ଅସାଧାରଣ ବୁଦ୍ଧି ପ୍ରଭାବରେ ଅନେକ ଶାସ୍ତ୍ର ଅଧ୍ୟୟନ କଲେ । ବୁଦ୍ଧଦେବ ସହଚରମାନଙ୍କ ସଙ୍ଗରେ କ୍ରୀଡ଼ା କୈାତୁକରେ ଲିପ୍ତ ନଥାଇ ନିର୍ଜନ ପ୍ରଦେଶରେ ଉପବିଷ୍ଟ ହୋଇ ଚିନ୍ତାସାଗରେରେ ନିମଗ୍ନ ରହୁଥିଲେ । ରାଜା ପୁତ୍ରର ଏପରି ପ୍ରବୃତ୍ତି ସନ୍ଦର୍ଶନନ କରି କାଳେ ପୁତ୍ର ସଂସାରବିରାଗୀ ହୋଇଯିବେ, ଏହି ଆଶଙ୍କାରେ ତାଙ୍କୁ ପ୍ରଣୟସୂତ୍ରରେ ବଦ୍ଧ କରିବାପାଇଁ ଦୃଢସଂକଳ୍ପ ହେଲେ । ରାଜାଙ୍କର ପ୍ରଧାନ ସଚିବ ସିଦ୍ଧାର୍ଥଙ୍କ ଆଗରେ ବିବାହେ ବିଷୟ ପ୍ରସ୍ତାବ କଲାରୁ ସେ ଉକ୍ତ ବିଷୟ ଆଲୋଚନା କରିବା ନିମନ୍ତେ ସାତଦିନର ଅବସର ଗ୍ରହଣ କଲେ । ଅବଶେଷରେ ବିବାହଦ୍ୱାରା ତାହାଙ୍କର ଚିତ୍ତଶାନ୍ତି ଭଗ୍ନ ହୋଇପାରିବ ନାହିଁ ଜାଣି ସେ ବିବାହ ବିଷୟରେ ସମ୍ମତି ପ୍ରଦାନ କଲେ । ଦଣ୍ଡପାଣି ନାମଧେୟ ତାଜାଙ୍କର ଗୋପାନାମ୍ନୀ ଗୋଟିଏ ପରମ ରୂପବତୀ କନ୍ୟା ଥିଲା । ତାହାଙ୍କର ଅନ୍ୟତମ ନାମ ଯଶୋଧାରା । ଏହି କନ୍ୟା ସଙ୍ଗରେ ବିବାହ ହେବାର ନିଶ୍ଚୟ ହେଲା । ପ୍ରଥମରେ ଦଣ୍ଡପାଣି ମନୁଷ୍ୟତ୍ୱବିହୀନ ଏବଂ ବୁଦ୍ଧିଶୂନ୍ୟ ମଣି ତାଙ୍କ ହସ୍ତରେ ନିଜ ଦୁହିତାକୁ ସମ୍ପ୍ରଦାନ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ; କିନ୍ତୁ ପରେ ତାଙ୍କର ଅସାଧାରଣ ଧୀଶକ୍ତି ଏବଂ ଶୈାର୍ଯ୍ୟର ପରିଚୟ ପାଇ ପରମ ଆନନ୍ଦରେ ତାଙ୍କ ସଙ୍ଗରେ ନିଜ କନ୍ୟାକୁ ବିବାହିତା କରାଇଲେ ।

 

ଶାକ୍ୟସିଂହଙ୍କର ପରିଣୟ ସମ୍ପନ୍ନ ହେଲା ସତ୍ୟ ;କିନ୍ତୁ ସେ ପୂର୍ବବତ୍‌ ଜୀବନ ଓ ମୃତ୍ୟୁ ବିଷୟକ ଗଭୀର ଚିନ୍ତାରେ ନିମଗ୍ନ ଥାଇ କାଳାତିପାତ କରିବାକୁ ଲାଗିଲେ । କୈାଣସି କୈାଣସି ସମୟରେ ସେ ନିମ୍ନଲିଖିତ ପ୍ରକାରରେ କଥୋପକଥନ କରୁଥିଲେ । ‘‘ଏହି ପାପମୟ ସଂସାରେ ସମୁଦାୟ ଅନିତ୍ୟ ଓ ଅସତ୍ୟ ଓ ଅସତ୍ୟ; କିଛି ହିଁ ସ୍ଥିର ନୁହେଁ । ଦୁଇଖଣ୍ଡ କାଷ୍ଠର ଘର୍ଷଣଦ୍ୱାରା ଉତ୍ପନ୍ନ ଅଗ୍ନିକଣା ତୁଲ୍ୟ ଏହି ଜୀବନ ପ୍ରଜ୍ଜ୍ୱଳିତ ହୋଇ ମୁହୁର୍ତ୍ତକ ଉତ୍ତାରେ ନିର୍ବାଣପ୍ରାପ୍ତ ହୁଏ । ଏହି ଜୀବନ ବୀଣା-ଶବ୍ଦ ତୁଲ୍ୟ; ଏହାର ଆଗମନ ଓ ପ୍ରତିଗମନର ସ୍ଥାନ ନିରୂପଣ କରିବା ଅସମ୍ଭବ ଅଟେ । ଅବଶ୍ୟ ଶାନ୍ତିର ଆଧାର ଓ ମୁକ୍ତିର ଉତ୍ସସ୍ୱରୂପ ପରମାତ୍ମା ବିଦ୍ୟମାନ ଅଛନ୍ତି । ମୁଁ ସେହି ଶାନ୍ତି ଓ ମୁକ୍ତି ଲଭି ପାରିଲେ ଭ୍ରାନ୍ତ ମନୁଷ୍ୟକୁ ସତ୍ୟର ପଥ ଦେଖାଇ ପାରିବି ।’’ ରାଜା ପୁତ୍ରର ଏପରି ବୈରାଗ୍ୟ ଦର୍ଶନ କରି ପୁତ୍ରକୁ ବିଷୟ-ସୁଖରେ ପ୍ରବୃତ୍ତ କରାଇବା ନିମନ୍ତେ ବିବିଧ ଚେଷ୍ଟା କଲେ; କିନ୍ତୁ ତାଙ୍କର ସମସ୍ତ ଯତ୍ନ ବିଫଳ ହେଲା ତିନୋଟି ସାମାନ୍ୟ ଘଟନାଦ୍ୱାରା ବୁଦ୍ଧଦବଙ୍କର ଜୀବନର ଗତି ଅତି ଅଦ୍‌ଭୂତରୂପେ ପରିବର୍ତ୍ତିତ ହୋଇଥିଲା । ସେହି ଘଟନାତ୍ରୟର ଉପାଖ୍ୟାନ ନିମ୍ନରେ ବିବୃତ ହେଉଅଛି ।

 

ଦିନେ ସିଦ୍ଧାର୍ଥ ବହୁ ଅନୁଚର ସଙ୍ଗରେ ସାୟଂସମୀରଣ ସେବନ କରିବା ନିମନ୍ତେ ନଗରର ପୂର୍ବଦ୍ୱାର ଦେଇ ନିଜ ଉଦ୍ୟାନ ଆଡ଼କୁ ଯାଉଥିଲେ । ମାର୍ଗରେ ଗୋଟିଏ ରୁଗ୍‌ଣ ଜରାକ୍ଲିଷ୍ଟ ଶ୍ଲଥଚର୍ମା ବ୍ୟକ୍ତି ତାଙ୍କର ଦୃଷ୍ଟିଗୋଚର ହେଲା । ତାହାର ଶରୀରସ୍ଥ ଶିରା ଓ ମାଂସପେଶୀ ସମୁଦାୟ ବାହରକୁ ଦିଶୁଥିଲା । ତାର ଦନ୍ତଶ୍ରେଣୀ ଶୀତରେ କମ୍ପୁଥିଲା,ଦେହରେ ଖଣ୍ଡିଏ ଜୀର୍ଣ୍ଣ ଓ ଛିନ୍ନବସ୍ତ୍ର ଛଡ଼ା ଆଉ କିଛି ନଥିଲା । ଅନାହାର ହେତୁରୁ ମୁଖରୁ ବାକ୍ୟ ସ୍ଫୁରୁ ନଥିଲା । ଖଣ୍ଡିଏ ଯଷ୍ଟି ଉପରେ ଭରାଦେଇ ଏକ ଏକ ପଦ ଅଗ୍ରସର ହେଉଥିଲା । ସିଦ୍ଧାର୍ଥ ସାରଥିକୁ ପଚାରିଲେ, ‘‘ଏ ମନୁଷ୍ୟ କିଏ-? ଦେଖ,ଏହାର ଶରୀର ରୁଗ୍‌ଣ ହୋଇଅଛି, ରକ୍ତମାଂସ ଶୁଷ୍କ ହୋଇଅଛି, ଅସ୍ଥି ଓ ଶିରା ସମୁଦାୟ ଚର୍ମ୍ମ ମଧ୍ୟରୁ ଦେଖାଯାଉଅଛି ଏବଂ ମସ୍ତକର କେଶସମୂହ ଧଳା ହୋଇଅଛି । ଚାଲିଲାବେଳକୁ ଏହାର ପାଦ ସ୍ଖଳିତ ହେଉଅଛି । ଏହି ଶୋଚନୀୟ ଅବସ୍ଥା ଏହାର ଦରିଦ୍ରତା ହେତୁରୁ ହୋଇଅଛି, ନା ସମସ୍ତ ମନୁଷ୍ୟଙ୍କୁ ଏହି ଅବସ୍ଥାରେ ପଡ଼ିବାକୁ ହୁଏ ?’’ ସାରଥି ଉତ୍ତର କଲା, ‘‘ମହାଭାଗ ! ଏ ବ୍ୟକ୍ତି ଜୀବନର ଶେଷ ଦଶାରେ ଉପସ୍ଥିତ ହୋଇଅଛି, ଏହାର ବନ୍ଧୁ ଓ ପରିବାରବର୍ଗ ଏହାକୁ ବନମଧ୍ୟସ୍ଥ ଶୁଷ୍କ ବୃକ୍ଷତୁଲ୍ୟ ପରିତ୍ୟାଗ କରିଅଛନ୍ତି । ଏ ବ୍ୟକ୍ତିର ଦରିଦ୍ରତାରୁ ଏପରି ଘଟିନାହିଁ । ମନୁଷ୍ୟର ଯୈାବନକାଳ ପ୍ରସ୍ଫୁଟିତ ପୁଷ୍ପର ସୈାରଭତୁଲ୍ୟ କ୍ଷଣସ୍ଥାୟୀ ଏବଂ ବୃଦ୍ଧାବସ୍ଥା ଉପସ୍ଥିତ ହେଲେ ଯୈାବନଶ୍ରୀ ବିନଷ୍ଟ ହୁଏ । ଆପଣଙ୍କ ପିତାମାତା, ବନ୍ଧୁ କୁଟୁମ୍ବ ସମସ୍ତେ ଏହି ଦଶାର ଅଧୀନ ।’’ ରାଜପୁତ୍ର ଉତ୍ତର କଲେ, ‘‘ଆହା,ମନୁଷ୍ୟମାନେ କି ଏଡ଼େ ହୀନବୁଦ୍ଧି ଯେ, ବୃଦ୍ଧାବସ୍ଥାର କଷ୍ଟସମୂହ ସମ୍ମୁଖରେ ଦେଖି ସୁଦ୍ଧା ଯୈାବନର ଅସ୍ଥାୟୀ ସୈାନ୍ଦର୍ଯ୍ୟରେ ବିମୋହିତ ହୁଅନ୍ତି । ମୁଁ ମଧ୍ୟ ଏହି ଜରାର ଅଧୀନ, ମୁଁ ମଧ୍ୟ ଏହି ବ୍ୟକ୍ତିପରି ଶ୍ଲଥଚର୍ମା ଓ ବଳହୀନ ହେବି । ତେବେ ଅନିତ୍ୟ ବିଷୟ-ସୁଖରେ ଲିପ୍ତ ହେଲେ କି ହେବ ?’’ ଏହା କହି ରାଜପୁତ୍ର ସାରଥିକୁ ରଥ ଫେରାଇବାକୁ ଆଦେଶ ଦେଲେ ।

 

କିଛି ଦିନ ଉତ୍ତାରେ ବୁଦ୍ଧଦେବ ଆଉ ଦିନେ ପ୍ରାତଃ ସମୀରଣ ସେବନ କରିବା ନିମନ୍ତେ ନଗରର ଦକ୍ଷିଣଦ୍ୱାର ଦେଇ ନିଜ ଉଦ୍ୟାନ ଆଡ଼କୁ ଗମନ କରୁଥିଲେ । ଏମନ୍ତ ସମୟରେ ମାର୍ଗ ମଧ୍ୟରେ ଗୋଟିଏ ରୋଗାତୁର କଙ୍କାଳମାତ୍ରାବିଶିଷ୍ଟ ମନୁଷ୍ୟ ତାଙ୍କର ଦୃଷ୍ଟିଗୋଚର ହେଲା । ସେ ବନ୍ଧୁହୀନ, ଅର୍ଥଶୂନ୍ୟ ଏବଂ ବାସହୀନ ହୋଇ ରାଜମାର୍ଗର ଏକ ପାର୍ଶ୍ୱରେ ପଡ଼ିଅଛି । ତାହାର ନିଃଶ୍ୱାସ ରୁନ୍ଧି ହୋଇଆସୁଅଛି ଏବଂ ମୁଖରୁ ବାକ୍‌ସ୍ଫୁର୍ତ୍ତି ହେଉନାହିଁ । ସେ ମୃତ୍ୟୁକୁ ସମ୍ମୁଖରେ ଦେଖି ଅବିରତ ଅଶ୍ରୁଧାରା ବିସର୍ଜନ କରୁଅଛି । ରାଜପୁତ୍ର ସାରଥିଠାରୁ ଆଶାନୁରୂପ ଉତ୍ତର ପାଇ କରୁଣଭାବରେ କହିଲେ, ‘‘ଆହା, ମନୁଷ୍ୟର ସ୍ୱାସ୍ଥ୍ୟ ସ୍ୱପ୍ନପ୍ରାୟ କ୍ଷଣସ୍ଥାୟୀ; ଏହିପରି କଷ୍ଟ ଓ ଦୁଃଖ ପ୍ରତ୍ୟକ୍ଷ କଲା ଉତ୍ତାରେ କେଉଁ ଜ୍ଞାନୀ ବ୍ୟକ୍ତି କହିବ ଯେ, ମନୁଷ୍ୟ ସୁଖଭୋଗ କରୁଅଛି ?’’ଏହି ପ୍ରକାର କରୁଣୋକ୍ତି କରି ସେ ରଥକୁ ଲେଉଟାଇବା ନିମନ୍ତେ ସାରଥିକୁ ଆଦେଶ ପ୍ରଦାନ କଲେ ।

 

ଆଉ ଦିନେ ରାଜକୁମାର ନଗରର ପଶ୍ଚିମ ଦ୍ୱାର ଦେଇ ନିଜ ଉଦ୍ୟାନ ଆଡ଼କୁ ଯାଉଥିଲେ । ମାର୍ଗମଧ୍ୟରେ ବସ୍ତ୍ରାଚ୍ଛାଦିତ ଗୋଟିଏ ମୃତ ଦେହ ଦର୍ଶନ କଲେ । ମୃତ ବ୍ୟକ୍ତିର ବନ୍ଧୁମାନେ ବିକଳ କଣ୍ଠରେ ରୋଦନ କରି ଶବ ପଛରେ ଗମନ କରୁଅଛନ୍ତି । କେତେଗୁଡ଼ିଏ ସ୍ତ୍ରୀ ଶୋକବିହ୍ୱଳା ହୋଇ ନିଜ ନିଜ ବକ୍ଷରେ କରାଘାତ କରୁଛନ୍ତି, ମାର୍ଗର ଧୂଳିରେ ଅବଲୁଣ୍ଠିତା ହେଉଅଛନ୍ତି ଏବଂ ହୃଦୟବିଦାରକ ଶୋକଧ୍ୱନି ଦ୍ୱାରା ଆକାଶ ବିଦୀର୍ଣ୍ଣ କରୁଅଛନ୍ତି । ବୁଦ୍ଧଦେବ ଏ ସମସ୍ତ ଦର୍ଶନ କରି ନିଜ ସହଚରମାନଙ୍କୁ କହିବାକୁ ଲାଗିଲେ, ‘‘ହାୟ! ସେ ଯୈାବନରେ କି କାର୍ଯ୍ୟ, ଯାହାର ପରିଣାମ ଏପରି ଶୋଚନୀୟ । ସେ ଦେହରେ କି ଫଳ,ଯାହାର ଧ୍ୱଂସ ଅନିବାର୍ଯ୍ୟ । ଏ କ୍ଷଣଭଙ୍ଗୁର ଜୀବନ କେବଳ ଦୁଃଖପୂର୍ଣ୍ଣ ଅଟେ । ଯଦ୍ୟପି ମନୁଷ୍ୟମାନଙ୍କର ରୋଗ, ଜରା, ମୋହ ପ୍ରଭୃତି ନଥାନ୍ତା, ଆହା, ତାହାହେଲେ ମନୁଷ୍ୟ-ଜୀବନ କିପରି ସୁଖମୟ ହୁଅନ୍ତା !’’ ଏହା କହି ସିଦ୍ଧାର୍ଥ ରାଜପ୍ରାସାଦକୁ ପ୍ରତ୍ୟାଗମନ କଲେ ।

 

ଆଉ ଦିନେ ଯୁବରାଜ ସିଦ୍ଧାର୍ଥ ନଗରର ଉତ୍ତର ଦ୍ୱାର ଦେଇ ତାଙ୍କର ସୁଶୋଭନ ଉଦ୍ୟାନ ଆଡ଼କୁ ଯାଉଥିଲେ । ମାର୍ଗ ମଧ୍ୟରେ ପ୍ରଶାନ୍ତଚେତା,ଜିତେନ୍ଦ୍ରିୟ, ନିର୍ବିକାର, ଭିକ୍ଷାପାତ୍ରହସ୍ତ ଜଣେ ସନ୍ନ୍ୟାସୀ ତାଙ୍କର ନୟନଗୋଚର ହେଲେ । ତାଙ୍କୁ ଦେଖି ସିଦ୍ଧାର୍ଥ ସାରଥିଙ୍କୁ ପଚାରିଲେ, ‘‘ଏ ବ୍ୟକ୍ତି କିଏ ?’’ ସାରଥି ଉତ୍ତର କଲା, ‘‘ମହାଭାଗ ! ଏ ଜଣେ ସନ୍ନ୍ୟାସୀ । ଏ ସମୁଦାୟ ସଂସାରର ସୁଖ,ଭୋଗବିଳାସ ଏବଂ ଲୋଭ ପରିତ୍ୟାଗ କରି ,ଏବଂ ସଂସାରର ମୋହମାୟାରୁ ଅପସୃତ ହୋଇ କଠୋର ଯୋଗସାଧନା କରୁଅଛନ୍ତି । ଦୁରନ୍ତ ରିପୁମାନେ ଏହାଙ୍କର ବଶୀଭୂତ । ଏହି ସନ୍ନ୍ୟାସୀ ଭିକ୍ଷାଦ୍ୱାରା ଜୀବନଯାତ୍ରା ନର୍ବାହ କରି ପ୍ରଶାନ୍ତ ଭାବରେ କାଳଯାପନ କରୁଅଛନ୍ତି ।’’ ରାଜକୁମାର ଏହା ଶୁଣି କହିଲେ, ‘‘ସନ୍ନ୍ୟାସବ୍ରତ ସର୍ବୋତ୍କୃଷ୍ଟ ଅଟେ । ଏହା ଆମ୍ଭମାନଙ୍କୁ ପରମ ସୁଖ ପ୍ରଦାନ କରିବ ଏବଂ ସତ୍ୟ ଓ ମୁକ୍ତି ଆଡ଼କୁ ଘେନିଯିବ । ଏହା ସର୍ବକାଳରେ ଜ୍ଞାନୀମାନଙ୍କ କର୍ତ୍ତୃକ ପ୍ରଶଂସିତ ହୋଇଅଛି । ଏହି ବ୍ରତ ଆମ୍ଭର ଅବଲମ୍ବନୀୟ ।’’ ଏହା କହି ଯୁବରାଜ ରଥ ଲେଉଟାଇବା ପାଇଁ ସାରଥିକୁ ଆଦେଶ ଦେଲେ ।

 

କିଛିଦିନ ଉତ୍ତାରେ ବୁଦ୍ଧଦେବ ସଂସାର ପରିତ୍ୟାଗ କରିବାକୁ ସଂକଳ୍ପ କଲେ ଏବଂ ପିତା ଓ ବନିତାଙ୍କ ନିକଟରେ ନିଜର ଅଭିପ୍ରାୟ ବ୍ୟକ୍ତ କଲେ । ପିତା ତାଙ୍କୁ ଏହି ସଂକଳ୍ପରୁ ନିବୃତ୍ତ କରାଇବା ନିମନ୍ତେ ଅନେକ ଉପଦେଶ ପ୍ରଦାନ କଲେ । ରୂପବତୀ ଯଶୋଧାରା ବିଳାପ କରିବାକୁ ଲାଗିଲେ; କିନ୍ତୁ ବୁଦ୍ଧଦେବ କୈାଣସି କଥା ଶୁଣିଲେ ନାହିଁ । ଦିନେ ନିଶୀଥ ସମୟରେ ଯଶୋଧାରାଙ୍କୁ ନିଦ୍ରିତା ଦେଖି ନିଃଶବ୍ଦରେ ଶଯ୍ୟା ତ୍ୟାଗ କରି ସୁରମ୍ୟ ରାଜପ୍ରାସାଦରୁ ବହିର୍ଗତକ ହେଲେ । ପିତାଙ୍କ ଅଶ୍ୱାଳୟସ୍ଥ ଗୋଟିଏ ବେଗଗାମୀ ଘୋଟକର ପୃଷ୍ଠରେ ଆରୋହଣ କରି, ଉକ୍ତ ଅଶ୍ୱର ରକ୍ଷକକୁ ସଙ୍ଗରେ ଘେନି ସେହି ତମୋମୟୀ ରଜନୀରେ ନିବିଡ଼ ଅରଣ୍ୟମଧ୍ୟରେ ଭ୍ରମଣ କରିବାକୁ ଲାଗିଲେ । ରଜନୀ ପ୍ରଭାତ ହେଲାକ୍ଷଣି ଘୋଟକରୁ ଅବତରଣ କରି,ଛନ୍ଦକନାମକ ଅଶ୍ୱପାଳକୁ ନିଜର ବହୁମୂଲ୍ୟ ହାର ପ୍ରଦାନ କରି ତାହାକୁ ବିଦାୟ ଦେଲେ ଏବଂ ଏକାକୀ ପଦବ୍ରଜରେ ଭ୍ରମଣ କରିବାକୁ ଲାଗିଲେ ।

 

‘ଲଳିତବିସ୍ତର’ ନାମକ ବୈାଦ୍ଧଗ୍ରନ୍ଥ ପାଠକଲେ ଜଣାଯାଏ ଯେ ବୁଦ୍ଧଦେବ ଯେଉଁ ସ୍ଥାନରେ ଅଶ୍ୱ ଏବଂ ଅଶ୍ୱପାଳକୁ ବିଦାୟ ଦେଇଥିଲେ ସେଠାରେ କୀର୍ତ୍ତିସ୍ତୟ (ସ୍ତୂପ) ନିର୍ମିତ ହୋଇଥିଲା । ଚୀନ-ଦେଶୀୟ ପରିବ୍ରାଜକ ହୁଏନ୍‌ସାଂ କୁଶୀ ନଗରରକୁ ଯିବା ସମୟରେ ମାର୍ଗମଧ୍ୟରେ ଏହି ସ୍ତୂପ ଦର୍ଶନ କରିଥିଲେ । ବର୍ତ୍ତମାନ ଗୋରକ୍ଷପୁର ନଗରର ଦକ୍ଷିଣପୂର୍ବ ଭାଗରେ ପ୍ରାୟ ପଞ୍ଚବିଂଶ କ୍ରୋଶ ଦୂରରେ ଉକ୍ତ କୁଶୀ ନଗରର ଭଗ୍ନାବଶେଷ ଦୃଷ୍ଟିଗୋଚର ହୁଏ ।

 

ବୃଦ୍ଦଦେବ ଗୃହ ତ୍ୟାଗକରି ବୈଶାଳୀନାମକ ନଗରେ ଉପସ୍ଥିତ ହୋଇ ଶତଶିଷ୍ୟପରିବେଷ୍ଟିତ ଜଣେ ବିଖ୍ୟାତ ପଣ୍ଡିତଙ୍କ ନିକଟକୁ ଗମନ କଲେ । ସେଠାରେ କିଛିଦିନ ଅଧ୍ୟୟନ କଲେ; ମାତ୍ର ଆଶାନୁରୂପ ଫଳ ନ ପାଇବାରୁ ସେ ସ୍ଥାନ ପରିତ୍ୟାଗ କଲେ । ଅନନ୍ତର ସେ ମଗଧଦେଶୀୟ ରାଜଧାନୀ ରାଜଗୃହ ନାମକ ନଗରକୁ ଗମନ କଲେ । ଏହା ମହାଭାରତ ରେ ଗିରିବ୍ରଜ ନାମରେ ଉଲ୍ଲିଖିତ ଜରାସନ୍ଧ ରାଜାଙ୍କର ରାଜଧାନୀ ଥିଲା । ସେଠାରେ ସପ୍ତଶିଷ୍ୟପରିବେଷ୍ଟିତ ଜଣେ ଆଚାର୍ଯ୍ୟଙ୍କ ନିକଟରେ ଅଧ୍ୟୟନ କରିବାକୁ ଲାଗିଲେ; ମାତ୍ର କଷ୍ଟପୂର୍ଣ୍ଣ ଶରୀରରୁ ମୁକ୍ତି ଲଭିବାର କୈାଣସି ଉପାୟ ନ ପାଇ ବୁଦ୍ଧଦେବ ଉକ୍ତ ଆଚାର୍ଯ୍ୟଙ୍କଠାରୁ ପ୍ରତ୍ୟାବର୍ତ୍ତନ କଲେ । ରାଜଗୃହର ତତ୍‌କାଳୀନ ରାଜା ବିମ୍ବିସାର ସିର୍ଦ୍ଧାର୍ଥଙ୍କ ସଙ୍ଗେ ସାକ୍ଷାତ୍‌ କରି ତାହାଙ୍କୁ ନିରତିଶୟ ସମୋଦର କରିଥିଲେ । ଉକ୍ତ ରାଜଧାନୀର ସମୀପବର୍ତ୍ତୀ ଗୋଟିଏ ନିବିଡ଼ ବହୁତାପସାଧ୍ୟୁଷିତ ଗହନ ବନମଧ୍ୟରେ ବାସକରି, ବହୁକାଳ ପର୍ଯ୍ୟନ୍ତ ଅନ୍ୟାନ୍ୟ ଋଷିମାନଙ୍କପରି ସ୍ୱର୍ଗ କାମନା କରି କଠୋର ତପସ୍ୟାବଲମ୍ବନପୂର୍ବକ ଦୁରନ୍ତ ରିପୁମାନଙ୍କୁ ଦମନ କଲେ । ଏଥିଉତ୍ତାରେ ତାଙ୍କର ଏହି ବିଶ୍ୱାସ ଜନ୍ମିଲା ଯେ, ସକାମ ତାପସବ୍ରତ ସୁକଠୋର ହେଲେହେଁ ଆତ୍ମାର ଶାନ୍ତି ସଂପାଦନ କରି ନ ପାରେ । ଯଦି ସ୍ୱର୍ଗର କାମନା ରହିଲା, ତେବେ କାମନାର ଫଳ ଯେଉଁ ଦୁଃଖ, ତାହାର କିପରି ବିନାଶ ହେବ ? ଅନନ୍ତର ପ୍ରୋକ୍ତ ବନ ପରିତ୍ୟାଗ କରି କଠୋର ତପଶ୍ଚରଣଦ୍ୱାରା ବାସନାଗ୍ନିକୁ ନିର୍ବାଣ କରିବା ନିମିତ୍ତ ସେ ବନାନ୍ତର ପ୍ରସ୍ଥାନର ସଂକଳ୍ପ କଲେ ।

 

ସିଦ୍ଧାର୍ଥ କିଛିଦୂର ଯାଉ ପଶ୍ଚିମ ଦିଗରେ ଗୟାଶୀର୍ଷ ପର୍ବତ ନିକଟରେ ନିରଞ୍ଜନା ନଦୀତଟରେ ଉପସ୍ଥିତ ହୋଇ ସମ୍ମୁଖରେ ବିସ୍ତୃତ ଅରଣ୍ୟର ଶୋଭା ଦେଖି ଅତ୍ୟନ୍ତ ପ୍ରୀତ ହେଲେ ଏବଂ ସେହି ସ୍ଥାନରେ ତାହାଙ୍କର ଅଦୃଷ୍ଟପୂର୍ବ ଓ ଅଶ୍ରୁତପୂର୍ବ ପ୍ରଗାଢ ସାଧନା ଆରମ୍ଭ କଲେ । ସେ ଏହିଠାରେ ଛଅବର୍ଷ କାଳ ଘୋର ତପସ୍ୟା କରି ଅବଶେଷରେ ଗୋଟିଏ ଅଶ୍ୱତ୍‌ଥ ବୃକ୍ଷମୂଳରେ ଗଭୀର ସମାଧି ସାଗରରେ ନିମଗ୍ନ ହୋଇ ବୁଦ୍ଧତ୍ୱ ଲାଭ କଲେ; ଅର୍ଥାତ୍‌ ତାଙ୍କ ମନରେ ଏହି ଦୃଢ ବିଶ୍ୱାସ ଜନ୍ମିଲା ଯେ, ସେ ସତ୍ୟଜ୍ଞାନ ଲଭିଅଛନ୍ତି ଏବଂ ଐହିକ ଦୁଃଖର ପ୍ରକୃତ ହେତୁ ଏବଂ ମୁକ୍ତିପଥର ତତ୍ତ୍ୱଜ୍ଞାନକୁ ଆୟତ୍ତ କରିଅଛନ୍ତି । ସେ ବିଚାରିଲେ ଯେ, ସେ ଚାରିଗୋଟି ସତ୍ୟ ପାଇଅଛନ୍ତି: ପ୍ରଥମ, ଜୀବନ ଦୁଃଖପୂର୍ଣ୍ଣ; ଦ୍ୱିତୀୟ,ଦୁଃଖର କାରଣ ତୃଷ୍ଣା ବା କାମନା, ତୃତୀୟ କାମନା ବିନାଶରେ ଦୁଃଖର ବିନାଶ; ଚତୁର୍ଥ, ବିଶୁଦ୍ଧ ନୀତିମୟ ଜୀବନଦ୍ୱାରା କାମନାର ବିନାଶ ଓ ନିର୍ବାଣ, ତେଣୁ ଦୁଃଖର ମଧ୍ୟ ବିନାଶ । ଅତଏବ, ଏହି ସମୟରୁକ ସେ ଆପଣାକୁ ବୁଦ୍ଧ (ଅର୍ଥାତ୍‌ ତତ୍ତ୍ୱଜ୍ଞାନୀ) ନାମରେ ପରିଚିତ କରାଇଲେ । ସେହି ନିରଞ୍ଜନାତଟଭୂମି ବର୍ତ୍ତମାନ ବୁଦ୍ଧଗୟା ନାମରେ ଖ୍ୟାତ ଏବଂ ସେହି ଅଶ୍ୱତଥ ବୃକ୍ଷ ମହାବୋଧିଦ୍ରୂମ ଆଖ୍ୟାରେ ଅଭିହିତ ହେଉଅଛି ।

 

ତାଙ୍କର ଧର୍ମକୁ ମନୁଷ୍ୟମାନଙ୍କ ନିକଟରେ ପ୍ରଚାର କରିବେ, ନା ସ୍ୱୟଂ ସମସ୍ତ ଜ୍ଞାନ ହୃଦୟସ୍ଥ କରି ରଖିବେ, ଏହି ଚିନ୍ତା ତାଙ୍କୁ କିଛି କାଳଯାଏ ସନ୍ଦିହାନ କରିଥିଲା । ଅବଶେଷରେ ସେ ମନୁଷ୍ୟମାନଙ୍କର ଦୁଃଖ ବିଷୟ ଚିନ୍ତା କରି ଦୟାର୍ଦ୍ର ହେଲେ ଏବଂ ସ୍ୱମତ ଜନସାଧାରଣଙ୍କଠାରେ ପ୍ରଚାର କରିବାକୁ ଲାଗିଲେ । ଏହିରୂପେ ବୈାଦ୍ଧଧର୍ମର ସୃଷ୍ଟି ହେଲା । ଏଥିଉତ୍ତାରେ ବୁଦ୍ଧଦେବ ବିଦ୍ୟା ଓ ଧର୍ମାଲୋଚନାର ପ୍ରଧାନ ସ୍ଥଳ ବାରାଣାସୀର ମୃଗଦାବ କାନନରେ ପୂର୍ବପରିଚିତ ତାଙ୍କର କେତେକ ସହଚର ତାଙ୍କ ମତରେ ସର୍ବାଦୈା ଦୀକ୍ଷିତ ହେଲେ । ଅନନ୍ତର ଶତ ଶତ ଲୋକ ତାଙ୍କ ଧର୍ମରେ ବିଶ୍ୱାସ କରିବାକୁ ଲାଗିଲେ । ଏହି ସମୟରେ ମଗଧ ରାଜ୍ୟାଧିପତି ବିମ୍ବିସାର ବୁଦ୍ଧଦେବଙ୍କୁ ସ୍ୱକୀୟ ରାଜଧାନୀ ରାଜଗୃହନାମକ ନଗରକୁ ଆହ୍ୱାନ କଲେ । ସେ ରାଜଗୃହରେ ଉପସ୍ଥିତ ହୋଇ କାଳାନ୍ତକ ନାମକ ପ୍ରସିଦ୍ଧ ମଠରେ ସହସ୍ର ସହସ୍ର ଲୋକଙ୍କୁ ଗଭୀର ଭାବପୂର୍ଣ୍ଣ ବହୁ ଉପଦେଶ ପ୍ରଦାନ କରିଥିଲେ । ମଗଧ ରାଜଧାନୀର ଚତୁର୍ଦ୍ଦିଗରେ ପାଞ୍ଚଗୋଟି ପର୍ବତ ଥିଲା; ସେଥିମଧ୍ୟରୁ ଗୋଟିକର ନାମ ‘ଗ୍ରୁଧଶିଖର’ । ବୁଦ୍ଧଦେବ ଏହି ଗିରିଶିଖରୋପରି ଦଣ୍ଡାୟମାନ ହୋଇ ଅନେକ ଉପଦେଶ ପ୍ରଦାନ କରିଥିଲେ ।

 

ମଗଧ ନିବାସ ସମୟରେ କାତ୍ୟାୟନ, ସାରିପୁତ୍ତ ଏବଂ ମୈାଦ୍‌ଗଲ୍ୟାୟନ ନାମକ ତିନିଜଣ ବିଖ୍ୟାତ ଶିଷ୍ୟ ସର୍ବଦା ତାଙ୍କର ସହଚର ଥିଲେ । ବୁଦ୍ଧଦେବ ଏହିପ୍ରକାରେ ମଗଧାଧିପତିଙ୍କ ସଙ୍ଗରେ ବନ୍ଧୁଭାବରେ କେତେକ ବର୍ଷ ଯାପନ କଲେ । ଅନନ୍ତର ମଗଧାଧିପତି ସ୍ୱପୁତ୍ର ଅଜାତଶତ୍ରୁ କର୍ତ୍ତୃକ ନିହତ ଦେଲେ । ଏହି ସମୟରେ ଶ୍ରାବସ୍ତି ନାମକ ସ୍ଥାନରେ ଅନାଥପିଣ୍ଡଦ ନାମକ ଜଣେ ଧନଶାଳୀ ବଣିକ ତାହାଙ୍କୁ ଗୋଟିଏ ସୁରମ୍ୟ ଅଟ୍ଟାଳିକା ପ୍ରଦାନ କଲେ । ଶ୍ରାବସ୍ତି କୋଶଳ ରାଜ୍ୟର ରାଜଧାନୀ ଥିଲା । ବୁଦ୍ଧଦେବ ଶିଷ୍ୟବର୍ଗ ସହିତ ଏହି ସ୍ଥାନରେ ବାସ କରି ଅନେକ ଧର୍ମୋପଦେଶ ଦେବାକୁ ଲାଗିଲେ । ଏଠାରେ କୋଶଳରାଜ ପ୍ରସେନଜିତ୍‌ ସ୍ୱଧର୍ମ ତ୍ୟାଗକରି ବୈାଦ୍ଧଧର୍ମରେ ଦୀକ୍ଷିତ ହେଲେ । ଏଥିଉତ୍ତାରେ ବୁଦ୍ଧଦେବ ପିତୃରାଜଧାନୀ କପିଳବାସ୍ତୁ ନଗରକୁ ଗମନ କଲେ । ସେଠାରେ ନାନା ଅଦ୍ଭୁତ କ୍ରିୟା ସମ୍ପାଦନ କରି ସମୁଦାୟ ଶାକ୍ୟବଂଶକୁ ନିଜ ଧର୍ମରେ ଦୀକ୍ଷିତ କରାଇଲେ । ସ୍ୱଜାତି ମଧ୍ୟରେ ସର୍ବାଦୈା ତାଙ୍କର ପତ୍ନୀ ଯଶୋଧାରା ଏହି ଅଭିନବ ଧର୍ମ ଗ୍ରହଣ କରିଥିଲେ । ସପ୍ତତିବର୍ଷ ବୟସ ସମୟରେ ବୁଦ୍ଧଦେବ ରାଜଗୃହ ନଗରକୁ ପ୍ରତ୍ୟାଗମନ କଲେ । ବୁଦ୍ଧଦେବଙ୍କ ପୂର୍ବଶତ୍ରୁ ପିତୃହନ୍ତା ରାଜା ଅଜାତଶତ୍ରୁ ବର୍ତ୍ତମାନ ନିଜର ସମସ୍ତ ପାପ ସ୍ୱୀକାର କରି ତାଙ୍କଠାରେ କ୍ଷମା ପ୍ରାର୍ଥନା କଲେ ଏବଂ ସ୍ଥାନରୁ ପ୍ରତିଗମନ କଲାବେଳେ ସହସ୍ର ସହସ୍ର ଶିଷ୍ୟ ବୁଦ୍ଧଦେବଙ୍କୁ ବେଷ୍ଟନ କରିବାକୁ ଲାଗିଲେ । ବୁଦ୍ଧଦେବ ଅସଂଖ୍ୟ ଶିଷ୍ୟ ପରିବେଷ୍ଟିତମ ହୋଇ ଗଙ୍ଗାତଟରେ ଉପସ୍ଥିତ ହେଲେ । ସେଠାରେ ଖଣ୍ଡେ ଅତି ବୃହତ୍‌ ଶିଳା ଉପରେ ଦଣ୍ଡାୟମାନ ହୋଇ ରାଜଗୃହନଗରୀ ପ୍ରତି ଦୃଷ୍ଟିନିକ୍ଷେପ କରି କହିଲେ, ‘‘ଏ ପ୍ରିୟ ନଗର ଆଉ ମୋ ନୟନପଥରେ ପଡ଼ିବ ନାହିଁ ।’’ ପଥମଧ୍ୟରେ ବୈଶାଳୀ ନଗର ଦର୍ଶନ କଲେ । ସେଠାରୁ ବିଦାୟ ଗ୍ରହଣ କରି କୁଶୀ ନଗର ଆଡ଼କୁ ଗମନ କରୁଥିଲେ; ମାତ୍ର ମାର୍ଗମଧ୍ୟରେ ତାଙ୍କର ଶାରୀରିକ ବଳ ନିସ୍ତେଜ ହୋଇପଡ଼ିଲା । ବୁଦ୍ଧଦେବ ଶିଷ୍ୟବର୍ଗ ସହିତ ଏକ ବନମଧ୍ୟରେ ପ୍ରବେଶ କରି ଗୋଟିଏ ଶାଳତରୁ ତଳେ ଉପବିଷ୍ଟ ହେଲେ । ଏହି ଭାବରେ ବିଶ୍ରାମ କରୁଅଛନ୍ତି, ଏମନ୍ତ ସମୟରେ ତାଙ୍କର ଆତ୍ମା ଅନିତ୍ୟ ଦେହରୁ ଅପସାରିତ ହୋଇ ମହାନିର୍ବାଣ ଅବସ୍ଥାରେ ପ୍ରବିଷ୍ଟ ହେଲା ।

Image

 

ଉଲ୍‌କାପିଣ୍ଡ

 

କୈାଣସି କୈାଣସି ରଜନୀରେ ଆମ୍ଭେମାନେ ଯେଉଁ ନକ୍ଷତ୍ରପାତ ଦର୍ଶନ କରୁଁ,. ତାହା ବାସ୍ତବିକ ଉଲ୍‌କାପାତ; ନକ୍ଷତ୍ରପାତ ନୁହେଁ । ଇଦାନୀନ୍ତନ ଜ୍ୟୋତିର୍ବିଦ୍‌ମାନେ ପର୍ଯ୍ୟବେକ୍ଷଣ ଦ୍ୱାରା ଉଲ୍‌କାପିଣ୍ଡ ବିଷୟରେ ଯେଉଁସବୁ କଥା ନିରୂପଣ କରିଅଛନ୍ତି,ସେଥିମଧ୍ୟରୁ କେତୋଟି କଥା ନିରୂପଣ କରିଅଛନ୍ତି,ସେଥିମଧ୍ୟରୁ କେତୋଟି ପ୍ରଧାନ କଥା ନିମ୍ନରେ ସଂକଳିତ ହେଲା ।

 

ଉଲ୍‌କାପିଣ୍ଡ ବିବିଧ ପ୍ରକାରେ ପୃଥିବୀ ଉପରେ ପତିତ ହୁଏ । ତାହାର ପତନ ସଙ୍ଗେ ସଙ୍ଗେ ଗୋଟିଏ ସୁଦୀର୍ଘ ଆଲୋକରେଖା ଶୁନ୍ୟମାର୍ଗରେ ପ୍ରଧାବିତ ହୁଏ । କେତେ କତେ ବେଳେ ଆକାଶମଣ୍ଡଳରେ ଗୋଟିଏ କ୍ଷୁଦ୍ର କୃଷ୍ଣବର୍ଣ୍ଣ ମେଘ ସମୁଦିତ ହୁଏ ଏବଂ ଅତ୍ୟନ୍ତ ଭୀଷଣ ନିନାଦ ସହକାରେ ବହୁସଂଖ୍ୟକ ଉଲ୍‌କାପିଣ୍ଡ ସେହି ମେଘ ମଧ୍ୟରୁ ବର୍ଷିତ ହୁଏ । ଏହି ଉଲ୍‌କାପିଣ୍ଡ (ପ୍ରସ୍ତରଖଣ୍ଡ) ମାନଙ୍କର ଆୟତନଗତ ବିଭିନ୍ନତା ଦେଖାଯାଏ; କିନ୍ତୁ ପରୀକ୍ଷାଦ୍ୱାରା ସପ୍ରମାଣ ହୋଇଅଛି ଯେ, ସେମାନେ ଏକ ଉପାଦାନରେ ଗଠିତ ଏବଂ ସେମାନଙ୍କର ବାହ୍ୟ ଦୃଶ୍ୟ ଏକପ୍ରକାର ଅଟେ । ମେଘବିମୁକ୍ତ ନିର୍ମଳ ନଭୋମଣ୍ଡଳରେ ମଧ୍ୟ ଉଲ୍‌କାପାତ ସଂଘଟିତ ହୁଏ ।

 

ଉଲ୍‌କାପାତ ସଂକ୍ରାନ୍ତ ଗୋଟିଏ ପ୍ରଧାନ କଥା ଏହି ଯେ, ତାହା ସର୍ବଦା ବକ୍ରଭାବରେ ପତିତ ହୁଏ; କଦାପି ଲମ୍ବଭାବରେ ପଡ଼େ ନାହିଁ । ଉଲ୍‌କାପିଣ୍ଡର ଗତିବିଷୟ ଆଲୋଚନା କଲେ ଲୋକ ବିସ୍ମୟାବିଷ୍ଟ ହୁଅଇେ । କୈାଣସି ପାର୍ଥିବ ବସ୍ତୁର ଏପରି ବେଗଶାଳିତା ଦେଖାଯାଏ ନାହିଁ । ୧୭୯୮ ଖ୍ରୀଷ୍ଟାବ୍ଦରେ ଦୁଇଗୋଟି ଉଲ୍‌କାପିଣ୍ଡର ବେଗ ନିରୂପିତ ହୋଇଥିଲା । ସେଥିମଧ୍ୟରୁ ଗୋଟିକର ବେଗ ପ୍ରତି ସେକେଣ୍ଡରେ ୨୫ ମାଇଲ, ଦ୍ୱିତୀୟଟିର ୧୭ ମାଇଲ୍‌ରୁ ନ୍ୟୁନ ଏବଂ ୨୧ ମାଇଲ୍‌ରୁ ଅଧିକ ନୁହେଁ । ଆଶ୍ଚର୍ଯ୍ୟର ବିଷୟ ଏହି ଯେ, ସେହି ଦୁଇ ଉଲ୍‌କା ମଧ୍ୟରୁ ଗୋଟିଏ ଭୂତରରେ ପତିତ ହୋଇ ପୁନର୍ବାର ଉର୍ଦ୍ଧ୍ୱକୁ ଉଠିଯିବାର ଦେଖାଗଲା । ୧୮୩୮ ଖ୍ରୀଷ୍ଟାବ୍ଦର ଅଗଷ୍ଟ ମାସରେ ସୁଇଜରଲାଣ୍ଡ ଦେଶରେ ଅନେକଗୁଡ଼ିଏ ଉଲ୍‌କାପିଣ୍ଡ ପର୍ଯ୍ୟବେଷିତ ହୋଇଥିଲା । ସେମାନଙ୍କର ବେଗ ହାରାହାରି ପ୍ରତି ସେକେଣ୍ଡରେ ପ୍ରାୟ ୨୪୦ ମାଇଲ୍‌ ନିରୂପିତ ହୋଇଅଛି । ପୃଥିବୀର ବେଗ ଘଣ୍ଟାପ୍ରତି ସେକେଣ୍ଡରେ ପ୍ରାୟ ୨୦ ମାଇଲ୍‌ ଅଟେ । ଏଥିରୁ ସ୍ପଷ୍ଟ ପ୍ରତୀତ ହେଉଅଛି ଯେ, ଉପରଲିଖିତ ଉଲ୍‌କାପିଣ୍ଡ ସମୁଦାୟ ପୃଥିବୀ ଅପେକ୍ଷା ଦ୍ୱାଦଶ ଗୁଣ ପ୍ରବଳତର ବେଗରେ ପରିଭ୍ରମଣ କରଇ ।

 

ସମୁଦାୟ ଉଲ୍‌କାପିଣ୍ଡର ଆୟତନ ସମାନ ନୁହେଁ । ପୃଥିବୀରେ ଯେଉଁ ଯେଉଁ ସମସ୍ତ ଉଲ୍‌କାପିଣ୍ଡ ପଡ଼ିଅଛି, ତନ୍ମମଧ୍ୟରେ ଦକ୍ଷିଣ-ଆମେରିକା ଅନ୍ତର୍ଗତ ବ୍ରାଜିଲ୍‌ ରାଜ୍ୟରେ ଯେଉଁ ଦୁଇଗୋଟି ପତିତ ହୋଇ ରକ୍ଷିତ ଅଛି ତାହା ସର୍ବାପେକ୍ଷା ବୃହତ୍‌ । ତାହାର ବ୍ୟାସ ପ୍ରାୟ ପଞ୍ଚହସ୍ତ ଅଟେ । ଯେଉଁ ବର୍ଷ ଭୁବନବିଖ୍ୟାତ ପଣ୍ଡିତ ସକ୍ରେଟିସ୍‌ ଜନ୍ମଗ୍ରହଣ କଲେ,ସେହି ବର୍ଷ ଗ୍ରୀସ୍‌ଦେଶ ଅନ୍ତଃପାତୀ କୈାଣସି ନଗରରେ ଗୋଟିଏ ଉଲ୍‌କାପିଣ୍ଡ ପଡ଼ିଥିଲା । ତାହା ଏତେ ବୃହତ୍‌ ଥିଲା ଯେ, ତାହା ଗୋଟିଏ ଶକଟର ସଂପୂର୍ଣ୍ଣ ବୋଝ ହୋଇପାରନ୍ତା ।

 

ଏହିସବୁ ଉଲ୍‌କାପିଣ୍ଡ ପୃଥିବୀପୃଷ୍ଠରୁ କେତେ ଉର୍ଦ୍ଧ୍ୱରେ ଅବସ୍ଥିତ, ଜ୍ୟୋର୍ତିଗଣିତଜ୍ଞ ପଣ୍ଡିତମାନେ ତାହା ଗଣନା କରିଅଛନ୍ତି । ଉଲ୍‌କାମାନଙ୍କର ଉଚ୍ଚତାର ଅତ୍ୟନ୍ତ ବୈଷମ୍ୟ ଲକ୍ଷିତ ହୁଏ । କାହାରି ଉଚ୍ଚତା ୬ ମାଇଲ, କାହାରି ବା ୧୪୦ ମାଇଲ, କାହାରି ବା ୪୬୦ ମାଇଲ ।

 

ପରୀକ୍ଷାଦ୍ୱାରା ସପ୍ରମାଣ ହୋଇଅଛି ଯେ,ସମୁଦାୟ ଉଲ୍‌କାପିଣ୍ଡ ଏକପ୍ରକାର ଉପାଦାନରେ ଗଠିତ ଏବଂ ସେମାନଙ୍କର ବାହ୍ୟ ଦୃଶ୍ୟ ସମାନ ଅଟେ । ଲୈାହ, ତାମ୍ର, ଟିଣ, ଗନ୍ଧକ, ଅଙ୍ଗାର ପ୍ରଭୃତି ତେରଗୋଟି ପାର୍ଥିବ ପଦାର୍ଥ ଉଲ୍‌କାପିଣ୍ଡରେ ଲକ୍ଷିତ ହୁଏ । ପୃଥିବୀସ୍ଥ ଖଣିମଧ୍ୟରେ ବିଶୁଦ୍ଧ ଲୈାହ ମିଳେ ନାହିଁ, ତହିଁରେ ଅନ୍ୟ ବସ୍ତୁ ମିଶ୍ରିତ ଥାଏ; କିନ୍ତୁ ଉଲ୍‌କାପିଣ୍ଡରୁ ଯେଉଁ ଲୈାହ ମିଳେ, ତାହା ବିଶୁଦ୍ଧ ଅଟେ । ଉଲ୍‌କାପିଣ୍ଡର ଉପରିଭାଗ କୃଷ୍ଣବର୍ଣ୍ଣ ଏବଂ ଦଗ୍‌ଧବତ୍ ପ୍ରତୀୟମାନ ହୁଏ ।

 

ଉଲ୍‌କାପାତର କାରଣ ବିଷୟରେ ଚାରୋଟି ପ୍ରଧାନ ମତ ଲକ୍ଷିତ ହୁଏ । ପ୍ରଥମତଃ ଏହି ଯେ, କେତେଗୁଡ଼ିଏ ସୂକ୍ଷ୍ମ ପାର୍ଥିବ ପଦାର୍ଥ ବାଷ୍ପବତ୍‌ ପୃଥିବୀର ଉପରିଭାଗରୁ ନୀତ ହୋଇ ଅନ୍ତରୀକ୍ଷରେ ଏକତ୍ର ହେଉଥାଏ । ପରେ ସେହି ପଦାର୍ଥମାନ ଘନୀଭୂତ ହେଲା ଉତ୍ତାରେ ମାଧ୍ୟାକର୍ଷଣ ସେମାନଙ୍କୁ ପୁନର୍ବାର ଭୂତଳକୁ ଆନୟନ କରେ । କେବଳ ମାଧ୍ୟାକର୍ଷଣର ବଳ ପ୍ରଯୁକ୍ତ ହେଲେ ସେମାନେ ଲମ୍ବଭାବରେ ପଡ଼ନ୍ତେ; ମାତ୍ର ବାୟୁସ୍ରୋତର ପ୍ରଭାବରୁ ସେମାନେ ତୀର୍ଯ୍ୟକ୍‌ ଗତି ଅବଲମ୍ବନ କରନ୍ତି । ଦ୍ୱିତୀତଃ କେହି କେହି ପଣ୍ଡିତ ନିର୍ଦ୍ଦେଶ କରିଅଛନ୍ତି ଯେ, ଉଲ୍‌କାପିଣ୍ଡ ଅଗ୍ନ୍ୟୁପାତ ସମୟରେ ଆଗ୍ନେୟଗିରିରୁ ନିର୍ଗତ ହୋଇ ଉର୍ଦ୍ଧ୍ୱକୁ ପ୍ରକ୍ଷିପ୍ତ ହୁଏ ଏବଂ ଅତ୍ୟନ୍ତ ବେଗରେ ପୃଥିବୀ ଉପରେ ପତିତ ହୁଏ । ତୃତୀୟତଃ କେହି କେହି ଅନୁମାନ କରନ୍ତି ଯେ, ଚନ୍ଦ୍ରଲୋକରେ ଯେଉଁସବୁ ଆଗ୍ନେୟଗିରି ଅଛି, ତହିଁରୁ ଉଲ୍‌କାପିଣ୍ଡ ସବୁ ନିର୍ଗତ ହୋଇ ମାଧ୍ୟାକର୍ଷଣ ଦ୍ୱାରା ଭୂତଳରେ ପତିତ ହୁଏ । ଚତୁର୍ଥତଃ ଆଧୁନିକ ପଣ୍ଡିତମାନେ ନାନା ଅନୁସନ୍ଧାନ ଦ୍ୱାରା ପ୍ରଥମୋକ୍ତ ମତତ୍ରୟକୁ ଭ୍ରାନ୍ତିସଙ୍କୁଳ ବୋଲି ସପ୍ରମାଣ କରି ମୀମାଂସା କରିଅଛନ୍ତି ଯେ, ଗ୍ରହମାନେ ଯେପରି ନିର୍ଦ୍ଧିଷ୍ଟ ନିୟମାନୁସାରେ ସୂର୍ଯ୍ୟମଣ୍ଡଳକୁ ପ୍ରଦିକ୍ଷଣ କରନ୍ତି, ଏହି ସମୁଦାୟ ଉଲ୍‌କାପିଣ୍ଡ ମଧ୍ୟ ସେହି ପ୍ରକାରେ ସୂର୍ଯ୍ୟମଣ୍ଡଳରେ ଚାରିଆଡ଼ରେ ଭ୍ରମଣ କରନ୍ତି । ଏମାନଙ୍କର ଭ୍ରମଣପଥ ସହିତ ପୃଥିବୀର ଭ୍ରମଣପଥର ସଂପାତ ଅଛି । ଯେତେବେଳେ ପୃଥିବୀ ଏବଂ ଉଲ୍‌କାପିଣ୍ଡ ସମୁଦାୟ ଏକକାଳରେ ସେହି ସଂପାତ ସ୍ଥାନରେ ଉପସ୍ଥିତ ହୁଅନ୍ତି, ତେତେବେଳେ ଉଲ୍‌କାପିଣ୍ଡ ସମସ୍ତ ଭୂତଳରେ ପତିତ ହୁଏ; ଅଥବା କେତେବେଳେ ନ ପଡ଼ି ପୃଥିବୀସ୍ଥ ବାୟୁରାଶି ମଧ୍ୟରେ ପ୍ରବିଷ୍ଟ ହୋଇ ବାୟୁର ପ୍ରତିରୋଧ ଶକ୍ତିଦ୍ୱାରା କିୟତ୍‌ପରିମାଣରେ ମନ୍ଦଗତି ହୋଇ କ୍ରମେ କ୍ରମେ ମାଧ୍ୟାକର୍ଷଣ ପ୍ରଭାବରୁ ଭୂପୃଷ୍ଠରେ ପଡ଼ଇ ।

 

କୈାଣସି କୈାଣସି ସମୟରେ ଏତେ ଉଲ୍‌କାପାତ ହୁଏ ଯେ, ତାହା ଦେଖିଲେ ହୃଦୟ ବିସ୍ମୟାର୍ଣ୍ଣବରେ ନିମଗ୍ନ ହୁଏ । ଆରବ ଦେଶର ଇତିହାସବେତ୍ତାମାନେ ଲେଖିଅଛନ୍ତି ଯେ, ଯେଉଁ ରାତ୍ରିରେ ଇବ୍ରାହିମ୍‌ ନରପତି ପ୍ରାଣତ୍ୟାଗ କଲେ ସେହି ରାତ୍ରିରେ ଏତେ ଉଲ୍‌କାପିଣ୍ଡ ବର୍ଷିତ ହୋଇଥିଲା ଯେ, ତାହା ଅଗ୍ନିବୃଷ୍ଟି ବୋଲି ପ୍ରତୀୟମାନ ହେଲା । ଖ୍ରୀଷ୍ଟାବ୍ଦ ୧୮୩୩ ସାଲର ନଭେମ୍ବର ମାସର ୧୨ ତାରିଖରେ ଆମେରିକାରେ ଯେଉଁ ଅଦ୍ଭୁତ ଉଲ୍‌କାପାତ ହୋଇଥିଲା, ତାହା ଅତ୍ୟନ୍ତ ବିସ୍ମୟଜନକ ଅଟେ । ସେହି ରାତ୍ରି ନଅଘଣ୍ଟାଠାରୁ ପରଦିବସ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଏହି ଅଦ୍ଭୁତ ବ୍ୟାପାର ନୟନଗୋଚର ହୋଇଥିଲା । ଅସଂଖ୍ୟ ଉଲ୍‌କାପିଣ୍ଡ ଆବିର୍ଭୂତ ହୋଇ ସମସ୍ତ ନଭୋମଣ୍ଡଳକୁ ଆଚ୍ଛନ୍ନ କରିପକାଇଲା । ସମୁଦାୟ ଅନ୍ତରୀକ୍ଷ ଅଗ୍ନିମୟ ନକ୍ଷତ୍ରରାଜିରେ ପରିପୂର୍ଣ୍ଣ ହେଲା । ଯେତେବେଳଯାଏ ଉଲ୍‌କାପିଣ୍ଡସମୂହ ଅବିରଳ ଭାବରେ ଗଗନମଣ୍ଡଳ ଆଚ୍ଛନ୍ନ କରିଥିଲା, ତେତେବେଳଯାଏ ସେମାନଙ୍କ ସଂଖ୍ୟା ଗଣନା କରିବାର ସମ୍ଭାବନା ନ ଥିଲା । ଅନନ୍ତର ଯେତେବେଳେ ସେମାନେ ବିରଳ ହୋଇଆସିଲେ,ତେତେବେଳେ ବୋଷ୍ଟନ ନଗରସ୍ଥ ଜଣେ ପଣ୍ଡିତ ଗଣନାଦ୍ୱାରା ସ୍ଥିର କଲେ ଯେ, ପ୍ରତି ମିନିଟ୍‌ରେ ପ୍ରାୟ ଛଅଶତ ଉଲ୍‌କା ଆବିର୍ଭୂତ ହେଉଅଛି । ଏହି ଦୃଶ୍ୟ ସାତ ଘଣ୍ଟାଯାଏ ପ୍ରତ୍ୟକ୍ଷ ହୋଇଥିଲା । ଏଣୁ ସ୍ପଷ୍ଟରୂପେ ଜଣାଯାଉଅଛି ଯେ, ସେହି ରଜନୀରେ ପ୍ରାୟ ଦୁଇ ଲକ୍ଷ ବାବନ ହଜାର ଉଲ୍‌କାପିଣ୍ଡ ଦୃଷ୍ଟିଗୋଚର ହୋଇଥିଲା; କିନ୍ତୁ ଗଣନା କରିବାପୂର୍ବରେ ଉଲ୍‌କାସଂଖ୍ୟା ଊଣା ହୋଇଯାଇଥିଲା । ସେଥି ପୂର୍ବରେ ତଦପେକ୍ଷା ଅଧିକ ଦୃଷ୍ଟିଗୋଚର ହୋଇଥିଲା । ଏଣୁ ସହଜରେ ଅନୁମିତ ହୋଇପାରେ ଯେ, ଉକ୍ତ ରାତ୍ରିରେ ପ୍ରାୟ ତିନିଲକ୍ଷ ଉଲ୍‌କା ବୋଷ୍ଟନ ନଗରର ଆକାଶରେ ଆବିର୍ଭୂତ ହୋଇଥିଲା । ଖ୍ରୀଷ୍ଟାବ୍ଦ ୧୮୮୫ ସାଲର ନଭେମ୍ବର ମାସର ୨୭ ତାରିଖରେ ଆମ୍ଭମାନଙ୍କର ଏହି ଉତ୍କଳ ପ୍ରଦେଶରେ ପ୍ରଭୂତ ଉଲ୍‌କାପାତରୂପ ଅଦ୍ଭୁତ ଦୃଶ୍ୟ ଉତ୍କଳବାସୀଙ୍କର ନୟନଗୋଚର ହୋଇଥିଲା

 

ଉଲ୍‌କାପାତ ସମୟରେ ଯେଉଁ ଆଲୋକ ନୟନଗୋଚର ହୁଏ, ତାହାର କାରଣ ବିଷୟରେ ଦୁଇଗୋଟି ବିଭିନ୍ନ ମତ ଲକ୍ଷିତ ହୁଏ । ପ୍ରଥମେ ମତ ଏହି କି ଯେ, ଉଲ୍‌କାସମୂହର ପ୍ରଚଣ୍ଡ ବେଗରେ ବାୟୁ ଏ ପ୍ରକାର ସଙ୍କୁଚିତ ହୋଇଯାଏ ଯେ, ତାହା ପ୍ରଜ୍ଜ୍ୱଳିତ ହୁଏ; ଅଥବା ବାୟୁର ତାପ ଏତେ ଅଧିକ ହୁଏ ଯେ, ତଦ୍ଦ୍ୱାରା ଉଲ୍‌କାପିଣ୍ଡ- ସମୂହ ପ୍ରଜ୍ଜ୍ୱଳିତ ହୁଏ । ଦ୍ୱିତୀୟ ମତ ଏହି କି ଯେ, ପୃଥବୀର ସନ୍ନିହିତ ବାୟୁମଣ୍ଡଳ ଉପରିଭାଗରେ ତାଡ଼ିତ୍‌ବାୟୁ ଅଛି । ଉଲ୍‌କାପିଣ୍ଡ ଯେତେବେଳେ ସେହି ତାଡ଼ିତ୍‌ବାୟୁକୁ ଆଘାତ କରେ, ତେତେବେଳେ ଅଗ୍ନି ଏବଂ ଆଲୋକ ସମୁତ୍ପାଦିତ ହୁଏ ।

 

ବର୍ଷମଧ୍ୟରେ କୈାଣସି କୈାଣସି ନିର୍ଦ୍ଦିଷ୍ଟ ସମୟରେ ଅଧିକ ଉଲ୍‌କାପାତ ଦେଖାଯାଏ । ଏଣୁ ଜ୍ୟୋତିର୍ବିଦ୍‌ମାନେ ଅନୁମାନ କରନ୍ତି ଯେ, ସେହି ସେହି ସମୟରେ ଉଲ୍‌କାପିଣ୍ଡମାନେ ନଭୋମଣ୍ଡଳର ଯେଉଁ ଅଂଶରେ ଭ୍ରମଣ କରନ୍ତି; ପୃଥବୀ ମଧ୍ୟ ସେହି ଅଂଶର ନିକଟବର୍ତ୍ତୀ ହେବାରୁ ଅଧିକ ସଂଖ୍ୟକ ଉଲ୍‌କାପାତ ଦୃଷ୍ଟିପଥାରୂଢ ହୁଏ ।

Image

 

ବାନର (୧)

 

ସ୍ତନନ୍ଧୟ ବା ସ୍ତନ୍ୟପାୟୀ ଜୀବଗଣମଧ୍ୟରେ ବାନର ଅନ୍ତର୍ଗତ । ସେମାନଙ୍କର ଆକାରପ୍ରକାର ଅନେକାଂଶରେ ମନୁଷ୍ୟର ଆକାରାଦି ସହିତ ମିଳେ । ପୃଥିବୀରେ ନାନାବିଧ ବାନର ଦୃଷ୍ଟିଗୋଚର ହୁଅନ୍ତି । କାହାର ଲାଙ୍ଗୁଳ ଦୀର୍ଘ; କାହାର ବା କ୍ଷୁଦ୍ରା, କାହାରି ଅବା ଆଦୈା ଲାଙ୍ଗୁଳ ନାହିଁ । କାହାରି କାହାରି ଗାଲରେ ଏକପ୍ରକାର ଥଳି ଥାଏ; ସେଥିରେ ସେମାନେ ଖାଦ୍ୟ ପୂରାଇ ରଖନ୍ତି । ଗଠନ ବିଷୟରେ ବାନରର ଶରୀର ଅନେକାଂଶରେ ମନୁଷ୍ୟ ଶରୀରପରି । ବାନରର ଚାରୋଟି ପାଦ; କିନ୍ତୁ ତାହାର ପାଦଗୁଡ଼ିକ ମନୁଷ୍ୟର କର ବା ହସ୍ତପରି ଦିଶେ ବୋଲି ବାନରକୁ ଚତୁଷ୍କର ଜୀବ ବୋଲାଯାଏ । ସାଧାରଣତଃ ବାନରୀମାନେ ଏକାଧିକ ଶାବକ ପ୍ରସବ କରନ୍ତି ନାହିଁ ।

 

ବାନର ଜାତି ଦୁଇ ପ୍ରଧାନ ଶ୍ରେଣୀରେ ବିଭକ୍ତ; (୧) ପ୍ରାଚୀନ ମହାଦେଶୀୟ, (୨) ନୂତନ ମହାଦେଶୀୟ । ଆସିଆ ଓ ଆଫ୍ରିକାର ବାନରବର୍ଗ ଲାଙ୍ଗୁଳଦ୍ୱାରା କିଛି ଧରିପାରନ୍ତି ନାହିଁ; କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକଙ୍କର ଗାଲରେ ଥଳି ଥାଏ ଏବଂ ସେମାନେ ବୃଦ୍ଧାଙ୍ଗୁଳିକୁ ଅନ୍ୟାନ୍ୟ ଅଙ୍ଗୁଳିର ସମ୍ମୁଖକୁ ଆଣିପାରନ୍ତି । ଆମେରିକାର ବାନରମାନେ ଲାଙ୍ଗୁଳଦ୍ୱାରା ବୃକ୍ଷର ଶାଖାକୁ ଭିଡ଼ି ଧରିପାରନ୍ତି; କିନ୍ତୁ ସେମାନେ ବୃଦ୍ଧାଙ୍ଗୁଳିକୁ ଅନ୍ୟାନ୍ୟ ଆଙ୍ଗୁଳିର ସମ୍ମୁଖକୁ ଆଣିପାରନ୍ତି ନାହିଁ ।

 

ପ୍ରାଚୀନ ମହାଦେଶୀୟ ବାନରବୃନ୍ଦ ବନମାନୁଷ,ହନୁମାନ ଓ ମର୍କଟ, ଏହି ତିନି ଶ୍ରେଣୀରେ ବିଭକ୍ତ ।

 

ବନମାନୁଷ ନାମତଃ ମନୁଷ୍ୟ ହେଲେ ହେଁ ମନୁଷ୍ୟପଦବାଚ୍ୟ ନୁହେଁ । ଅସଭ୍ୟ ବନବାସୀ ମନୁଷ୍ୟମାନେ ବନମାନୁଷ ବୋଲି ଅଭିହିତ ହୁଅନ୍ତି ନାହିଁ । ଯେଉଁ ବାନରବର୍ଗ ଅନେକାଂଶରେ ମନୁଷ୍ୟପରି ଦିଶନ୍ତି, ସେହିମାନଙ୍କୁ ବନମାନୁଷ ବୋଲାଯାଏ । ସେମାନଙ୍କର ଲାଙ୍ଗୁଳ ନାହିଁ ଏବଂ ଗାଲରେ ଖାଦ୍ୟ ପୂରାଇ ରଖିବାର ଥଳି ମଧ୍ୟ ନାହିଁ । ସେମାନେ ଦୁଇପାଦ ଉପରେ ଭରା ଦେଇ କିୟତ୍‌ ପରିମାଣରେ ଠିଆହୋଇ ଚାଲିପାରନ୍ତି । ମନୁଷ୍ୟପରି ସେମାନଙ୍କର ଦୁଇ ଦନ୍ଦପାଟିରେ ବତିଶଗୋଟି ଦାନ୍ତ ଅଛି । ବନମାନୁଷବର୍ଗ ଅନ୍ତର୍ଗତ ଆଫ୍ରିକାର ଗରିଲାଗଣ ଓ ଶିମ୍ପାଞ୍ଜିଗଣ ଏବଂ ସୁମାତ୍ରା, ଜାବା ପ୍ରଭୃତି ଦ୍ୱୀପର ଓରାଂଉଟାନ୍‌ଗଣ ।

 

ଗରିଲାମାନଙ୍କ ଦେହ ଘନ ଲୋମରେ ଆଚ୍ଛାଦିତ । ମୁଖ, କର୍ଣ୍ଣ ଓ ପାଦତଳ ଘନକୃଷ୍ଣବର୍ଣ୍ଣ ଓ ଲୋମଶୂନ୍ୟ । ଗ୍ରୀବା ଅତି କ୍ଷୁଦ୍ର । ମୁଖରେ ବ୍ୟାଘ୍ରଦନ୍ତପରି ଦୀର୍ଘ ଦନ୍ତ ଥିବାରୁ ଗରିଲାମାନେ ଅତି କୁତ୍ସିତ ଓ ଭୟଙ୍କର ଦିଶନ୍ତି । ପୁରୁଷ-ଗରିଲା ସାଧାରଣ ମନୁଷ୍ୟ ଅପେକ୍ଷା ଡ଼େଙ୍ଗା ଏବଂ ତାହାର ଦେହ ମଧ୍ୟ ମନୁଷ୍ୟ ଦେହ ଅପେକ୍ଷା ଅଧିକ ସ୍ଥୂଳ । ସେମାନଙ୍କର ହସ୍ତ ଏତେ ଲମ୍ବା ଯେ, ପଛ ପାଧଉପରେ ଭରା ଦେଇ ଛିଡ଼ାହେଲେ ସେମାନେ ହସ୍ତଦ୍ୱାରା ମୃତ୍ତିକା ସ୍ପର୍ଶ କରିପାରନ୍ତି । ସ୍ତ୍ରୀ-ଗରିଲା ପୁରୁଷଗରିଲା ଅପେକ୍ଷା ଛୋଟ । ଗରିଲାମାନେ ଫଳଭୋଜୀ । ସେମାନେ ଦିନଯାକ ଆହାର ଅନ୍ୱେଷଣ କରି ବୁଲନ୍ତି, ରାତ୍ରିରେ ବୃକ୍ଷର ଦୁଇତିନିଟା ଡ଼ାଳକୁ ବଙ୍କାଇ ଏକତ୍ର କରି ସେଥିରେ ଲତାପତ୍ରାଦିର ଆଚ୍ଛାଦନଦ୍ୱାରା ଏକପ୍ରକାର ଘର ନିର୍ମାଣ କରନ୍ତି । ସେ ଘରେ ସ୍ତ୍ରୀ-ଗରିଲା ଶାବକ ସହିତ ନିଦ୍ରା ଯାଏ । ପୁରୁଷଗରିଲା ନିଜ ପରିବାରକୁ ହିଂସ୍ରଜନ୍ତୁର ଆକ୍ରମଣରୁ ରକ୍ଷା କରିବା ପାଇଁ ସେହି ବୃକ୍ଷମୂଳରେ ସତର୍କ ପ୍ରହରୀରୂପେ ବସିଥାଏ । ସେମାନେ ତିନିଚାରିଦିନରୁ ଅଧିକ ଏକ ସ୍ଥାନରେ ରହନ୍ତି ନାହିଁ । ଆହତ ଓ ଆକ୍ରାନ୍ତ ନହେଲେ ସେମାନେ ମନୁଷ୍ୟକୁ ଆକ୍ରମଣ କରନ୍ତି ନାହିଁ । ଯେତେବେଳେ ଶତ୍ରୁକୁ ଆକ୍ରମଣ କରନ୍ତି, ତାକୁ ଚାପିଧରି ଦନ୍ତଦ୍ୱାରା ତାହାର ଶରୀରକୁ ବିଦୀର୍ଣ୍ଣ କରିପକାନ୍ତି । ଗରିଲା ସମ୍ବନ୍ଧରେ ଅନେକ ଗଳ୍ପ ପ୍ରଚଳିତ ଅଛି-; କିନ୍ତୁ ସେଗୁଡ଼ିକରୁ ଅଧିକାଂଶ ଅଳୀକ ଅଥବା କଳ୍ପିତ ଗଳ୍ପ ଥିବା ଜଣାଯାଇଅଛି ।

 

ମନୁଷ୍ୟ ସଙ୍ଗରେ ଶିମ୍ପାଞ୍ଜିଜାତୀୟ ବନମାନୁଷର ଆକୃତିଗତ ସାଦୃଶ୍ୟ ଅଧିକ ଥିବାର ଦେଖାଯାଏ । ଏମାନେ ଗରିଲା ଅପେକ୍ଷା ବଳବିକ୍ରମରେ ହୀନ ଅଟନ୍ତି । ଏମାନଙ୍କର ମୁଣ୍ଡ, ଗ୍ରୀବା ଓ ପୃଷ୍ଠ କୃଷ୍ଣବର୍ଣ୍ଣ ଘନ ଲୋମଦ୍ୱାରା ଆଚ୍ଛାଦିତ; ବକ୍ଷ ଓ ଉଦରର ଲୋମ ସେତେ ଘନ ନୁହେଁ । ଏମାନଙ୍କର କର୍ଣ୍ଣ ଦୀର୍ଘ, ନାସିକା ଚେପ୍‌ଟା, କପାଳ ନୀଚ ଓ ହସ୍ତ ଅନତିଦୀର୍ଘ । ଏମାନଙ୍କର ଦୈହିକ ବଳ ସମାନ୍ୟ ନୁହେଁ । ବୃକ୍ଷର ଯେଉଁ ଶାଖା ଜଣେ ବଳବାନ୍‌ ମନୁଷ୍ୟ ନୁଆଇଁ ପାରିବ ନାହିଁ, ଗୋଟାଏ ଶିମ୍ପାଞ୍ଜି ତାହାକୁ ଅନାୟାସରେ ଭାଙ୍ଗିପକାଇପାରେ । ଶୈଶବାବସ୍ଥାରେ ପୋଷିଲେ ଏମାନେ ପୋଷା ମାନନ୍ତି । ଏମାନଙ୍କର ବିଶେଷରୂପେ ଅନୁକରଣଶକ୍ତି ଓ ବୁଦ୍ଧି ଅଛି । କୈାଣସି ପଶୁଶାଳାରେ ରକ୍ଷିତ ଗୋଟାଏ ଶିମ୍ପାଞ୍ଜି ଏକ ହସ୍ତରେ ଚଷକ ବା ପାତ୍ର ଏବଂ ଅନ୍ୟ ହସ୍ତରେ ଚାମଚ ଧରି ମନୁଷ୍ୟପରି ଦୁଧ ଅଥବା ଚା’ ଖାଇବାର ଓ ଏକଠାରୁ ଦଶ ପର୍ଯ୍ୟନ୍ତ ଗଣି ଶିଖିବାର ଦେଖାଯାଇଅଛି ।

 

ଓରାଂଉଟାନ୍‌ମାନଙ୍କର ଗାତ୍ରର କର୍ଣ୍ଣ ନାଲିଆ ବା ମାଟିଆ ଥିବାର ଦେଖାଯାଏ । ଏମାନେ ଗରିଲା ବା ଶିମ୍ପାଞ୍ଜି ଅପେକ୍ଷା କ୍ଷୁଦ୍ରତର ଅଟନ୍ତି । ସେମାନଙ୍କର ଉଚ୍ଚତା ପ୍ରାୟ ତିନି ହାତ ହେବ । କର୍ଣ୍ଣ ବଡ଼, କପାଳ ଉଚ୍ଚ, ଉପରର ଓଷ୍ଠ ଯେପରି ଦୀର୍ଘ,ସେହିପରି ଆୟତ । ଏମାନେକ ମାଟିରେ ଭଲ ଚାଲିପାରନ୍ତି ନାହିଁ; କିନ୍ତୁ ଗଛର ଡ଼ାଳେ ଡ଼ାଳେ ଦ୍ରୁତବେଗରେ ବିଚରଣ କରିପାରନ୍ତି-। ଏମାନେ ପରିବାରବଦ୍ଧ ହୋଇ ବିଚରଣ କରନ୍ତି । ବୃକ୍ଷର କୋମଳ ପତ୍ର, ବଂଶବୃକ୍ଷର ଅଙ୍କୁର ଓ ପଣସ ଫଳ ଏମାନଙ୍କର ପ୍ରିୟ ଖାଦ୍ୟ-। ଏମାନେ ଶୋଇଲାବେଳେ ବୃକ୍ଷର ୨୦-୨୫ ହସ୍ତ ଉଚ୍ଚ ଶାଖାର ମଧ୍ୟସ୍ଥାନରେ ଭଗ୍ନ ଡ଼ାଳପତ୍ର ଏକତ୍ର କରନ୍ତି ଏବଂ ତଦ୍ଦ୍ୱାରା ଏକପ୍ରକାର ଭାଡ଼ି ନିର୍ମାଣ କରି ସେଥିରେ ଶୁଅନ୍ତି । ଓରାଂ ବଡ଼ କ୍ରୋଧୀ ଓ ଭୟଙ୍କର ଜନ୍ତୁ; କିନ୍ତୁ ଶୈଶବ ସମୟରୁ ପୋଷିଲେ ପୋଷ ମାନେ । କଲିକତାର ଜୀବଶାଳାରେ ଗୋଟିଏ ଓରାଂର ଗୋଟିଏ ବିରାଡ଼ି ସଙ୍ଗରେ ବଡ଼ ବନ୍ଧୁତା ଜନ୍ମିଥିଲା । ସେ ବିରାଡ଼ିକୁ ନିଜ ଖାଇବା ଦୁଧ ଖୁଆଇ, କୋଳରେ ନେଇ ନିକଟସ୍ଥ ବୃକ୍ଷ ଉପରେ ଚଢି, ବିରାଡ଼ିର ଲାଙ୍ଗୁଳ ଧରି ତାହାକୁ ବୃକ୍ଷରେ ଝୁଲାଇ ଏହିପରି ନାନାପ୍ରକାରେ ତାହା ସଙ୍ଗେ କ୍ରୀଡ଼ା କରୁଥାଏ । କେତେବେଳେ ଗୋଟାଏ ଦର୍ପଣ ଧରି ନାନାପ୍ରକାର ମୁଖଭଙ୍ଗୀ କରି ନିଜର ମୁଖାକୃତି ଦେଖୁଥାଏ । ଆଉ ଗୋଟାଏ ଓରାଂ ଦୁଆତ କଲମ ନେଇ କାଗଜରେ ଗାର ପକାଇ ଲେଖିବାର ଅନୁକରଣ କରୁଥିବାର ଦେଖାଯାଇଅଛି ।

Image

 

ବାନର (୨)

 

ଭାରତବର୍ଷର ପ୍ରାୟ ସର୍ବ ଅଞ୍ଚଳରେ ହନୁମାନ ଜାତୀୟ ବାନରମାନେ ବାସ କରନ୍ତି । ମୁଣ୍ଡରୁ ଲାଙ୍ଗୁଳର ମୂଳ ପର୍ଯ୍ୟନ୍ତ ଦେହଟା ପ୍ରାୟ ଦୁଇଫୁଟ ବା ଅଢାଇଫୁଟ ହେବ । ଏପରି ବଡ଼ ହନୁମାନ ମଧ୍ୟ ଅଛନ୍ତି, ଯେଉଁମାନଙ୍କର ଦେହ ୩ ଫୁଟ ଦୀର୍ଘହେବ । ସ୍ତ୍ରୀ-ହନୁମାନ ପୁରୁଷ-ହନୁମାନ ଅପେକ୍ଷା କିଛି କ୍ଷୁଦ୍ରତର । ହନୁମାନ ବା ହନୁମାନଙ୍କର ଲାଙ୍ଗୁଳ ଦୁଇ ବା ଅଢାଇ ହାତ ଲମ୍ବା ହୋଇଥାଏ । ଏମାନଙ୍କ ଗାଲରେ ଥଳି ନାହିଁ; କିନ୍ତୁ ନିତମ୍ବରେ ଦୁଇଟା କଡ଼ା ଥାଏ । କୈାଣସି କୈାଣସି ବାନରମାନେ କୀଟପତଙ୍ଗ ଖାଇଥାନ୍ତି; କିନ୍ତୁ ହନୁମାନେ ଆମିଷ ସ୍ପର୍ଶ କରନ୍ତି ନାହିଁ । ଏମାନଙ୍କର କର୍ଣ୍ଣ, ମୁଖ,କରତଳ ଓ ପଦତଳ କଳା ଓ ସମସ୍ତ ଶରୀରର ରଙ୍ଗ ଧୂସର । ହନୁମାନେ ସ୍ତ୍ରୀ, ପୁରୁଷ ଓ ଶିଶୁ ଏକତ୍ର ଦଳବଦ୍ଧ ହୋଇ ବାସ କରନ୍ତି । ଭୟ ପାଇଲେ ପିଲାଗୁଡ଼ିକ ମାତାର ଦେହର ଚର୍ମକୁ ମୁଠାକରି ଦୃଢରୂପେ ଧରନ୍ତି ଓ ମା’ ପିଲା ସହିତ ବୃକ୍ଷରୁ ବୃକ୍ଷକୁ ଡ଼େଇଁ ଚାଲିଯାଏ । ସାଧାରଣତଃ ଏକ ଏକ ଦଳରେ ଗୋଟାଏ ବଡ଼ ପୁରୁଷ-ହନୁମାନ ଦଳପତି ବା ମହନ୍ତରୂପେ ଥାଏ ଏବଂ ସମସ୍ତେ ତାହାର ଆଦେଶ ଅନୁସାରେ ଚଳନ୍ତି । କେତେ କେତେ ବେଳେ ଅନ୍ୟ ବିକ୍ରମଶାଳୀ ପୁରୁଷ-ହନୁମାନ ଆସି କୈାଣସି ଦଳର ମହନ୍ତକୁ ମାରି ତଡ଼ିଦିଏ ଓ ନିଜେ ମହନ୍ତ ହୋଇ ବସେ । କେତେ କେତେ ବେଳେ ଦଳମଧ୍ୟରେ ପୁରୁଷ ହନୁ ଜନ୍ମିଲେ ଦଳପତି ତାହାକୁ ମାରିପକାଏ । ମା’ ପିଲାକୁ ରକ୍ଷା କରିବାପାଇଁ ଅନେକ ଚେଷ୍ଟା କରେ । କେତେ କେତେ ବେଳେ ଦୁଇଦଳ ହନୁଙ୍କର ପରସ୍ପର ଯୁଦ୍ଧ କରିବାର ଦେଖାଯାଏ । ହନୁମାନେ ନଦୀ ବା ପୁଷ୍କରିଣୀର ତଟରେ ଉଚ୍ଚ ବୃକ୍ଷ ଉପରେ ଏବଂ ପର୍ବତ ଓ ଅରଣ୍ୟରେ ବାସ କରନ୍ତି । ଲୋକାଳୟରେ ଏମାନେ ଘରର ପଟଳ ଏବଂ ଗୃହସ୍ଥର ଘରୁ ଖାଦ୍ୟଦ୍ରବ୍ୟ ନେଇ ପଳାୟନ କରନ୍ତି-। କ୍ଷେତ୍ରର ଶସ୍ୟ ଓ ଉଦ୍ୟାନର ଫଳକୁ ଏମାନଙ୍କର ଉତ୍ପାତରୁ ରକ୍ଷା କରିବା କଠିନ ହୁଏ । ମଥୁରା, ପୁରୀ ପ୍ରଭୃତି ତୀର୍ଥସ୍ଥାନମାନଙ୍କରେ ବହୁ ହନୁମାନଦଳ ଦେଖାଯାଏ । ହିନ୍ଦୁମାନେ ସେମାନଙ୍କୁ ରାମାୟଣବର୍ଣ୍ଣିତ ମହାବୀର ହନୁମାନ୍‌ର ବଂଶଧର ବୋଲି ବିଶ୍ୱାସ କରି ହନୁବଧ କରନ୍ତି ନାହିଁ । ହନୁମାନେ ବୃକ୍ଷରୁ ବୃକ୍ଷାନ୍ତରକୁ ଡ଼େଇଁଲାବେଳେ ଏକପ୍ରକାର ହୁଁକାର ଶବ୍ଦ କରନ୍ତି । ସେମାନେ ବାଘକୁ ଘୋର ଶତ୍ରୁ ଜାଣି, ବାଘ ଯେଉଁ ବୁଦାରେ ଲୁଚିଥାଏ ତାହାକୁ ଦେଖି ଏକପ୍ରକାର ଶବ୍ଦ କରି ଶିକାରୀ ମନୁଷ୍ୟମାନଙ୍କୁ ବାଘର ସନ୍ଧାନ ବତାଇଦିଅନ୍ତି । ହନୁ ଜଳରେ ସନ୍ତରଣ କରି ପାରେ ନାହିଁ-। ସାନ ବଡ଼ ଅନେକ ପ୍ରକାର ହନୁ ଅଛନ୍ତି ।

 

କପି ବା ମର୍କଟ ଜାତୀୟ ବାନରମାନଙ୍କର ଗଣ୍ଡଦେଶରେ ଥଳି ଥାଏ । ଏମାନଙ୍କର ଲାଙ୍ଗୁଳ କ୍ଷୁଦ୍ର । ଏମାନେ ଚର୍ବଣ କରିବାର ଅବସର ନ ପାଇଲେ ଖାଦ୍ୟଦ୍ରବ୍ୟକୁ ଗଣ୍ଡଦେଶର ଦୁଇପାର୍ଶ୍ୱର ଥଳିରେ ଶୀଘ୍ର ଶୀଘ୍ର ପୂରାଇ ରଖି, ଅବସର ସମୟରେ ତାହାକୁ ଚୋବାଇ ଉଦରସାତ୍‌ କରନ୍ତି । ଆସିଆ ଦେଶର ମର୍କଟମାନେ ଦେଖିବାକୁ ଗେଡ଼ା ଓ ମୋଟା । ଏମାନେ ଦଳବଦ୍ଧ ହୋଇ ବାସ କରନ୍ତି । ବଡ଼ ନ ହେବାଯାଏଁ ପିଲାମାନେ ମାତାର ବକ୍ଷରେ ଥା’ନ୍ତି । ମାତା ପିଲାକୁ ଚାପୁଡ଼ା ଓ ମୁଥ ମାରି ଏବଂ ନାନାପ୍ରକାର ବିରକ୍ତି ପ୍ରକାଶ କରି ପିଲାକୁ ଶାସନ କରେ । ମାଡ଼ ଖାଇଲେ ମର୍କଟଶାବକ ଆଗେ ମନୁଷ୍ୟ ଶିଶୁପରି ଚିତ୍କାର ରବରେ କାନ୍ଦେ ;ପରେ ମାତାର ସ୍ତନ୍ୟ ପାନକରି ସବୁ ଦୁଃଖ ପାସୋରି ପକାଏ ।

 

ଆମ୍ଭମାନଙ୍କ ଦେଶରେ ୮।୯ ପ୍ରକାରର ମର୍କଟ ଅଛନ୍ତି । ଅନେକ ଲୋକ ମର୍କଟ ଶାବକ ପୋଷି, ତାହାକୁ ନାନା କୈାତୁକର କ୍ରୀଡ଼ା ଶିଖାଇ ତାହା ଲୋକମାନଙ୍କୁ ଦେଖାଇ ଅର୍ଥ ଉପାର୍ଜନ କରନ୍ତି । ଏମାନଙ୍କର ମୁଖ ଓ ନିତମ୍ବର ରଙ୍ଗ ଉଜ୍ଜ୍ୱଳ ରକ୍ତ-ବର୍ଣ୍ଣ । ମର୍କଟମାନେ ବୁଦ୍ଧିମାନ୍‌ ଓ ଅନୁକରଣପଟୁ । ଏମାନେ ଫଳୋଦ୍ୟାନ ଓ ଇକ୍ଷୁକ୍ଷେତ୍ରର ସର୍ବନାଶ କରନ୍ତି ଏବଂ କୀଟପତଙ୍ଗ ମଧ୍ୟ ଭକ୍ଷଣ କରନ୍ତି । ଏମାନେ ପରସ୍ପରର ଗାତ୍ରର ଉକୁଣି ବାହାରକରି ଖା’ନ୍ତି । ଆମ୍ଭମାନଙ୍କ ଦେଶର କେହି କେହି ଧନୀ ହିନ୍ଦୁ ଫଳପୂର୍ଣ୍ଣ ଉଦ୍ୟାନ ମାଙ୍କଡ଼ମାନଙ୍କ ନିମିତ୍ତ ଛାଡ଼ିଦେଇଥାନ୍ତି ଓ ସମୟେ ସମୟେ ପ୍ରଚୁର ପରିମାଣରେ ମୁଢି, ଖଇ ପ୍ରଭୃତି ଖାଦ୍ୟସାମଗ୍ରୀ ସେମାନଙ୍କ ଲାଗି ପଠାଇଦିଅନ୍ତି । ମର୍କଟମାନେ କେତେ କେତବେଳେ ପରସ୍ପର ସହିତ ସଦ୍ଭାବରେ ଥା’ନ୍ତି, ପୁଣି କେତେ କେତେବେଳେ ପରସ୍ପରକୁ କାମୁଡ଼ି କ୍ଷତବିକ୍ଷତ କରି ମାରିକପକାଇବାର ଚେଷ୍ଟା କରନ୍ତି । ମର୍କଟମାନେ ଜଳରେ ସ୍ନାନ ଓ ସନ୍ତରଣ କରନ୍ତି । ପୁରୀ ପ୍ରଭୃତି ତୀର୍ଥସ୍ଥାନମାନଙ୍କରେ ମର୍କଟମାନଙ୍କ ଉତ୍ପାତ ଅତି ଭୟଙ୍କର । ଏମାନେ ମନୁଷ୍ୟକୁ କିଛି ମାତ୍ର ଭୟ କରନ୍ତି ନାହିଁ; ମନୁଷ୍ୟର ଘରଭିତରୁ ଓ ତାହାର ହାତରୁ ଢାଳ, ତାଟିଆ,ବସ୍ତ୍ର ନେଇଯାଇ ବୃକ୍ଷଉପରେ ବା ଘରର ଛାତଉପରେ ବସନ୍ତି । କିଛି ଖାଦ୍ୟସାମଗ୍ରୀ ନ ଦେଲେ ବାସନ ବା ବସ୍ତ୍ରାଦି ଫେରାଇ ଦିଅନ୍ତି ନାହିଁ । ଆଫ୍ରିକା ମହାଦେଶରେ ଅନେକ ପ୍ରକାର ମର୍କଟ ଅଛନ୍ତି ।

 

ନୂତନ ମହାଦେଶୀୟ ବା ଆମେରିକାର ବାନରମାନଙ୍କ ଗଣ୍ଡଦେଶରେ ଆହାର ଦ୍ରବ୍ୟ ରକ୍ଷଣୋପଯୋଗୀ ଥଳି ନାହିଁ ଏବଂ ନିତମ୍ବର ଅଧୋଭାଗରେ କଡ଼ା ନାହିଁ । ଏମାନେ ଆକାରରେ ପ୍ରାଚୀନ ମହାଦେଶୀୟ ବାନରମାନଙ୍କ ଅପେକ୍ଷା କ୍ଷୁଦ୍ର । ଏମାନଙ୍କର ନାସାରନ୍ଧ୍ର ଅପେକ୍ଷାକୃତ ବିସ୍ତୃତ । ଆସିଆ ଓ ଆଫ୍ରିକାର ବାନରମାନେ ବୃକ୍ଷର ଶାକାପ୍ରଶାଖାଦିରେ ଲାଙ୍ଗୁଳ ଗୁଡ଼ାଇ ତାହାକୁ ଦୃଢରୂପେ ଧରି ପାରନ୍ତି ନାହିଁ । ଆମେରିକାର ବାନରମାନେ ଲାଙ୍ଗୁଳାଦ୍ୱାରା ପଦାର୍ଥମାନ ଗୁଡ଼ାଇ ଧରନ୍ତି ଏବଂ ବୃକ୍ଷଶାଖାରେ ଝୁଲି ନାନାପ୍ରକାର କ୍ରୀଡ଼ା କରନ୍ତି । ଆମେରିକାସ୍ଥ ସ୍ପାଇଡ଼ର ଜାତୀୟ ବା ମାଙ୍କଡ଼ସା-ବାନରର ଅଗ୍ରପାଦରେ ଅଙ୍ଗୁଷ୍ଠ ନାହିଁ । ସେମାନଙ୍କର ଗାତ୍ର କୃଷ୍ଣବର୍ଣ୍ଣ ବା ଧୂସରବର୍ଣ୍ଣ, ମୁଖ ଆରକ୍ତବର୍ଣ୍ଣ, ଲାଙ୍ଗୁଳ ଦୀର୍ଘ । ବୃକ୍ଷରୁ ବୃକ୍ଷାନ୍ତରକୁ ଯିବାକୁ ହେଲେ ବୃକ୍ଷର ଶାଖାରେ ଲାଙ୍ଗୁଳ ଗୁଡ଼ାଇ ଅଗ୍ରପାଦଦ୍ୱାରା ଶାଖାକୁ ଧରି ଝୁଲୁଥାନ୍ତି । କିଛିକ୍ଷଣ ଏହିପରି ଝୁଲି ଗତିବେଗରେ ସେ ବୃକ୍ଷ ଛାଡ଼ି ବୃକ୍ଷାନ୍ତରକୁ ଡ଼େଇଁପଡ଼ନ୍ତି ।

Image

 

ହସ୍ତୀ

 

ଯେଉଁ ପଶୁମାନଙ୍କର ଚର୍ମ ସ୍ଥୂଳ ସେମାନଙ୍କୁ ସ୍ଥୂଳତ୍ୱକ୍‌ ବା ସ୍ଥୂଳଚର୍ମା ବୋଲାଯାଏ । ବରାହ,ଗଣ୍ଡାର, ସିନ୍ଧୁଘୋଟକ ଓ ହସ୍ତୀ ସ୍ଥୂଳଚର୍ମା ପଶୁଶ୍ରେଣୀର ଅନ୍ତର୍ଗତ । ସ୍ଥଳଚର ଜନ୍ତୁମାନଙ୍କ ମଧ୍ୟରେ ହସ୍ତୀପରି ବୃହଦାକାର ଜନ୍ତୁ ଦେଖାଯାଏ ନାହିଁ । ଚଳିଷ୍ଣୁ ପର୍ବତାକାର ଏହି ପ୍ରକାଣ୍ଡକଳେବର ଜୀବର କର ବା ଶୁଣ୍ଢ ଅଛି ବୋଲି ଏହାକୁ କରୀ ବୋଲାଯାଏ । ଏହାର ଶରୀର ପ୍ରାୟ ଦଶହାତ ଦୀର୍ଘ ଓ ପ୍ରାୟ ଆଠହାତ ଉଚ୍ଚ ଥିବାର ଦେଖାଯାଏ । ଏହାର ଚାରି ପାଦ ଚାରିଗୋଟି ସ୍ତମ୍ଭତୁଲ୍ୟ । ପ୍ରତ୍ୟେକ ପାଦରେ ପାଞ୍ଚଗୋଟି ଗୋଲାକାର ଖୁରା ଅଛି । ଚକ୍ଷୁ ଦୁଇଟି କ୍ଷୁଦ୍ର; କିନ୍ତୁ ଉଜ୍ଜ୍ୱଳ, କାନ ଦୁଇଟି କୁଲାପରି ବୃହତ୍‌ ଓ ଝୁଲା, ଚର୍ମ ବନ୍ଧୁର ଓ ଗାତ୍ରର ବର୍ଣ୍ଣ ଧୂମ୍ର ବା ଧୂସର । ଏହାର ଓଷ୍ଠ ପ୍ରାନ୍ତରୁ ଦୁଇଟି ବୃହତ୍‌ ଦନ୍ତ ବହିର୍ଗତ । ଏହାର ମସ୍ତକ ବୃହତ୍‌, ଗ୍ରୀବା ଖର୍ବ । ଏହାର ଶୁଣ୍ଢ ହସ୍ତ ଓ ନାସିକାର କାର୍ଯ୍ୟ ସଂପନ୍ନ କରେ । ହସ୍ତୀ ଶୁଣ୍ଢଦ୍ୱାରା ସୁକି, ଦୋଅଣି ପରି କ୍ଷୁଦ୍ର ପଦାର୍ଥମାନ ତଳରୁ ଉଠାଇନିଏ ଓ ବୃକ୍ଷର ବଡ଼ ବଡ଼ ଡ଼ାଳ ଭାଙ୍ଗିପକାଏ । ଶୁଣ୍ଢ ମଧ୍ୟରେ ଦୁଇଟି ଛିଦ୍ର ଅଛି । ତଦ୍ଦ୍ୱାରା ସେ ନିଃଶ୍ୱାସ ଗ୍ରହଣ କରେ ଏବଂ ଜଳ ଶୋଷିନେଇ ମୁଖମଧ୍ୟରେ ଢାଳି ପାନକରେ; କେତେବେଳେ ଅବା ପୁତ୍କାରଦ୍ୱାରା ଜଳ ନିକ୍ଷେପ କରି ଖେଳ କରେ । ହସ୍ତୀର ଦନ୍ତ ପ୍ରାୟ ୬ ହାତ ପର୍ଯ୍ୟନ୍ତ ଲମ୍ବା ଥିବାର ଦେଖାଯାଇଅଛି । ହସ୍ତୀ ସେହି ଦନ୍ତଦ୍ୱାରା ସିଂହ, ବ୍ୟାଘ୍ର ପ୍ରଭୃତି ପ୍ରବଳ ଶତ୍ରୁମାନଙ୍କୁ ବିଦୀର୍ଣ୍ଣ କରିପକାଏ । ହସ୍ତିଦନ୍ତ ଶୁଭ୍ର ଓ ଚିକ୍‌କଣ ଏବଂ ତାହା ବହୁ ମୂଲ୍ୟରେ ବିକ୍ରୀତ ହୁଏ । ଲୋକେ ତଦ୍ଦ୍ୱାରା ପଲଙ୍କ, ପଙ୍ଖା,ପଶାକାଠି, ପାନିଆ, ପେଡ଼ି, ଫରୁଆ ପ୍ରଭୃତି ନାନାବିଧ ସାମଗ୍ରୀ ନିର୍ମାଣ କରନ୍ତି । ହସ୍ତୀର ଲାଙ୍ଗୁଳ ଖଣ୍ଡେ କ୍ଷୁଦ୍ର ରଜ୍ଜୁବତ୍‌ ।

 

ହସ୍ତୀ ଆସିଆ ଓ ଆଫ୍ରିକାର ନିବାସୀ ଅଟନ୍ତି । ଆସିଆର ହସ୍ତୀମାନଙ୍କ ମଧ୍ୟରେ ବ୍ରହ୍ମଦେଶରେ ଏକ ପ୍ରକାର ଶ୍ୱେତବର୍ଣ୍ଣ ହସ୍ତୀ ଦେଖାଯାଏ । ଓଡ଼ିଶାର ପଶ୍ଚିମ ଭାଗର ଅରଣ୍ୟ ଓ ପର୍ବତମାନଙ୍କରେ ବହୁ ବନ୍ୟହସ୍ତୀ ଅଛନ୍ତି । ଏମାନେ ଦଳବଦ୍ଧ ହୋଇଥାନ୍ତି । ହସ୍ତୀ ଧରିବାପାଇଁ ଲୋକେ ନାନାପ୍ରକାର କୈାଶଳ ପ୍ରୟୋଗ କରନ୍ତି । ଭାରତବର୍ଷରେ ହସ୍ତୀ ଧରିବା ପାଇଁ ଲୋକେ ବଡ଼ କାଠଗଡ଼ ବା କାଷ୍ଠର ପ୍ରାଚୀର ନିର୍ମାଣ କରି ସେଥିମଧ୍ୟରେ ବାଟ ରଖି ଗୋଟାଏ ପୋଷା ହସ୍ତିନୀ ଛାଡ଼ିଦିଅନ୍ତି । ହସ୍ତୀମାନେ ହସ୍ତିନୀଦ୍ୱାରା ଆକୃଷ୍ଟ ହୋଇ ସେଥିମଧ୍ୟରେ ପ୍ରବେଶ କଲାରୁ ଲୋକେ ପ୍ରଚ୍ଛନ୍ନ ଥାଇ ବାହାରିବାର ପଥ ବନ୍ଦ କରିଦିଅନ୍ତି ଏବଂ କ୍ରମେ କ୍ରମେ ନିକଟବର୍ତ୍ତୀ ହୋଇ ଦୃଢ ରଜ୍ଜୁଦ୍ୱାରା ସେମାନଙ୍କ ପାଦରେ ଫାଶ ପକାଇ ବଡ଼ ବଡ଼ ବୃକ୍ଷର କାଣ୍ଡରେ ବାନ୍ଧି ରଖନ୍ତି । ପରେ କ୍ରମେ ଅନାହାରରେ କ୍ଷୀଣ ହେଲେ କିଛି କିଛି ଆହାର କରିବାକୁ ଦିଅନ୍ତି । ଲୋକେ ଏହିପରି କିଛି ଦିନ ମଧ୍ୟରେ ସେମାନଙ୍କୁ ପୋଷ ମନାଇ ବଶୀଭୂତ କରନ୍ତି । ଆରଣ୍ୟ ହସ୍ତୀମାନେ ଅତ୍ୟନ୍ତ ଭୀଷଣପ୍ରକୃତିକ; କିନ୍ତୁ ପୋଷା ହେଲେ ସେମାନଙ୍କ ପ୍ରକୃତି ବଦଳିଯାଏ । ସେମାନେ ଧୀର ଓ ବାଧ୍ୟ ହୁଅନ୍ତି । ପୋଷା ହସ୍ତୀର ବୁଦ୍ଧି, ଚତୁରତା, ପ୍ରଭୁଭକ୍ତି ଓ ପ୍ରତିହିଂସା ସୁପ୍ରସିଦ୍ଧ ।

 

ଛଅଗୋଟା ଘୋଡ଼ା ଯେଉଁ ବୋଝକୁ ହଲାଇ ପାରିବେ ନାହିଁ, ହସ୍ତୀ ଏକାକୀ ତାହା ଅବଲୀଳାକ୍ରମେ ବୋହି ନେଇଯାଏ । ପ୍ରତିଦିନ ଦୁଇମହଣ ଘାସ ଖାଇଲେ ତାହାର ଉଦର ପୂର୍ଣ୍ଣ ହୁଏ । ହସ୍ତୀମାନେ ଯୂଥବଦ୍ଧ ହୋଇ ଶସ୍ୟକ୍ଷେତ୍ରରେ ଚରି ଶସ୍ୟ ନଷ୍ଟ କରନ୍ତି । ସେମାନେ ସନ୍ତରଣ ପଟୁ । ସମସ୍ତ ଦେହ ଜଳରେ ବୁଡ଼ାଇ ଶୁଣ୍ଢର ଅଗ୍ରଭାଗ ଉପରକୁ ରଖି ପହଁରନ୍ତି । ନଦୀ ପାରିହେବାବେଳେ ଯୂଥପତି ଆଗରେ ଥାଏ, ତାହାର ପଛେ ପଛେ ଅନ୍ୟ ହସ୍ତୀମାନେ ଗୋଟିକ ପଛେ ଗୋଟିଏ ପାରିହୋଇଯାନ୍ତି । ହସ୍ତୀ ପ୍ରାୟ ଦୁଇବର୍ଷ ଗର୍ଭଧାରଣକରି ଗୋଟିଏ ମାତ୍ର ସନ୍ତାନ ପ୍ରସବ କରେ । ହସ୍ତୀର ଶାବକକୁ କରଭ ବୋଲାଯାଏ । ହସ୍ତୀମାନେ ଦୀର୍ଘଜୀବୀ । ସେମାନେ ଦେଢଶହ ବା ଦୁଇଶହ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିବାର ଦେଖାଯାଇଅଛି ।

 

ହସ୍ତୀ ସମ୍ବନ୍ଧରେ ନାନାପ୍ରକାର ବିସ୍ମୟଜନକ ଓ କୈାତୁକାବହ ଗଳ୍ପ ଅଛି । କୈାଣସି ରାଜା ବନନିକଟସ୍ଥ ଏକ ନିର୍ଜନ ସ୍ଥାନରେ ଗୋଟିଏ ବଡ଼ ଧାନ୍ୟାଗାର ବା ଖମାର ନିର୍ମାଣ କରି ସେଥିରେ ପ୍ରଚୁର ଧାନ ରଖିଥିଲେ । ଦିନେ ଗୋଟାଏ ବଡ଼ ଦନ୍ତାବଳ ସେଠାକୁ ଆସି ସେଥିରେ ଧାନ ଥିବାରୁ ବୁଝିପାରି ଅରଣ୍ୟମଧ୍ୟକୁ ଲେଉଟି ଚାଲିଯାଇ ସମୁଦାୟ ଯୂଥକୁ ଘେନି ପୁଣି ସେଠାରେ ଉପସ୍ଥିତ ହେଲା । ତାହା ଦେଖି ଖମାରର ରକ୍ଷକ ଦୁଇଜଣ ଭୟରେ ପଳାଇ ଗୋଟାଏ ଉଚ୍ଚ ବୃକ୍ଷରେ ଆରୋହଣ କଲେ । ହସ୍ତୀମାନେ ଖମାରର ଚାରିଆଡ଼ରେ ବୁଲି ଦେଖିଲେ ଯେ, କୈାଣସି ପାର୍ଶ୍ୱରେ ପ୍ରବେଶପଥ ନାହିଁ; କାରଣ ଏକମାତ୍ର ପ୍ରବେଶପଥ ଉପରର ଛାତରେ ଥିଲା । ତେଣୁ ଗୋଟାଏ ବଡ଼ ହାତୀ ଦାନ୍ତଦ୍ୱାରା ଖମାରର ଏକ କୋଣ ଆକ୍ରମଣ କରନ୍ତେ ଅନ୍ୟ ହସ୍ତୀମାନେ ସେହି କୋଣ ଉପରେ ଆଘାତ କରିବାକୁ ଲାଗିଲେ । ଏକ ଦଳ ଏହିପରି ଆକ୍ରମଣ କରି କ୍ଷାନ୍ତ ହେଲାରୁ ଆଉ ଏକ ଦଳ ସେମାନଙ୍କ ସ୍ଥାନ ଅଧିକାର କଲେ । ଏହିପରି ଅବିଶ୍ରାନ୍ତ ପ୍ରହାରଦ୍ୱାରା ପ୍ରାଚୀରର ସେହି ଅଂଶ ଭାଙ୍ଗିପକାଇ ସମୁଦାୟ ଯୂଥ ଖମାରରେ ପଶି ଉଦର ପରିପୂର୍ଣ୍ଣ କରି ଖାଇଲେ ।

 

ସମୟେ ସମୟେ ଦେଖାଯାଇଅଛି ଯେ, ହସ୍ତୀଜିମାରେ ମାହୁନ୍ତ ନିଜର ଶିଶୁପୁତ୍ରକୁ ରଖିଦେଇ ଚାଲିଯାଏ ଏବଂ ହସ୍ତୀ ବହୁ ଯତ୍ନପୂର୍ବକ ଶିଶୁର ଦୋଳାକୁ ଝୁଲାଇ ଝୁଲାଇ ପିଲାକୁ ଶୁଆଇପକାଏ । କୈାଣସି ସମୟରେ ଜଣେ ଲୋକ ହସ୍ତୀର ସ୍ମରଣଶକ୍ତି ବିଡ଼ିବାପାଇଁ ଗୋଟାଏ ରୋଟି ଭିତରେ ଅନେକ ଗୁଡ଼ାଏ ଲଙ୍କାମରିଚର ଚୂର୍ଣ୍ଣ ପୂରାଇ ସେହି ରୋଟି ହସ୍ତୀକୁ ଖାଇବାକୁ ଦେଇଥିଲା । ଛଅ ସପ୍ତାହପରେ ସେହି ଲୋକ ହସ୍ତୀ ନିକଟକୁ ଆସି ଆଉଁସିଦେଲା ଓ ତାହା ସଙ୍ଗେ ଖେଳିବାକୁ ଲାଗିଲା । ଲୋକଟି ମନେକଲା ଯେ, ରୋଟିକଥା ହାତୀର ମନେ ନାହିଁ ;କିନ୍ତୁ ସହସା ହସ୍ତୀ ତାହାକୁ ଶୁଣ୍ଢଦ୍ୱାରା ଉତ୍ତୋଳିତ କରି ନିକଟସ୍ଥ ପଙ୍କମୟ ପୁଷ୍କରିଣୀରେ ଫିଙ୍ଗିଦେଲା ।

Image

 

କୃଷ୍ଣମୋହନ ବନ୍ଦ୍ୟୋପାଧ୍ୟାୟ

 

ଖ୍ରୀଷ୍ଟୀୟ ଊନବିଂଶତିତମ ଶତାବ୍ଦୀର ପ୍ରଥମ ପାଦରେ ଭାରତବର୍ଷରେ ଇଂରେଜରାଜ୍ୟ ସୁପ୍ରତିଷ୍ଠିତ ହେଲା ଉତ୍ତାରେ ଇଂରାଜୀଶିକ୍ଷାର ବିସ୍ତାରପ୍ରତି ପ୍ରଧାନ ରାଜପୁରୁଷଙ୍କର ଦୃଷ୍ଟି ଆକୃଷ୍ଟ ହେଲା । ନବ-ପ୍ରବର୍ତ୍ତିତ ଇଂରାଜୀଶିକ୍ଷାର ପ୍ରଭାବରେ ବଙ୍ଗଦେଶରେ ନବଯୁଗ ଉପସ୍ଥିତ ହେଲା ଏବଂ କଲିକତା ନଗରୀରେ ନବପ୍ରତିଷ୍ଠିତ ହିନ୍ଦୁ କଲେଜ ନାମକ ବିଦ୍ୟାଳୟର ସୁଶିକ୍ଷିତ ଯୁବକ ଛାତ୍ରମାନଙ୍କର ମନରେ ସ୍ୱାଧୀନଚିନ୍ତାର ନବୀନ ଭାବ ଜାଗରିତ ହେଲା । ସେମାନଙ୍କ ମଧ୍ୟରୁ ଅନେକେ ସ୍ୱଦେଶର ପ୍ରାଚୀନ ରୀତିନୀତି ଆଲୋଚନା କରି ନାନାବିଧ କୁସଂସ୍କାର ବିରୁଦ୍ଧରେ ଦଣ୍ଡାୟମାନ ହେଲେ । ସେହି ଯୁବକମାନଙ୍କ ମଧ୍ୟରେ କୃଷ୍ଣମୋହନ ବନ୍ଦ୍ୟୋପାଧ୍ୟାୟ ଅଗ୍ରଗଣ୍ୟ ଥିଲେ ।

 

କୃଷ୍ଣମୋହନ ୧୮୧୩ ଖ୍ରୀଷ୍ଟାବ୍ଦରେ କଲିକତା ନଗରୀରେ ମାତାମହଙ୍କ ଗୃହରେ ବ୍ରାହ୍ମଣକୁଳରେ ଜନ୍ମଗ୍ରହଣ କରିଥିଲେ । ତାହାଙ୍କର ପିତା ଜୀବନକୃଷ୍ଣ ଦରିଦ୍ରଥିବାରୁ ବହୁ କ୍ଲେଶରେ କୁଟୁମ୍ବ ପ୍ରତିପାଳନ କରୁଥିଲେ ଏବଂ ସେହି ହେତୁରୁ ତାହାଙ୍କର ପତିପରାୟଣା ଧର୍ମଶୀଳା ଜନନୀ ଗୃହକାର୍ଯ୍ୟ ସାରି ଅବସର ସମୟରେ ସୂତା କାଟି ଓ ଉପବୀତସୂତ୍ର ପ୍ରସ୍ତୁତ କରି ଯାହା ଅର୍ଜନ କରୁଥିଲେ, ତଦ୍ଦ୍ୱାରା ପରିବାର ପ୍ରତିପୋଷଣର ସାହାଯ୍ୟ ହେଉଥିଲା । କୃଷ୍ଣମୋହନ ପ୍ରଥମେ ଗୋଟିଏ କ୍ଷୁଦ୍ର ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ଭାରତହିଦୈଷୀ ମହାତ୍ମା ହେଆର୍‌ ନାମକ ବିଖ୍ୟାତ ଇଂରାଜ ତାହାଙ୍କର ବୁଦ୍ଧିମତ୍ତାର ପରିଚୟ ପାଇ, ବର୍ତ୍ତମାନ ସମୟରେ ତାଙ୍କ ନାମ ଅନୁସାରେ ହେଆର୍‌ ସ୍କୁଲ ନାମରେ ପ୍ରସିଦ୍ଧ ବିଦ୍ୟାଳୟକୁ ଏବଂ ୧୮୨୪ ଖ୍ରୀଷ୍ଟାବ୍ଦରେ ହିନ୍ଦୁ କଲେଜକୁ ଘେନିଗଲେ ।

 

ବିଦ୍ୟାଶିକ୍ଷା ବିଷୟରେ କୃଷ୍ଣମୋହନଙ୍କର ମନୋଯୋଗ ଓ ଅଧ୍ୟବସାୟ ଅସାଧାରଣ ଥିଲା । ଦାରିଦ୍ର୍ୟବଶତଃ ତାହାଙ୍କୁ କୈାଣସି ଦିନ ଉପବାସରେ ରହିବାକୁ ପଡ଼ୁଥିଲେହେଁ ସେ କଦାପି ଅଧ୍ୟୟନ ବିଷୟରେ ଅମନଯୋଗୀ ହେଉନଥିଲେ । ଜନନୀଙ୍କ ସଙ୍ଗେ ତାଙ୍କର ଏହି ନିୟମ ଥିଲା ଯେ,ସେ ଓଳିଏ ରନ୍ଧନ କରିବେ; ସେହି ସମୟରେ ମା’ ନିଜ ପରିଶ୍ରମଦ୍ୱାରା କିଛି ଅର୍ଥୋପାର୍ଜନ କରିବାର ଚେଷ୍ଟା କରିବେ । ସେହି ନିୟମ ଅନୁସାରେ ବିଦ୍ୟାଳୟରୁ ଆସି କୃଷ୍ଣମୋହନ ରନ୍ଧନକାର୍ଯ୍ୟରେ ନିଯୁକ୍ତ ହେଉଥିଲେ, ଅଥଚ ବିଦ୍ୟାଳୟରେ କେହି ତାହାଙ୍କୁ ଶିକ୍ଷାବିଷୟରେ ପରାସ୍ତ କରିପାରୁ ନ ଥିଲେ ।

 

୧୮୨୯ ଖ୍ରୀଷ୍ଟାବ୍ଦରେ ପୂର୍ବୋକ୍ତ ହେଆର ସାହେବ ମହୋଦୟ ତାହାଙ୍କୁ ନିଜ ସ୍କୁଲରେ ଦ୍ୱିତୀୟ ଶିକ୍ଷକପଦରେ ନିଯୁକ୍ତ କଲେ । ଏଥିଉତ୍ତାରୁ ସେ କଲିକତାରେ ଇଂରାଜୀଶିକ୍ଷିତ ଯୁବକମାନଙ୍କର ନେତା ହାଇ ଗୋଟିଏ ଆଲୋଚନା ସଭା ସ୍ଥାପନ କରାଇଲେ ଏବଂ ଖଣ୍ଡେ ଇଂରାଜୀ ସମ୍ବାଦ ପତ୍ରିକା ପ୍ରକାଶକଲେ । ଉକ୍ତ ସଭାରେ ନୈତିକ ଓ ସାମାଜିକ ବିଷୟମାନ ସ୍ୱାଧୀନଭାବରେ ଆଲୋଚିତ ଏବଂ ଉକ୍ତ ପତ୍ରିକାରେ ପ୍ରାଚୀନ କୁସଂସ୍କାର ବିରୁଦ୍ଧରେ ଅନେକ ତୀବ୍ର ପ୍ରବନ୍ଧ ପ୍ରକାଶିତ ହେଉଥିଲା । ଏହି କାରଣରୁ ସେ ହିନ୍ଦୁଧର୍ମବିଦ୍ୱେଷୀ ବୋଲି ହିନ୍ଦୁ ସମାଜରେ ନିନ୍ଦିତ ହେବାକୁ ଲାଗିଲେ ଏବଂ ଅବଶେଷରେ ଗୃହରୁ ତାଡ଼ିତ ହେଲେ । ୧୮୩୦ ସାଲରେ ଆଲେକ୍‌ଜାଣ୍ଡାର ଡ଼ଫ୍‌ ନାମରେ ଜଣେ ପ୍ରସିଦ୍ଧ ଖ୍ରୀଷ୍ଟୀୟ ଧର୍ମପ୍ରଚାରକ କଲିକତାକୁ ଆସି ତାହାଙ୍କର ଅସାଧାରଣ ବାଗ୍ମିତାଦ୍ୱାରା ଶିକ୍ଷିତ ଯୁବକମାନଙ୍କୁ ଉତ୍ତେଜିତ କରିବାକୁ ଲାଗିଲେ ଏବଂ ସୋନଙ୍କ ମଧ୍ୟରୁ କେତେଜଣ ଖ୍ରୀଷ୍ଟୀୟ ଧର୍ମଗ୍ରହଣ ଏହି ସମୟରେ ଘଟିଥିଲା ।

 

ଏଥିଉତ୍ତାରେ କୃଷ୍ଣମୋହନ ଅବିଶ୍ରାନ୍ତ ଚେଷ୍ଟାଦ୍ୱାରା ଆତ୍ମୋନ୍ନତି କରିବାକୁ ଲାଗିଲେ । ତାହାଙ୍କର ପାଣ୍ଡିତ୍ୟ ଓ ସାଧୁଚରିତ୍ରର ଯଶଃ ବ୍ୟାପ୍ତ ହେବାକୁ ଲାଗିଲା । ବହୁଦିନ ପରେ ତାହାଙ୍କର ପତ୍ନୀ ହିନ୍ଦୁ ସମାଜରୁ ଆସି ତାହାଙ୍କର ସହଚାରିଣୀ ହେଲେ । ସେ ଖ୍ରୀଷ୍ଟୀୟ ଧର୍ମର ଆଚାର୍ଯ୍ୟ ପଦରେ ନିଯୁକ୍ତ ହୋଇ ସେହି ଧର୍ମର ଯାଜନ କରିବାକୁ ପ୍ରବୃତ୍ତ ହେଲେ । ୧୮୪୫ ଅବ୍ଦରୁ ସେ ତଦାନୀନ୍ତନ ଗବର୍ଣ୍ଣର ଜେନେରାଲ୍‌ଙ୍କ ପ୍ରରୋଚନାରେ ଅନେକ ଜ୍ଞାନ-ଗର୍ଭ ଗ୍ରନ୍ଥମାନ ପ୍ରଣୟନ କରିବାକୁ ଲାଗିଲେ ।

 

‘ସର୍ବାର୍ଥ ସଂଗ୍ରହ’, ‘ହିନ୍ଦୁ ଦର୍ଶନଶାସ୍ତ୍ର’, ‘ଆର୍ଯ୍ୟ ଶାସ୍ତ୍ରର ସାକ୍ଷ୍ୟ’ ଏହି ଗବେଷଣାପୂର୍ଣ୍ଣ ଗ୍ରନ୍ଥମାନ ପ୍ରକାଶ କରି ଅସାଧାରଣ ପାଣ୍ଡିତ୍ୟର ପରିଚୟ ପ୍ରଦାନ କଲେ ଏବଂ ତାହାଙ୍କର ଗଭୀର ପାଣ୍ଡିତ୍ୟ ନିମିତ୍ତ ସେ ସର୍ବତ୍ର ସମ୍ମାନିତ ହେଲେ । ୧୮୭୬ ଅବ୍ଦରେ କଲିକତା ବିଶ୍ୱବିଦ୍ୟାଳୟ ତାହାଙ୍କୁ ‘ଡ଼କ୍‌ଟର’ ବା ‘ଆଚାର୍ଯ୍ୟ’ ଉପାଧି ପ୍ରଦାନ କଲେ । ସେହି ହେତୁରୁ ସେ ଡ଼କ୍‌ଟର କେ. ଏମ୍‌.ବାନାର୍ଜି ନାମରେ ବିଖ୍ୟାତ । ୧୮୮୫ ଖ୍ରୀଷ୍ଟାବ୍ଦରେ ସେ ପରଲୋକ ଗମନ କଲେ ।

 

ଡ଼କ୍‌ଟର କୃଷ୍ଣମୋହନ ସତ୍ୟନିଷ୍ଠ, ନିର୍ଭୀକ ପୁରୁଷ ଥିଲେ । ତାହାଙ୍କର ଅସାଧାରଣ ଅଧ୍ୟବସାୟ ଓ ସୁତୀକ୍ଷ୍‌ଣ ପ୍ରତିଭାଦ୍ୱାରା ସେ ନାନା ଭାଷାରେ ନାନା ଶାସ୍ତ୍ର ଆଲୋଚନା କରି ବହୁ ଜ୍ଞାନପୂର୍ଣ୍ଣ ଗ୍ରନ୍ଥମାନ ରଚନା କରିଯାଇଅଛନ୍ତି । ସେ ଏକାନ୍ତ କର୍ତ୍ତବ୍ୟପରାୟଣ ଥାଇ ଯେତେବେଳେ ଯେଉଁ କାର୍ଯ୍ୟର ଭାର ଗ୍ରହଣ କରୁଥିଲେ, ତାହାକୁ ପ୍ରଗାଢ ଯତ୍ନସହକାରେ ସାଧନ କରୁଥିଲେ । ତାହାଙ୍କର ଚରିତ୍ର ପବିତ୍ର ଥିଲା ଏବଂ ସେ ଜୀବନର ଶେଷକାଳ ପର୍ଯ୍ୟନ୍ତ ସ୍ୱଦେଶର ଶିକ୍ଷା ଓ ନୀତିର ଉନ୍ନତି ନିମିତ୍ତ ନାନା ହିତକର ବ୍ୟାପାରରେ ନିଯୁକ୍ତ ଥିଲେ ।

Image

 

ଚନ୍ଦ୍ର ଓ ତାରା

(ଇଂରାଜୀରୁ ଅନୁବାଦିତ)

 

ସୃଷ୍ଟିର ପ୍ରଥମଦିନ ଦୀପ୍ତିମାନ୍‌ ସୂର୍ଯ୍ୟ ଦିଗ୍‌ବଳୟର ପୂର୍ବରୁ ଉଦିତ ହୋଇ ଦିଗ୍‌ବଳୟର ପଶ୍ଚିମରେ ଅସ୍ତ ହେଲେ, ବିଜନ ଧରଣୀର ମୁଖ ଅନ୍ଧକାରଦ୍ୱାରା ଆବୃତ ହେଲା; ଏମନ୍ତ ସମୟରେ ନୀଳାକାଶ ମଧ୍ୟରେ ଗୋଟିଏ ସୁନ୍ଦର ତାରା ନିଜର କ୍ଷୁଦ୍ର ମସ୍ତକ ଉତ୍ତୋଳନ କରି ଅବତୀର୍ଣ୍ଣ ହେଲା । ନବଲବ୍‌ଧ ଜୀବନ ବିଷୟ ଚିନ୍ତା କରୁ କରୁ ସେ ଆହ୍ଲାଦ ଓ ବିସ୍ମୟରେ ମଗ୍ନ ହୋଇ ଚତୁର୍ଦ୍ଦିଗ ନିରୀକ୍ଷଣ କଲା; ମାତ୍ର ନିଜ ମୂର୍ତ୍ତି ସଦୃଶ କୈଣସି ପଦାର୍ଥ ଦେଖିଲା ନାହିଁ । ମୁହୂର୍ତ୍ତକ ଉତ୍ତାରେ ଗୋଟି ଗୋଟି ହୋଇ ଅନେକ ତାରା ଉଦିତ ହେଲେ । ଘଡ଼ିକ ମଧ୍ୟରେ ଅନନ୍ତ ନୀଳାମ୍ବର ଅସଂଖ୍ୟ ଗ୍ରହ-ନକ୍ଷେତ୍ର ଦ୍ୱାରା ବିଭୂଷିତ ହେଲା । ସର୍ବଶେଷରେ ଗୋଟିଏ ଦୀପ୍ତିମାନ୍‌ ଧୂମକେତୁ ଆକାଶର ମଧ୍ୟସ୍ଥଳରେ ଅବସ୍ଥାନ କରି ସ୍ୱୀୟ ପ୍ରଭା ବିସ୍ତାର କରିବାକୁ ଲାଗିଲା ।

 

ଏହି ନକ୍ଷତ୍ରମାନେ କ୍ଷଣକାଳ ପରସ୍ପରର ସୈାନ୍ଦର୍ଯ୍ୟ ଆଲୋଚନା କଲେ । ପ୍ରତ୍ୟେକେ ଆପଣାକୁ ସମୁଦାୟ ବ୍ରହ୍ମାଣ୍ଡର ମଧ୍ୟବର୍ତ୍ତୀ ଜ୍ୟୋତିଷ୍କ ଜ୍ଞାନ କଲେ; କିନ୍ତୁ ସେମାନଙ୍କର ଏହି ଭ୍ରାନ୍ତି ଶୀଘ୍ର ବିଦୂରିତ ହେଲା । ଆତ୍ମଜ୍ଞାନ ସର୍ବଜ୍ଞାନର ସତ୍ୟତାର ପରିମାପକ ଅଟେ । ମୁହୂର୍ତ୍ତକ ଉତ୍ତାରେ ସେମାନେ ବିମଳ ଅମ୍ବୁରାଶି ଆଡ଼କୁ ଦୃଷ୍ଟି ପକାଇଲେ । ସେହି ଜଳଦର୍ପଣରେ ନିଜ ମୂର୍ତ୍ତିର ପ୍ରତିବିମ୍ବ ଦର୍ଶନ କରି ଅତ୍ୟନ୍ତ ଲଜ୍ଜିତ ହେଲେ ଏବଂ ନମ୍ରଭାବ ଅବଲମ୍ବନ କଲେ । ମାତ୍ର ଧୂମକେତୁ ସୂର୍ଯ୍ୟ ଆଡ଼କୁ ଦୀର୍ଘ ଉଜ୍ଜ୍ୱଳ ଲଞ୍ଜା ବିସ୍ତାର କରି ଆପଣାକୁ ଜ୍ୟୋତିଷ୍କରାଜ ବୋଲି ମଣିବାକୁ ଲାଗିଲା । ଏମନ୍ତ ସମୟରେ ଗୋଟିଏ ନବୀନ ପଦାର୍ଥ ଜ୍ୟୋଣିଷମାନଙ୍କର ଦୃଷ୍ଟିଗୋଚର ହେଲା । ଗୋଟିଏ ସୂକ୍ଷ୍ମ ଜ୍ୟୋତିଃସୁତ୍ର ଦିଗ୍‌ବଳୟୋପରି ଉଦିତ ହେଲା । ଏହିଟି ପ୍ରଥମ ପ୍ରତିପଚନ୍ଦ୍ର । ସୈାଷ୍ଠବାନ୍ୱିତ ପ୍ରଭାମୟ ନକ୍ଷତ୍ରପୁଞ୍ଜ ଅବଲୋକନ କରି ଚନ୍ଦ୍ର ଭୀତ ଓ ଲଜ୍ଜିତ ହୋଇ ଆପଣାର କୃଶ ଆଉ କୁତ୍ସିତ ରୂପକୁ ଶୀଘ୍ର ସାଗରଗର୍ଭସ୍ଥ କଲା । ଚନ୍ଦ୍ର ଗଗନରୁ ତିରୋହିତ ହେଲାକ୍ଷଣି ନକ୍ଷତ୍ରମାନେ ବିସ୍ମୟାନ୍ୱିତ ହୋଇ ପରସ୍ପର ପ୍ରତି ଜିଜ୍ଞାସୁ ନୟନରେ ଅନାଇଲେ । ‘‘ଆଃ ! ଏଉଟା କି ବଙ୍କା ମୂର୍ତ୍ତି’’ ଏହା ବୋଲି ସେମାନେ ଅସ୍ତଗତ ଚନ୍ଦ୍ରକୁ ଉପହାସ କରିବାକୁ ଲାଗିଲେ । ଅବଶେଷରେ ସେମାନେ ନିଜ ତେଜର ହ୍ରାସ ଅନୁଭବ କଲେ । ପ୍ରାଚୀ ଦିଗରେ ଅରୁଣ ଉଦିତ ହେଲା ଏବଂ ସେମାନେ ଚାହୁଁ ଚାହୁଁ ଗଗନରେ ବିଲୀନ ହେଲେ ।

 

ତହିଁ ଆର ସନ୍ଧ୍ୟାରେ ସେହି ନକ୍ଷତ୍ରମାନେ ଜାଗ୍ରତ ହୋଇ ଚକ୍ଷୁରୁନ୍ମୀଳନ କଲେ । ଚାହଁ ଦେଖିଲେ ଯେ,ପୂର୍ବରାତ୍ରିର ନକ୍ଷତ୍ରସମୂହ ମଧ୍ୟରୁ କେହି ଅନୁପସ୍ଥିତ ନାହିଁ । କ୍ଷୁଦ୍ର ବକ୍ର ଚନ୍ଦ୍ରରେଖା ପୁନର୍ବାର ଦୃଷ୍ଟିପଥାରୂଢ ହେଲା । ଏହାର ତେଜଃ ପୂର୍ବରଜନୀ ଅପେକ୍ଷା କିଞ୍ଚିତ୍‌ ବଢିଥିଲା ସତ୍ୟ, ମାତ୍ର ଚାହୁଁ ଚାହୁଁ ଏହାର ବିଲୟ ଉପସ୍ଥିତ ହେଲା । ଏଣୁ ଧୂମକେତୁ ପୂର୍ବବତ୍‌ ଆକାଶର ଅଧିରାଜ ହୋଇ ସମସ୍ତ ନକ୍ଷତ୍ରଙ୍କୁ ଶାସନକରିବାକୁ ଲାଗିଲା ।

 

ତୃତୀୟ ସନ୍ଧ୍ୟାରେ ଚନ୍ଦ୍ରର ଆକାର ଏବଂ ତେଜଃ ବହୁତ ବଢିଥିଲା ଏବଂ ସେ ଅପେକ୍ଷାକୃତ ଅଧିକକାଳ ଆକାଶରେ ଦେଦୀପ୍ୟମାନ ହେଲା । ନକ୍ଷତ୍ରମାନେ ଏହା ଦେଖି ବିସ୍ମିତ ହେଲେ ଏବଂ ଚନ୍ଦ୍ରସ୍ତ ଉତ୍ତାରେ ତଦ୍‌ବିଷୟକ କଥାବାର୍ତ୍ତାରେ ସେ ରଜନୀ ଯାପନ କଲେ । ଅବଶେଷରେ ମୃଦୁ ପ୍ରଭାତବାୟୁ ବହିବାକୁ ଲାଗିଲା । ସୂର୍ଯ୍ୟର ହିରଣ୍ମୟ ପ୍ରଭାରେ ଧରାତଳ ରଞ୍ଜିତ ହେଲା ।

 

ପରରାତ୍ରରେ ଚନ୍ଦ୍ର ଉଦିତ ହୋଇ ଆକାଶରେ ଉଚ୍ଚତର ଆସନ ଗ୍ରହଣ କଲା । ତାହାର ପ୍ରଭାବୃଦ୍ଧି ହେତୁରୁ ସମୀପବର୍ତ୍ତୀ ନକ୍ଷତ୍ରମାନେ ମ୍ଲାନ ହେଲେ ;କେହି କେହି ଅବା ଅଦୃଶ୍ୟ ହେଲେ । ଏହାର ଯଥାର୍ଥ କାରଣ ବୁଝି ନ ପାରି ନକ୍ଷତ୍ରମାନେ ସଶଙ୍କ ହୋଇ ବିଚାରିଲେ ଯେ, ଚନ୍ଦ୍ର ସେମାନଙ୍କର ତେଜଃ ହରଣ କରି ନିଜ କଳେବରେ ବର୍ଦ୍ଧିତ କରୁଅଛି ଏବଂ ଅଚିରାତ୍‌ ସମସ୍ତଙ୍କର ଜ୍ୟୋତିଃ ଅପହରଣ କରି ସ୍ୱ-ଦେହ ମଣ୍ଡନ କରିବ ।

 

ଚନ୍ଦ୍ର ପ୍ରତି ରାତ୍ର ଏହିପରି ବୃହତ୍ତର ଏବଂ ମନୋଜ୍ଞତର ହେବାକୁ ଲାଗିଲା; ତଥାପି ସେ ଏତେବେଳଯାଏ ବିନୟ ଅବଲମ୍ବନ କରିଥିଲା,ଅବଶେଷରେ ଗୋଲାକାର ଧାରଣ କଲା । ପୈାର୍ଣ୍ଣମାସୀ ରଜନୀରେ ଗର୍ବିତ ଭାବରେ ଗଗନ ମଧ୍ୟରେ ଅବସ୍ଥାନ କରି ଧରଣୀତଳକୁ ଶୀତଳ ଧବଳରଶ୍ମିରେ ରଞ୍ଜିତ କଲା । ଆପଣାର ରୂପଶ୍ରୀ ସମୁଦ୍ରରେ ପ୍ରତିବିମ୍ବତ ଦେଖି ଆପେ ମୁଗ୍‌ଧ ହେଲା । ନକ୍ଷତ୍ରମାନେ ଆକାଶ ମଧ୍ୟରେ ଲୁଚି ରହି ଚନ୍ଦ୍ରର ପରମଶୋଭା ନିରୀକ୍ଷଣ କରିବାକୁ ଲାଗିଲେ । ଚନ୍ଦ୍ରର ତେଜଃ ଏବଂ ଆୟତନ କେତେଦୂର ପରିବର୍ଦ୍ଧିତ ହେବ, ସେ ତାହା ନିଜେ ସ୍ଥିର କରି ପାରିଲା ନାହିଁ । ଗର୍ବମୋହିତ ହୋଇ ଭାବିବାକୁ ଲାଗିଲା ଅବଶେଷରେ ଆକାଶଟାଯାକ ଚନ୍ଦ୍ର ହୋଇଯିବ । ଭ୍ରାନ୍ତିର ଅଧୀନ ହୋଇ ଏମନ୍ତ ଚିନ୍ତା କରିବା ସମୟରେ ହଠାତ୍‌ ତାହାର ସୁନ୍ଦର ଆନନଶ୍ରୀ ବିବର୍ଣ୍ଣ ହୋଇଗଲା । ଚାହୁଁ ଚାହୁଁ ତାହାର ସମୁଦାୟ ଶରୀର କଳା ପଡ଼ିଗଲା । ଅବଶେଷରେ ସେ ଆକାଶର କଳଙ୍କବତ୍‌ ପ୍ରତିଭାତ ହେଲା । ଏହି ଅବକାଶରେ ନକ୍ଷତ୍ରମାନେ ମହୋଲ୍ଲାସପୂର୍ବକ ପୁନରୁଦିତ ହୋଇ ତାହାର ଦୁର୍ଦ୍ଦଶା ଅବଲୋକନ କଲେ । କିନ୍ତୁ ସେମାନଙ୍କର ଅଯଥା ଆହ୍ଲାଦ ଶୀଘ୍ର ନିରାକୃତ ହେଲା । ଚନ୍ଦ୍ରୋପରି ପତିତ ଛାୟା ଅପସାରିତ ହେଲା । ଚନ୍ଦ୍ର ପୂର୍ବବତ୍‌ ଆକାଶମଣ୍ଡଳରେ ଦେଦୀପ୍ୟମାନ ହେବାକୁ ଲାଗିଲା ।

 

ତହିଁ ଆର ରଜନୀରେ ଚନ୍ଦ୍ର କିଛି ବିଳମ୍ବ କରି ଉଦିତ ହେଲା । ପୃଥିବୀ ଉପରେ ପରିଭ୍ରମଣ କରିବାବେଳେ ସେ ଆପଣାର ତେଜୋ ହ୍ରାସ ଅନୁଭବ କଲା । ମାତ୍ର ଯେତେବେଳେ ସେ ସମୁଦ୍ର ମୁକୁରରେ ନିଜ ପ୍ରତିବିମ୍ବ ଦେଖିଲା, ତେତେବେଳେ ତାହାର ଆଉ ସନ୍ଦେହ ରହିଲା ନାହିଁ । ଏହି ସମୟରେ ପ୍ରବଳ ଝଞ୍ଜାବାୟୁ ଉପସ୍ଥିତ ହେଲା । ଫେନଚୂଡ଼ ତରଙ୍ଗମାନ ଗର୍ଜ୍ଜନ କରିବାକୁ ଲାଗିଲେ । ଚନ୍ଦ୍ରର ଆକର୍ଷଣ ପ୍ରଭାବରୁ ପ୍ରଥମ ଜୁଆର ଆରମ୍ଭ ହେଲା । ବଜ୍ରନାଦରେ ଆକାଶ ବିଦୀର୍ଣ୍ଣ ହେବାକୁ ଲାଗିଲା ଏବଂ ଅବିଶ୍ରାନ୍ତ ଧାରାରେ ବୃଷ୍ଟିପତନ ହେଲା । ଚନ୍ଦ୍ର କୃଷ୍ଣବର୍ଣ୍ଣ ମେଘାବଳୀ ମଧ୍ୟରେ ଲୁଚିଗଲା ;ନକ୍ଷତ୍ରମାନେ ମଧ୍ୟ ସେହି ଦଶା ଭାଗକଲେ । ତେଣୁ ଚନ୍ଦ୍ରର ଦୁର୍ଦ୍ଦଶାରେ ଉଲ୍ଲସିତ ହେବାରୁ ଅବସର ପାଇଲେ ନାହିଁ ।

 

ଏଣିକି ଚନ୍ଦ୍ର ଦିନକୁ ଦିନ ଅଧିକ ବିଳମ୍ବ କରି ଉଦିତ ହେଲା । ତାହାର ରୂପ ମଧ୍ୟ ମ୍ଲାନତର ହେବାକୁ ଲାଗିଲା । ଯେଉଁ କ୍ଷୁଦ୍ର ନକ୍ଷତ୍ରମାନ ପୂର୍ବେ ଅଦୃଶ୍ୟ ହୋଇଥିଲେ, ସେମାନେ ଚନ୍ଦ୍ରର ହ୍ରାସ ଦେଖି ପୁନର୍ବାର ଆବିର୍ଭୂତ ହେଲେ । କିଛିଦିନ ପୂର୍ବରେ ଚନ୍ଦ୍ର ସୈାଭାଗ୍ୟ-ମଦରେ ମତ୍ତ ହୋଇଥିଲା, ସମ୍ପ୍ରତି ବିପତ୍‌ପାତ ହେବାରୁ ପୁନର୍ବାର ବିନୟ ଅବଲମ୍ବନ କରି ମୃଦୁ ସୈାନ୍ଦର୍ଯ୍ୟଦ୍ୱାରା ନକ୍ଷତ୍ରମାନଙ୍କର ଆଦର ଲାଭ କଲା ।

 

ଅବଶେଷରେ ଏମନ୍ତ ଏକ ରଜନୀ ଆସିଲା ଯେ, ଯହିଁରେ ଚନ୍ଦ୍ରୋଦୟ ହେଲା ନାହିଁ । ଏଥିପୂର୍ବରୁ ଧୂମକେତୁ ଅନ୍ତର୍ହିତ ହୋଇଥିଲା । ନକ୍ଷତ୍ରମାନେ ସେହି ରଜନୀରେ ସ୍ତବ୍‌ଧଭାବ ଅବଲମ୍ବନ କରି ସମୁଦାୟ ମାସର ପରିବର୍ତ୍ତନ ବିଷୟ ଚିନ୍ତା କରିବାକୁ ଲାଗିଲେ । ସେହି ଚିନ୍ତାରୁ ସନ୍ତୋଷ ଓ ବିନୟ ଶିକ୍ଷାକରି ସ୍ୱ-ସ୍ୱ ଭାଗ୍ୟ ଲାଗି ଈଶ୍ୱରଙ୍କଠାରେ କୃତଜ୍ଞ ହେଲେ ।

 

ତହିଁ ଆର ସନ୍ଧ୍ୟାରେ ପ୍ରତିପଚନ୍ଦ୍ର ପୁନର୍ବାର ଦୃଷ୍ଟିଗୋଚର ହେଲା । ନକ୍ଷତ୍ରମାନେ ବିସ୍ମୟ ଏବଂ ଆହ୍ଲାଦରେ ତାହାକୁ ଅଭିନନ୍ଦନ କଲେ । ଚନ୍ଦ୍ରାସ୍ତର ପ୍ରାକ୍‌କାଳରେ ଜଣେ ଦିବ୍ୟପୁରୁଷ ଧନୁଃସ୍ୱରୂପ ଚନ୍ଦ୍ରର ଦୁଇକୋଟିରେ ଚରଣ ସ୍ଥାପନ କରି ଥରେ ସମୁଦାୟ ବ୍ରହ୍ମାଣ୍ଡକୁ ଅବଲୋକନ କଲେ । ଦେଖିଲେ ତାଙ୍କ ପଛଆଡ଼େ ସୂର୍ଯ୍ୟ, ପଦତଳେ ଚନ୍ଦ୍ର, ସମ୍ମୁଖରେ ପୃଥିବୀ ଏବଂ ମସ୍ତକୋପରି ନକ୍ଷତ୍ରରାଜି । ଏହା ଦେଖିଲାକ୍ଷଣି ଈଶ୍ୱରଙ୍କର ଅନନ୍ତମହିମା ଚିନ୍ତାରେ ତାଙ୍କ ହୃଦୟ ସ୍ତବ୍‌ଧ ହୋଇଗଲା । ପ୍ରୀତିପୂର୍ଣ୍ଣ ଦିବ୍ୟସ୍ୱରରେ ସେ ଈଶ୍ୱରଙ୍କୁ ଏହିଭାବରେ ଆରାଧନା କଲେ-

 

ହେ ଅନନ୍ତ ମହାପ୍ରଭୋ ! କେ ପାରିବ ବର୍ଣ୍ଣି

ତୋର ମହିମାର କଥା, ଅପାର ଅଗମ୍ୟ,

ତତ୍ତ୍ୱର ଅତୀତ, ବିଭୋ ! କି ବୁଝିବି ମୁହିଁ ।

ତୋହର ମହିମାଗୁଣେ ଦ୍ୟୁଲୋକ ଭୂଲୋକ,

କୋଟି ବିଶ୍ୱ, କୋଟି ସୂର୍ଯ୍ୟ, କୋଟି ଚନ୍ଦ୍ର, ତାରା,

ଅଗଣିତ ଜୀବରାଶି ସ୍ତବଧ ବିସ୍ମୟେ ।

ସେ ମହିମା, କ୍ଷୁଦ୍ର ମୁହିଁ, କେମନ୍ତେ ବୁଝିବି

ମୋହର ଏ କ୍ଷୁଦ୍ର ଆତ୍ମା ବିସ୍ମୟେ ସ୍ତବଧ,

ଭୟେ ଅବସନ୍ନ ଧ୍ୟାୟି ସେ ମହିମା-ତତ୍ତ୍ୱ,

ଆକୁଳେ ଲୋଡ଼ଇ ଆଶ୍ରା ତୋ ଅନନ୍ତ କ୍ରୋଡ଼େ ।

Image

 

ରାଣୀ ଦୁର୍ଗାବତୀ

 

ଊନବିଂଶ ଶତାବ୍ଦୀର ଭାରତୀୟ ନାରୀମାନଙ୍କର ଦୁର୍ଦ୍ଦଶା ଅବଲୋକନ କରି କିଏ ବିଶ୍ୱାସ କରିବ ଯେ, ଏହି ହତଭାଗ୍ୟ ଦେଶ ଏକ ସମୟରେ ବିଳାସିନୀ ମନସ୍ୱିନୀ ବୀରବାଳାମାନଙ୍କର ବିଳାସକ୍ଷେତ୍ର ଥିଲା ? ‘‘ଭାରତୀୟ ବୀରନାରୀ’’ ଆଜି ଏହି ପଦଗୁଡ଼ିକ ଆମ୍ଭମାନଙ୍କ ସମୀପରେ ଅସାର ପ୍ରଳାପତୁଲ୍ୟ ପ୍ରତୀୟମାନ ହେଉଅଛି ସତ୍ୟ; କିନ୍ତୁ ଏହା କାହାରି କପୋଳକଳ୍ପିତ ନୁହେଁ । ମୁସଲମାନ ଇତିହାସ ବଜ୍ରନିର୍ଘୋଷରେ ସେହି ବୀରେନ୍ଦ୍ରବରଣୀୟା ନାରୀମାନଙ୍କର କୀର୍ତ୍ତିଗାନ କରୁଅଛି । କବିମାନଙ୍କର ଅମୃତ ଏବଂ ପବିତ୍ର କଣ୍ଠ ସେମାନଙ୍କର ମନୋହର ଚରିତକୁ ଅମର ସଙ୍ଗୀତରେ ନିବଦ୍ଧ କରିଅଛି । ରାଣୀ ଦୁର୍ଗାବତୀ ସେହି ପୁଣ୍ୟକୀର୍ତ୍ତି ବୀରାଙ୍ଗନାମାନଙ୍କ ମଧ୍ୟରେ ଅଗ୍ରଗଣନୀୟା ।

 

ମଧ୍ୟଭାରତବର୍ଷରେ ଗଡ଼ମଣ୍ଡଳ ନାମକ ନର୍ମ୍ମଦାତଟବର୍ତ୍ତୀ ଗୋଟିଏ ସୁବିସ୍ତୀର୍ଣ୍ଣ ଜନପଦ ଅଛି । ତାହାର ଉତ୍ତରରେ ବୁନ୍ଦେଲଖଣ୍ଡ, ପୂର୍ବରେ ରତନପୁର,ପଶ୍ଚିମରେ ମାଳବ ଏବଂ ଦକ୍ଷିଣରେ ଦାକ୍ଷିଣାତ୍ୟ । ଏହି ପ୍ରଦେଶର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ବିଚିତ୍ର ଏବଂ କମନୀୟ । ଶ୍ୟାମଚ୍ଛବି ଅନନ୍ତକାନନଶ୍ରେଣୀ,ନିର୍ଝରଝଙ୍କାରପୂର୍ଣ୍ଣ ତୁଙ୍ଗ ଗିରିମାଳା ଏବଂ ସୁଦୂରବାହୀ ନଦୀବୃନ୍ଦ ଏହାର ସର୍ବଦିଗରେ ବିରାଜମାନ । ଷୋଡ଼ଷ ଶତାବ୍ଦୀରେ ଏହି ପ୍ରଦେଶ ଅତ୍ୟନ୍ତ ସମୃଦ୍ଧିମନ୍ତ ଥିଲା । ଅନେକ ସୁଦୃଢ ଦୁର୍ଗ ଏବଂ ଐଶ୍ୱର୍ଯ୍ୟଶାଳୀ ନଗର ଏହି ଦେଶମଧ୍ୟରେ ବିଦ୍ୟମାନ ଥିଲା । ଚୈାରଗଡ଼ ନାମକ ନଗର ଏହାର ରାଜଧାନୀ ଥିଲା । ଯେତେବଳେ ସୁବିଖ୍ୟାତ ମୋଗଲସମ୍ରାଟ ଆକବର ମାଳବ ଦେଶର ଶାସନ ନିମିତ୍ତ ଆସଫ୍‌ ଖାଁ ନାମକ ସେନାପତିକୁ ପ୍ରେରଣ କରିଥିଲେ,ସେତେବଳେ ରାଣୀ ଦୁର୍ଗାବତୀ ଗଡ଼ରାଜ୍ୟର ଅଧୀଶ୍ୱରୀ ଥିଲେ ।

 

ଦୁର୍ଗାବତୀ ମହୋବା ନାମକ ପ୍ରଦେଶର ଅଧିପତି ଚନ୍ଦେଲବଂଶୀୟ ରାଜା ଶାଳିବାହନଙ୍କର ଦୁହିତା ଥିଲେ । ଗଡ଼ରାଜ୍ୟର ରାଜା ଦଲ୍‌ପତ୍‌ ସିଂହଙ୍କ ସଙ୍ଗରେ ତାଙ୍କର ପରିଣୟ ସଂପାଦିତ ହୋଇଥିଲା । ରାଜା ଦଲ୍‌ପତ୍‌ ଏକମାତ୍ର ପୁତ୍ର ବୀରନାରାୟଣର ଜନ୍ମ ଉତ୍ତାରେ ମାନବଲୀଳା ସମ୍ବରଣ କରିଥିଲେ । ସୁତରାଂ ଦୁର୍ଗାବତୀଙ୍କୁ ରାଜ୍ୟସଭାର ସ୍ୱହସ୍ତରେ ଗ୍ରହଣ କରିବାକୁ ପଡ଼ିଥିଲା । ସେ ରାଜକାର୍ଯ୍ୟ ପରିଚାଳନାରେ ଅସାଧାରଣ ସାହସ, ସାମର୍ଥ୍ୟ ଏବଂ ପ୍ରତିଭା ପ୍ରଦର୍ଶନ କରିଥିଲେ । ଶର ଏବଂ ବନ୍ଧୁକଦ୍ୱାରା ଲକ୍ଷ୍ୟଭେଦ କରିବାରେ ତାଙ୍କର ବିଶେଷ ପାରଦର୍ଶିତା ଥିଲା । ବାଜ୍‌ବାହାଦୂର ନାମକ ମୁସଲମାନ୍‌ ସେନାପତି ସଙ୍ଗରେ ତାଙ୍କର ଯେତେଥର ସଂଗ୍ରାମ ହୋଇଥିଲା,ସେସବୁଥିରେ ଦୁର୍ଗାବତୀ ଜୟଲାଭ କରିଥିଲେ । ତାଙ୍କର ରଣନୈପୁଣ୍ୟ ଏବଂ ଧୀର ସାହାସ ଅବଲୋକନ କରି ତଦାନୀନ୍ତନ ନରପତିମାନେ ଚକିତ ହୋଇଥିଲେ ।

 

ପୂର୍ବୋକ୍ତ ଆସଫ୍‌ ଖାଁ ଅତ୍ୟନ୍ତ କୁଟିଳବୁଦ୍ଧି ଏବଂ ଧନଲୋଲୁପୀ ଥିଲା । ଦୁର୍ଗାବତୀଙ୍କର ଅପ୍ରତିହତ ପ୍ରଭାବ ଏବଂ ସାମର୍ଥ୍ୟ ଦର୍ଶନ କରି ଏବଂ ତାଙ୍କର ଦିଗନ୍ତ-ବିସ୍ତାରିତ ଯଶୋବୃତ୍ତାନ୍ତ ଶ୍ରବଣ କରି ସେ ପ୍ରଥମେ ତାଙ୍କ ସଙ୍ଗରେ ସଖ୍ୟଭାବ ସଂସ୍ଥାପନ କରିଥିଲା; କିନ୍ତୁ ତାହା ଉପରେ ରାଣୀଙ୍କର ବିଶ୍ୱାସ ଜନ୍ମିଲା ଉତ୍ତାରେ ସେ ସମୃଦ୍ଧିମନ୍ତ ଗଡ଼ରାଜ୍ୟକୁ କରକବଳିତ କରିବା ନିମିତ୍ତ ସଚେଷ୍ଟ ହେଲା । ଏହି ଅଭିପ୍ରାୟରେ ସେ ଗଡ଼ରାଜ୍ୟର ସୀମାନ୍ତବର୍ତ୍ତୀ ଗ୍ରାମ ଓ ନଗରମାନ ଲୁଣ୍ଠନ କରିବାକୁ ଲାଗିଲା । ଅବଶେଷରେ ଖ୍ରୀଷ୍ଟାବ୍ଦ ୧୫୬୪ ସାଲରେ ଆସଫ୍‌ ଖାଁ ଛଅ ସହସ୍ର ଅଶ୍ୱାରହୀ ଓ ଦଶ ସହସ୍ର ପଦାତିକ ସେନା ଘେନି ଗଡ଼ମଣ୍ଡଳ ଆତଙ୍କରେ ଅସ୍ଥିର ହେବାକୁ ଲାଗିଲା-; କିନ୍ତୁ ଦୁର୍ଗାବତୀ ଧୀର ଏବଂ ଅପରାଜିତ ହୃଦୟରେ ଏହି ଦୁଃସନ୍ଦେଶ ଶ୍ରବଣ କଲେ । ଆସଫ୍‌ ଖାଁର ଏତାଦୃଶ ଖଳପ୍ରକୃତି ବିଷୟରେ ଅନଭିଜ୍ଞ ଥିବାରୁ ସେ କିଛିମାତ୍ର ସମରସଜ୍ଜା କରିନଥିଲେ । ତାଙ୍କର ସୈନ୍ୟମାନେ ଇତସ୍ତତଃ ବିକୀର୍ଣ୍ଣ ଥିଲେ । ଯାହାହେଉ, ଦୁର୍ଗାବତୀ କ୍ଷଣମାତ୍ର ବିଳମ୍ବ ନକରି ପଞ୍ଚସହସ୍ର ପରିମିତ ସୈନ୍ୟସଂଗ୍ରହ କଲେ ଏବଂ ନିଜ ଭୈରବ ରଣବେଶ ଧାରଣ କରି ମାତଙ୍ଗୋପରି ଆରୂଢ ହୋଇ ଯୁଦ୍ଧାର୍ଥ ଅଗ୍ରସର ହେଲେ । ଘୋର ଯୁଦ୍ଧ ଆରବ୍‌ଧ ହେଲା । ରାଣୀଙ୍କର ଉତ୍ତେଜନାରେ ତାଙ୍କର ଅଳ୍ପସଂଖ୍ୟକ ସୈନ୍ୟ ସମୁତ୍ସାହିତ ହୋଇ ଶତ ଶତ ବିପକ୍ଷ ସୈନ୍ୟଙ୍କୁ ବିନାଶ କଲେ । ମୋଗଲସେନା ମଧ୍ୟରେ ଅତିଶୟ ବିଶୃଙ୍ଖଳା ଉପସ୍ଥିତ ହେଲା । ସେମାନେ ତ୍ରାହିରବରେ ପଳାୟନ କରିବାକୁ ଲାଗିଲେ । ଗଡ଼ରାଜ୍ୟର ସୈନ୍ୟମାନେ ଭୟଙ୍କର ବେଗରେ ବପକ୍ଷ ସୈନ୍ୟ ପଛରେ ପ୍ରଧାବିତ ହେଲେ । ଯଦି ସେମାନେ ଶର୍ବରୀର ଆଗମନ ଦେଖି ବିଶ୍ରାମପ୍ରାର୍ଥୀ ହୋଇ ଅନୁଧାବନ କାର୍ଯ୍ୟରୁ ବିରତ ହୋଇ ନଥାନ୍ତେ, ତାହାହେଲେ ମାଗଲସେନା ଆଉ କେଭେଁ ଯୁଦ୍ଧରେ ସମ୍ମୁଖୀନ ହୋଇ ପାରି ନଥାନ୍ତା । ଦୁର୍ଗାବତୀ ମନରେ ପାଞ୍ଚିଲେ ଯେ, ସେ କିଛିକ୍ଷଣ ବିଶ୍ରାମ କଲାଉତ୍ତାରୁ ନିଶାକାଳରେ ମୋଗଲ ଶିବିରକୁ ଆକ୍ରମଣ କରି ବିପକ୍ଷମାନଙ୍କୁ ସର୍ବତୋଭାବରେ ବରାଭୂତ କରିବେ; କିନ୍ତୁ ତାଙ୍କର ସୈନ୍ୟବର୍ଗରୁ କେହି ଏ ପ୍ରସ୍ତାବରେ ସମ୍ମତ ହେଲେ ନାହିଁ । ତହୁଁ ଦୁର୍ଗାବତୀ ଅଗତ୍ୟା ଅନୁଧାବନରୁ ନିବୃତ୍ତ ହୋଇ ସ୍ୱୀୟ ଶିବିରକୁ ବାହୁଡ଼ି ଆସିଲେ ।

 

ଆସଫ୍‌ ଖାଁ ରାଣୀଙ୍କର ପ୍ରତ୍ୟାଗମନ ବାର୍ତ୍ତା ଶ୍ରବଣକରି ହର୍ଷାତ୍‌ଫୁଲ୍ଲଚିତ୍ତରେ ପୁନର୍ବାର ଯୁଦ୍ଧର ଆୟୋଜନ କରିବାକୁ ଲାଗିଲା ଏବଂ ପ୍ରଭାତ ନୋହୁଣୁଁ ଗୋଟିଏ ଗିରିଶୃଙ୍ଗ ଅଧିକାର କରି ତହିଁରେ କମାଣ ବସାଇ ସ୍ୱକୀୟ ସେନା ସହିତ ଯୁଦ୍ଧର ପ୍ରତୀକ୍ଷା କରିବାକୁ ଲାଗିଲା । ଏଣେ ଦୁର୍ଗାବତୀ ହସ୍ତୀପୃଷ୍ଠରେ ଆରୁଢା ହୋଇ ନିଜ ସୈନ୍ୟବର୍ଗ ସହିତ ସମରକ୍ଷେତ୍ରରେ ଅବତୀର୍ଣ୍ଣା ହେଲେ । କରାଳ ସଂଗ୍ରାମ ଉପସ୍ଥିତ ହେଲା । ଏହା କ୍ରମାଗତ ନଅଘଣ୍ଟା କାଳ ବ୍ୟାପିଥିଲା । ରାଣୀଙ୍କର ଏକମାତ୍ର ପୁତ୍ର ବୀରନାରାୟଣ ରଣସ୍ଥଳରେ ଉପସ୍ଥିତ ହୋଇ ସ୍ୱୟଂ ସେନାପତି କାର୍ଯ୍ୟ କରିବାକୁ ଲାଗିଲେ । ଏହି ତରୁଣ କ୍ଷତ୍ରିୟକୁମାର ଯେଉଁ ବିକ୍ରମ, ସାହସ ଓ ରଣକୈାଶଳ ସହକାରେ ଯୁଦ୍ଧ କରିଥିଲେ, ତାହା ଦର୍ଶନ କରି ଉଭୟ ପକ୍ଷ ବିସ୍ମିତ ହୋଇଗଲେ । ସେ ମୋଗଲସେନାକୁ ତିନିଥର ଆକ୍ରମଣ କରି ସେମାନଙ୍କୁ ପ୍ରତି ଥର ପଛକୁ ହଟାଇଦେଲେ; ପରିଶେଷରେ ଅତ୍ୟନ୍ତ ଗୁରୁ ଆଘାତପ୍ରାପ୍ତ ହୋଇ ଭୂତଳରେ ପତିତ ହେଲେ । ରାଣୀଙ୍କର ସୈନ୍ୟବର୍ଗ କୁମାରଙ୍କ ଦୁର୍ଦ୍ଦଶା ଅବଲୋକନ କରି ହତାଶ ନିରୁତ୍ସାହ ହେବାକୁ ଲାଗିଲେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ରଣକ୍ଷେତ୍ର ଛାଡ଼ି ପଳାୟନ କଲେ । ଏହି ସମୟରେ ଦୁର୍ଗାବତୀ କିପରି ଭୟଙ୍କର ଅବସ୍ଥାରେ ଅବସ୍ଥିତ ଥିଲେ, ତାହା ସହଜରେ ଅନୁମିତ ହୋଇପାରେ । ତାହାଙ୍କର ଚତୁର୍ଦ୍ଦିଗ ଭୟସଂକଟସଂକୁଳ ଥିଲା । ଭୀଷଣ ମୋଗଲସେନା ସମୁଦ୍ର ଲହରୀପ୍ରାୟ ମାଡ଼ିଆସୁଥିଲା-; କିନ୍ତୁ ସେ ଏଥିରେ ସୁଦ୍ଧା ତ୍ରସ୍ତା ହୋଇ ନଥିଲେ । ଶୋକସନ୍ତପ୍ତ ହୋଇ ସେ କ୍ଷଣକାଳଯାଏ କର୍ତ୍ତବ୍ୟଧାରଣ କରି ପାରି ନଥିଲେ; କିନ୍ତୁ ମୁହୂର୍ତ୍ତ ମଧ୍ୟରେ ତାଙ୍କର ଅଧୈର୍ଯ୍ୟ ତିରୋହିତ ହେଲା । କୁମାରଙ୍କୁ ଶିବିରକୁ ଘେନିଯିବା ନିମନ୍ତେ ବିଶ୍ୱସ୍ତ ଭୃତ୍ୟମାନଙ୍କ ଆଦେଶ ଦେଇ ନିଜର ନିଷ୍କଳଙ୍କ ମାନରକ୍ଷା ନିମିତ୍ତ ଭୀଷଣ ସଂଗ୍ରାମରେ ପ୍ରବୃତ୍ତା ହେଲେ । ସେତେବେଳେ ତାହାଙ୍କ ସଙ୍ଗରେ ତିନିଶହ ପଦାତି ମାତ୍ର ଉପସ୍ଥିତ ଥିଲେ । ରାଣୀ ଏହି ଅଳ୍ପସଂଖ୍ୟକ ସୈନ୍ୟ ଘେନି ଯୁଦ୍ଧାର୍ଥ ଅଗ୍ରସର ହେଲେ । ତାଙ୍କର ଅଳ୍ପସଂଖ୍ୟକ ସୈନ୍ୟ ଘେନି ଯୁଦ୍ଧାର୍ଥ ଅଗ୍ରସର ହେଲେ । ତାଙ୍କର ଅପ୍ରତିହତ ଏବଂ ତେଜ ପ୍ରଭାବ ଅବଲୋକନ କରି ତାଙ୍କର ସୈନିକମାନେ ଅଦ୍ଭୂତପୂର୍ବ ଉତ୍ସାହ ଏବଂ ସାହାସ ସହକାରେ ସଂଗ୍ରାମରେ ପ୍ରବୃତ୍ତ ହେଲେ ।

 

ସହସା ବିପକ୍ଷପକ୍ଷରୁ ଗୋଟିଏ ତୀକ୍ଷ୍‌ଣ ଶର ଆସି ଦୁର୍ଗାବତୀଙ୍କ ବିଶାଳ ନୟନରେ ବିଦ୍ଧ ହେଲା । ରାଣୀ ତାହାକୁ ବାହାର କରିବାର ଚେଷ୍ଟା କଲେ ;କିନ୍ତୁ ତାହା ଭାଙ୍ଗିଯାଇ ଚକ୍ଷୁରେ ରହିଗଲା । ଚାହୁଁ ଚାହୁଁ ଆଉ ଗୋଟିଏ ତୀର ରାଣୀଙ୍କର ଗ୍ରୀବାଦେଶ ଭେଦ କଲା । ଏହାକୁ ମଧ୍ୟ ସେ ସାହାସପୂର୍ବକ ବାହାର କରିପକାଇଲେ । ସେ ଏହିପ୍ରକାରେ ପୁନଃ ପୁନଃ ବାଣବିନ୍ଧା ହୋଇ ଅଚେତନ ହୋଇ ପଡ଼ିଲେ । ଅଧରସିଂହ ନାମକ ତାହାଙ୍କର ଜଣେ ବିଶ୍ୱସ୍ତ ଭୃତ୍ୟ ଥିଲା । ସଂଜ୍ଞା ଲାଭକରି ରାଣୀ ତାହାକୁ କହିଲେ,‘‘ଦେଖ ଅଧର, ମୁଁ ସର୍ବଦା ତୁମ୍ଭଙ୍କୁ ଶ୍ରଦ୍ଧା ଏବଂ ବିଶ୍ୱାସ କରିଅଛି; ମୋହର ଏହି ଆଶା ଯେ, ତୁମ୍ଭେ ମୋତେ ଏପରି ଦୁର୍ଦ୍ଦିବସରେ ଶତ୍ରୁର ଅପବିତ୍ର ହସ୍ତରେ ପତିତ ହେବାକୁ ଦେବ ନାହିଁ ।’’ ଏହା କହି ଉକ୍ତ କର୍ମଚାରୀର ଶାଣିତ କୃପାଣପ୍ରତି ସତୃଷ୍ଣ ନୟନରେ ଅନାଇଁ ରହିଲେ । ରାଣୀଙ୍କର ପ୍ରାଣବିନାଶ କରିବା ନିମିତ୍ତ ଅଧରସିଂହର ହସ୍ତ ଚଳିଲା ନାହିଁ । ସେ ଆକୁଳ ହୋଇ କ୍ରନ୍ଦନ କରିବାକୁ ଲାଗିଲା ଏବଂ ରଣଭୂମିରୁ ପଳାଇବା ପାଇଁ ବାରମ୍ବାର ପ୍ରାର୍ଥନା କଲା । ଦୁର୍ଗାବତୀ ଘୃଣିତ ଶତ୍ରୁ ସମକ୍ଷରେ ପୃଷ୍ଟଭଙ୍ଗ ଦେବାକୁ ସମ୍ମତା ହେଲେ ନାହିଁ । ସେ କହିଲେ, ‘‘ମୁଁ କି ଛାର ଏହି ଜୀବନଲାଗି ପବିତ୍ର କ୍ଷତ୍ରିୟଧର୍ମକୁ କଳଙ୍କିତ କରିବି ।’’ ଏହା କହି ଦୁର୍ଗାବତୀ ସ୍ୱୀୟ ହସ୍ତରେ ନିଜ ହୃଦୟରେ ତୀକ୍ଷ୍‌ଣ ଛୁରିଘାତ କରି ମାନବଲୀଳା ସମ୍ବରଣ କଲେ । ତାହାଙ୍କର ମୃତ୍ୟୁସମୟରେ ସେହି ରକ୍ତପ୍ଲାବିତ ସମରକ୍ଷେତ୍ରରେ ତାହାଙ୍କର ଛଅଜଣ ମାତ୍ର ସୈନିକ ଦଣ୍ଡାୟମାନ ଥିଲେ । ସେମାନେ ଜଣେ ନାରୀର ଏପରି ବୀରଧର୍ମାନୁରାଗ ସନ୍ଦର୍ଶନ କରି ସମସ୍ତ ଭୟ ମନରୁ ବିଦୂରିତ କଲେ ଏବଂ ଅଚିନ୍ତିତପୂର୍ବ ସାହସରେ ଉନ୍ମତ୍ତ ହେଲେ । ଅବଶେଷରେ ସେମାନେ ବହୁସଂଖ୍ୟକ ଯବନ ସୈନିକଙ୍କର ପ୍ରାଣ ସଂହାର କରି ସ୍ୱେଦଶର ନାମରେ ସଂଗ୍ରାମଭୂମିରେ ନିଜ ନିଜ ଜୀବନ ବିସର୍ଜ୍ଜନ କଲେ ।

Image

 

ସାର୍‌ ଆଇଜାକ୍‌ ନିଉଟନ୍‌

 

ଯେଉଁ ବର୍ଷ ଇଟାଲୀର ସୁବିଖ୍ୟାତ ଜ୍ୟୋତିର୍ବେତ୍ତା ଗାଲିଲିଓ ମାନବଲୀଳା ସମ୍ବରଣ କଲେ, ସେହି ବର୍ଷ ଆଇଜାକ୍‌ ନିଉଟନ୍‌ ପୃଥିବୀରେ ଆବିର୍ଭୂତ ହେଲେ । ନିଉଟନ୍‌ ଖ୍ରୀଷ୍ଟାବ୍ଦ ୧୬୪୨ ସାଲର ଡ଼ିସେମ୍ବର ମାସରେ ଇଂଲଣ୍ଡର ଅନତଃପାତୀ ଉଲସ୍‌ପର୍ଥ ନାମକ ଗ୍ରାମରେ ଜନ୍ମପରିଗ୍ରହ କରିଥିଲେ । ଏହି ମହାତ୍ମାଙ୍କ ବିଷୟରେ ଜଣେ ପ୍ରଧାନ ଇଂଲଣ୍ଡୀୟ କବି ନିମ୍ନଲିଖିତ ରୂପେ ଲେଖିଛନ୍ତି: ‘‘ପ୍ରକୃତି ଏବଂ ତାହାର ନିୟମଚୟ ଘୋର ଅନ୍ଧକାରରେ ଆବୃତ ଥିଲା । ‘ନିଉଟନ ଆବିର୍ଭୂତ ହେଉନ୍ତୁ’ ଏହି ବାଣୀ ଈଶ୍ୱର ଉଚ୍ଚାରଣ କଲେ; ତଦନ୍ତର ସମସ୍ତ ବିଶ୍ୱତତ୍ତ୍ୱ ଉଜ୍ଜ୍ୱଳରୂପେ ପ୍ରତିଭାତ ହେଲା ।’’ ବାସ୍ତବରେ ମହାନୁଭବ ନିଉଟନ୍‌ ଯେଉଁ ମହାତତ୍ତ୍ୱମାନଙ୍କ ଆବିଷ୍କ୍ରିୟା ଓ ପ୍ରମାଣ କରିଅଛନ୍ତି, ତାହାଦ୍ୱାରା ଜଗତର ଅଶେଷ ଉପକାର ସଂସାଧିତ ହୋଇଅଛି ଏବଂ ବିଜ୍ଞାନର ପ୍ରଭୂତ ଉନ୍ନତି ସଂପାଦିତ ହେଉଅଛି ।

 

ଉକ୍ତ ଉଲସ୍‌ଥର୍ପ ଗ୍ରାମରେ ନିଉଟନ୍‌ଙ୍କର ପିତା ତାଙ୍କର ସ୍ୱଳ୍ପ ପୈତୃକ ଭୂମିର କର୍ଷଣଦ୍ୱାରା ବୃତ୍ତିସମ୍ପାଦନ କରୁଥିଲେ । କିଶୋରାବସ୍ଥାରେ ପିତୃହୀନ ହେବାରୁ ନିଉଟନ୍‌ଙ୍କୁ ସ୍ୱୀୟ ଜନନୀ ସମୀପରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବାକୁ ହୋଇଥିଲା । ଦ୍ୱାଦଶ ବର୍ଷ ବୟଃକ୍ରମକାଳରେ ନିଉଟନ୍‌ ଗ୍ରାନ୍ଥାମ ନଗର ପାଠଶାଳାକୁ ପ୍ରେରିତ ହେଲେ । ସେଠାରେ ଯନ୍ତ୍ରାଦି ନିର୍ମାଣ ବିଷୟରେ ବିଚିତ୍ର ଶିଳ୍ପକୈାଶଳ ପ୍ରକାଶ କରି ଅସାଧରଣ ଧୀମତ୍ତାର ପରିଚୟ ପ୍ରଦାନ କରିଥିଲେ । ଯେତେବେଳେ ପାଠଶାଳାର ଛାତ୍ରମାନ ଅବସର ପାଇ ନାନା କ୍ରୀଡ଼ା କରୁଥାନ୍ତି, ନିଉଟନ୍‌ ସେହି ସମୟରେ ବିବିଧ ଯନ୍ତ୍ରର ପ୍ରତିରୂପନିର୍ମାଣରେ ଅଭିନିବିଷ୍ଟ ଥାନ୍ତି । ସେ ଏହି ସମୟରେ ଗୋଟିଏ ଜଳ-ଘଟିକା ନିର୍ମାଣ କରିଥିଲେ । ସେହି ଘଟିକାର ଶଙ୍କୁଦଣ୍ଡ ଗୋଟିଏ ବାକ୍‌ସ ମଧ୍ୟରୁ ନିପତିତ ଜଳବିନ୍ଦୁର ଆଘାତଦ୍ୱାରା ପରିଚାଳିତ ହେଉଥିଲା ଏବଂ ସେଥିରେ ସମୟଜ୍ଞାପନାର୍ଥ ଗୋଟିଏ ଅଙ୍କିତ ପଟ ସନ୍ନିବିଷ୍ଟ ଥିଲା ।

 

ପ୍ରୋକ୍ତ ପାଠଶାଳାରୁ ବହିର୍ଗତ ହେଲା ଉତ୍ତାରେ ନିଉଟନ୍‌ଙ୍କୁ କୃଷକବ୍ୟବସାୟ ଅବଲମ୍ବନ କରିବାକୁ ହେବ ବୋଲି ତାଙ୍କର ଅଭିଭାବକମାନେ ସ୍ଥିର କରିଥିଲେ; ମାତ୍ର ଏପରି ଶାରିରୀକ ଶ୍ରମସାଧ୍ୟ କାର୍ଯ୍ୟ ନିମିତ୍ତ ସେ ଯେ ସର୍ବଥା ଅନୁପଯୁକ୍ତ ଥିଲେ ଏହା ଶୀଘ୍ର ପ୍ରତିପନ୍ନ ହୋଇଥିଲା । ଯେଉଁ ସମୟରେ କୃଷିସମ୍ବନ୍ଧୀୟ କାର୍ଯ୍ୟ ପର୍ଯ୍ୟବେକ୍ଷଣ କରିବା ତାହାଙ୍କର ଉଚିତ ଥିଲା, ସେତେବେଳେ ନିଉଟନ୍‌ ନିଶ୍ଚିନ୍ତ ମନରେ ତରୁତଳେ ଉପବିଷ୍ଟ ହୋଇ ଗାଢ ଅଧ୍ୟୟନରେ ନିଯୁକ୍ତ ଥା’ନ୍ତି ଏବଂ କୃଷିଲବ୍‌ଧ ଦ୍ରବ୍ୟମାନ ବିକ୍ରୟ କରିବାକୁ ପ୍ରେରିତ ହେଲେ, ସେ ଉକ୍ତ କାର୍ଯ୍ୟର ଭାର ଜଣେ ଭୃତ୍ୟଠାରେ ଅର୍ପଣ କରି, ନିଜେ ତୃଣରାଶିଉପରେ ଆସୀନ ହୋଇ ଗଣିତବିଷୟକ ସମସ୍ୟାସାଧନରେ ଅଭିନିବିଷ୍ଟ ଥାନ୍ତି । ତାହାଙ୍କର ଜନନୀ ପୁତ୍ରର ଏପରି ଅଲୈାକିକ ବିଦ୍ୟାନୁରାଗ ସନ୍ଦର୍ଶନ କରି ତାହାଙ୍କୁ ୧୬୬୦ ଖ୍ରୀଷ୍ଟାବ୍ଦର ଜୁନ୍‌ ମାସରେ କେମ୍ବ୍ରିଜ ନଗରସ୍ଥ ବିଶ୍ୱବିଦ୍ୟାଳୟକୁ ପ୍ରେରଣ କଲେ ।

 

ନିଉଟନ୍‌ ସ୍ୱୀୟ ଅଧ୍ୟବସାୟ, ପ୍ରତିଭା, ସୁଶୀଳତା ଏବଂ ନିରହଙ୍କାର ସ୍ୱଭାବଦ୍ୱାରା ଅଧ୍ୟାପକ ଏବଂ ସହାଧ୍ୟାୟୀମାନଙ୍କର ଶ୍ରଦ୍ଧାଭାଜନ ହୋଇଥିଲେ । ବିଶେଷତଃ ସୁବିଖ୍ୟାତ ଧର୍ମୋପଦେଷ୍ଟା ଏବଂ ଗଣିତଜ୍ଞ ଆଇଜାକ୍‌ ବାରୋଙ୍କ ସହିତ ତାଙ୍କର ଅତ୍ୟନ୍ତ ପ୍ରଣୟ ହୋଇଥିଲେ-। କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପ୍ରବିଷ୍ଟ ହୋଇ ସେ ପ୍ରଥମେ ସଣ୍ଡର୍ସନରଚିତ ନ୍ୟାୟଶାସ୍ତ୍ର ଏବଂ କେପ୍ଲର୍‌ପ୍ରଣୀତ ଦୃଷ୍ଟିବିଜ୍ଞାନ ଏବଂ ଡ଼େକାର୍ଟରଚିତ ରେଖାଗଣିତ ଅଧ୍ୟୟନ କରିଥିଲେ । ସେ ଇଉକ୍ଲିଡ଼ଙ୍କର ଜ୍ୟାମିତିଗ୍ରନ୍ଥ ଏହି ସମୟରେ ଉତ୍ତମରୂପେ ପାଠ କରିପାରି ନ ଥିଲେ ବୋଲି ଉତ୍ତରକାଳରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ ।

 

କେମ୍ବ୍ରିଜ ଅଧ୍ୟୟନ କରିବା ସମୟରେ ନିଉଟନ୍ ପଦାର୍ଥବିଜ୍ଞାନ ଅନ୍ତର୍ଗତ ଆଲୋକପ୍ରକରଣକୁ ପ୍ରଗାଢ ଅଭିନିବେଶସହକାରେ ପର୍ଯ୍ୟାଲୋଚନା କରିଥିଲେ । ଫ୍ରାନସ୍‌ର ସୁବିଖ୍ୟାତ ଗଣିରଜ୍ଞ ଏବଂ ଦାର୍ଶନିକ ଡ଼େକାର୍ଟ ଏଥିପୂର୍ବେ ଏହି ସିଦ୍ଧାନ୍ତ କରିଥିଲେ ଯେ,ଅନ୍ତରୀକ୍ଷବ୍ୟାପୀ ସ୍ଥିତିସ୍ଥାପକ ସୂକ୍ଷ୍ମପଦାର୍ଥ ବିଶେଷର ସଞ୍ଚାଳନ ଦ୍ୱାରା ଆଲୋକର ଉତ୍ପତ୍ତି ହୁଏ-। ନିଉଟନ୍‌ ଏହି ମତ ଖଣ୍ଡନ କଲେ । ଗୋଟିଏ ତମସାବୃତ ପ୍ରକୋଷ୍ଠରେ ପ୍ରବେଶ କରି ଖଣ୍ଡେ ବହୁକୋଣବିଶିଷ୍ଟ କାଚ ଉପରେ କବାଟର କ୍ଷୁଦ୍ର ଛିଦ୍ରଦ୍ୱାରା ସୈାରକିରଣ ନିପତିତ କଲେ ଏବଂ ଏହି ପରୀକ୍ଷାଦ୍ୱାରା ଦେଖିଲେ,ଆଲୋକ କାଚର ଭିତରଦେଇ ଗମନ କରି ଏପ୍ରକାର ବକ୍ର ଓ ଭଙ୍ଗୁର ହୋଇଅଛି ଯେ, ଉକ୍ତ ପ୍ରକୋଷ୍ଠର ଭିତ୍ତି ଉପରେ ସପ୍ତବିଧ ବିଭିନ୍ନ ବର୍ଣ୍ଣ ପ୍ରତିଫଳିତ ହୋଇଅଛି । ଅବଶେଷରେ ସେ ବିବିଧ ପରୀକ୍ଷା ଦ୍ୱାରା ଆଲୋକର ପ୍ରକୃତ ତତ୍ତ୍ୱ ଅବଧାରଣ କଲେ ।

 

ତାହା ଏହି ଯେ, ଆଲୋକ ଅଣୁରୂପେ ବିଭାଜ୍ୟ କିରଣମାନଙ୍କ ସମଷ୍ଟି ଅଟେ ଏବଂ ଶୁକ୍ଲ ଆଲୋକରେ ପ୍ରତ୍ୟେକ କିରଣକୁ ବିଶ୍ଲେଷଣ କଲେ ଦେଖାଯିବ ଯେ, ଏହା ରକ୍ତ, ପୀତ, ନୀଳ ଏହି ଦିନୋଟି ବିଭିନ୍ନ ବର୍ଣ୍ଣଭଙ୍ଗୁର ମୈାଳିକ କିରଣର ସମବାୟ ଅଟେ । ଏହି ସୁପ୍ରସିଦ୍ଧ ଆବିଷ୍କ୍ରିୟାକୁ ଦୃଷ୍ଟିବିଜ୍ଞାନଶାସ୍ତ୍ରର ମୂଳଭିତ୍ତି ବୋଲିବାକୁ ହେବ ।

 

୧୬୬୫ ଖ୍ରୀଷ୍ଟାବ୍ଦରେ କେମ୍ବ୍ରିଜ୍‌ ନଗରରେ ଘୋର ମାରୀଭୟ ଉପସ୍ଥିତ ହେବାରୁ ବିଶ୍ୱବିଦ୍ୟାଳୟର ଅଧ୍ୟାୟିବର୍ଗ ଅନ୍ୟାନ୍ୟ ସ୍ଥାନକୁ ପ୍ରସ୍ଥାନ କଲେ । ନିଉଟନ୍‌ ଏହି ସମୟରେ ପ୍ରାଣରକ୍ଷାର୍ଥ ସ୍ୱୀୟ ଗ୍ରାମକୁ ଗମନ କରିଥିଲେ । ସେଠାରେ ସାଧାରଣ ପୁସ୍ତକାଳୟର ଅଭାବ ଏବଂ ଶାସ୍ତ୍ରଜ୍ଞ ପଣ୍ଡିତମାନଙ୍କର ବିରଳତାଯୋଗୁଁ ତାଙ୍କୁ ପ୍ରଗାଢ ଅଧ୍ୟୟନ ଏବଂ ଶାସ୍ତ୍ରାଳାପରୂପ ସୁଖରୁ ବଞ୍ଚିତ ହେବାକୁ ହୋଇଥିଲା; ତଥାପି ସେ ଏହି ସମୟରେ ମାଧ୍ୟାକର୍ଷଣ ରୂପ ସୁମହତ୍‌ ତତ୍ତ୍ୱ ପ୍ରକାଶ କରି ବୈାଜ୍ଞାନିକ ଜଗତରେ ମହାବିପ୍ଲବ ସଂଘଟିତ କଲେ । ଦିନେ ସେ ନିଜ ଉଦ୍ୟାନମଧ୍ୟରେ ବସିଅଛନ୍ତି,ଏମନ୍ତ ସମୟରେ ଏକ ଆତବୃକ୍ଷରୁ ଗୋଟିଏ ଫଳ ଭୂମିରେ ପତିତ ହେଲା । ସେ ତାହା ଦେଖି ପଦାର୍ଥମାନଙ୍କର ପତନବିଷୟକ ସାଧାରଣ ନିୟମ ଆଲୋଚନା କରିବାକୁ ଲାଗିଲେ । ଅନନ୍ତର ଏହି ବିଷୟକୁ ପୁନର୍ବାର ଆଲୋଚନା କରି ଅବଧାରଣ କଲେ ଯେ, ଯେଉଁ କାରଣରୁ ଆତଫଳ ଭୂତଳରେ ପଡ଼ୁଅଛି, ସେହି କାରଣରୁ ଗ୍ରହମାନେ ସ୍ୱ-ସ୍ୱ କକ୍ଷରେ ଅବସ୍ଥାପିତ ଅଛନ୍ତି ଏବଂ ସେହି କାରଣ ଜ୍ୟୋତିଷ୍କମାନଙ୍କର ଗତିର ନିୟାମକ ଅଟେ । ଏହି ପ୍ରକାରେ ପଦାର୍ଥମାନଙ୍କର ଆକର୍ଷଣ ତତ୍ତ୍ୱ ଏବଂ ଗୁରୁତ୍ୱର ନିୟମ ଆବିଷ୍କୃତ ହେଲା । ଏହି ସାଧାରଣ ନିୟମର ପ୍ରକାଶଦ୍ୱାରା ଜ୍ୟୋତିର୍ବିଦ୍ୟାର ପ୍ରଭୂତ ଉନ୍ନତି ସାଧିତ ହୋଇଅଛି ।

 

ଅନନ୍ତର ୧୬୬୯ ଖ୍ରୀଷ୍ଟାବ୍ଦରେ ତାହାଙ୍କର ସୁବିଖ୍ୟାତ ବନ୍ଧୁ ଡ଼ାକ୍ତର ବାରୋ ଗଣିତଶାସ୍ତ୍ରର ଅଧ୍ୟାପକ ପଦ ପରିତ୍ୟାଗ କରନ୍ତେ, ନିଉଟନ୍‌ ତହିଁରେ ନିଯୁକ୍ତ ହେଲେ । ଦୃଷ୍ଟିବିଜ୍ଞାନ ବିଷୟରେ ସେ ଯେଉଁ ମହାତତ୍ତ୍ୱମାନ ଆବିଷ୍କୃତ କରିଥିଲେ ତାହାକୁ ଅବଲମ୍ବନ କରି ନିଉଟନ୍‌ ପ୍ରଥମତଃ କିଛିକାଳ ଅଧ୍ୟାୟିମାନଙ୍କୁ ଶିକ୍ଷା ଦେଇଥିଲେ । ଆଲୋକ ଏବଂ ବର୍ଣ୍ଣ-ବିଷୟକ ଅଭିନବ ତତ୍ତ୍ୱ ସେ ଏପରି ବିଶଦରୂପେ ବ୍ୟାଖ୍ୟା କରିଥିଲେ ଯେ, ତାହାଙ୍କର ଶ୍ରୋତୃବର୍ଗ ପରମ ପରିତୋଷ ଲାଭ କରିଥିଲେ । ୧୬୭୧ ସାଲରେ ନିଉଟନ୍‌ ରୟଲ ସୋସାଇଟି ନାମକ ସୁପ୍ରସିଦ୍ଧ ବୈଜ୍ଞାନିକ ସମାଜର ସଭ୍ୟଶ୍ରେଣୀରେ ଭୁକ୍ତ ହୋଇଥିଲେ । କିନ୍ତୁ ଅଧ୍ୟାପକ ପଦର ବେତନ ବ୍ୟତିରେକେ ତାହାଙ୍କର ଅନ୍ୟପ୍ରକାର ଅର୍ଥୋପାୟ ନ ଥିବାରୁ ସେ ସଭାର ବ୍ୟୟନର୍ବାହାର୍ଥ ନିର୍ଦ୍ଦିଷ୍ଟ ଅର୍ଥ ସାହାଯ୍ୟ କରିବାକୁ ଅସମର୍ଥ ହୋଇଥିଲେ । ତାହାଙ୍କର କିଛିମାତ୍ର ବିଳାସବାସନା ନ ଥିଲା । ପ୍ରୟୋଜନୀୟ ପୁସ୍ତକ ଓ ବୈଜ୍ଞାନିକ ଯନ୍ତ୍ରାଦିର କ୍ରୟସମ୍ପାଦନ ଏବଂ ଦରିଦ୍ରର ଦୁଃଖାପନୋଦନ ଏହି ଉଭୟ କାର୍ଯ୍ୟ ଅନୁଷ୍ଠିତ ହେଲେ ସେ ଆପଣାକୁ ପରମ ସୁଖୀ ମଣୁଥିଲେ । ଅନ୍ୟ ଆମୋଦସ୍ଫୂହା ତାଙ୍କର ହୃଦୟରେ ସ୍ଥାନ ପାଉ ନ ଥିଲା । ୧୬୮୩ ଖ୍ରୀଷ୍ଟାବ୍ଦରେ ସେ ପ୍ରିନ୍‌ସପିଆ ନାମକ ତାଙ୍କର ସୁପ୍ରସିଦ୍ଧ ଗ୍ରନ୍ଥକୁ ରଚନା କଲେ । ସେ ଏହି ଗ୍ରନ୍ଥରେ ଗଣିତସୂତ୍ର ଅବଲମ୍ବନ କରି ପଦାର୍ଥବିଜ୍ଞାନର ତତ୍ତ୍ୱମାନ ବିବୃତ କରିଛନ୍ତି । ୧୬୮୮ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡରେ ଯେଉଁ ପ୍ରକାଣ୍ଡ ରାଷ୍ଟ୍ରବିପ୍ଲବ ସଂଘଟିତ ହୋଇଥିଲା, ନିଉଟନ୍‌ ସେହି ବର୍ଷ କେମ୍ଭ୍ରିଜ ବିଶ୍ୱବିଦ୍ୟାଳୟର ପ୍ରତିଭୂପଦରେ ମନୋନୀତ ହୋଇ ପାର୍ଲେମେଣ୍ଟ୍‌ ମହାସଭାକୁ ପ୍ରେରିତ ହୋଇଥିଲେ । ତାହାଙ୍କର ଅସାଧାରଣ ଜ୍ଞାନର ପ୍ରଭାବରେ ସେ ଅଚିରେ ସମ୍ଭ୍ରାନ୍ତ ଏବଂ ଐଶ୍ୱର୍ଯ୍ୟଶାଳୀ ବ୍ୟକ୍ତିମାନଙ୍କ ମଣ୍ଡଳୀରେ ସମାଦୃତ ହେଲେ ଏବଂ ସେମାନଙ୍କ ଯତ୍ନରେ ସେ ମୁଦ୍ରାଶାଳାର ଅଧ୍ୟକ୍ଷ ପଦରେ ନିଯୁକ୍ତ ହେଲେ । ଜଟିଳ ବିଷୟରେ ଗବେଷଣାରେ ତାହାଙ୍କର ଅସାଧାରଣ ଧୈର୍ଯ୍ୟ ଏବଂ ନୈପୁଣ୍ୟ ଥିବାରୁ ସେ ପ୍ରୋକ୍ତ ଅଧ୍ୟକ୍ଷ ପଦରେ ନିଯୁକ୍ତ ହେବାପାଇଁ ସମ୍ପୂର୍ଣ୍ଣରୂପେ ଯୋଗ୍ୟ ଥିଲେ ଏବଂ ମୃତ୍ୟୁକାଳ ପର୍ଯ୍ୟନ୍ତ ସେହି ପଦରେ ରହି ସର୍ବତ୍ର ସୁଖ୍ୟାତିପ୍ରାପ୍ତ ହୋଇଥିଲେ । ୧୭୦୫ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡେଶ୍ୱରୀ ଆନ୍‌ନାମ୍ନୀ ରାଜ୍ଞୀ ତାହାଙ୍କୁ ନାଇଟ୍‌ ନାମକ ମର୍ଯ୍ୟାଦାସୂଚକ ଉପାଧି ପ୍ରଦାନ କରିଥିଲେ ।

 

ନିଉଟନ୍‌ ଏପରି ଉଦାରପ୍ରକୃତି ଥିଲେ ଯେ,ସାମାଜିକ ସମାନ୍ୟ ବ୍ୟପାରରେ ସୁଦ୍ଧା ତାହାଙ୍କର କୈାଣସି ପ୍ରକାର ଚରିତ୍ରର ତ୍ରୁଟି ଲକ୍ଷିତ ହେଉ ନ ଥିଲା । କଥୋପକଥନ ସମୟରେ କଦାପି ସେ ଆତ୍ମପ୍ରାଧାନ୍ୟ ପ୍ରଖ୍ୟାପନ କରିବାକୁ ଚେଷ୍ଟା କରୁ ନ ଥିଲେ । ସରଳାତ୍ମା, ପ୍ରଫୁଲ୍ଲଚିତ୍ତ ଏବଂ ସୈାଜନ୍ୟପୂର୍ଣ୍ଣ ଥିବାରୁ ସମସ୍ତେ ତାହାଙ୍କର ସହବାସ କାମନା କରୁଥିଲେ ଏବଂ ଅନ୍ୟ ସହିତ ଆଳାପ କରିବାରେ ତାହାଙ୍କର ମହାର୍ହ ସମୟ ଅପଚୟ ହେଲେହେଁ ସେ କିଞ୍ଚିନ୍ମାତ୍ର ବିରକ୍ତି ପ୍ରଦର୍ଶିତ କରୁ ନ ଥିଲେ; କିନ୍ତୁ ଅତି ପ୍ରତ୍ୟୁଷରେ ଉଠିବା ଅଭ୍ୟାସ ଏବଂ ସମୟର ନିୟମିତ ବିଭାଗ ଅବଲମ୍ବନ କରିବାରୁ ଅଧ୍ୟୟନ ଓ ରଚନା ନିମିତ୍ତ ତାହାଙ୍କୁ ପ୍ରଭୂତ ଅବକାଶ ମିଳୁନଥିଲା ଏବଂ ସେ ଅବସର ପାଇଲାକ୍ଷଣି ପୁସ୍ତକରଚନା ଅଥବା ଗ୍ରନ୍ଥାଧ୍ୟୟନ କାର୍ଯ୍ୟରେ ଆପଣାକୁ ନିୟୋଜିତ କରୁଥିଲେ । ନିଉଟନ୍‌ ଦାନଶୀଳ ଏବଂ ଧାର୍ମିକ ଥିଲେ । ଅତ୍ୟନ୍ତ ବୃଦ୍ଧ ବୟସରେ ସୁଦ୍ଧା ତାହାଙ୍କର ପ୍ରତିଭା ନିଷ୍ପ୍ରଭ ହୋଇ ନ ଥିଲା । ତାହାଙ୍କର ପ୍ରତିଭା ନିଷ୍ପ୍ରଭ ହୋଇ ନ ଥିଲା । ତାହାଙ୍କର ପ୍ରଫୁଲ୍ଲ ସ୍ୱଭାବ, ସଂଯତ ଆହାର ଏବଂ ଶାରୀରିକ ସବଳତା ତାହାଙ୍କୁ ଜରାର ଅସହାୟତା ଏବଂ ନାନାବିଧ କଷ୍ଟରୁ ରକ୍ଷା କରିଥିଲା । ବାର୍ଦ୍ଧକ୍ୟରେ ମଧ୍ୟ ତାହାଙ୍କର ନୟନର ଜ୍ୟୋତି ଏବଂ ବୁଦ୍ଧିମତ୍ତା ଅବ୍ୟାହତ ଥିଲା; ତାହାଙ୍କର ଆନନଶ୍ରୀ ସର୍ବଦା ଦୟାପୂର୍ଣ୍ଣ ଥିଲା । ଚରମକାଳରେ ତାହାଙ୍କୁ ଅତ୍ୟନ୍ତ ଶାରିରୀକ ଯାତନା ସହିବାକୁ ହୋଇଥିଲା; କିନ୍ତୁ ତାଙ୍କ ହୃଦୟରେ ଈଶ୍ୱରନିର୍ଭରଭାବ ଏପରି ପ୍ରବଳ ଥିଲା ଯେ, ସେ ଅପୂର୍ବ ସହିଷ୍ଣୁତା ସହିତ ସମସ୍ତ କଷ୍ଟ ସହିଥିଲେ । ୧୭୨୭ ଖ୍ରୀଷ୍ଟାବ୍ଦର ମାର୍ଚ୍ଚ ମାସ ୨୦ ତାରିଖରେ ଚତୁରଶୀତି ବର୍ଷ ବୟସରେ ନିଉଟନ୍‌ ପ୍ରାଣତ୍ୟାଗ କଲେ ।

 

ନିଉଟନ୍‌ଙ୍କର ଚରିତ୍ର ସାମାନ୍ୟ ବ୍ୟକ୍ତିର ଚରିତ୍ର ତୁଲ୍ୟ ବର୍ଣ୍ଣିତ ଅଥବା ଆଲୋଚିତ ହୋଇ ନପାରେ । ତାହାଙ୍କର ଜୀବନ ପର୍ଯ୍ୟାଲୋଚନା କଲେ ମହୋପକାର ଏବଂ ମହାଶିକ୍ଷା ଲାଭ ହୁଏ । ସେ ଅଲୈାକିକ ପ୍ରତିଭା ପ୍ରଭାବରେ ଗ୍ରହମାନଙ୍କ ଗତି,ଧୂମକେତୁମାନଙ୍କର କକ୍ଷ, ସମୁଦ୍ରର ଜଳୋଚ୍ଛ୍ୱାସ ପ୍ରଭୃତିର ପ୍ରକୃତ ତତ୍ତ୍ୱ ଅବଧାରଣ କରିଥିଲେ । ଆଲୋକ ଏବଂ ବର୍ଣ୍ଣ ଏହି ଦୁଇ ପଦାର୍ଥର ତତ୍ତ୍ୱ ନିରୂପଣ କରି ଦୃଷ୍ଟିବିଜ୍ଞାନଶାସ୍ତ୍ରର ମୂଳପତ୍ତନ କରିଥିଲେ । ପ୍ରଗାଢ ଅଧ୍ୟବସାୟ ଏବଂ ପ୍ରକୃତିରୂପ ଅନନ୍ତଗ୍ରନ୍ଥକୁ ଅଧ୍ୟୟନ କରି ସୃଷ୍ଟିକର୍ତ୍ତାଙ୍କର ଅନନ୍ତ ଶକ୍ତି, ଜ୍ଞାନ ଏବଂ କରୁଣାକୁ ମହୀୟାନ କରିଥିଲେ । ଏତାଦୃଶ ପ୍ରତିଭାଶାଳୀ ଏବଂ ବିଦ୍ୱାନ ହୋଇ ସୁଦ୍ଧା ସେ ଏପରି ବିନୀତସ୍ୱଭାବ ଥିଲେ ଯେ, ସେ ନିଜ ପାଣ୍ଡିତ୍ୟ ବିଷୟରେ କିଛିମାତ୍ର ଅହଙ୍କାର କରୁ ନ ଥିଲେ । ତାହାଙ୍କର ଗୋଟିଏ ପ୍ରସିଦ୍ଧ ଉକ୍ତି ଜନସମାଜରେ ଅଦ୍ୟାବଧି ପ୍ରଚଳିତ ଅଛି । ତାହା ଏହି ‘‘ମୁଁ ବାଳକତୁଲ୍ୟ ବେଳାଭୂମିରୁ ଉପଳଖଣ୍ଡ ମାତ୍ର ସଂଗ୍ରହ କରୁଅଛି; କିନ୍ତୁ ଅନନ୍ତ ଜ୍ଞାନମହାର୍ଣ୍ଣବ ଅକ୍ଷୁର୍ଣ୍ଣ ଭାବରେ ସମ୍ମୁଖରେ ପଡ଼ିଅଛି ।’’

Image

 

Unknown

ରୋମନ୍ଥକ ଜନ୍ତୁ

 

ଗବାଦି କେତେକ ଜନ୍ତୁର ଚାରିଗୋଟି ପାକସ୍ଥଳୀ ଅଛି । ପ୍ରଥମ ପାକସ୍ଥଳୀରେ ଭକ୍ଷିତ ଦ୍ରବ୍ୟ ସଞ୍ଚିତ ହୁଏ । ଦ୍ୱିତୀୟରେ ପିଆଯାଇଥିବା ଜଳ ଥାଏ । ତୃତୀୟରେ ଅନାବଶ୍ୟକ ଜଳୀୟ ଭାଗ ପତିତ ହୁଏ । ଚତୁର୍ଥରେ ଭୁକ୍ତ ଦ୍ରବ୍ୟର ପରିପାକ ହୁଏ । ଏହି ଜନ୍ତୁମାନେ ଆହାର ଚର୍ବଣ କରି ଉଦରସ୍ଥ କରନ୍ତି । ଭୁକ୍ତ ଦ୍ରବ୍ୟ ପ୍ରଥମ ପାକସ୍ଥଳୀରେ ପଡ଼େ । ପରେ ଦ୍ୱିତୀୟ ପାକସ୍ଥଳୀରୁ ଜଳ ନିଃସୃତ ହୋଇ ଭୁକ୍ତ ଦ୍ରବ୍ୟ ସହିତ ମିଶ୍ରିତ ହୁଏ ଏବଂ କ୍ଷୁଦ୍ର କ୍ଷୁଦ୍ର ଗୋଲାକାର ପିଣ୍ଡରେ ପରିଣତ ହୁଏ । ତଦନନ୍ତର ଏହି ପଶୁମାନେ ସେହିସବୁ ପିଣ୍ଡ ଗୋଟି ଗୋଟି କରି ଉଦ୍‌ଗୀର୍ଣ୍ଣ କରି ଚର୍ବଣ କରନ୍ତି । ଏହିପ୍ରକାର ଭକ୍ଷକ୍ରିୟାକୁ ରୋମନ୍ଥ ବା ପାକୁଳି କହନ୍ତି । ରୋମନ୍ଥନ ଉତ୍ତାରେ ଭୁକ୍ତ ଦ୍ରବ୍ୟ ତୃତୀୟ ପାକସ୍ଥଳୀରେ ପଡ଼ି,ଅତିରିକ୍ତ ଜଳୀୟଭାଗ ନିଷ୍କାସିତ ହୋଇଗଲା ଉତ୍ତାରେ ଚତୁର୍ଥ ପାକସ୍ଥଳୀରେ ପଡ଼ି ପରିପାକ ହୁଏ । ଏହିପରି ଦୁଇବାର ଚର୍ବଣ କରୁଥିବାରୁ ଏହି ପଶୁମାନଙ୍କୁ ରୋମନ୍ଥକ ବୋଲାଯାଏ ।

 

ରୋମନ୍ଥକ ପଶୁମାନେ ଚତୁଷ୍ପଦ ଏବଂ ସେମାନଙ୍କର ଖୁର ଖଣ୍ଡିତ । ସେମାନଙ୍କ ଦେହ ଲୋମାବୃତ । ଚକ୍ଷୁ ବଡ଼ ଓ ସୁନ୍ଦର । କର୍ଣ୍ଣ ଦୀର୍ଘ ଓ ଉର୍ଦ୍ଧ୍ୱ ଆଡ଼କୁ ଉଦ୍‌ଗତ । ଲାଙ୍ଗୁଳ ଅତି ଦୀର୍ଘ ଓ ତାହାର ପ୍ରାନ୍ତରେ ସ୍ଥୂଳ କେଶଗୁଚ୍ଛ । ମାଈମାନଙ୍କର ସ୍ତନ ପଶ୍ଚିମପାଦଦ୍ୱୟର ମଧ୍ୟବର୍ତ୍ତୀ । ଏହି ଶ୍ରେଣୀର ପଶୁମାନେ ମନୁଷ୍ୟର ନାନା କାର୍ଯ୍ୟରେ ଲାଗନ୍ତି । ସେମାନଙ୍କଣ ଦୁଗ୍‌ଧ ଓ ସେଥିରୁ ପ୍ରସ୍ତୁତ ନବନୀତ ପ୍ରଭୃତି ନାନା ସୁସ୍ୱାଦୁ ସାମଗ୍ରୀ ମନୁଷ୍ୟର ଆହାର୍ଯ୍ୟ । ଅନେକଙ୍କର ଲୋମରୁ କମ୍ବଳାଦି ଶୀତବସ୍ତ୍ର ପ୍ରସ୍ତୁତ ହୁଏ । ସେମାନଙ୍କ ଚର୍ମଦ୍ୱାରା ପାଦୁକାଦି ଏବଂ ଶୃଙ୍ଗଦ୍ୱାରା ପାନିଆ ପ୍ରଭୃତି ନାନାବିଧ ଦ୍ରବ୍ୟ ପ୍ରସ୍ତୁତ ହୁଏ । ଅନେକେ ହଳକାର୍ଯ୍ୟ ଓ ଭାରବହନାଦି ନାନା ପ୍ରୟୋଜନରେ ଲାଗନ୍ତି ।

 

ଗୋଜାତି- ଗୋଜାତିର ଶୃଙ୍ଗ ଶୂନ୍ୟଗର୍ଭ,ମସୃଣ ଓ ବକ୍ର । ମସ୍ତକ ବୃହତ୍‌ ଏବଂ ନାସାରନ୍ଧ୍ର ବିସ୍ତୃତ । ଗୋଶ୍ରେଣୀସ୍ଥ କେତେକଙ୍କର ପୃଷ୍ଠ ଓ ସ୍କନ୍ଧଦେଶର ମଧ୍ୟସ୍ଥଳରେ ଗୋଟିଏ କକୁଦ ଅଛି । କେତେକଙ୍କର ଗାତ୍ରର ଲୋମ ଦୀର୍ଘ ଓ ସୁଚିକ୍‌କଣ ;ତଦ୍ଦ୍ୱାରା ଚାମର ପ୍ରସ୍ତୁତ ହୁଏ । ଗୋ, ଚମରୀ ଓ ମହିଷ ଏହି ଶ୍ରେଣୀର ଅନ୍ତର୍ଗତ ।

 

ପୁଙ୍ଗବ ଅର୍ଥାତ୍‌ ବୃଷଭ ଭାରତବର୍ଷର କେତେକ ପ୍ରଦେଶରେ ହଳକାର୍ଯ୍ୟରେ ନିୟୋଜିତ ହୁଅନ୍ତି ନାହିଁ । ବୃଷଭକୁ ହିନ୍ଦୁମାନେ ମହାଦେବଙ୍କ ବାହାନ ବୋଲି ଅର୍ଚ୍ଚନା କରନ୍ତି । ଏ ପ୍ରଦେଶରେ ଲୋକେ ଅଣ୍ଡିରା ଗୋରୁଙ୍କର ମୁଷ୍କ ଛେଦନ କରି ସେମାନଙ୍କୁ ବଳଦ ନାମ ଦେଇ ହଳ ପ୍ରଭୃତି ନାନା କାର୍ଯ୍ୟରେ ଲଗାନ୍ତି ;କିନ୍ତୁ ସେମାନଙ୍କୁ ଛିନ୍ମମୁଷ୍କେ କରିବାର ପ୍ରଥା ନିତାନ୍ତ ନିଷ୍ଠୁର ଅଟେ ।

 

ଗାଭୀକୁ ଗୋମାତା ବୋଲି ହିନ୍ଦୁମାନେ ଭକ୍ତି କରନ୍ତି । ବାସ୍ତବରେ ଗୋରୁ ଭାରତବର୍ଷୀୟମାନଙ୍କର ସର୍ବସ୍ୱ ଧନ ।

 

ମହିଷ- ମହିଷ ଆକାରରେ ପ୍ରାୟ ଗୋସଦୃଶ: କିନ୍ତୁ ଏହାର ପଦ ଅପେକ୍ଷାକୃତ କିଛି ଖର୍ବ, ଶୃଙ୍ଗ ଅତିଶୟ ଦୀର୍ଘ । କୈାଣସି କୈାଣସି ମହିଷର ଶୃଙ୍ଗ ଫମ୍ପା । ବର୍ଣ୍ଣ କୃଷ୍ଣବର୍ଣ୍ଣ ଓ ଚର୍ମ ସ୍ଥୂଳ-। ଏମାନେ ଅରଣ୍ୟରେ ଦଳବଦ୍ଧ ହୋଇ ବାସ କରନ୍ତି ଏବଂ ଆରଣ୍ୟ ଅବସ୍ଥାରେ ବଡ଼ ଭୟଙ୍କର ହୁଅନ୍ତି । ପୋଷା ଅବସ୍ଥାରେ ମଧ୍ୟ ଏମାନେ ସମୟେ ସମୟେ ପ୍ରଚଣ୍ଡ ରୂପ ଧାରଣ କରନ୍ତି । ମହିଷ ଅଧିକତର ରୈାଦ୍ର ସହିପାରେ ନାହିଁ । ଏଣୁ କେବଳ ନାସିକାର ରନ୍ଧ୍ରଦ୍ୱୟ ଉପରକୁ ରଖି ଜଳରେ ବୁଡ଼ିରହେ । ମହିଷ ଅଗ୍ନି ଦେଖିଲେ ଭୟକରେ ଏବଂ ଲୋହିତବର୍ଣ୍ଣ କୈାଣସି ପଦାର୍ଥ ଦେଖିଲେ ପ୍ରଚଣ୍ଡୋନ୍ମତ୍ତ ହୁଏ । ମହିଷ ହଳକାର୍ଯ୍ୟରେ ଓ ଶକଟବହନକାର୍ଯ୍ୟରେ ଲାଗେ । ମହିଷର ଦୁଗ୍‌ଧ ଘନ ଓ ଅପେକ୍ଷାକୃତ ଦୁଷ୍ପାଚ୍ୟ ।

 

ଛାଗଳ- ଏହି ଶ୍ରଣୀସ୍ଥ ଜନ୍ତୁମାନଙ୍କର ଶୃଙ୍ଗ ବକ୍ର, ଫମ୍ପା ଓ ପରସ୍ତର ସଂଲଗ୍ନ ଅଙ୍ଗୁରୀୟ ପରମ୍ପରା ସଦୃଶ । ପୁଂଜାତିର ଶ୍ମଶ୍ରୁ ହୁଏ । କେତେକ ଛାଗଳର ଗଳାରେ ଦୁଇଟି ଗଳସ୍ତନ ଝୁଲୁଥିବାର ଦେଖାଯାଏ । ଅନେକ ପ୍ରକାର ଛାଗଳ ଭିନ୍ନ ଭିନ୍ନ ଦେଶରେ ଦୃଷ୍ଟିଗୋଚର ହୁଅନ୍ତି ।

 

ଛାଗଳମାନେ ଦୁରାରୋହ ପର୍ବତ ଅବଲୀଳା କ୍ରମେ ଚଢିପାରନ୍ତି ଏବଂ ବଡ଼ ବଡ଼ ଉଚ୍ଚବୃକ୍ଷ ଆରୋହଣ କରିପାରନ୍ତି । ଏମାନେ ପର୍ବତର ଏକ ଶିଖରରୁ ଅପର ଶିଖରକୁ ଡ଼େଇଁ ପଡ଼ନ୍ତି । ତିବ୍‌ବତ ଦେଶର ବଣିକମାନେ ଏମାନଙ୍କ ପିଠିରେ ଦ୍ରବ୍ୟସମ୍ଭାର ଲଦି ସନ୍ନିହିତ ଦେଶମାନଙ୍କୁ ବାଣିଜ୍ୟ କରିବାକୁ ଯା’ନ୍ତି । କାଶ୍ମୀର ଅଞ୍ଚଳର ଛାଗଲୋମରେ ବହୁମୂଲ୍ୟ ଶାଲ ପ୍ରସ୍ତୁତ ହୁଏ । ଛାଗଦୁଗ୍‌ଧ ଦୁର୍ବଳ ଓ ପୀଡ଼ିତ ଲୋକର ସୁପଥ୍ୟ ଅଟେ ।

 

ମେଷ- ନାନା ଦେଶରେ ନାନାପ୍ରକାର ମେଣ୍ଢା ଦେଖାଯାନ୍ତି । ପ୍ରଧାନତଃ ଶୀତ ଓ ଉଷ୍ଣର ନ୍ୟୁନତା ଓ ଆଧିକ୍ୟ ଯୋଗୁଁ ଆକାରଗତ ପାର୍ଥକ୍ୟ ଘଟେ ।

 

ମେଷର ଶୃଙ୍ଗ ଅର୍ଦ୍ଧଚନ୍ଦ୍ର ପରି ବକ୍ର, ଶୂନ୍ୟଗର୍ଭ,ବନ୍ଧୁର ଏବଂ ଲଲାଟଦେଶ କିଛି ଉନ୍ନତ । ଲୋମ କୁଟିଳ ଓ ବର୍ଦ୍ଧନଶୀଳ । ଭାରତବର୍ଷର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକପ୍ରକାର ମେଷ ଅଛନ୍ତି, ଯେଉଁମାନଙ୍କ କ୍ଷୁଦ୍ର ଲାଙ୍ଗୁଳରେ ଦୁମ୍ବା ନାମକ ପ୍ରାୟ ଆଠସେର ଓଜନର ମାଂସପିଣ୍ଡ ଥାଏ । ମେଷଲୋମରେ ନାନାପ୍ରକାର ଶୀତବସ୍ତ୍ର ପ୍ରସ୍ତୁତ ହୁଏ ।

 

ମୃଗ- ମୃଗଜାତୀୟ ଜୀବ ଦେଖିବାକୁ ସୁନ୍ଦର । ମୁଣ୍ଡ ଲମ୍ବା, ନାସିକା ସୂକ୍ଷ୍ମାଗ୍ର । ଶୃଙ୍ଗ ଅସ୍ଥିମୟ,ଅଶୂନ୍ୟଗର୍ଭ ଏବଂ କୋମଳ-ଚର୍ମାବୃତ । ବୃକ୍ଷର ଯେପରି ଶାଖାପ୍ରଶାଖାବିଶିଷ୍ଟ ହୁଏ । ମୃଗୀମାନଙ୍କର ଶୃଙ୍ଗ ନ ଥାଏ । ମୃଗୀମାନଙ୍କର ଶୃଙ୍ଗ ନ ଥାଏ । ମୃଗଶ୍ରେଣୀସ୍ଥ ଜନ୍ତୁ ଅତି ଦ୍ରୁତଗାମୀ-। ବାଘ ପ୍ରଭୃତି ହିଂସ୍ରଜନ୍ତୁ ଏମାନଙ୍କୁ ଆକ୍ରମଣ କଲେ ଏମାନେ ଯୂଥବଦ୍ଧ ହୋଇ ଶୃଙ୍ଗସବୁ ଉପରକୁ ଟେକି ଠିଆହୁଅନ୍ତି; ତେଣୁ ଆକ୍ରମଣକାରୀ ପଶୁ ସେମାନଙ୍କ ମଧ୍ୟରେ ପଶିପାରେ ନାହିଁ ।

 

କବିମାନେ ହରିଣର ଚକ୍ଷୁକୁ ସୁନ୍ଦର ନୟନର ଉପମାନରୂପେ ଗ୍ରହଣ କରନ୍ତି । ହରିଣ ଅତି ଭୟାଳୁ । ପତ୍ରର ଖଡ଼ଖଡ଼ ଶବ୍ଦ ହେଲେ ଚକିତ ହୋଇ କଳାଇଯାଏ । ଜଳପାନ କଲାବେଳେ ଆପଣାର ପ୍ରତିବିମ୍ବ ଦେଖି ଚମକିପଡ଼େ ।

 

ବସ୍ତୁତଃ ମୃଗର ନାଭି ନିକଟରେ ଗୋଟିଏ ମାଂସକୋଷ ଥାଏ । ସେହି କୋଷରେ ଏକପ୍ରକାର ପଦାର୍ଥ ଥାଏ; ତାହାକୁ କସ୍ତୁରୀ ବୋଲାଯାଏ । କସ୍ତୁରୀ ବା ମୃଗନାଭି ବଡ଼ ମହାର୍ଘ ପଦାର୍ଥ । ତାହା ନାନାପ୍ରକାର ଔଷଧରେ ମିଶ୍ରିତ ହୁଏ । କସ୍ତୁରୀ-ମୃଗର ଶୃଙ୍ଗ ନାହିଁ; କିନ୍ତୁ ଶ୍ମଶ୍ରୁ ଅଛି-। ଶୀତପ୍ରଧାନ ଲାପ୍‌ଲାଣ୍ଡ ଦେଶରେ ବଲ୍‌ଗାମୃଗ ନାମକ ଏକପ୍ରକାର ମୃଗ ଅଛି । ଏହି ପ୍ରାଣୀ ଲାପ୍‌ଲାଣ୍ଡବାସୀଙ୍କର ଜୀବନସର୍ବସ୍ୱ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେମାନେ ଏହାର ସ୍କନ୍ଧରେ ତକ୍ତା ବାନ୍ଧି ତାହା ଉପରେ ବସି ନଦୀ ଓ ହ୍ରଦର ଉପରିସ୍ଥ ଘନୀଭୂତ ହିମ ଅର୍ଥାତ୍‌ ବରଫ ଉପରେ ଗମନାଗମନ କରନ୍ତି । ସେ ଦେଶର ଲୋକମାନେ ଏହାର ଦୁଗ୍‌ଧପାନ ଓ ମାଂସଭକ୍ଷଣ କରନ୍ତି ଏବଂ ଲୋମ ଓ ଚର୍ମ୍ମରେ ଶୀତବସ୍ତ୍ର ପ୍ରସ୍ତୁତ କରନ୍ତି ।

 

ଉଷ୍ଟ୍ର- ଏହି ଶ୍ରେଣୀର ଜୀବମାନଙ୍କର ଗଳଦେଶ ଲମ୍ବା ଓ ବକ୍ର । ଉପରର ଓଷ୍ଠ ଖଣ୍ଡିତ ଓ ପ୍ରତି ପାଦର ଖୁର ଅସ୍ଥିମୟ ତଳଦ୍ୱାରା ଲିପ୍ତ । ଏମାନଙ୍କର ଶୃଙ୍ଗ ନାହିଁ; ପୃଷ୍ଠ କୁବ୍‌ଜ ଓ ସେଥିଉପରେ ଏକ ବା ଦୁଇ କକୁଦ ଥାଏ ।

 

ଏମାନେ ଦେଖିବାକୁ ଅତି ଅସୁନ୍ଦର । ଉଷ୍ଟ୍ର ଅତି ସହିଷ୍ଣୁ, ପ୍ରଭୂତ ବଳଶାଳୀ ଓ ଅନାୟାସରେ ମନୁଷ୍ୟର ବଶ୍ୟ । ଦୁସ୍ତର ବାଲୁକାମୟ ମରୁସାଗର ପାରିହେବା ନିମିତ୍ତ ଓଟ ମନୁଷ୍ୟର ତରଣୀସ୍ୱରୂପ ଅଟେ । ଓଟର ଉଦରରେ ଏକପ୍ରକାର ସ୍ଥଳୀ ଅଛି,ଯହିଁରେ ସେ ଜଳ ସଞ୍ଚୟ କରି ରଖେ ଏବଂ ଯହିଁରୁ ସେ ପ୍ରୟୋଜନ ଅନୁସାରେ ଜଳ କଣ୍ଠନଳୀକୁ ଆଣି ପିପାସା ନିବାରଣ କରେ । ଓଟ ଦୁଇକ୍ରୋଶ ଦୂରରେ ଜଳ ଥିଲେ ତାହା ଜାଣିପାରେ । ତାହାର କକୁଦରେ ଏକପ୍ରକାର ମେଦ ସଞ୍ଚିତ ଥାଏ । ସେ ପ୍ରତିଦିନ ୩୦ କ୍ରୋଶାଧିକ ପଥ ଚାଲି ଚାରିପାଞ୍ଚଦିନଯାଏ ଆହାର ଓ ଜଳପାନ ବିନା ରହିପାରେ । ବାକ୍ତ୍ରିଆ ଦେଶରେ ଉଷ୍ଟ୍ରମାନଙ୍କର ଦୁଇଟା କକୁଦ ଦେଖାଯାଏ ।

 

କ୍ରମେଲକ୍‌ ଆରବମାନଙ୍କର ଅମୂଲ୍ୟ ଧନ । ସେମାନେ ଉଷ୍ଟ୍ରପୃଷ୍ଠରେ ବାଣିଜ୍ୟ ଦ୍ରବ୍ୟ ଲଦି ଏବଂ ନିଜେ ସେଥିଉପରେ ଚଢି ବାଣିଜ୍ୟାର୍ଥ ଦେଶାନ୍ତର ଗମନ କରନ୍ତି । ସେମାନେ ଓଟର ଦୁଗ୍‌ଧପାନ ଓ ମାଂସଭକ୍ଷଣ କରନ୍ତି । ଲୋମରେ ଶୀତବସ୍ତ୍ର ଓ ଚର୍ମରେ ଗୈାଣୀ ଆଦି ପ୍ରସ୍ତୁତ କରନ୍ତି ।

Image

 

ଆନ୍ଦ୍ରୋକ୍ଲିସ୍‌ ଓ ସିଂହ

 

ପ୍ରାଚୀନକାଳରେ ଯବନମାନଙ୍କ ଦେଶରେ ଆନ୍ଦ୍ରୋକ୍ଲିସ୍‌ ନାମକ ଜଣେ ମନୁଷ୍ୟ କୈାଣସି ଧନୀଲୋକର ଗୃହରେ କ୍ରୀତଦାସରୂପେ ଥିଲା । ତାହାର ପ୍ରଭୁ ତାହା ପ୍ରତି ଏତେ ନିଷ୍ଠୁର ବ୍ୟବହାର କରୁଥିଲେ ଯେ, ସେ ଅବଶେଷରେ ତାହା ସହି ନ ପାରି ଏବଂ ପ୍ରତିକାରର କୈାଣସି ଉପାୟ ନ ଦେଖି ମନରେ ବିଚାରିଲା, ‘‘ଏପରି ଘୋର କ୍ଲେଶରେ ରହିବା ଅପେକ୍ଷା ମରଣ ସହସ୍ର ଗୁଣେ ଭଲ । ମୁଁ ଏଠାରୁ ପଳାଇଯିବି । ଧରାପଡ଼ିଲେ ମରଣ ନିଶ୍ଚିତ; ଶ୍ୱାପଦସଙ୍କୁଳ ଅରଣ୍ୟକୁ ପଳାଇଗଲେ ହିଂସ୍ରଜନ୍ତୁର ଗ୍ରାସରେ ପଡ଼ିବା ସମ୍ଭାବ୍ୟ । ଏଠାରେ ଏପରି ନିଦାରୁଣ ଯନ୍ତ୍ରଣା ସହିବା ଅପେକ୍ଷା ବନରେ ଶ୍ୱାପଦଦ୍ୱାରା ନିହତ ହେବା ବରଂ ଭଲ ।’’

 

ଏହି ସଂକଳ୍ପ କରି ସେ ପ୍ରଭୁଗୃହରୁ ପଳାଇଗଲା ଏବଂ ନଗରର ଅଦୂରବର୍ତ୍ତୀ ନିବିଡ଼ ବନମଧ୍ୟରେ ଲୁଚିରହିଲା ସେ ଏକ ସଂକଟରୁ ପାରହୋଇ ବନମଧ୍ୟରେ ଦ୍ୱିତୀୟ ସଂକଟରେ ପଡ଼ିଲା-। ଦିନଯାକ କଣ୍ଟକମୟ ଘୋର ଦୁର୍ଗମ ଅରଣ୍ୟରେ ବୁଲିବାରୁ ତାହାର ଦେହ କ୍ଷତବିକ୍ଷତ ହୋଇଗଲା । କ୍ଷୁଧାରେ ଅସ୍ଥିର ଏବଂ କ୍ଲାନ୍ତିରେ ନିତାନ୍ତ ମ୍ରିୟମାଣ ହୋଇ ସେ ବନମଧ୍ୟସ୍ଥ ଗୋଟାଏ ଗୁହାମଧ୍ୟରେ ଆଶ୍ରୟ ଗ୍ରହଣ କଲା ।

 

ଉକ୍ତ ଗୁହାରେ କିଛିକ୍ଷଣ ପଡ଼ିରହିଲା ପରେ ସେ ଗୋଟାଏ ଭୀଷଣ ଗର୍ଜ୍ଜନ ଶୁଣିବାକୁ ପାଇଲା । ସେହି ଶବ୍ଦ କୈାଣସି ବଡ଼ ଶ୍ୱାପଦର ଗର୍ଜ୍ଜଡ଼ ବୋଲି ଜାଣିପାରି ସେ ଭୟରେ କାତର ହେଲା । ପଳାଇଯିବା ଅଭିପ୍ରାୟ ସେ ଗହ୍ୱରର ମୁଖ ପର୍ଯ୍ୟନ୍ତ ଆସି ଦେଖିଲା ଯେ, ଗୋଟାଏ ପ୍ରକାଣ୍ଡ ସିଂହ ତାହା ଆଡ଼କୁ ଆସୁଅଛି ଓ ପଳାଇବାର ବାଟ ନାହିଁ । ସିଂହହସ୍ତରେ ନିଜର ନିଧନ ଅବଶ୍ୟମ୍ଭାବୀ ବୋଲି ବିଚାରି ସେ ଭୟରେ ସ୍ତମ୍ଭିତ ହୋଇ ଚିତ୍ରାର୍ପିତପ୍ରାୟ ରହିଅଛି, ଏପରି ସମୟରେ ସେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ଦେଖିଲା ଯେ, ସିଂହ ଧୀରେ ଧୀରେ ପଦବିକ୍ଷେପ କରି ଆସୁଅଛି ଏବଂ ତାହାର କୈାଣସି ପ୍ରକାର କ୍ରୋଧ ବା ହିଂସା ଲକ୍ଷିତ ହେଉନାହିଁ । ସହସା ସିଂହ ଏକପ୍ରକାର ଆର୍ତ୍ତରବ କରି ସେହି ମନୁଷ୍ୟର ସମ୍ମୁଖରେ ଉପସ୍ଥପିତ ହେଲା ।

 

ଆନ୍ଦ୍ରୋକ୍ଲିସ୍‌ ସ୍ୱଭାବତଃ ସ୍ଥିରମତି ଥିବାରୁ ସେ ସିଂହ ଆଡ଼କୁ ଅନାଇ ଦେଖିଥିଲା ଯେ, ତାହାର ଗୋଟିଏ ପାଦର ଗତି ବିକଳ ହୋଇଅଛି ଓ ସେହି ହେତୁରୁ ସେ ଖଲେଇ ଖଲେଇ ଚାଲୁଅଛି । ସେ ଆହୁରି ନିରୀକ୍ଷଣ କରି ଦେଖିଲା ଯେ, ସେ ପାଦଟି ଫୁଲିଅଛି । ସିଂହର ପାଦରେ କ୍ଷତ ବା ଜଖମ ହୋଇଥିବାର ଅନୁମାନ କରି ଏବଂ ତାହାର ଶାନ୍ତଭାବ ଦେଖି ସେ ଭୟ ପରିହାରପୂର୍ବକ ସିଂହ ନିକଟକୁ ଯାଇ ବୈଦ୍ୟ ରୋଗୀର ହସ୍ତସ୍ଥ ନାଡ଼ୀ ଦେଖିବା ପରି ଉକ୍ତ ପାଦକୁ ହସ୍ତରେ ଧରିଲା ଏବଂ ବୁଝିପାରିଲା ଯେ, ସେହି ପାଦରେ ଗୋଟାଏ ଅତି ବଡ଼ କଣ୍ଟା ପଶିଥିବାରୁ ତାହା ଫୁଲିଯାଇଅଛି । ଆନ୍ଦ୍ରୋକ୍ଲିସ୍‌ ସେହି ପାଦ ପରୀକ୍ଷା କଲାବେଳେ ସିଂହ କୈାଣସି ପ୍ରକାର କ୍ରୋଧର ଲକ୍ଷଣ ପ୍ରକାଶ କରିବା ଦୂରେ ଥାଉ, ଅନୁନୟର ଭାବ ପ୍ରକାଶ କରି ଯେହ୍ନେ କଣ୍ଟାଟି କାଢିଦେବା ପାଇଁ ପ୍ରାର୍ଥନା କରିବାକୁ ଲାଗିଲା । ଅନନ୍ତର ଆନ୍ଦ୍ରୋକ୍ଲିସ୍‌ କଣ୍ଟାଟି କାଢିଦେଲା ଏବଂ ଯେଉଁ ସ୍ଥାନ ଫୁଲିଥିଲା ତାହାକୁ ଚିପିଦେବାରୁ ସେଥିରୁ ବହୁପରିମାଣ ପୂଯ ବାହାରିଲା ।

 

ପୂଯ ନିଷ୍କାସନାନନ୍ତର ପାଦପୀଡ଼ାର ଉପଶମ ହୁଅନ୍ତେ ସିଂହ ଲମ୍ପ ଝମ୍ପ ହୋଇ କୃତଜ୍ଞ ଓ ସାହ୍ଲାଦଭାବ ପ୍ରକାଶ କରି ତାହାର ସୁବୃହତ୍‌ ଲାଙ୍ଗୁଳ ହଲାଇ ଆନ୍ଦ୍ରୋକ୍ଲିସ୍‌ର ହସ୍ତପଦ ଲେହନ କରିବାକୁ ଲାଗିଲା । ସେହି ମୁହୂର୍ତ୍ତରୁ ସିଂହ ତାହା ପ୍ରତି ପରମାତ୍ମାଭାବ ପୋଷଣ କରି ତାହାର ଆହାର ନିମି୍ତ୍ତ ପ୍ରତିଦିନ ମୃଗୟାଲବ୍‌ଧ ମାଂସ ଆଣିଦେବାକୁ ଲାଗିଲା । ଏହି ପ୍ରକାରେ ଉକ୍ତ ଲୋକ ସିଂହର ଆତିଥ୍ୟ ସମ୍ଭୋଗ କରି କିଛିକାଳ କଟାଇଲା ।

 

ଏଥିଉତ୍ତାରେ ଆନ୍ଦ୍ରୋକ୍ଲିସ୍‌ ଦିନେ ଅରଣ୍ୟମଧ୍ୟରେ ଅସାବଧାନଭାବରେ ବୁଲୁଥିବା ସମୟରେ ତାକୁ ଖୋଜୁଥିବା କେତେକ ସିପାହିଙ୍କ ହସ୍ତରେ ଧରାପଡ଼ିଲା ଏବଂ ସେ ଦେଶର ଆଇନ୍‌ ଅନୁସାରେ ପ୍ରଭୁଗୃହରୁ ପଳାଇଯିବା ଅପରାଧରେ ତାହା ପ୍ରତି ଏହି ଦଣ୍ଡାଜ୍ଞା ହେଲା ଯେ, ବହୁ ଦିବସର ଅନଶନ ଦ୍ୱାରା ଏକାନ୍ତ ବୁଭୁକ୍ଷିତ ଗାଟିଏ ଭୀଷଣ ସିଂହମୁଖରେ ତାହାକୁ ନିକ୍ଷେପ କରିବାକୁ ହେବ । ନିର୍ଦ୍ଦିଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ ସେହି ଅସହାୟ ଲୋକଟି ଗୋଟିଏ ସୁବୃହତ୍‌ ପ୍ରାଙ୍ଗଣକୁ ଆନୀତ ହେଲା । ସେଠାରେ ସହସ୍ର ସହସ୍ର ଲୋକ ଆନ୍ଦ୍ରୋକ୍ଲିସ୍‌ର ସେହି ଭୟଙ୍କର ଶାସ୍ତି ଦେଖିବା ନିମିତ୍ତ ରୁଣ୍ଡ ହୋଇଥିଲେ । ସହସା ଗୋଟାଏ ଭୟାବହ ଗର୍ଜ୍ଜନ ଶ୍ରୁତିଗୋଚର ହେଲା ଏବଂ ଗୋଟାଏ ପ୍ରକାଣ୍ଡକାୟ ସିଂହ ପିଞ୍ଜରରୁ ବାହାରି କ୍ରୋଧରେ ସଟାକେଶ ଫୁଲାଇଦେଇ, କରାଳ ରକ୍ତବର୍ଣ୍ଣ ଚକ୍ଷୁରୁ ଯେହ୍ନେ ଅଗ୍ନୁସ୍ଫୁଲିଙ୍ଗ ବିକିରଣ କରି ଏବଂ ଭୟଙ୍କର ମୁଖବ୍ୟାଦାନ କରି ଆନ୍ଦ୍ରୋକ୍ଲିସ୍‌ ଆଡ଼କୁ ମୂର୍ତ୍ତିମନ୍ତ ମୃତ୍ୟୁ ସ୍ୱରୂବ ଧାଇଁଆସିଲା । ତତ୍‌କ୍ଷଣାତ୍‌ ଘୋରାଦ୍ଭୁତ ଭାବରଯେ ଜନସଂଘ ସ୍ତମ୍ଭିତ ଓ ଅବାକ୍‌ ହୋଇଯାଇ ଆନ୍ଦ୍ରୋକ୍ଲିସ୍ର ନିଦାରୁଣ ବଧ ପ୍ରତୀକ୍ଷା କରିବାକୁ ଲାଗିଲେ । କିନ୍ତୁ କି ଅଭାବନୀୟ ବିସ୍ମୟର ବ୍ୟାପାର ଉପସ୍ଥିତ ହେଲା ! ସିଂହ ସେ ହତଭାଗ୍ୟ ଲୋକର ପ୍ରାଣ ସଂହାର ନ କରି ଓଲଟି ତାହାର ପାଦକୁ ବିଶ୍ୱସ୍ତ ସ୍ନେହୀ କୁକୁର ଯେପରି ପ୍ରଭୁପାଦରକୁ କୃତଜ୍ଞତାଭରେ ଲେହନ କରେ, ସେହିପରି ଚାଟିବାକୁ ଲାଗିଲା ଏବଂ ଅପହୃତ ପୁତ୍ରକୁ ପୁଣି ଫେରିପାଇଲେ ମାତା ଯେପରି ସ୍ନେହାନନ୍ଦରେ ଅଧୀରା ତଦ୍‌ବତ୍‌ ସ୍ନେହ ପ୍ରକାଶ କରିବାକୁ ଲାଗିଲା-

 

ନଗରର ଶାସନକର୍ତ୍ତା ଏହି ଆଶ୍ଚର୍ଯ୍ୟ ବ୍ୟାପାର ଦେଖି ଆନ୍ଦ୍ରୋକ୍ଲିସ୍‌କୁ ଡ଼ାକି ପଚାରିଲେ, ‘‘ଆରେ ହତଭାଗ୍ୟ ! ତୁ ମୃତ୍ୟୁକୁ ଲଂଘିବା ପାଇଁ ସିଂହଉପରେ ମନ୍ତ୍ରପ୍ରଭାବ ବିସ୍ତାର କରିଅଛୁ; ସତ୍ୟକଥା କହ, ତୋର ପ୍ରାଣଦଣ୍ଡ ଅଲଂଘନୀୟ ।’’ ତହୁଁ ଆନ୍ଦ୍ରୋକ୍ଲିସ୍‌ ତାହାର ଅରଣ୍ୟବାସର ସମୁଦାୟ ବୃତ୍ତାନ୍ତ କହିଲା । ଉପସ୍ଥିତ ଲୋକବୃନ୍ଦ ତାହା ଶୁଣି ଯୁଗପତ୍‌ ବିସ୍ମୟ ଓ ଆନନ୍ଦରେ ନିମଜ୍ଜିତ ହେଲେ ଏବଂ ସମସ୍ତେ ଏକବାକ୍ୟରେ ଶାସନକର୍ତ୍ତାଙ୍କୁ କହିଲେ,‘‘ଆନ୍ଦ୍ରୋକ୍ଲିସ୍‌କୁ କ୍ଷମା କରନ୍ତୁ ।’’ ଶାସନର୍ତ୍ତା ଜନମଣ୍ଡଳୀର ପ୍ରାର୍ଥନା ପୂର୍ଣ୍ଣକଲେ ଏବଂ ଆନ୍ଦ୍ରୋକ୍ଲିସ୍‌ର ପ୍ରାଣଦାତା ସିଂହକୁ ଆନ୍ଦ୍ରୋକ୍ଳିସ୍‌ ହସ୍ତରେ ସମର୍ପଣ କଲେ ।

Image

 

କୁମାରୀ ଫ୍ଲରେନ୍‌ସ ନାଇଟିଙ୍ଗେଲ

 

ଯେଉଁସବୁ ସଦ୍‌ଗୁଣ ନିମିତ୍ତ ନାରୀପ୍ରକୃତି ବିଶିଷ୍ଟ ରୂପେ ପ୍ରସିଦ୍ଧ, ସେଥିମଧ୍ୟରେ ଦୟା ଗୋଟିଏ ପ୍ରଧାନ ଗୁଣ ଅଟେ । ନାରୀଜାତିର ଦୟା ଯେ ମନୁଷ୍ୟର ଅଶେଷ ଦୁର୍ଗତିର ମହୈାଷଧି,ତାହା କିଏ ଅସ୍ୱୀକାର କରିବ ? ନାରୀଜାତିର ସ୍ୱାଭାବିକ ଦୟାର୍ଦ୍ରତା ପୃଥିବୀର ସର୍ବାଞ୍ଚଳରେ ଲକ୍ଷିତ ହୁଏ । କୋମଳହୃଦୟା ପରଦୁଃଖମୋଚନତତ୍ପରା ନାରୀମାନଙ୍କର ଅନିର୍ବଚନୀୟ କରୁଣା ନିକଟରେ ସମସ୍ତଙ୍କ ହୃଦୟ ସ୍ୱଭାବତଃ ପ୍ରଣତ ହୁଏ । କୁମାରୀ ନାଇଟିଙ୍ଗେଲ ନାମ୍ନୀ ଇଂଲଣ୍ଡୀୟ ମହିଳାଙ୍କର କରୁଣାପୂର୍ଣ୍ଣ ପୁଣ୍ୟ କୀର୍ତ୍ତି ଆଲୋଚନା କଲେ ହୃଦୟ ବିସ୍ମୟରେ ଅଭିଭୂତ ହୁଏ ।

 

ଏହି ପୁଣ୍ୟବତୀ ରମଣୀ ୧୮୨୦ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡ ଦେଶରେ ଧନାଢ୍ୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ରୂପରେ ପରମାସୁନ୍ଦରୀ, ବିଦ୍ୟା ବିଷୟରେ ସୁପଣ୍ଡିତା ଏବଂ ସାଂସାରିକ ଅବସ୍ଥା ସମ୍ବନ୍ଧରେ ବିପୁଳ ବିଭବଶାଳିନୀ ହେଲେହେଁ ଯୈାବନ କାଳରୁ ସେ ଆମୋଦବିଳାସ ପ୍ରତି ଏକାନ୍ତ ପରାଙ୍ମୁଖ ହୋଇ ପରଦୁଃଖମୋଚନରୂପ ମହାବ୍ରତ ଆଡ଼କୁ ଆକୃଷ୍ଟ ହୋଇଥିଲେ ଏବଂ ତାହାଙ୍କର ଧନ, ବିଦ୍ୟା,ବୁଦ୍ଧି ସମୁଦାୟ ଆର୍ତ୍ତମାନଙ୍କ ହିତସାଧନରେ ସମର୍ପଣ କରିବେ ବୋଲି ସଂକଳ୍ପ କରିଥିଲେ । ସେ କେତେକ ବର୍ଷ ଇଂଲଣ୍ଡର ନାନାବିଧ ଚିକିତ୍ସାଳୟମାନଙ୍କର ପର୍ଯ୍ୟବେକ୍ଷଣରେ ଅତିବାହିତ କରି ୧୮୪୯ ଖ୍ରୀଷ୍ଟାବ୍ଦରେ ଜର୍ମେନୀର ଅନ୍ତର୍ଗତ ଗୋଟିଏ ଚିକିତ୍ସାଳୟରେ ରୋଗୀମାନଙ୍କ ଶୁଶ୍ରୂଷା ନିମିତ୍ତ ଧାତ୍ରୀବ୍ରତ ଗ୍ରହଣ କଲେ । ତହିଁଉତ୍ତାରେ ଜର୍ମେନୀ ଦେଶର ଅନେକଗୁଡ଼ିଏ ଚିକିତ୍ସାଳୟରେ କାର୍ଯ୍ୟ ପର୍ଯ୍ୟବେକ୍ଷଣ କରି ଇଂଲଣ୍ଡକୁ ଫେରିଆସି ସେଠାରେ ଅସହାୟ ରୁଗ୍‌ଣା ନାରୀମାନଙ୍କ ନିମିତ୍ତ ଗୋଟିଏ ଚିକିତ୍ସାଳୟ ଓ ଆଶ୍ରୟଗୃହ ସଂସ୍ଥାପନ କଲେ । ଅବଶେଷରେ ସେ ଯେଉଁ ଅଲୋକସାମାନ୍ୟ କାର୍ଯ୍ୟର ଅନୁଷ୍ଠାନ କଲେ ତାହା ଚିରସ୍ମରଣୀୟ ଅଟେ ।

 

୧୮୪୫ ଖ୍ରୀଷ୍ଟାବ୍ଦର ରୁଷିୟା ଓ ଇଂଲଣ୍ଡ ମଧ୍ୟରେ କ୍ରିମିୟା ଯୁଦ୍ଧ ହୋଇଥିଲା । ସେ ଯୁଦ୍ଧରେ ଆହତ ସୈନିକମାନେ ଚିକିତ୍ସା ଏବଂ ଶୂଶ୍ରୂଷାର ଅଭାବ ଯୋଗୁଁ ଘୋର ଦୁଃଖଯାତନାରେ ମରିବାକୁ ଲାଗିଲେ । କିଏ ସେ ଦୂରଦେଶକୁ ଯାଇ ପୀଡ଼ାହତ ସୈନିକମାନଙ୍କର ଦୁଃଖ ପ୍ରଶମନ କରିବ ? ସେତେବେଳେ ଦୟାରୂପ ଅବତୀର୍ଣ୍ଣା ଦେବୀରୂପିଣୀ କୁମାରୀ ନାଇଟିଙ୍ଗେଲ ‘ସେବା-ଭଗିନୀ’ ନାମ୍ନୀ ମହିଳାମଣ୍ଡଳୀର ଅନ୍ତର୍ଗତ କେତେଗୁଡ଼ିଏ ସୁଶିକ୍ଷିତା ପରିଚାରିକା ସଙ୍ଗରେ ଘେନି ମହାଦୁରୁହ କର୍ଯ୍ୟସାଧନ ନିମିତ୍ତ ଅଗ୍ରସର ହେଲେ । ଯୁଦ୍ଧଭୂମି ନିକଟରେ ଉପସ୍ଥିତ ହୋଇ କୁମାରୀ ନାଇଟିଙ୍ଗେଲ ଏବଂ ତାଙ୍କ ସହକାରିଣୀମାନେ ସହସ୍ର ସହସ୍ର କ୍ଷତକଳେବର,ନାନାରୋଗନିପୀଡ଼ିତ ମୃତକଳ୍ପ ସୈନିକମାନଙ୍କୁ ବର୍ଷାଧିକ କାଳ ଅହୋରାତ୍ର ଅବିଶ୍ରାନ୍ତଭାବରେ ଶୁଶ୍ରୁଷା କରିବାକୁ ଲାଗିଲେ । କି ନୈରାଶ୍ୟମୟ ଦୁଃଖରାଶି ମଧ୍ୟରେ ସେମାନଙ୍କୁ କାର୍ଯ୍ୟ କରିବାକୁ ହୋଇଥିଲା । ଚାରିଆଡ଼େ ମୃତ୍ୟୁର ବିକଟ ଦୃଶ୍ୟ ଓ ଦୁର୍ଗନ୍ଧ,ଶତ ଶତ ରୋଗୀ ମୃତ୍ୟୁକବଳରେ ପଡ଼ୁଅଛନ୍ତି । କେଉଁଠାରେ ପଞ୍ଜରଭେଦୀ ଦୀର୍ଘ ନିଶ୍ୱାସ, କାହିଁ ଅବା ଭୟଙ୍କର ପ୍ରଳାପ ଶବ୍ଦ କିମ୍ବା ଯନ୍ତ୍ରଣାର ହୃଦୟବିଦାରକ ଚିତ୍କାର । ଏପରି ଭୟାବହ ସ୍ଥଳରେ, ଏପରି ନିଦାରୁଣ ଆଶାଶୂନ୍ୟ ଅବସ୍ଥାରେ ପତିତ ସହସ୍ର ସହସ୍ର ଆହାତ ସୈନିକଙ୍କର ସେବାକାର୍ଯ୍ୟରେ ନିଯୁକ୍ତ କୁଳବାଳାମାନଙ୍କର ନିଃସ୍ୱାର୍ଥ ଦୟା କି ସ୍ୱର୍ଗୀୟ ବ୍ୟାପାର ! ଆହା, ସେମାନେ କି ଅକୁଣ୍ଠିତ ହୃଦୟରେ, ନିଜର ଆତ୍ମୀୟମାନଙ୍କର ନୁହେଁ, ସପୂର୍ଣ୍ଣରୂପେ ଅପରିଚିତ ପରର ପରିଚର୍ଯ୍ୟାରେ ଜୀବନ ଏକାନ୍ତଭାବରେ ଢାଳିଦେଇଥିଲେ ! ସେହି ଆହାତ ଓ ପୀଡ଼ିତମାନଙ୍କପ୍ରତି କୁମାରୀ ନାଇଟିଙ୍ଗେଲ ଓ ତାଙ୍କର ସହକାରିଣୀମାନେ ମାତୃବତ୍‌ କୋମଳ ଓ ସସ୍ନେହ ବ୍ୟବହାର କରି ନିଜ ଜୀବନକୁ ଧନ୍ୟ କଲେ । ସେମାନେ ସହସ୍ର ସହସ୍ର ଲୋକଙ୍କୁ ପ୍ରାଣଦାନ ଓ ସାନ୍ତ୍ୱନାଦାନ କରି, ସହସ୍ର ସହସ୍ର ହୃଦୟର ଭକ୍ତି ଓ କୃତଜ୍ଞତା ଅନୁଭବ କରି ଯେତେବେଳେ ସଂଗ୍ରାମ ଶେଷରେ ସ୍ୱଦେଶକୁ ବାହୁଡ଼ି ଆସିଲେ, ସେତବେଳେ ସମସ୍ତ ଇଉରୋପ ସେମାନଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧା ପ୍ରକାଶ କରିବାକୁ ଲାଗିଲା । ସ୍ୱୟଂ ମହାରାଣୀ ଭିକ୍‌ଟୋରିଆ ନିଜ ହସ୍ତରେ କୁମାରୀ ନାଇଟିଙ୍ଗେଲଙ୍କୁ ଅଭିନନ୍ଦନପତ୍ର ଦାନ କରିଥିଲେ । ଏଥିଉତ୍ତାରେ କୁମାରୀ ନାଇଟିଙ୍ଗେଲ ନାନାବିଧ ଲୋକହିତକର କାର୍ଯ୍ୟରେ ପ୍ରାଣ ଓ ମନ ସମର୍ପଣ କରି ୧୯୧୦ ଖ୍ରୀଷ୍ଟାବ୍ଦରେ ପରଲୋକ ଗମନ କଲେ ।

Image

 

ଆଗ୍ନେୟଗିରି

 

ଆଗ୍ନେୟଗିରିର ଅଗ୍ନ୍ୟୁତ୍ପାତ ଦେଖି ସେଥିର ଭୟଙ୍କରତା ଅନୁଭବ କରିବାର ସୁବିଧା ଭାରତବର୍ଷରେ ନାହିଁ । ଭାରତବର୍ଷରୁ ବହିର୍ଗତ ହୋଇ ବର୍ଷାନ୍ତରରେ ବିଚରଣ ନ କଲେ ଅଗ୍ନ୍ୟୁତ୍ପାତର ଭୀଷଣତା ଉପଲବ୍‌ଧ ହୋଇପାରିବନାହିଁ । ଦର୍ଶନୀୟ ପଦାର୍ଥ ଭାତରବର୍ଷରେ ପ୍ରଚୁର ଅଛି । ଅକୂଳ ମହାର୍ଣ୍ଣବର ଉତ୍ତୁଙ୍ଗ ଲହରୀମାନେ ଭାରତଭୂମିର ଚରଣଧୈାତ କରିଅଛନ୍ତି, ତୁଷାରୋଜ୍ଜ୍ୱୋଳ ହିମାଳୟ ଭାରତଭୂମିର ସୀମାନ୍ତରୂପେ ବିରାଜିତ ଅଛି । ସ୍ୱଚ୍ଛୋଦ ନିର୍ଝରମାନଙ୍କ ପତନ ଶବ୍ଦ ଭାରତର ନିବିଡ଼ ଓ ନିର୍ଜନ ଅରଣ୍ୟାନୀମାନଙ୍କୁ ଝଙ୍କାରିତ କରୁଅଛି । ଭୀଷଣ ଦୂରବାହିନୀ ନଦୀମାନେ ବହୁଦୂରବ୍ୟାପୀ ଭାରତଦେହକୁ ଉଜ୍ଜ୍ୱଳ ଶ୍ୟାମଳ-ବସନରେ ଶୋଭିତ କରୁଅଛନ୍ତି । ମାତ୍ର ଆଗ୍ନେୟଗିରି ଭାରତବର୍ଷରେ ନାହିଁ । ଆଣ୍ଡିଜ୍‌ ପର୍ବତ ଉଚ୍ଚତା ବିଷୟରେ ହିମାଳୟର କନିଷ୍ଠ ଅଟେ; ମାତ୍ର ବୈଚିତ୍ର୍ୟରେ ଜ୍ୟେଷ୍ଠ । ଆଗ୍ନେୟଗିରି ସେହି ବୈଚିତ୍ର୍ୟର ପ୍ରଧାନ ହେତୁ ।

 

ଆମ୍ଭେମାନେ କେବେହେଁ ଅଗ୍ନ୍ୟୁତ୍ପାତ ଦେଖିନାହୁଁ । ସୁତରାଂ ତାହା କେଡ଼େ ଭୟଙ୍କର ବ୍ୟାପାର ଏହା ଆମ୍ଭମାନଙ୍କର ଅନୁଭବକୁ ଆସେ ନାହିଁ । ଅଗ୍ନ୍ୟୁତ୍ପାତଠାରୁ ଭୂମିକମ୍ପର ମାରାତ୍ମାକତା ଅଧିକ ଅଟଇ । ମାତ୍ର ଭାରତବର୍ଷରେ ସେପରି ମାରାତ୍ମକ ଭୂମିକମ୍ପ ବିରଳ । ଆମ୍ଭେମାନେ ସେପରି ମହାର୍ଘ ବହୁଦର୍ଶିତାର ଆକାଙ୍‌କ୍ଷୀ ନୋହୁଁ । ବିଦେଶୀୟ ଦର୍ଶକମାନଙ୍କର ତଦ୍‌ବିଷୟକ ବର୍ଣ୍ଣନା ପଢି ଭୀତ ହେବାର ଆମ୍ଭମାନଙ୍କପକ୍ଷରେ ବିଶେଷ କଷ୍ଟକର ଅଟେ ।

 

କ୍ଷୁଦ୍ର ଆଗ୍ନେୟ ଶୃଙ୍ଗମାନଙ୍କର ଉଦ୍‌ବମନ ଯେମନ୍ତ ମୁହୁର୍ମହୁଃ ହୁଏ, ବୃହତ୍‌ ଆଗ୍ନେୟ ଶୃଙ୍ଗମାନଙ୍କର ତେମନ୍ତ ନୁହେ । କ୍ଷୁଦ୍ର ପର୍ବତର ନଳୀ ଦେଇ ଆନ୍ତଗଭୈାମ ତରଳାଗ୍ନି ଅନାୟାସରେ ଆସିପାରେ ;ମାତ୍ର ବୃହତ୍‌ ପର୍ବତର ନଳୀ ଦେଇ ଆସିବାକୁ ବେଶି ବେଗ ଓ ବଳର ପ୍ରୟୋଜନ ହୁଏ-। ଲିପାରି ଦ୍ୱୀପରେ ଷ୍ଟ୍ରମ୍ବୋଲି ନାମକ ଯେଉଁ ପର୍ବତ ଅଛି,ତାହା ପୁରାକାଳରେ ଫିନିସୀୟ ନାବିକମାନଙ୍କର ଦୀପ୍ତସ୍ତମ୍ଭସ୍ୱରୂପ ହୋଇଥିଲା ଏବଂ ଆଧୁନିକ ସମୟରେ ମଧ୍ୟ ଉଉରୋପୀୟ ପୋତମାନଙ୍କୁ ସେହିପରି ଖଟୁଅଛି । ଅନ୍ୟାନ୍ୟ ବୃହତ୍‌ ଆଗ୍ନେୟଶୃଙ୍ଗ ସହିତ ତୁଳନାରେ ଷ୍ଟ୍ରମ୍ବୋଲି ଅତ୍ୟନ୍ତ ନିକୃଷ୍ଟ ଅଟେ । ପ୍ରକୃତିର ନିୟମ, ଏହି କ୍ଷୁଦ୍ର ସର୍ପର ବିଷ ଉତ୍କଟତର । କ୍ଷୁଦ୍ର ଆଗ୍ନେୟ ଶୃଙ୍ଗର ଉତ୍ପାତ ଭୀଷଣତର । ଆଣ୍ଡିଜ୍‌ ପର୍ବତର ଉଚ୍ଚ ଶୃଙ୍ଗମାନ ଆଗ୍ନେୟ ଅଟନ୍ତି; ମାତ୍ର ସେମାନଙ୍କର ଉତ୍ପାତ ବହୁଦିନରେ ଥରେ ଲେଖାଏଁ ହୁଏ ।

 

ଆଣ୍ଡିଜ୍‌ ପର୍ବତର ଅଗ୍ନ୍ୟୁପାତ ଅତି ବିସ୍ମୟକର । ଉତ୍ପାତବେଳେ ଶିରଃସ୍ଥିତ ତୁଷାରରାଶି ତରଳ ହୋଇଯାଏ । ଉପଳ ଓ ତୁଷାରଖଣ୍ଡ ମିଶ୍ରିତ ବେଗବାନ୍‌ ସ୍ରୋତ ଭୟଙ୍କର ଶବ୍ଦରେ ପତିତ ହୋଇ ପ୍ରଶାନ୍ତ ମହାସାଗରର ନୀଳ ଲହରୀମାନଙ୍କୁ ପ୍ରତିଘାତ କରେ । ଆଗ୍ନେୟ ଶୃଙ୍ଗର ଉଜ୍ଜ୍ୱଳ ଛବି ସାଗର ବକ୍ଷକୁ ଉଜ୍ଜ୍ୱଳ କରେ ।

 

ଦୂରରୁ ଦେଖିଲେ ଆଗ୍ନେୟ ପର୍ବତ ଧୂମୋଦ୍‌ଗାରି-ସୂଚୀବତ୍‌ ପ୍ରତିଭାତ ହୁଏ । ସମୀପକୁ ଗଲେ ସେଥିରୁ ଭୟଙ୍କର ଓ ଉତ୍କଟ ମୂର୍ତ୍ତି ହୃତ୍‌କମ୍ପ ଉପୁଜାଇ ଦିଏ । ଉଷ୍ଣବାଷ୍ପରେ ଶ୍ୱାସରୋଧ ହେବାର ଆଶଙ୍କା ହେଉଥାଏ । ଗ୍ରୀଷ୍ମରେ ଦେହ ଜଳିଗଲାପ୍ରାୟ ବୋଧହୁଏ । ଶୃଙ୍ଗମୁଖ ରୈାରବ ମୁଖପ୍ରାୟ ଦିଶେ । ଓରିଜାବା ନାମକ ଆମେରିକାରେ ଗୋଟିଏ ଭୟଙ୍କର ଆଗ୍ନେୟ ଶୃଙ୍ଗ ଅଛି । ତାହାର ମୁଖପରିମାଣ ପ୍ରାୟ ୧୩,୦୦୦ ହସ୍ତ ହେବ । ସେହି ମୁଖ ଭିତରକୁ ଅନାଇଲହେ ଗର୍ଭରେ କେଉଁଠାରେ ହ୍ରଦ, କେଉଁଠାରେ ନିବିଡ଼ ଅରଣ୍ୟ ଲକ୍ଷିତ ହୁଏ ।

 

ମେକ୍‌ସିକୋ ଦେଶରେ ପପୋକାଟାପିଟଲ୍‌ ନାମକ ଗୋଟିଏ ଆଗ୍ନେୟ ଶୃଙ୍ଗ ଅଛି । ଏହି ଶୃଙ୍ଗ ପ୍ରଶାନ୍ତ ଓ ଆଟ୍‌ଲାଣ୍ଟିକ ମହାସାଗର ଉଭୟର ମଧ୍ୟବର୍ତ୍ତୀ । ଉଭୟ ସାଗରବାହୀ ନାବିକମାନଙ୍କର ଦୃଷ୍ଟିଗୋଚର ହୁଏ । ଏହି ପର୍ବତମୁଖର ବ୍ୟାସ ପ୍ରାୟ ୫,୦୦୦ ଫିଟ୍‌ । ସଂପ୍ରତି ଏଥିରେ ଆଉ ଅଗ୍ନ୍ୟୁତ୍ପାତ ହେଉ ନାହିଁ । ଏହି ଗିରିର ଶିଖର ତୁଷାରାବୃତ ଅଟେ । ଏହାର ଗର୍ଭରେ ଗଭୀରତା ପ୍ରାୟ ୧୦୦୦ ଫିଟ୍‌ । ମେକ୍‌ସିକୋବିଜୟୀ କରଟେଜ ବାରୁଦ ସରିଯିବାରୁ ଏହି ପର୍ବତରୁ ଗନ୍ଧକ ଆହରଣ କରିଥିଲେ ।

 

ମାସୟା ନାମକ ଆଗ୍ନେୟଗିରିର ଗର୍ଭ ଆହୁରି ଭୟଙ୍କର । ଜଣେ ପର୍ଯ୍ୟଟକ ଲେଖିଛନ୍ତି, ଏହାର ଗର୍ଭ ଏତେ ପ୍ରଶସ୍ତ ଯେ, ତହିଁରେ ସହସ୍ର ଲୋକଙ୍କ ଆଗରେ ଏକ ଶତ ଅଶ୍ୱାରୋହୀ ଅବଲୀଳାକ୍ରମେ ଘୋଡ଼ା ଦୈାଡ଼ାଇ ପାରିବେ । ଆମେରିକାର ଆଦିମ ନିବାସୀମାନେ ଏହାର ଭୟାବହ ଅଗ୍ନ୍ୟୁଦ୍‌ଦମନ ଦେଖି ଏହାକୁ ନରକବିଶେଷ ମଣିଥିଲେ ।

 

ଜାବାଦ୍ୱୀପରେ ଅନେକ ଆଗ୍ନେୟ ପର୍ବତ ଅଛି । ସେମାନଙ୍କର ଭୀଷଣତା ହେତୁରୁ ତତ୍ରତ୍ୟ ଲୋକ ଜାବାଦ୍ୱୀପକୁ ବ୍ରହ୍ମାଣ୍ଡବିନାଶକାରୀ ରୁଦ୍ରରୂପୀ ମହାଦେବଙ୍କର ଅଧିଷ୍ଠାନସ୍ଥଳ ବୋଲି କଳ୍ପନା କରି ସେହି ଗିରିମାନଙ୍କ ଗର୍ଭମଧ୍ୟରେ ଅନେକ ମନ୍ଦିର ନିର୍ମାଣ କରିଥିଲେ । ସମ୍ପ୍ରତି ମଧ୍ୟ କେତେକ ଶିବୋପାସକ ଏହି ପର୍ବତ ସମୀପରେ ବାସକରି ପ୍ରଳୟକାରୀଙ୍କର କୋପଶାନ୍ତି ନିମିତ୍ତ ନାନା ଖାଦ୍ୟଦ୍ରବ୍ୟ ନୈବେଦ୍ୟରୂପେ ଗିରିଗର୍ଭରେ ନିକ୍ଷେପ କରନ୍ତି । ସମୟ ସମୟରେ ତିନିଶଥ ବର୍ଷ ପୂର୍ବେ ଯେତେବେଳେ ଜାପାନ ସାମ୍ରାଜ୍ୟସ୍ଥ ନୂତନ ଖ୍ରୀଷ୍ଟିଆନ୍‌ ସମୁଦାୟ ନିହତ ହେଲେ, ସେତେବେଳେ ସେହି ଧର୍ମାବଲମ୍ବୀମାନଙ୍କ ମଧ୍ୟରୁ ଶତ ଶତ ମନୁଷ୍ୟ ଆନ୍‌ସେନ୍‌ ନାମକ ଆଗ୍ନେୟଗିରିର ଭୈରବ ଗର୍ଭରେ ବଳିସ୍ୱରୂପ ନିକ୍ଷିପ୍ତ ହୋଇଥିଲେ ।

 

ପୃଥିବୀରେ ଏପ୍ରକାର ଅନେକ ଦେଶ ଅଛି,ଯହିଁରେ ଏକସମୟରେ ପ୍ରଚଣ୍ଡ ଅଗ୍ନ୍ୟୁତ୍ପାତ ସଂଘଟିତ ହେଉଥିଲା; ମାତ୍ର ସଂପ୍ରତି ସେଠାରେ ସଂପୂର୍ଣ୍ଣ ଶାନ୍ତି ରାଜତ୍ୱ କରୁଅଛି । ଯେଉଁ ସ୍ଥାନରେ ଭୟଙ୍କର ତରଳାଗ୍ନିସ୍ରୋତ ପ୍ରବାହିତ ହେଉଥିଲା, ବର୍ତ୍ତମାନ ସେଠାରେ ଉଦ୍ଭିଜ୍ଜଲକ୍ଷ୍ମୀ ଉଜ୍ଜ୍ୱଳ ଶ୍ୟାମଳବସନ ଧାରଣ କରି ଜନମନ ହରଣ କରୁଅଛି । ଯେଉଁ ଭୀଷଣ ପର୍ବତମାନ ପୂର୍ବକାଳରେ ଅଗ୍ନିରାଶି ଉଦ୍‌ବମନ କରି ନିକଟସ୍ଥ ନଗରୀ ଓ ପଲ୍ଲୀମାନଙ୍କର ବିନାଶସାଧନ କରୁଥିଲା, ସମ୍ପ୍ରତି ସେମାନଙ୍କର ଗର୍ଭରେ ଶ୍ୟାମଳ ଦୂର୍ବାଦଳ ପରିବର୍ଦ୍ଧିତ ହଉଅଛି । ଫ୍ରାନ୍‌ସଦେଶୀୟ ପର୍ବତମାନଙ୍କ ମଧ୍ୟରେ ଏପରି ଦୃଶ୍ୟ ନେତ୍ରଗୋଚର ହୁଏ । ବର୍ତ୍ତମାନ ଧରାପୃଷ୍ଠରେ ଅନେକ ପ୍ରଚଣ୍ଡ ଆଗ୍ନେୟଗିରି ଅଛି । ତହିଁରୁ ଯେ ନିତ୍ୟ ଅଗ୍ନି ଉଦ୍‌ଦମିତ ହୁଏ ଏମନ୍ତ ନୁହେ, ମଧ୍ୟେ ମଧ୍ୟେ ସେମାନଙ୍କର ଭୟଙ୍କର ଉତ୍ପାତ ଘଟିଥାଏ । ବିଖ୍ୟାତ ଭୂତତ୍ତ୍ୱବିତ୍ ହମ୍ବୋଲଟ୍‌ ସାହେବ ଏପରି ୨୨୩ ଗୋଟି ପର୍ବତର ଉଲ୍ଲେଖ କରିଅଛନ୍ତି । ପୁଣି କହନ୍ତି ଯେ ପୃଥିବୀରେ ସର୍ବସୁଦ୍ଧା ୨୭୦ ଗୋଟି ଅଗ୍ନି ଉଦ୍‌ବମନକାରୀ ପର୍ବତ ଅଛି ।

 

ଅଗ୍ନ୍ୟୁତ୍ପାତର ଆରମ୍ଭ ସମୟରେ ପର୍ବତକମ୍ପକାରୀ ଭୀଷଣ ଗର୍ଜନଶବ୍ଦ କର୍ଣ୍ଣକୁ ବଧିର କରେ । ଅଳ୍ପକାଳ ଉତ୍ତାରେ ଆକାଶ ଧୂମ, ଭସ୍ମ, ଅଗ୍ନି ଓ ବୃହତ୍‌ ଅଗ୍ନିମୟ ଶିଳାରାଶିରେ ପରିବ୍ୟାପ୍ତ ହୁଏ । ୧୫୩୩ ଖ୍ରୀଷ୍ଟାବ୍ଦରେ ଆମେରିକାସ୍ଥ କଟୋପାକ୍‌ସି ପର୍ବତର ଯେଉଁ ଉତ୍ପାତ ହୋଇଥିଲା, ତହିଁରେ ପ୍ରାୟ ୩୫୦୦ ଘନଫୁଟ ଆୟତନର ପ୍ରସ୍ତର ଗିରିଗର୍ଭରୁ ଅନ୍ତରୀକ୍ଷକୁ ନିକ୍ଷିପ୍ତ ହୋଇଥିଲା-। ଅଗ୍ନ୍ୟୁତ୍ପାତ ସମୟରେ ଭୀଷଣ ତରଳ ଧାତୁସ୍ରୋତ ଚାରିଆଡ଼େ ପ୍ରବାହିତ ହୋଇ ଅଗ୍ନିମୟ ପ୍ରବାହାରୂପେ ପ୍ରତୀୟମାନ ହୁଏ ।

 

ଗଳିତ ଧାତୁସ୍ରୋତ ଉଚ୍ଚ ପର୍ବତସମୂହର ନଳିବାଟେ ଅନାୟାସରେ ଆସିପାରେ ନାହିଁ; କାରଣ ସେଥିପାଇଁ ଅପରିମେୟ ବେଗ ଓ ବଳର ପ୍ରୟୋଜନେ ହୁଏ । ଏଣୁ ଅନେକ ଉଚ୍ଚ ପର୍ବତରେ ଦେଖାଯାଏ ଯେ, ଧାତୁସ୍ରୋତ ପର୍ବତପାର୍ଶ୍ୱ ଭେଦକରି ଅଭିନବ ଆଗ୍ନେୟଶୃଙ୍ଗ ଉତ୍ପାଦନ କରିଦିଏ । ଏଟ୍‌ନା ପର୍ବତର ପାର୍ଶ୍ୱଦେଶରେ ଏପରି ଅନେକଗୁଡ଼ିଏ ଆଗ୍ନେୟଗିରି ଦୃଷ୍ଟିଗୋଚର ହୁଏ । ଏମାନଙ୍କର ଅଗ୍ନ୍ୟୁତ୍ପାତ ଭୀଷଣତା ନ୍ୟୂନ ନୁହେଁ । ଏହି ପର୍ବତର ଉତ୍ପାତରେ ହର୍‌କୁଲେନିୟମ୍‌ ଓ ପମ୍ପିଝାଇ ନାମ୍ନୀ ଦୁଇଗୋଟି ସମୃଦ୍ଧିଶାଳୀ ନଗରୀ ବିଲୁପ୍ତ ହୋଇଥିଲା । ଏହି ପ୍ରୋତ୍‌ଥିତ ନଗଦୀଦ୍ୱୟ ସମ୍ପ୍ରତି ଆବିଷ୍କୃତ ହୋଇଅଛି । କେତେ କେତେବେଳେ ଦେଖାଯାଏ ଯେ, ଗଳିତ ଧାତୁସ୍ରୋତ ପର୍ବତମୁଖରୁ ବାହାରି ଉପତ୍ୟକା ମଧ୍ୟରେ ଅତି ସୁରମ୍ୟ ମାର୍ଗମାନ ପ୍ରସ୍ତୁତ କରିଦିଏ, ମାତ୍ର ଏହା ସର୍ବତ୍ର ଅଥବା ସର୍ବଦା ଦୃଷ୍ଟିଗୋଚର ହୁଏନାହିଁ ।

 

ଅଗ୍ନ୍ୟୁତ୍ପାତ ସମୟରେ କେତେକ ଆଗ୍ନେୟଗିରିରୁ ରାଶି ରାଣି କର୍ଦ୍ଦମ ଓ ମତ୍ସ୍ୟ ନିର୍ଗତ ହେବାର ଦେଖାଯାଏ । ବୋଧହୁଏ ଆଗ୍ନେୟଗିରିର ନଳିସଙ୍ଗରେ କୈାଣସି ଗୁପ୍ତ ଜଳହ୍ରଦର ସଂଯୋଗ ଥିବାରୁ ଏପରି ଘଟିଥାଏ । ସମୁଦ୍ରମଧ୍ୟରେ ସୁଦ୍ଧା ଅନେକ ଆଗ୍ନେୟଗିରି ଅଛି । ବୋଧହୁଏ ସାମୁଦ୍ରିକ ଅଗ୍ନ୍ୟୁପାତ ଦେଖି ପ୍ରାଚୀନ ହିନ୍ଦୁଗ୍ରନ୍ଥକର୍ତ୍ତାମାନେ ପୁରାଣସମୂହରେ ବଡ଼ବାଗ୍ନିର ଉଲ୍ଲେଖ କରିଥିଲେ । ଖ୍ରୀଷ୍ଟୀୟ ୧୮୬୬ ସାଲରେ ଗ୍ରୀସୀୟ ଦ୍ୱୀପପୁଞ୍ଜର ନିକଟବର୍ତ୍ତୀ ସଣ୍ଟେରିନ୍‌ ଉପସାଗରରେ ଗୋଟିଏ ଭୟଙ୍କର ଅଗ୍ନ୍ୟୁତ୍ପାତ ଘଟିଥିଲା । ସେହି ଉତ୍ପାତ ଉତ୍ତାରେ ୧୦୦୦ ଫିଟ୍ ପରିଧିବିଶିଷ୍ଟ ଗୋଟିଏ ନୂତନ କ୍ଷୁଦ୍ର ଦ୍ୱୀପ ଦୃଷ୍ଟିଗୋଚର ହେଲା ।

 

ଅଗ୍ନ୍ୟୁତ୍ପାତର କାରଣ ବିଷୟରେ ଅନେକ ବିଭିନ୍ନ ମତ ପ୍ରଚାରିତ ହୋଇଅଛି । ଆମ୍ଭେମାନେ ତନ୍ମଧ୍ୟରୁ କେତୋଟି ନିମ୍ନରେ ଉଦ୍ଧୃତ କରୁଅଛୁଁ ।

 

ଅଷ୍ଟାଦଶ ଶତାବ୍ଦୀରେ ପଣ୍ଡିତମାନଙ୍କର ବିଶ୍ୱାସ ଥିଲା ଯେ, ଆଗ୍ନେୟ ପର୍ବତର ଗର୍ଭରେ ଗନ୍ଧକ ଓ ଲୈାହ ଅଛି । ଯେତେବେଳେ ଗନ୍ଧକ ଓ ଲୈାହରୂର୍ଣ୍ଣ ଜଳ ସଙ୍ଗେ ମିଶି ରାସାୟନିକ ବଳର ଅଧୀନ ହୁଏ, ସେତେବେଳେ ଅଗ୍ନ୍ୟୁତ୍ପାତ ସଂଘଟିତ ହୁଏ । ସର୍‌ ହମ୍ପ୍ର ଡ଼େଭି ନାମରେ ଜଣେ ପ୍ରସିଦ୍ଧ ପଣ୍ଡିତ ସ୍ଥିର କରିଥିଲେ ଯେ, ଆଗ୍ନେୟଗିରି ଗର୍ଭରେ ପୋଟାସିୟମ୍‌ ଏବଂ ସୋଡ଼ିୟମ୍‌ ନାମକ ଦୁଇଗୋଟି ପଦାର୍ଥ ଅଛି । ଏମାନଙ୍କୁ ସଙ୍ଗରେ ଜଳ ମିଶ୍ରିତ ହେଲେ ରାସାୟନିକ କାର୍ଯ୍ୟଦ୍ୱାରା ଅଗ୍ନି ସମୁତ୍ପାଦିତ ହୁଏ ।

 

ଆଧୁନିକ ଅନୁସନ୍ଧାନଦ୍ୱାରା ଉପରଲିଖିତ ମତ-ସମୁଦାୟ ଅପ୍ରାକୃତ ବୋଲି ପ୍ରମାଣିତ ହୋଇଅଛି । ଆଧୁନିକ ଭୂତତ୍ତ୍ୱବିତ୍‌ମାନେ ସ୍ଥିର କରିଅଛନ୍ତି ଯେ,ପୃଥିବୀର କୈନ୍ଦ୍ରିକ ଅଗ୍ନି ଅତିରିକ୍ତ ଅଗ୍ନିମୟ ପଦାର୍ଥକୁ ବାହାରକୁ ନିକ୍ଷେପ କରିବା ନିମନ୍ତେ ଚେଷ୍ଟା କରିବାରୁ ଅଗ୍ନ୍ୟୁତ୍ପାତ ସଂଘଟିତ ହୁଏ । ଭୂମିକମ୍ପ ମଧ୍ୟ ଏହି ହେତୁରୁ ଘଟିଥାଏ ।

Image

 

ଜଳରାଶି

 

ଏହା ପୃଥିବୀର ଜଳରାଶିର ତୁଳନାରେ ସ୍ଥଳପ୍ରଦେଶ କି କ୍ଷୁଦ୍ର, କି ସାମାନ୍ୟ ! ପୃଥିବୀପୃଷ୍ଠର ପ୍ରାୟ ଚାରିଭାଗର ତିନିଭାଗ ସଲିଳ-ସମାଚ୍ଛନ୍ନ । ଅମ୍ବୁରାଶିର ଏହି ଚତୁର୍ଦ୍ଦିଗବ୍ୟାପିତା, କୁମେରୁଠାରୁ ସୁମେରୁ ପର୍ଯ୍ୟନ୍ତ ଏହି ସୁବିଶାଳ ବିସ୍ତାର ଏବଂ ମହାସୁଲଭତା ବିଶ୍ୱବିଧାତାଙ୍କର ମଙ୍ଗଳମୟ ବିଧାନର କି ସୁମହତ୍‌ ଓ ସୁନ୍ଦର ନିଦର୍ଶନ ! ଜୀବରାଜ୍ୟ ଏବଂ ଉଦ୍ଭିଦ୍ରାଜ୍ୟର ଉତ୍ପତ୍ତି ଏବଂ ସ୍ଥିତି ନିମିତ୍ତ ଜଳ ଏକାନ୍ତ ଆବଶ୍ୟକ । ମନୁଷ୍ୟର ଶିଳ୍ପ ବାଣିଜ୍ୟ ପ୍ରଭୃତି କ୍ରିୟାକଳାପରେ ଜଳର ଏକାନ୍ତ ପ୍ରୟୋଜନ । ନଦୀ, ହ୍ରଦ, ସମୁଦ୍ର ରୂପରେ ଏହା ପ୍ରକୃଷ୍ଟପଥରୂପେ ପରିଣତ ହୋଇ ମାନବଜାତିର କି ଅଶେଷ କଲ୍ୟାଣ ସାଧନ କରୁଅଛି ! ଯେଉଁ ମେଘବୃନ୍ଦ ସୂର୍ଯ୍ୟର ଐନ୍ଦ୍ରଜାଲିକ ପ୍ରଭାବରେ ଗଗନ-ଦେଶକୁ ଉତ୍ତୋଳିତ ହୋଇ ଏବଂ ବାୟୁଦ୍ୱାରା ସଞ୍ଚାଳିତ ହୋଇ ନିଦାଘସନ୍ତପ୍ତ ଧରଣୀବକ୍ଷକୁ ବୃଷ୍ଟିଧାରାଦ୍ୱାରା ସୁଶୀତଳ ଏବଂ ସୁଶ୍ୟାମଳ କରେ, ଯେଉଁ ଶିଶିରବିନ୍ଦୁଚୟ ମୁକ୍ତାନିନ୍ଦୀ ରମଣୀୟ ରୂପ ଧାରଣ କରି ପ୍ରଭାତକାଳୀନ ଉଦ୍ଭିଲ୍ଲକ୍ଷ୍ମୀର କଳେବରକୁ ବିମଣ୍ଡିତ କରେ, ଯେଉଁ ତୁଷାରରାଶି ହିମାଳୟାଦି ଅତ୍ୟୁନ୍ନତ ଗିରିଶିଖରମାନଙ୍କର ଶାଶ୍ୱତ ଶୁଭ୍ର ଆଚ୍ଛାଦନରୂପେ ଅନୁପମ ମହିମାରେ ନିତ୍ୟ ବିରାଜିତ,ଯେଉଁ କରକାରାଶି ଶିଳାଖଣ୍ଡ ରୂପେ ମେଘପ୍ରଦେଶରୁ ବର୍ଷିତ ହୋଇ ଆମ୍ଭମାନଙ୍କର କୈାତୂହଳ ଉଦ୍ଦୀପ୍ତ କରେ, ସେ ସମସ୍ତ ଜଳର ରୂପାନ୍ତର ମାତ୍ର । ତୃଣଦଳର ହରିତାୟମାନ ମାଧୁରୀ,ତରୁଲତାମାଙ୍କର ନୟନାଭିରାମ ଓ ବିପୁଳ ହିତକର ପତ୍ର-ପୁଷ୍ପ-ଫଳ-ସମ୍ପଦ, ଶସ୍ୟକ୍ଷେତ୍ରର ପୀତାୟମାନ-ପ୍ରାଣପରି ପୋଷକ ପକ୍ୱ ଶସ୍ୟସମ୍ଭାରର ଉଲ୍ଲାସକର ସମୃଦ୍ଧି ସମସ୍ତ ଜଳର ମହିମା କୀର୍ତ୍ତନ କରୁଅଛନ୍ତି । ଜଳ ମନୁଷ୍ୟୋଦ୍ଭାବିତ ଯନ୍ତ୍ରସଙ୍ଗରେ ସଂଯୋଜିତ ହୋଇ ସହସ୍ର ସହସ୍ର ଲୋକାପେକ୍ଷା ଅଧିକତର କାର୍ଯ୍ୟ ସମାଧନା କରୁଅଛି । ସୂତ୍ରକର୍ତ୍ତନ,ବସ୍ତ୍ରବୟନ, ଶସ୍ୟପେଷଣ, ସ୍ଥଳଯାନ ଓ ଜଳଯାନର ପରିଚାଳନାଦି ସହସ୍ର ସହସ୍ର ବିପୁଳ ବ୍ୟାପାର ଜଳର ସାହାଯ୍ୟରେ ସମ୍ପାଦିତ ହେଉଅଛି ।

 

ଯେଉଁ ଅସୀମ ନୀଳାମ୍ବୁରାଶି ଅବନୀମଣ୍ଡଳକୁ ପରିବେଷ୍ଟନ କରି ମହାସାଗର ନାମରେ ଅଭିହିତ ହେଉଅଛି, ତାହାର ଅନୁପମ ମହୋଦାର ସୈାନ୍ଦର୍ଯ୍ୟମହିମା ଅନୁଧ୍ୟାନ କଲେ କାହାର ହୃଦୟ ବିସ୍ମୟାନନ୍ଦରସରେ ପ୍ଳାବିତ ନ ହେବ ? କାହାର ପ୍ରାଣ ଅପାର୍ଥିବ ମହାଭାବରେ ବିସ୍ଫୋରିତ ନ ହେବ ? କେତେବେଳେ ତାହାର ପ୍ରଭଞ୍ଜନାକୁଳିତ କରାଳ ତରଙ୍ଗୋଚ୍ଛ୍ୱାସର ରୁଦ୍ରମହିମାର ଦର୍ଶନରେ ମନ ଭୟବିହ୍ୱଳ ଏବଂ ସ୍ତମ୍ଭିତ ହୋଇଯାଏ, କେତେବେଳେ ଅବା ତାହାର ନେତ୍ରବିନୋଦନ ସୁନୀଳ ପ୍ରଶାନ୍ତ ସୁବିସ୍ତୀର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର-ତାରାକାଦି ଜ୍ୟୋତିଷ୍କର ମଧୁମୟ ଆଲୋକବିଳାସର ଅନିର୍ବଚନୀୟ ସୈାନ୍ଦର୍ଯ୍ୟ ଅବଲୋକନ କରି ଚିତ୍ତ ଆନନ୍ଦାଦ୍ଭୁତ-ଶାନ୍ତିରସରେ ନିମଗ୍ନ ହୋଇଯାଏ ।

 

ସ୍ଥଳପ୍ରଦେଶ ପରି ସମୁଦ୍ରଗର୍ଭ ମଧ୍ୟ ଉତ୍ତୁଙ୍ଗ ପର୍ବତ ଓ ଅତଳସ୍ପର୍ଶ ଅଗାଧ ଉପତ୍ୟକାନିଚୟ ଦ୍ୱାରା ସମାକୀର୍ଣ୍ଣ ଏବଂ ଆଗ୍ନେୟଗିରିମାନଙ୍କର ଭୀଷଣ ବଡ଼ବାନଳୋତ୍ପାତଦ୍ୱାରା ବିକ୍ଷୋଭିତ । ଏହି ଭୂମଣ୍ଡଳର ମହାପରିଖାରୂପୀ ମହାସାଗର ଯଦି କିୟତ୍‌କାଳ ନିମିତ୍ତ କୈାଣସି ପ୍ରକାରେ ଶୁଷ୍କ ହୋଇଯାନ୍ତା ତାହାହେଲେ କି ପ୍ରକାଣ୍ଡ ବ୍ୟାପାର, କି ଅଦ୍ଭୁତ ଦୃଶ୍ୟ ଆମ୍ଭମାନଙ୍କର ଦୃଷ୍ଟିଗୋଚର ହୁଅନ୍ତା ! କେତେ ପର୍ବତ, କେତେ ଉପତ୍ୟକା, କ୍ଷୁଦ୍ରତମ କୀଟାଣୁଠାରୁ ପ୍ରକାଣ୍ଡ କଳେବର ତିମି ପର୍ଯ୍ୟନ୍ତ କେତେ କେତେ ଜଳଚର ପ୍ରାଣୀ, ଆଣୁବୀକ୍ଷଣିକ ଉଦ୍ଭିଦଠାରୁ ସହସ୍ରପରିମିତ ଆଲଜି ନାମକ ସୁବିଶାଳ ମହାଦ୍ରୁମ ପର୍ଯ୍ୟନ୍ତ କେତେ କେତେ ଉଦ୍ଭିଦ ସମୁଦ୍ର ମଧ୍ୟରେ ଜୀବିତ ରହିଅଛନ୍ତି । ମଣିମୁକ୍ତାପ୍ରବାଳାଦି ଅସଂଖ୍ୟ ରତ୍ନରାଜି ଏହାର ଗର୍ଭମଧ୍ୟରେ ବିରାଜିତ ରହି ଏହାର ରତ୍ନାକର ନାମକୁ ସାର୍ଥକ କରୁଅଛନ୍ତି । ଏ ସମସ୍ତ ବିଷୟ ଚିନ୍ତାକଲେ କାହାର କଳ୍ପନା ଚକିତ ଏବଂ ସ୍ତମ୍ଭିତ ନ ହେବ ?

 

ଓଜନରେ ଅମ୍ଳଜାନ ନାମକ ବାଷ୍ପର ଆଠଭାଗ ଓ ଉଦଜାନ ନାମକ ବାଷ୍ପର ଏକଭାଗ, ଏହି ଉପାଦାନଦ୍ୱୟର ସଂଯୋଗରେ ଜଳ ଉତ୍ପନ୍ନ ହୁଏ; କିନ୍ତୁ ଏହା ଏକ ଅଦ୍ଭୁତ ବ୍ୟାପାର ଯେ, ଉଦଜାନ ଅତ୍ୟନ୍ତ ଦାହ୍ୟ ପଦାର୍ଥ ଏବଂ ଅମ୍ଳଜାନ ଜ୍ୱଳନକ୍ରିୟାର ଏକାନ୍ତ ପରିପୋଷକ ହେଲେହେଁ ସେ ଦୁହିଁଙ୍କର ସଂଯୋଗୋତ୍ପାଦିତ ଜଳ ଅଗ୍ନିର ନିର୍ବାପକ ଅଟେ ।

 

ବିଶୁଦ୍ଧ ଜଳ ସଂପୂର୍ଣ୍ଣ ରୂପେ ବର୍ଣ୍ଣ ଗନ୍ଧ ସ୍ୱାଦବିହୀନ; କିନ୍ତୁ ସେପରି ଜଳ ଏକାନ୍ତ ଦୁର୍ଲ୍ଲଭ-। ପୃଥିବୀସ୍ଥ ଜଳ ଅନ୍ତରୀକ୍ଷ ଏବଂ ଭୂଦେହରୁ ନାନା ଉପାଦାଦ ଗ୍ରହଣ କରି ବର୍ଣ୍ଣ-ଗନ୍ଧ-ସ୍ୱାଦଯୁକ୍ତ ହୁଏ ।

 

ଭୂମଣ୍ଡଳର ସଳିଳରାଶି ମଧୁର ବା ଲବଣାକ୍ତ । ନଦୀ ଏବଂ ଅଧିକାଂଶ ହ୍ରଦ ଓ ପ୍ରସ୍ରବଣର ଜଳ ଲବଣବିରହିତ ହେବାରୁ ପାନୀୟରୂପେ ବ୍ୟବହାରୋପଯୋଗୀ ଅଟେ । ମଧୁର ଜଳ ଅପେକ୍ଷା ଲବଣ ଜଳର ପରିମାଣ ଅତ୍ୟଧିକ ଅଟେ । ମହାସାଗର ଛଡ଼ା କତିପୟ ହ୍ରଦ ଓ ପ୍ରସ୍ରବଣରେ ମଧ୍ୟ ଲବଣ ଦ୍ରବୀଭୂତ ରହିଅଛି । ଶତଭାଗ ସମୁଦ୍ରଜଳରେ ସାଢେତିନିଭାଗ ଲବଣ ଥିବାର ଦେଖାଯାଏ । ଏହି ହେତୁରୁ ବିଶୁଦ୍ଧ ଜଳ ଅପେକ୍ଷା ସମୁଦ୍ରଜଳ ଭାରୀ ଏବଂ ନୈାଚାଳନା ନିମିତ୍ତ ଅଧିକତର ଉପଯୋଗୀ । ସମୁଦ୍ରଜଳର ଲବଣାକ୍ତତା ସର୍ବତ୍ର ସମାନ ନୁହେଁ । ବୃହତ୍‌ ନଦୀମାନଙ୍କର ସଙ୍ଗମସ୍ଥଳରେ,ବହୁଳବୃଷ୍ଟି ନିରକ୍ଷବୃତ୍ତ ନିକଟସ୍ଥ ପ୍ରଦେଶରେ, ଗଳିତ ତୁଷାରାକୁଳିତ ମେରୁସନ୍ନିହିତ ଅଞ୍ଚଳରେ ସମୁଦ୍ରଜଳର ଲବଣତା ଅପେକ୍ଷାକୃତ ଅଳ୍ପ ।

 

ସମୁଦ୍ରଜଳ ସୂର୍ଯ୍ୟର ଉତ୍ତାପ ଏବଂ ପବନର ଅଭିଘାତ ଯୋଗୁଁ ସର୍ବଦା ଚଞ୍ଚଳ ଏବଂ ପ୍ରବାହାନ୍ୱିତ ଏବଂ ଚନ୍ଦ୍ର ଓ ସୂର୍ଯ୍ୟର ଆକର୍ଷଣ ହେତୁରୁ ବିଶେଷତଃ ଚନ୍ଦ୍ରର ଆକର୍ଷଣଦ୍ୱାରା ପ୍ରତ୍ୟହ ସ୍ଫୀତ ହୁଏ । ଏହି ସ୍ଫୀତିଦ୍ୱାରା ଜୁଆର ସଂଘଟିତ ହୁଏ ।

Image

 

ଜଳପ୍ରପାତ

 

ନଦୀ, ନିର୍ଝର ପ୍ରଭୃତି ପ୍ରବାହିତ ଜଳରାଶିର ଯେତେଗୁଡ଼ିଏ ଆକାର ଅଛି, ସେଥିମଧ୍ୟରେ ଜଳପ୍ରପାତ ଅନ୍ୟତମ ଅଟେ । ପର୍ବତ କିମ୍ବା ଉଚ୍ଚଭୂମିରେ ଯେଉଁ ଜଳରାଶି ସଞ୍ଚିତ ହୋଇଥାଏ,ତାହା ଏକ କିମ୍ବା ବହୁଧାରାରେ ନିମ୍ନଦେଶକୁ ପ୍ରବାହିତ ହୁଏ । ଏହି ପ୍ରବାହ ସବୁ କୈାଣସି ଉନ୍ନତ ପାଷାଣତଟରେ ଉପନୀତ ହେଲେ ତାହା ଲମ୍ପପ୍ରଦାନପୂର୍ବକ ନିମ୍ନଦେଶକୁ ଅବତରଣ କରେ । ଜଳପ୍ରବାହର ଏହି ନୈସର୍ଗିକ ଅବତରଣକୁ ଲୋକେ ଜଳପ୍ରପାତ କହନ୍ତି ।

 

ଉତ୍ତର ଆମେରିକାର ଭୁବନପ୍ରସିଦ୍ଧ ନଏଗ୍ରା ନାମକ ମହାଜଳପ୍ରପାତ ଅଣ୍ଟେରିଓ ଏବଂ ଇରାଲ ନାମକ ହ୍ରଦଦ୍ୱୟର ମଧ୍ୟବର୍ତ୍ତୀ । ନାଏଗ୍ରା ଅଣ୍ଟେରିଓ ହ୍ରଦରୁ ପ୍ରବାହିତ ହୋଇ ଇରାଇ ହ୍ରଦରେ ପତିତ ହୋଇଅଛି । ସେହି ନଦୀ ଉତ୍ପତ୍ତି-ସ୍ଥାନରୁ କେତେକ ଦୂର ଯାଇ ଦୁଇଗୋଟି ଶାଖାରେ ବିଭକ୍ତ ହେଇଅଛି ;ସେହି ଦୁଇଗୋଟି ଶାଖା ଗୋଟିଏ ଗଭୀର ପର୍ବତଗହ୍ୱରରେ ପତିତ ହେଉଅଛି । ଏକ ଶାଖାର ପତନର ଉଚ୍ଚତା ୧୬୪ ଫିଟ୍‌ ଏବଂ ଅନ୍ୟଟିର ୧୫୦ ଫିଟ୍‌ ଅଟେ; ପ୍ରତି ମିନିଟ୍‌ରେ ଏହି ଜଳପ୍ରପାତରୁ ୧,୮୦,୦୦,୦୦୦ (ଏକ କୋଟି ଅଶୀ ଲକ୍ଷ) ଘନଫୁଟ ଜଳ ପ୍ରପାତିତ ହେଉଅଛି । ନାଏଗ୍ରା ଜଳପ୍ରପାତରେ ଏହି ବିପୁଳ ଅମ୍ବୁରାଶିର ଅହରହ ପତନର ବଜ୍ରନାଦଜିଣାକୋଳାହଳ, ତାହାର ସୁଦୂରବ୍ୟାପୀ ଘୋର ଭୈରବ ଦୃଶ୍ୟ ଯେ କେଡ଼େ ଅଦ୍ଭୁତ, କେଡ଼େ ବୈଚିତ୍ର୍ୟମୟ ତାହା ବାକ୍ୟଦ୍ୱାରା ବର୍ଣ୍ଣିତ ହୋଇନାପାରେ । ସେହି ଉତ୍ତାଳ କଲ୍ଲୋଳମୟ ଅପାର ଜଳରାଶିର ଘାଦପ୍ରତିଘାତଜନିତ ଭୂକମ୍ପ,ସେଥିରୁ ସ୍ତମ୍ଭାକାରରେ ଉତ୍‌ଥିତ ମହାଶୁଭ୍ରାଲୋକ ଶିଖାସଦୃଶ ଅନ୍ତରୀକ୍ଷଭେଦୀ ଶୀକରରାଶି,ସୂର୍ଯ୍ୟକିରଣ ସମ୍ପାତଦ୍ୱାରା ରଚିତ ସହସ୍ର ସହସ୍ର ନାନା ଜ୍ୟୋତିର୍ମୟ ବର୍ଣ୍ଣଭାସ୍ୱର ଇନ୍ଦ୍ରଧନୁମାନଙ୍କର ନୟନଧର୍ଷଣ ପ୍ରଭା ଦର୍ଶକର ବୁଦ୍ଧି ଓ ହୃଦୟକୁ ଏକାବେଳକେ ସ୍ତମ୍ଭିତ କରିଦିଏ ।

 

ଆମ୍ଭମାନଙ୍କର ଏହି ଉତ୍କଳ ପ୍ରଦେଶରେ ମଧ୍ୟ କ୍ଷୁଦ୍ର ବୃହତ୍‌ ଅନେକଗୁଡ଼ିଏ ଜଳପ୍ରପାତ ଅଛି । ସେଥିମଧ୍ୟରୁ ବାମଣ୍ଡା ରାଜ୍ୟର ରାଜଧାନୀ ଦେବଗଡ଼ ନଗରର ସନ୍ନିହିତ ପଞ୍ଚଖଣ୍ଡାଗିରିର ସୀମନ୍ତରୂପିଣ୍ଡୀ ପ୍ରଧାନପାଟ ନାମ୍ନୀ ନିର୍ଝରିଣୀ ସର୍ବାଗ୍ରଗଣ୍ୟ ଅଟେ । ଉକ୍ତ ପ୍ରପାତ ପ୍ରାୟ ୭୦ ହସ୍ତ ଉର୍ଦ୍ଧ୍ୱରୁ ଘୋର-ଗମ୍ଭୀର-ଗଦ୍‌ଗଦ-ମନ୍ଦ-ନାଦ ସହକାରେ ଅବତରଣ ପୂର୍ବକ ନିମ୍ନସ୍ଥ ବୃହତ୍‌ ଶିଳାଖଣ୍ଡମାନଙ୍କୁ ଆଘାତ କରି ନିତ୍ୟ ପ୍ରବାହିତ ହେଉଅଛି । ଗିରିଶିଖର ଖସିପଡ଼ୁଥିବା ପ୍ରବାହ ଉପରେ ସୈାରଣଶ୍ମି ପ୍ରତିଫଳିତ ହେଲାବେଳେ ଶତ ଶତ ପରମସୁନ୍ଦର ଇନ୍ଦ୍ରଧନୁ ଦିବ୍ୟଶୋଭାରେ ଉଦ୍ଭାସିତ ହେବାର ଦେଖାଯାଏ ।

 

ଏହି ନିର୍ଝରିଣୀର ଚତୁଷ୍ପାର୍ଶ୍ୱର ଏବଂ ପ୍ରୋକ୍ତ ଗିରିଶିଖରର ଛବି ଏକାନ୍ତ ରମଣୀୟ । ଛାୟାପ୍ରଦ ସୁରଭିକୁସୁମମଣ୍ଡିତ ନାନା ଦ୍ରୁମଲତାପୂର୍ଣ୍ଣ ନିକୁଞ୍ଜର ଶୋଭା, ବିବିଧ ବିହଙ୍ଗକାକାଳିର ମାଧୁରୀ ଏବଂ ସମଗ୍ର ସ୍ଥଳୀର ଶାନ୍ତିରସାସ୍ପଦେ ମଧୁର ଗମ୍ଭୀର ପ୍ରଭାବ ଉପଲବ୍‌ଧି କଲେ ହୃଦୟ ଅପାର ଆନନ୍ଦ ଓ ଶାନ୍ତିରସରେ ନିମଗ୍ନ ହୁଏ । ବାମଣ୍ଡାର ପୂର୍ବତନ ସ୍ୱନାମଧନ୍ୟ ରାଜା ଶ୍ରୀ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ଏହି ରମଣୀୟ ପ୍ରଦେଶରେ ‘ବସନ୍ତ-ନିବାସ’ ନାମକ ନିକେତନ ନିର୍ମାଣ କରି ତାହାଙ୍କର ଦିବ୍ୟ ଶୋଭାନୁଭାବକତାର ପରିଚୟ ଦେଇଅଛନ୍ତି ।

 

ପ୍ରାକୃତିକ ଜଗତରେ ଜଳପ୍ରପାତ ଦୁଇଗୋଟି କାର୍ଯ୍ୟକରେ; ତାହା ନିଜର ପ୍ରବାହଦ୍ୱାରା ଉପରିସ୍ଥିତ ମୃତ୍ତିକା, ପ୍ରସ୍ତର, ଧାତବଦ୍ରବ୍ୟ ଏବଂ ଅନ୍ୟାନ୍ୟ ଅନେକ ପ୍ରକାର ବସ୍ତୁ ନିମ୍ନପ୍ରଦେଶକୁ ବହନ କରି ଆଣେ ଏବଂ ଅହରହ ପତନଦ୍ୱାରା ପର୍ବତଗାତ୍ରରେ ଗଭୀର ଗହ୍ୱରମାନ ଖୋଦିତ କରେ । ଏହି ପ୍ରକାର ଭୂପୃଷ୍ଠର କ୍ଷୟ ଓ ଉପଚୟ ଉଭୟେ କାର୍ଯ୍ୟ ସାଧିତ ହୁଏ ।

Image

 

ମହାପୁରୁଷ ମହମ୍ମଦ

 

ମହମ୍ମଦ ଯେଉଁ ଦେଶରେ ଜନ୍ମଗ୍ରହଣ କରିଥିଲେ ତାହା ଆରବ ନାମରେ ପ୍ରସିଦ୍ଧ । ହିବ୍ରୁଭାଷାରେ ଆରବ ନାମରେ ପ୍ରସିଦ୍ଧ । ହିବ୍ରୁଭାଷାରେ ଆରବ ଶବ୍ଦର ଅର୍ଥ ମରୁ-ପ୍ରାନ୍ତର । ବସ୍ତୁତଃ ଆରବ ଅନୁଚ୍ଚ ଗିରିମାଳାସମାକୀର୍ଣ୍ଣ ପ୍ରକାଣ୍ଡ ଭୟାବହ ମରୁକ୍ଷେତ୍ର ଅଟେ । ଚାରିଆଡ଼େ ତରୁଲତାଶୂନ୍ୟ-ବାଲୁକାମୟ ଘୋର ମରୁସ୍ଥଳୀ ଭୀଷଣ ମହିମାରେ ବିରାଜିତ । ସର୍ବତ୍ର ପ୍ରକୃତି କରାଳ ମୂର୍ତ୍ତି ଧାରଣ କରି ପଥିକଚିତ୍ତରେ ମହାତ୍ରାସ ଜନ୍ମାଉଅଛି । ଏହି ମହାମରୁ ମଧ୍ୟରେ ଯେଉଁଠାରେ ପାଷାଣପର୍ବତଗାତ୍ରରୁ କରୁଣାରୂପିଣୀ ନିର୍ଝରିଣୀ ପ୍ରବାହିତ ହେଉଅଛି, ସେହି ସ୍ଥାନମାନଙ୍କରେ ସୁଶ୍ୟାମଳ ତୃଣାଚ୍ଛାଦିତ ଉର୍ବର ଭୂଖଣ୍ଡମାନ ଶ୍ରାନ୍ତ ପିପସାର୍ତ୍ତ ପଥିକମାନଙ୍କର ଘୋର କ୍ଲେଶକୁ କଥଞ୍ଚିତ୍‌ ହରଣ କରେ ।

 

୫୭୦ଖ୍ରୀଷ୍ଟାବ୍ଦରେ ରବିଓଲ୍‌ ଅଉଏଲ୍‌ ନାମକ ମାସର ଦ୍ୱାଦଶ ଦିବସରେ (ଅଗଷ୍ଟ ମାସ ୨୯ ତାରିଖ) ମହାପୁରୁଷ ମହମ୍ମଦ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମର ପ୍ରାୟ ଛଅମାସ ପୂର୍ବେ ତାଙ୍କ ପିତା ଅବଦୁଲ୍ଲାଙ୍କର ପରଲୋକପ୍ରାପ୍ତି ହୋଇଥିଲା ଏବଂ ପ୍ରାୟ ଛଅ ବର୍ଷପରେ ତାଙ୍କ ଜନନୀ ଅମିନାଙ୍କର ମୃତ୍ୟୁ ଘଟିଲା । ପିତୃମାତୃହୀନ ମହମ୍ମଦ ଶୈଶବ କାଳରେ ପିତାମହ ଅବଦୁଲ୍‌ ମୋତାଲେବ୍‌ଙ୍‌କ ଯତ୍ନରେ ପ୍ରତିପାଳିତ ହୋଇଥିଲେ । ଏ ଘଟନାର ଦୁଇବର୍ଷପରେ ପିତାମହ ଆପଣାର ମୃତ୍ୟୁ ଆସନ୍ନ ଜାଣି ନିଜ ଜ୍ୟେଷ୍ଠପୁତ୍ର ଆବୁତାଲେବ୍‌ଙ୍କ ହସ୍ତରେ ମହମ୍ମଦଙ୍କର କ୍ଷୁଦ୍ର ହସ୍ତ ଅର୍ପଣ କରି ଅନାଥ ବାଳକକୁ ପୁତ୍ରନିର୍ବିଶେଷରେ ପାଳନ କରିବାକୁ କହି ମହାନିଦ୍ରାରେ ନୟନ ମୁଦ୍ରିତ କଲେ ଏବଂ ସେହି ସମୟରୁ ମହମ୍ମଦ ଜ୍ୟେଷ୍ଠତାତଙ୍କ ଯତ୍ନରେ ପ୍ରତିପାଳିତ ହେଲେ । ଦ୍ୱାଦଶ ବର୍ଷ ବୟସରେ ଆବୁତାଲେବ୍‌ ମହମ୍ମଦଙ୍କୁ ସଙ୍ଗରେ ଘେନି ବାଣିଜ୍ୟାର୍ଥ ସିରିଆଦେଶକୁ ଯାତ୍ରାକଲେ । ମାର୍ଗରେ ନାନା ନୂତନ ଦୃଶ୍ୟ ଓ ହିବ୍ରୁମାନଙ୍କର ମହାତୀର୍ଥ ପ୍ରସିଦ୍ଧ ସିନାଇ ପର୍ବତ ଦର୍ଶନ କରି ମହମ୍ମଦ ଆନନ୍ଦ ଓ ନବଜାତ ଭକ୍ତିଭାବରେ ପୁଲକିତ ହେଲେ । ହିନ୍ଦୁଧର୍ମଶାସ୍ତ୍ରରେ ଲିଖିତ ଅଛି ଯେ, ପ୍ରାଚୀନକାଳରେ ପରାତ୍ପର ପରମେଶ୍ୱର ବଜ୍ରନାଦରେ ଚରାଚର ବିକମ୍ପିତ କରି ସିନାଇ ପର୍ବତର ଶୃଙ୍ଗରେ ଇସ୍ରାଏଲ୍‌ ବଂଶୀୟମାନଙ୍କର ନେତା ମୁସାଙ୍କ ନିକଟରେ ଆବିର୍ଭୂତ ହୋଇ ତାହାଙ୍କର ଦଶ ଆଜ୍ଞା ପ୍ରଦାନ କରିଥିଲେ । ଏହି କଥା ମହମ୍ମଦଙ୍କ ପ୍ରାଣରେ ଦୃଢରୂପେ ଅଙ୍କିତ ହେଲା । ଏଥିଉତ୍ତାରେ ସେ ବସ୍ରା ନଗରରେ ଜଣେ ଖ୍ରୀଷ୍ଟୀୟ ସନ୍ନ୍ୟାସୀଙ୍କଠାରୁ ଖ୍ରୀଷ୍ଟଧର୍ମର ମୂଳତତ୍ତ୍ୱ ଅବଗତ ହେଲେ ଏବଂ କିଛିକାଳ ସେଠାରେ ରହି ଜ୍ୟେଷ୍ଠତାତଙ୍କ ସଙ୍ଗେ ମକ୍‌କାକୁ ଫେରିଆସି ପୈତୃକ ବାଣିଜ୍ୟ- ବ୍ୟବସାୟରେ ନିଯୁକ୍ତ ହେଲେ ।

 

ଏହା ସମୟରେ ଖାଦେଜା ନାମ୍ନୀ ବିପୁଳ ସଂପତ୍ତିଶାଳୀ ଜଣେ ରମଣୀ ମକ୍‌କା ନଗରରେ ଥିଲେ । ସେ ଯେପରି ପରମ ରୂପବତୀ, ସେହିପରି ପରମ ଗୁଣବତୀ ଓ ଶୁଦ୍ଧଚରିତ୍ରା ଥିଲେ । ଅତ୍ୟଳ୍ପ ବୟସରେ ବିଧବା ହୋଇ ଅତି ପବିତ୍ରଭାବରେ ଜୀବନ ଯାପନ କରୁଥିଲେ । ଆରବର ପ୍ରଧାନ ପ୍ରଧାନ ସାମନ୍ତମାନେ ତାଙ୍କର ପାଣିଗ୍ରହଣାର୍ଥୀ ହୋଇଥିଲେ; କିନ୍ତୁ ଖାଦେଜା ଦେବୀ କାହାରିକୁ ବିବାହ କରି ନ ଥିଲେ । ମହମ୍ମଦ ପ୍ରଥମେ ଖାଦେଜାଙ୍କର କର୍ମଚାରୀପଦରେ ବାଣିଜ୍ୟବ୍ୟବସାୟରେ ନିଯୁକ୍ତ ଥିଲେ । ପରେ ତାଙ୍କର ଧର୍ମଭାବ ଓ ସାଧୁତାଦ୍ୱାରା ମୋହିତ ହୋଇ ଖାଦେଜା ଦେବୀ ତାହାଙ୍କୁ ଆତ୍ମସମର୍ପଣ କଲେ ଏବଂ ନିଜର ବିପୁଳ ଧନରାଶି ପତିପଦରେ ଉତ୍‌ସର୍ଗ କରି ସ୍ୱାମୀଙ୍କ ସେବାରେ ଆପଣାକୁ ନିୟୋଜିତ କଲେ ।

 

ଏଥିଉତ୍ତାରେ ମହମ୍ମଦଙ୍କର ଧର୍ମଭାବ ବର୍ଦ୍ଧିତ ହେବାକୁ ଲାଗିଲା । ସେ ମକ୍‌କା ନଗରୀର ଅନତିଦୂରସ୍ଥ ନିର୍ଜନ ପର୍ବତଗୁହାରେ ଈଶ୍ୱରଧ୍ୟାନରେ ନିମଗ୍ନ ହୋଇ ତପୋବଳ ସଞ୍ଚୟ କରିବାକୁ ଲାଗିଲେ । ଏହିପରି କେତେକ ବର୍ଷ ମହାତପସ୍ୟାରେ ଅତିବାହିତ କଲେ । ଏହି ଅବସ୍ଥାରେ ସେ ପରମେଶ୍ୱରଙ୍କୁ ଲାଭ କରିବା ପାଇଁ ଅତ୍ୟନ୍ତ ବ୍ୟାକୁଳ ହୋଇ ଅନାହାରରେ,ଅନିଦ୍ରାରେ କେତେ କାଳ କଟାଇଥିଲେ; ହୃଦୟରେ ବିଷମ ଯନ୍ତ୍ରଣା ଅନୁଭବ କରି କେତେବେଳେ ନୈରାଶ୍ୟରେ, କେତେବେଳେ ଅବା ଘୋର ବିଷାଦରେ ଉନ୍ମତ୍ତ ପ୍ରାୟ ହୋଇଥିଲେ ତାହା ଭାଷାଦ୍ୱାରା ବର୍ଣ୍ଣିତ ହୋଇନପାରେ । ଅବଶେଷରେ ତାହାଙ୍କର ହୃଦୟର ଅନ୍ଧକାର ବିଦୂରିତ ହେଲା,ତାଙ୍କ ଆତ୍ମାରେ ପରମେଶ୍ୱର ପ୍ରକାଶିତ ହେଲେ ଏବଂ ତାହାଙ୍କର ସମସ୍ତ ସନ୍ଦେହ ଅନ୍ତର୍ହିତ ହେଲା । ତାହାଙ୍କର ହୃଦୟାକାଶରେ ମହାଗମ୍ଭୀର ଅଶବ୍ଦବାଣୀ ନିନାଦିତ ହେଲା: ‘‘ଯାଅ ମହମ୍ମଦ, ଜଗତରେ ଇସ୍‌ଲାମ୍‌ (ଏକ ଈଶ୍ୱରଙ୍କଠାରେ ଆତ୍ମସମର୍ପଣରୂପ ଧର୍ମ) ପ୍ରଚାର କର ।’’ ଏହି ମହାବାଣୀ ଶୁଣି,ମହମ୍ମଦ ୪୦ ବର୍ଷ ବୟସରେ ନବଜୀବନ ଲାଭ କରି ଜଗତର ନରନାରୀମାନଙ୍କ ମଧ୍ୟରେ ଏକମାତ୍ର ପ୍ରଭୁ ପରମେଶ୍ୱରଙ୍କ ମହିମା ଘୋଷଣା କରିବା ନିମିତ୍ତ ବଦ୍ଧପରିକର ହେଲେ ।

 

ସେ ସମୟରେ ଆରବୀୟମାନଙ୍କର ସାମାଜିକ ଓ ନୈତିକ ଅବନତି ଅତି ଭୟଙ୍କର ହୋଇଥିଲା । ସମାନେ ସର୍ବଦା ଗୃହବିବାଦରେ ରତ ଥିଲେ । ଚାରିଆଡ଼େ ଅଶାନ୍ତି, ପ୍ରତାରଣା, ଦସ୍ୟୁବୃତ୍ତି, ସୁରାପାନ, ବ୍ୟଭିଚାର, ନରହତ୍ୟା ପ୍ରଭୃତି ପାପରେ ଆରବ ଦେଶ ସର୍ବଦା କଳଙ୍କିତ ହେଉଥିଲା । ଏପରି ସମୟରେ ସେହି ଭୟଙ୍କର ଦେଶରେ ସେହି ଦୁର୍ବୃତ୍ତ ଆରବମାନଙ୍କ ମଧ୍ୟରେ ମହାପୁରୁଷ ମହମ୍ମଦ ‘‘ଈଶ୍ୱର ଏକ ଏବଂ ଅଦ୍ୱିତୀୟ, କେବଳ ତାହାଙ୍କର ପୂଜା କର, ’’ ଏହି ମହାଘୋଷଣା ବଜ୍ରଗମ୍ଭୀରନାଦରେ ପ୍ରଚାର କଲେ । ସର୍ବଦୈା ତାଙ୍କ ସହଧର୍ମିଣୀ ଖାଦେଜା ଦେବୀ ଇସ୍‌ଲାମ ଧର୍ମ ଗ୍ରହଣ କରିଥିଲେ । କ୍ରମେ କ୍ରମେ ଅଳ୍ପକାଳ ମଧ୍ୟରେ ଅନେକଗୁଡ଼ିଏ ନରନାରୀ ଇସ୍‌ଲାମ ଧର୍ମରେ ଦୀକ୍ଷିତ ହେଲେ । ଏହା ଦେଖି ଅବିଶ୍ୱାସୀ ଐହିକ ସୁଖଭୋଗାସକ୍ତ ଅଧର୍ମାଚାରୀ ପାଷଣ୍ଡମାନେ କ୍ରୋଧୋନ୍ମତ୍ତ ହୋଇ ମହମ୍ମଦ ଓ ତାଙ୍କ ଶିଷ୍ୟମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରିବାକୁ ଲାଗିଲେ ଏବଂ ଏହି ସମୟରେ ତାଙ୍କର ପରମସାଧ୍ୱୀ ସହଧର୍ମିଣୀ ଖାଦେଜା ଦେବୀ ଓ ଜ୍ୟେଷ୍ଠତାତ ଆବୁତାଲେବ୍‌ ପରଲୋକ ଗମନ କରନ୍ତେ ତାଙ୍କୁ ମହାଶୋକରେ ପଡ଼ିବାକୁ ହୋଇଥିଲା । ଏହି ଦାରୁଣ ଅତ୍ୟାଚାର ଓ ମହାଶୋକ ମଧ୍ୟରେ ସେ ଜଣେ ଶିଷ୍ୟକୁ ଧର୍ମପ୍ରଚାର ନିମିତ୍ତ ମଦିନା ନଗରୀକୁ ପ୍ରେରଣ କଲେ ଏବଂ ସୈାଭାଗ୍ୟକ୍ରମେ ସେ ସ୍ଥାନରେ ସମୁଦାୟ ପ୍ରଧାନ ଲୋକ ତାଙ୍କ ଧର୍ମ ଗ୍ରହଣ କରି ତାଙ୍କୁ ସେଠାକୁ ଆଣିବାପାଇଁ ୭୦ ଜଣ ଶିଷ୍ୟଙ୍କୁ ମକ୍‌କା ନଗରକୁ ପଠାଇଲେ । ମହମ୍ମଦ ୬୨୨ ଖ୍ରୀଷ୍ଟାବ୍ଦର ଜୁଲାଇ ମାସରେ ମଦିନା ଯାତ୍ରା କଲେ । ତାହାଙ୍କର ମଦିନା ପ୍ରସ୍ଥାବକୁ ‘ହେଜରତ୍‌’ବୋଲାଯାଏ ଏବଂ ସେହି ହେଜ୍‌ରତ ଦିନରୁ ମୁସଲମାନମାନଙ୍କର ହିଜ୍‌ରୀ ସନର ଆରମ୍ଭ ଧରାଯାଏ । ମଦିନାର ଆବାଳବୃଦ୍ଧବନିତା ସମସ୍ତେ ତାହାଙ୍କୁ ପରମ ସମାଦରରେ ଗ୍ରହଣ କଲେ ।

 

ଏଥିଉତ୍ତାରେ ଶତ୍ରୁମାନେ ଚକ୍ରାନ୍ତ କରି ତାଙ୍କ ବିରୁଦ୍ଧରେ ବାରଂବାର ଯୁଦ୍ଧ ଘୋଷଣା କଲେ । ପ୍ରବଳ ପ୍ରଭାବଶାଳୀ କୋରେଶବଂଶୀୟମାନଙ୍କ ଏବଂ ହିନ୍ଦୁଧର୍ମାବଲମ୍ବୀ ଇହୁଦୀମାନଙ୍କ ସଙ୍ଗରେ ଅନେକଗୁଡ଼ିଏ ଯୁଦ୍ଧ ହେଲା । କେତେକ ଯୁଦ୍ଧରେ ଇସଲାମ୍‌ଧର୍ମାବଲମ୍ବୀ ଅର୍ଥାତ୍‌ ମୁସଲମାନ୍‌ମାନେ ପରାସ୍ତ ହୋଇଥିଲେ; କିନ୍ତୁ ଅଧିକାଂଶ ଯୁଦ୍ଧରେ ଏବଂ ଶେଷ ଯୁଦ୍ଧରେ ଶତ୍ରୁମାନେ ସଂପୂର୍ଣ୍ଣରୂପେ ପରାଜିତ ହୋଇ ପଳାୟନ କଲେ ।

 

ମୁସଲମାନ ଧର୍ମ ଦିନକୁ ଦିନକୁ ଦିନ ଜୟଯୁକ୍ତ ହେବାକୁ ଲାଗିଲା । ୬୩୦ ଖ୍ରୀଷ୍ଟାବ୍ଦରେ ମହମ୍ମଦ ନିଜ ଜନ୍ମଭୂମି ମକ୍‌କାର ଅଜ୍ଞାନାଚ୍ଛନ୍ନ କୋରେଶ୍‌ମାନଙ୍କୁ ଇସଲାମ୍‌ ଧର୍ମରେ ଦୀକ୍ଷିତ କରବା ନିମିତ୍ତ ଦଶସହସ୍ର ସୈନ୍ୟ ସହିତ ମକ୍‌କା ଅଭିମୁଖରେ ଯାତ୍ରା କଲେ ଏବଂ ସେହି ନଗର ନିକଟରେ ଶିବିର ସନ୍ନିବେଶ କଲେ । ଦୟାଗୁଣରେ ମକ୍‌କାବାସୀମାନଙ୍କୁ ବଶୀଭୂତ କରିବା ମାନସରେ ସେ ସୈନ୍ୟମାନଙ୍କୁ କହିଲେ,‘‘ମକ୍‌କାବାସୀମାନେ ଆକ୍ରମଣ ନକଲେ କେହି ଯୁଦ୍ଧ କରିବ ନାହିଁ ଏବଂ ସେମାନେ ଆକ୍ରମଣ କଲେ ତାହା ଧୈର୍ଯ୍ୟସହିତ ସହିବାକୁ ହେବ । ’’ ମହମ୍ମଦ ଯୋଦ୍ଧୃବେଶ ତ୍ୟାଗକରି ଫକିରବେଶ ଧାରଣ କଲେ । ସହସା କୋରେଶ୍‌ମାନଙ୍କର ଶରାଘାତରେ ମୁସଲମାନ ସୈନ୍ୟ କ୍ଷତବିକ୍ଷତ ହେବାକୁ ଲାଗିଲେ । ମୁସଲମାନମାନେ ସେ ଆକ୍ରମଣ କିଛିକ୍ଷଣ ସହି କୋରେଶ୍‌ମାନଙ୍କୁ ଭୟଙ୍କର ଭାବରେ ଆକ୍ରମଣ କଲାକ୍ଷଣି ମହମ୍ମଦ ଯୁଦ୍ଧରୁ ନିବୃତ୍ତହେବା ନିମିତ୍ତ ଆଦେଶ ଦେଇ ନିଜେ ଉଷ୍ଟ୍ରପୃଷ୍ଟରେ ଚଢି ମକ୍‌କାର ଦ୍ୱାରଦେଶରେ ଉପସ୍ଥିତ ହେଲେ ଏବଂ ଜଳଦଗମ୍ଭୀରସ୍ୱରରେ ତାଙ୍କ ପ୍ରଚାରିତ ମହାଧର୍ମଶାସ୍ତ୍ର କୋରାନ୍‌ ଆବୃତ୍ତି କରିବାକୁ ଲାଗିଲେ । ସେ କେଉଁଆଡ଼କୁ ଭ୍ରୂକ୍ଷେପମାତ୍ର ନକରି ‘‘ସ୍ୱର୍ଗ ଓ ମର୍ତ୍ତ୍ୟ ଏକ ଈଶ୍ୱରଙ୍କ ରାଜ୍ୟ, ଈଶ୍ୱର ସର୍ବଶକ୍ତିମାନ୍‌’’ଏହି ମହାବାକ୍ୟ ବୋଲୁଁ ବୋଲୁଁ କାବା ମନ୍ଦିର ସମ୍ମୁଖରେ ଉପସ୍ଥିତ ହୋଇ ତାହାକୁ ସପ୍ତବାର ପ୍ରଦିକ୍ଷଣ କଲେ ଏବଂ ସମସ୍ତଙ୍କୁ ଏକ ଈଶ୍ୱରଙ୍କ ଉପାସନା ନିମିତ୍ତ ଆହ୍ୱାନ କରିବାକୁ ଲାଗିଲେ । ତାହାଙ୍କର ଏହି ଅପାର୍ଥିବ ମହାଭାବ ଦେଖି ଶତ୍ରୁମାନେ ସ୍ତମ୍ଭିତ ହୋଇଗଲେ । ତଦନନ୍ତରେ କୋରେଶ୍‌ମାନଙ୍କ ସଙ୍ଗରେ ସନ୍ଧି ହେଲା ଏବଂ କ୍ରମେ କ୍ରମେ ସହସ୍ର ସହସ୍ର ପୁରୁଷ ଓ ରମଣୀ ତାଙ୍କ ପ୍ରଚାରିତ ନବଧର୍ମ ଗ୍ରହଣ କରିବାକୁ ଲାଗିଲେ ।

 

୬୩୨ ଖ୍ରୀଷ୍ଟାବ୍ଦରେ ମହାପୁରୁଷ ମହମ୍ମଦ ଜ୍ୱରାକ୍ରାନ୍ତ ହୋଇ ନଶ୍ୱର ଦେହରୁ ମୁକ୍ତ ହୋଇ ପରଲୋକ ପ୍ରାପ୍ତହେଲେ । ତାହାଙ୍କର ଅନ୍ତିମ କାଳର ଶେଷ ବାକ୍ୟ ‘‘ପ୍ରଭୋ ! ତୁମ୍ଭର ଇଚ୍ଛା ପୂର୍ଣ୍ଣହେଉ’’ ଏହି କଥା କହୁ କହୁ ତାଙ୍କର ଚକ୍ଷୁ ଚିରକାଳ ନିମିତ୍ତ ନିମୀଳିତ ହେଲା । ଚାହୁଁ ଚାହୁଁ ମହାଶୋକ ସମଗ୍ର ଆରବ ଦେଶରେ ବ୍ୟାପିଗଲା । ସେ ଇହଲୋକରୁ ଚାଲିଗଲେ; କିନ୍ତୁ ତାଙ୍କ ପ୍ରଚାରିତ ଧର୍ମ ଦିନକୁଦିନ ପ୍ରସାରିତ ହୋଇ ପୃଥିବୀର ନାନା ଅଞ୍ଚଳରେ ବ୍ୟାପ୍ତ ହେଲା । ଆଧୁନିକ ଯୁଗରେ ପୃଥିବୀର ପ୍ରାୟ ୩୦ କୋଟି ଲୋକ ମୁସଲମାନଧର୍ମାବଲମ୍ବୀ ଅଟନ୍ତି । ଯେଉଁ ଆରବଦେଶ ଅଜ୍ଞାନ କୁସଂସ୍କାରାଦିର ଅଭେଦ୍ୟ ଦୁର୍ଗସ୍ୱରୂପ ଥିଲା,ଯାହାର ଅଧିବାସିବର୍ଗ ସାଧାରଣତଃ ନରପିଶାଚବତ୍‌ ହିଂସା, ବିବାଦ, ହତ୍ୟା, ବ୍ୟଭିଚାର ପ୍ରଭୃତି ନାନା ପାପରେ କଳୁଷିତ ଥିଲେ, ମହାପୁରୁଷ ମହମ୍ମଦଙ୍କର ଅଲୈାକିକ ସତ୍ୟନିଷ୍ଠା, ଅଟଳ ଈଶ୍ୱରବିଶ୍ୱାସ ଓ ମହାଶ୍ଚର୍ଯ୍ୟ ଈଶ୍ୱର-ପ୍ରେମଦ୍ୱାରା ସେହି ଦେଶ ଓ ଜାତିମଧ୍ୟରେ କି ଅଦ୍ଭୁତ ପରିବର୍ତ୍ତନ ସାଧିତ ହେଲା ଏବଂ ପୃଥିବୀମଧ୍ୟରେ ନବଯୁଗର ଆବିର୍ଭାବ ହେଲା ! ଧର୍ମବିଶ୍ୱାସ ଓ ପ୍ରେମର କି ମହୀୟସୀ ଶକ୍ତି ।

Image

 

ବାବର

 

ପୃଥିବୀର ଇତିହାସରେ କୀର୍ତ୍ତିତନାମା ନରପତିମାନଙ୍କ ମଧ୍ୟରେ ବାବାର ଜଣେ ଅଲୋକସାମାନ୍ୟ ଅଦ୍ଭୁତ ବିକ୍ରମଶାଳୀ ବୀରପୁରୁଷ ଥିଲେ । ତାଙ୍କର ଜୀବନ ବିଚିତ୍ରାଦ୍ଭୂତ ଘଟନାରାଜିରେ ପୂର୍ଣ୍ଣ ଥିଲା । ସେ ଯେପରି ସୁଦକ୍ଷ ଯୋଦ୍ଧା, ସେହିପରି ବିଦ୍ୟାବୁଦ୍ଧିସଂପନ୍ନ ମନୀଷୀ ଥିଲେ । ସେ ଏକାଧାରରେ କବି, ଚିତ୍ରକର ଓ ସାହିତ୍ୟସେବକ ଥାଇ ଯେପରି ସୁରୁଚି ଓ କଳାକୈାଶଳ ଦେଖାଇଅଛନ୍ତି, ତାହା ସମସ୍ତ ଅଭିଜ୍ଞ ଲୋକଙ୍କ ପ୍ରଂଶସିତ । ତାଙ୍କ ରଚିତ ଆତ୍ମଜୀବନଚରିତ ମଧ୍ୟରେ ତାଙ୍କର ଜୟପରାଜୟ କାର୍ଯ୍ୟ ଓ ଭାବନାର ସେ ଯେଉଁ ବିବରଣ ଲିପିବଦ୍ଧ କରିଯାଇଅଛନ୍ତି, ତାହା ଅତ୍ୟନ୍ତ ମନୋହର । ଏ ସମସ୍ତ ସଦ୍‌ଗୁଣ ଛଡ଼ା ତାହାଙ୍କର ଆକୃତି ଓ ଆଚରଣରେ ଯେଉଁ ଅନିର୍ବଚନୀୟ ମାଧୁରୀ ଥିଲା,ତାହାଦ୍ୱାରା ଲୋକେ ସହଜରେ ତାଙ୍କ ଆଡ଼କୁ ଆକୃଷ୍ଟ ହେଉଥିଲେ ।

 

ବାବରଙ୍କ ପିତୃକୁଳ ତୁରସ୍କଜାତୀୟ, ମାତୃକୁଳ ମାଗଲବଂଶୀୟ ଥିଲେ । ତାଙ୍କ ପିତା ମଧ୍ୟ-ଆସିଆରେ ଥିବା ଫର୍ଗାନା ନାମକ କ୍ଷୁଦ୍ର ଭୂଖଣ୍ଡର ରାଜା ଥିଲେ । ସେ ପୁତ୍ରର ନାମ ଜହିର ଉଦ୍ଧିନ୍‌ ରଖିଥିଲେ; କିନ୍ତୁ ମାତାମହପ୍ରଦତ୍ତ ବାବର ନାମରେ ସେ ପରିଚିତ । ବାବର ଶବ୍ଦର ଅର୍ଥ ବ୍ୟାଘ୍ର । ଦ୍ୱାଦଶବର୍ଷ ସମୟରେ ବାବର ପିତାଙ୍କୁ ହରାଇ ରାଜ୍ୟଭାର ଗ୍ରହଣ କଲେ । ତାହାଙ୍କର ଅଳ୍ପ ବୟସ ଦେଖି ଶତ୍ରୁମାନେ ତାଙ୍କ ରାଜ୍ୟ ଅପହରଣ କରିବାପାଇଁ କୁଟିଳ ଚକ୍ରାନ୍ତ କରିଥିଲେ; କିନ୍ତୁ ବିଧାତାଙ୍କର କୃପାରେ ସେ ଚକ୍ରାନ୍ତ କରିଥିଲେ; କିନ୍ତୁ ବିଧାତାଙ୍କର କୃପାରେ ସେ ଚକ୍ରାନ୍ତ ନିଷ୍ଫଳ ହେଲା । ତାହାଙ୍କର ମାତୁଳ ସମରଖଣ୍ଡ ଅଧିପତିଙ୍କର ମୃତ୍ୟୁଉତ୍ତାରେ ସେ ପଞ୍ଚଦଶବର୍ଷ ବୟଃକ୍ରମ କାଳରେ ସମରଖଣ୍ଡ ରାଜସିଂହାସନ ଅଧିକାର କଲେ । ସେଠାରେ ସେ ଏକଶତ ଦିବସ ମାତ୍ର ରାଜପଦରେ ପ୍ରତିଷ୍ଠିତ ଥାଇ ନିଜ ପୈତୃକ ରାଜ୍ୟ ଫର୍ଗାନାରେ ବିଦ୍ରୋହ ଘଟିବାର ସଂବାଦ ପାଇଲାକ୍ଷଣି ରୁଗ୍‌ଣ ଅବସ୍ଥାରେ ସୁଦ୍ଧା ବିଦ୍ରୋହ ନିବାରଣାର୍ଥେ ଯାତ୍ରା କଲେ ;କିନ୍ତୁ ମାର୍ଗରେ ପୀଡ଼ାର ଏପରି ବୃଦ୍ଧି ହେଲା ଯେ,ତାଙ୍କର କେତେକ ଅନୁଚର ତାଙ୍କର ମୃତ୍ୟୁ ଆସନ୍ନ ବିଚାରି ତାଙ୍କୁ ପରିତ୍ୟାଗ କରି ଫର୍ଗାନାରେ ତାଙ୍କର ମୃତ୍ୟୁବାର୍ତ୍ତା ପ୍ରଚାର କରନ୍ତେ, ଫର୍ଗାନା ବିଦ୍ରୋହୀମାନଙ୍କ ଦଳପତିର ଅଧୀନତା ସ୍ୱୀକାର କରିବାକୁ ବାଧ୍ୟ ହେଲା । ସେହିପରି ତାଙ୍କ ଅନୁପସ୍ଥିତି ସମୟରେ ସମରଖଣ୍ଡ-ରାଜ୍ୟ ଶତ୍ରୁର କରକବଳିତ ହେଲା । ଏହିପରି ଉଭୟ ରାଜ୍ୟ ହରାଇ ବାବର ଦୁଇବର୍ଷକାଳ ବହୁ କଷ୍ଟ ସହି ଦୁର୍ଗମ ଅରଣ୍ୟ ଓ ପର୍ବତମାନଙ୍କରେ ପରିଭ୍ରମଣ କରିଥିଲେ; କିନ୍ତୁ ଏହି ବିପଦଦୁର୍ଦ୍ଦିନରେ ସୁଦ୍ଧା ସେ ପ୍ରକୃତିର ବିଚିତ୍ର ସୈାନ୍ଦର୍ଯ୍ୟ ସଂଭୋଗ କରି ପ୍ରସନ୍ନଚିତ୍ତରେ କାଳଯାପନ କରିଥିଲେ । ଅବଶେଷରେ ଦିନେ ସୂର୍ଯ୍ୟାସ୍ତକାଳରେ ତାଙ୍କର ମିତ୍ରମାନଙ୍କ ପ୍ରେରିତ ଜଣେ ଅଶ୍ୱାରୋହୀ ତାହାଙ୍କର ଆଶ୍ରିତ ବନପ୍ରଦେଶରେ ଉପସ୍ଥିତ ହୋଇ ଅନୁକୂଳବାର୍ତ୍ତା ପ୍ରଦାନ କରନ୍ତେ ସେ ତତ୍‌କ୍ଷଣାତ୍‌ ଅଶ୍ୱପୃଷ୍ଠରେ ଫର୍ଗାନା ଅଭିମୁଖରେ ଯାତ୍ରାକଲେ ଏବଂ ତିନିଦିନ ତିନିରାତି ଅବିଶ୍ରାନ୍ତଭାବରେ ଚାଲି ଚାଲି ଫର୍ଗାନା ନଗରରେ ଉପସ୍ଥିତ ହୋଇ ବନ୍ଧୁମାନଙ୍କ ସାହାଯ୍ୟରେ ସ୍ୱରାଜ୍ୟ ପୁନଃ ପ୍ରାପ୍ତ ହେଲେ । କିନ୍ତୁ ରାଜ୍ୟର କେତେକ ହଠକାରୀ ଓ ଉତ୍ପୀଡ଼କ ଯୋଦ୍ଧୃବର୍ଗଙ୍କ ପ୍ରତି ହଠାତ୍‌ କଠୋର ଦଣ୍ଡବିଧାନ କରିବାକୁ ଯାଇ ସେମାନଙ୍କ ଚକ୍ରାନ୍ତରେ ସେ ଦ୍ୱିତୀୟବାର ରାଜସିଂହାସନରୁ ୧୫୦୦ ଖ୍ରୀଷ୍ଟାବ୍ଦରେ ବିତାଡ଼ିତ ହେଲେ । ସେତେବେଳେ ତାହାଙ୍କର ବୟସ ୧୭ ବର୍ଷ ମାତ୍ର । କିନ୍ତୁ ସେ ଏହି ଦୁର୍ଦ୍ଦଶା ସମୟରେ ଏକାବେଳେକେ ହତାଶ ନହୋଇ ସମରଖଣ୍ଡ ରାଜ୍ୟର ପୁନଃପ୍ରାପ୍ତି ନିମିତ୍ତ ଅଳ୍ପସଂଖ୍ୟକ ସୈନ୍ୟସହ ତଦ୍‌ଭିମୁଖେ ଯାତ୍ରାକଲେ । ଅତି କଷ୍ଟରେ ଘୋର ବନ୍ଧୁର ପଥ, ବହୁ ଦୁର୍ଗମ ଗିରିସଂକଟ ଏବଂ ଭୟଙ୍କର ଭୃଗୁମାନ ପାରହୋଇ ଏବଂ ସୈନ୍ୟ ସଂଗ୍ରହପୂର୍ବକ ଯୁଦ୍ଧାନ୍ତେ ସମରଖଣ୍ଡ ରାଜ୍ୟ ହରାଇ ତିନିବର୍ଷକାଳ ପଶ୍ଚାଦ୍ଧାବିତ ଶତ୍ରୁକର୍ତ୍ତୃକ ଉତ୍ପୀଡ଼ିତ ହୋଇ କେତେବେଳେ ଦୁର୍ଗମ ଗହନରେ,କେତେବେଳେ ଭୀଷଣ ଗିରିକନ୍ଦରରେ ସପରିବାର ଆଶ୍ରୟ ଗ୍ରହଣ କରି ଅବଶେଷରେ ଅନୁକୂଳ ଦୈବପ୍ରଭାବରେ ଗୋଟିଏ ମଧ୍ୟମଭଳି ସେନା ଗଠନ କରି କାବୁଲ ଆକ୍ରମଣକଲେ ଏବଂ ଅଳ୍ପକାଳ ମଧ୍ୟରେ କାବୁଲ ସିଂହାସନ ଆରୋହଣ କରି ସେଠାରେ ପ୍ରାୟ ଦଶ ବର୍ଷ ନିର୍ବିଘ୍ନରେ ରାଜତ୍ୱ କଲେ । ସେ ଆତ୍ମଜୀବନ ଚରିତରେ କାବୁଲର ଯେଉଁ ବିବରଣ ଲିପିବଦ୍ଧ କରି ଯାଇଅଛନ୍ତି, ସେଥିରୁ ଜଣାଯାଏ ସେ, କାବୁଲରାଜ୍ୟ ସମ୍ବନ୍ଧରେ ଯାହା କିଛି ଜ୍ଞାତବ୍ୟ,ସେ ତାହା ଜାଣିଥିଲେ । ପ୍ରଜାମାନଙ୍କର ଅତୀତ ଇତିବୃତ୍ତ,ସେମାନଙ୍କର ଭିନ୍ନ ଭିନ୍ନ ଗୋଷ୍ଠୀର ଅବସ୍ଥା ଓ ଭାଷା, ରାଜ୍ୟର ପଶୁପକ୍ଷୀ, ପୁଷ୍ପ, ବୃକ୍ଷ, ଫଳ ଇତ୍ୟାଦି ବିଷୟରେ ସେ ନିପୁଣରୂପେ ଅନୁସନ୍ଧାନ କରି ଯେଉଁ ବିବରଣ ଲେଖିଥିଲେ, ତାହାର ଯଥାର୍ଥ୍ୟ ଓ ମନୋହାରିତା ସମସ୍ତେ ଏକବାକ୍ୟରେ ପ୍ରଶଂସା କରିଅଛନ୍ତି ।

 

ଇତିମଧ୍ୟେ ସମରଖଣ୍ଡ ସିଂହାସନ ଅଧିରୋହଣ କରିବାର ବାସନା ତାଙ୍କ ମନରେ ପୁଣି ଉଦ୍ଦୀପିତ ହେଲା ଏବଂ ସେ ପୁଣି ତାହା ଲାଭ କରି ପୁଣି ତାହା ଭାଗ୍ୟବିପର୍ଯ୍ୟୟ ଯୋଗୁଁ ହରାଇଲେ । ଏଥିଉତ୍ତାରେ ଭାରତବର୍ଷ ଉପରେ ତାହାଙ୍କର ଲୋଲୁପଦୃଷ୍ଟି ପଡ଼ିଲା । ସେ ବିଚାରିଲେ, ‘‘ମୋର ପୂର୍ବପୁରୁଷ ତୈମୁର ଭାରତ ଜୟ କରିଥିଲେ । ମୁଁ କାହିଁକି ନ ପାରିବି ?’’

 

୧୫୧୪ ଖ୍ରୀଷ୍ଟାବ୍ଦରେ ବାବର ପଞ୍ଜାବ ପ୍ରଥମଥର ଆକ୍ରମଣ କରିଥିଲେ । ତହିଁ ଉତ୍ତାରୁ ସେ ଆହୁରି ତିନିଥର କ୍ରମିକ ଅଭିଯାନଦ୍ୱାରା ପଞ୍ଜାବ ଅଧିକାର କରି ସେଠାରେ ଜଣେ ଶାସନକର୍ତ୍ତା ନିଯୁକ୍ତ କରି ଯାଇଥିଲେ । ୧୫୨୪ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀର ସମ୍ରାଟ୍‌ ସେକେନ୍ଦର ଲୋଦିଙ୍କର ମୃତ୍ୟୁଉତ୍ତାରେ ତାଙ୍କର ପୁତ୍ର ଇବ୍ରାହିମ ଲୋଦି ସିଂହାସନ ଆରୋହଣ କଲେ । ସେ ଅହଂକାରୀ ଓ ନିଷ୍ଠୁର ପ୍ରକୃତିକ ଥିଲେ । ସେ ସମସ୍ତଙ୍କୁ ହେୟଜ୍ଞାନ କରି ନାନାପ୍ରକାର ଅତ୍ୟାଚାର କରିବାରୁ ତାଙ୍କ ବିରୁଦ୍ଧରେ ନାନାସ୍ଥାନରେ ବିଦ୍ରୋହପତାକା ଉଡ଼୍‌ଡ଼ୀନ ହେଲା । ବଙ୍ଗ, ମାଳବ, ଗୁଜୁରାଟର ଶାସନକର୍ତ୍ତାମାନେ ସ୍ୱାଧୀନତା ଘୋଷଣା କଲେ । ରାଜ୍‌ପୁତ ରାଜାମାନେ ସମ୍ରାଟ ଇବ୍ରାହିମ୍‌ ଲୋଦିଙ୍କ ବିରୁଦ୍ଧରେ ସଜ୍ଜିତ ହେଲେ । ଏହିପ୍ରକାର ଅରାଜକତା ସମୟରେ ବାବର ତାଙ୍କର ଅଭିଳାଷ ଅନୁକୂଳ ସୁଯୋଗ ପାଇ କାବୁଲରୁ ଦିଲ୍ଲୀ ଅଭିମୁଖରେ ଅଗ୍ରସର ହେଲେ ଏବଂ ମାର୍ଗରେ ଥିବା ବାଧାବିଘ୍ନ ଅତିକ୍ରମ କରି ପାନିପଥ ନାମକ ବିଖ୍ୟାତ ସ୍ଥାନର ନିକଟବର୍ତ୍ତୀ ହେଲେ । ସେହି ସ୍ଥାନରେ ମୋଗଲ ଓ ପଠାଣ ସୈନ୍ୟ ସ୍ୱ ସ୍ୱ ଭାଗ୍ୟପରୀକ୍ଷା ନିମିତ୍ତ ପରସ୍ପରର ପ୍ରତିପକ୍ଷରେ ଦଣ୍ଡାୟମାନ ହେଲେ । ଇବ୍ରାହିମ୍‌ ଏକ ଲକ୍ଷ ସୈନ୍ୟ ଓ ଏକ ସହସ୍ର ହସ୍ତୀ ଘେନି ସେଠାରେ ଉପସ୍ଥିତ ହୋଇଥିଲେ । ବାବରଙ୍କ କେବଳ ଦ୍ୱାଦଶସହସ୍ର ସୈନ୍ୟ ଥିଲା । ୧୫୨୬ ଖ୍ରୀଷ୍ଟାବ୍ଦ ଏପ୍ରେଲ ୨୧ ତାରିଖ ଦିନ ସୂର୍ଯ୍ୟୋଦୟକାଳରୁ ମଧ୍ୟାହ୍‌ଣକାଳ ପର୍ଯ୍ୟନ୍ତ ଘୋର ସଂଗ୍ରାମ ହେଲା । ପରିଶେଷରେ ଇବ୍ରାହିମ୍‌ ପରାସ୍ତ ଓ ନିହତ ହେଲା । ପରିଶେଷରେ ଇବ୍ରାହିମ୍‌ ପରାସ୍ତ ଓ ନିହତ ହେଲେ । ଯୁଦ୍ଧାବସାନରେ ଦିଲ୍ଲୀ ନଗରୀ ବାବରଙ୍କର ହସ୍ତଗତ ହେଲା । ତହିଁଉତ୍ତାରେ ସେ ଅଗ୍ରସର ହୋଇ ଆଗ୍ରା ନଗର ଅଧିକାର କଲେ । ସେହି ସ୍ଥାନରେ ନିହତ ଶତ୍ରୁ ଇବ୍ରାହିମ୍‌ଙ୍କର ମାତା ଓ ପରିବାରବର୍ଗଙ୍କୁ ଯଥେଷ୍ଟ ସମୋଦର କରି ସେମାନଙ୍କ ପାଇଁ ବୃତ୍ତି ଖଞ୍ଜିଦେଇ ଅଭୟ ପ୍ରଦାନ କଲେ ଏବଂ ରାଜକର୍ମଚାରୀ ଓ ପ୍ରଜାମାନଙ୍କୁ ଅପରିମିତ ଅର୍ଥ ବିତରଣ କଲେ । ଏହି ମହାଦାନଶୀଳତା ନିମିତ୍ତ ବାବର କଲନ୍ଦର ବୋଲି ଅଭିହିତ ହୋଇଥିଲେ ।

 

ଏଥିଉତ୍ତାରେ ରାଜପୁତାନାର ସୁପ୍ରସିଦ୍ଧ ମେବାର ରାଜ୍ୟର ଅଧିପତି ବୀରାଗ୍ରଗଣ୍ୟ ରାଣା ସଂଘ ବାବରଙ୍କ ଆଧିପତ୍ୟ ସ୍ୱୀକାର ନ କରି ତାଙ୍କ ସଙ୍ଗରେ ଘୋର ରଣରେ ପ୍ରବୃତ୍ତ ହେଲେ-। ଏକ ପକ୍ଷରେ ରାଜପୁତ୍‌କେଶରୀ ସଂଘ ମହାଯୋଦ୍ଧା,ଅପରପକ୍ଷରେ ମହାବୀର ବାବର ପ୍ରତିଯୋଦ୍ଧା । ପ୍ରାତଃକାଳରୁ ସାୟଂକାଳ ପର୍ଯ୍ୟନ୍ତ ଆଗ୍ରାର ଦଶକ୍ରୋଶ ଦୂରରେ ଅବସ୍ଥିତ ସିକ୍ରି ନାମକ ସ୍ଥାନରେ ତୁମୂଳ ସଂଗ୍ରାମ ହେଲା । ବ୍ୟୂହ ରଚନାର ନିପୁଣତାହିଁ ବାବରଙ୍କୁ ବିଜୟୀ କରାଗଲା । ତଦନନ୍ତର ସେ କିଛିକାଳ ସାମ୍ରାଜ୍ୟର ଆଭ୍ୟନ୍ତରିକ ସୁବ୍ୟବସ୍ଥା କରିବାରେ ନିଯୁକ୍ତ ରହିଲେ ଏବଂ ଶେଷକାଳରେ ଆଗ୍ରା ନଗରକୁ ନାନା ମନୋହର କୁସୁମୋଦ୍ୟାନ ରାଜପ୍ରାସାଦଦ୍ୱାରା ଅଳଂକୃତ କଲେ ।

 

ବାବରଙ୍କ ଜୀବନର ଶେଷବର୍ଷ ଅର୍ଥାତ୍‌ ୧୫୩୦ ଖ୍ରୀଷ୍ଟାବ୍ଦରେ ତାଙ୍କ ପୁତ୍ର ହୁମାୟନ୍‌ ସଂକଟପୀଡ଼ାକ୍ରାନ୍ତ ହେଲେ । ଚିକିତ୍ସକମାନେ ନିରାଶ ହୋଇ ଦେବକୃପା ବିନା ଜୀବନରକ୍ଷାର ଆଉ ଉପାୟ ନାହିଁ କହିବାରୁ,ସେ ପୁତ୍ରର ରୋଗଶଯ୍ୟାକୁ ପ୍ରଦିକ୍ଷଣ କରି ଈଶ୍ୱରଙ୍କୁ ପ୍ରାର୍ଥନା କରି କହିଲେ, ‘‘ମୋ ପୁତ୍ରର ଜୀବନ ପରିବର୍ତ୍ତରେ ମୋର ଜୀବନ ଗୃହୀତ ହେଉ ।’’ ମହାଶ୍ଚର୍ଯ୍ୟର ବିଷୟ ଯେ, ସେହି ସମୟରୁ ପୁତ୍ରର ପରଦିବସ ନିମିତ୍ତ ଯେ କିଛିମାତ୍ର ଆପଣାପାଇଁ ନରଖି ସମୁଦାୟ ଦାନ କରେ ତାହାକୁ ମୁସଲମାନମାନେ କଲନ୍ଦର କହନ୍ତି ।

 

ରୋଗ ଉପଶାନ୍ତ ହେବାକୁ ଲାଗିଲା ଏବଂ ବାବର ସଂକଟ ରୋଗରେ ପଡ଼ି ଉନପଞ୍ଚାଶତ୍‌ ବର୍ଷ ବୟସରେ ମାନବଲୀଳା ସମ୍ବରଣ କଲେ । ଅଲୈାକିକ ଶୈାର୍ଯ୍ୟରେ, ସହୃଦୟ ଦୟାଦାକ୍ଷିଣାତ୍ୟରେ ଏବଂ ନାନା ସଦ୍‌ଗୁଣରେ ତାହାଙ୍କର ଚରିତ୍ର ଭୂଷିତ ଥିଲା ।

Image

 

ଅଶୋକ

 

ପୃଥିବୀର ଇତିହାସରେ ସଂକୀର୍ତ୍ତିତ ଯେଉଁ ନରପତିମାନେ ନିଜର ଦେବୋପମ ସୁନିର୍ମଳ ଚରିତ୍ରର ଏବଂ ଲୋକୋତ୍ତର ଲୋକହିତକର ଜୀବନର ଶୁଭ୍ରାଲୋକଦ୍ୱାରା ନିଖିଳ ସଂସାରର ମୁଖ ଉଜ୍ଜ୍ୱଳ କରିଯାଇଛନ୍ତି, ସେମାନଙ୍କ ମଧ୍ୟରେ ପ୍ରାଚୀନ ଭାରତର ବୈାଦ୍ଧ ନୃପତି ପୁଣ୍ୟଶ୍ଲୋକ ମହାରାଜ ଅଶୋକ ଜଣେ ଅଗ୍ରଗଣ୍ୟ ରାଜା ଥିଲେ । ହିଂସାପ୍ରଣୋଦିତ ତରବାରିର ଜୟ ଜୟ ନୁହେଁ, ଧର୍ମର ଅର୍ଥାତ୍‌ ଅହିଂସା, ଦୟା ଓ ପବିତ୍ରତାର ଜୟ ଏକା ଜୟ ଅଟେ -ଏହି ମହୋଦର ସ୍ୱର୍ଗୀୟ ନୀତି ତାଙ୍କର ଭାରତ ସାମ୍ରାଜ୍ୟ-ଶାସନର ମୂଳତନ୍ତ୍ର ଥିଲା । ଭାରତବର୍ଷରେ ତାହାଙ୍କର ପୂର୍ବବର୍ତ୍ତୀ ବା ପରବର୍ତ୍ତୀ କୈାଣସି ରାଜା ତାଙ୍କ ଅପେକ୍ଷା ବିପୁଳତର ପ୍ରଭାବ ବିସ୍ତାର ବା ମହତ୍ତର କୀର୍ତ୍ତିସଂସ୍ଥାପନ କରିପାରିନାହାନ୍ତି । ଭୁବନ ବିଖ୍ୟାତ ବିକ୍ରମାଦିତ୍ୟ ଏବଂ ଆକବରଙ୍କର ଯାଶୋମହିମା ସୁମହାନ୍‌ ହେଲେହେଁ, ଅଶୋକଙ୍କର ଯଶଃପ୍ରଭା ଅପେକ୍ଷା ଉଜ୍ଜ୍ୱଳତର ନୁହେଁ । ସମଗ୍ର ଅବନୀମଣ୍ଡଳ ମଧ୍ୟରେ ଉଦାର, ଦୟା ଏବଂ ବିଶୁଦ୍ଧ ନୀତି ବିଷୟରେ ତାଙ୍ଗ ଅପେକ୍ଷା ଶ୍ରେଷ୍ଠତର ଭୂପତି ଜନ୍ମଗ୍ରହଣ କରିନାହାନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ତାହାଙ୍କର ଶାସନପ୍ରଭାବ ସମଗ୍ର ଭାରତ ଅତିକ୍ରମ କରି ଉତ୍ତର ପଶ୍ଚିମରେ ବାହ୍ଲୀକ, ଗାନ୍ଧାର, ସିରିଆ, ମିଶର, ଗ୍ରୀସ୍‌ ପ୍ରଭୃତି ଦେଶ ପର୍ଯ୍ୟନ୍ତ, ଦକ୍ଷିଣରେ ସିଂହଳ ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥିଲା ।

 

ଗ୍ରୀସୀୟ ଦିଗ୍‌ବିଜୟୀ ମହାବୀର ଆଲେକ୍‌ଜାଣ୍ଡାରଙ୍କର ପ୍ରସିଦ୍ଧ ସେନାନୀ ସେଲିଉକସ୍‌ ଯେଉଁ ମୈାର୍ଯ୍ୟକୁଳସ୍ଥାପୟିତା ମଗଧେଶ୍ୱର ଚନ୍ଦ୍ରଗୁପ୍ତଙ୍କ ସହିତ ସଂଗ୍ରାମ କରି ପରାଭବ ସ୍ୱୀକାରପୂର୍ବକ ତାଙ୍କ ସଙ୍ଗରେ ସନ୍ଧି-ସୂତ୍ରରେ ଆବଦ୍ଧ ହୋଇ ତାହାଙ୍କୁ ସ୍ୱୀୟ କନ୍ୟା ସମ୍ପ୍ରଦାନ କରିଥିଲେ, ସେହି ମହାରାଜ ଚନ୍ଦ୍ରଗୁପ୍ତ ଅଶୋକଙ୍କର ପିତାମହ ଥିଲେ ଏବଂ ପିତୃଗୈାରବବର୍ଦ୍ଧକ ମହାରାଜ ବିନ୍ଦୁସାର ଅଶୋକଙ୍କର ଜନକ ଥିଲେ ।

 

‘‘ଅଶୋକ ଅବଦାନ’’ ନାମକ ବୈାଦ୍ଧଗ୍ରନ୍ଥର ବିବରଣ ଅନୁସାରେ ପାଟଳିପୁତ୍ରର ଜଣେ ବ୍ରାହ୍ମଣ କୈାଣସି ଜ୍ୟୋତିଷାଚାର୍ଯ୍ୟଙ୍କ ନିକଟରୁ ସୁଭଦ୍ରାଙ୍ଗୀ ନାମ୍ନୀ ନିଜ ଦୁହିତାଙ୍କର ଭାବୀ ରାଜମହିଷୀତ୍ୱ ସମ୍ବନ୍ଧରେ ଭବିଷ୍ୟତବାଣୀ ଶ୍ରବଣକରି ସେହି ବାଣୀକୁ ଫଳବତୀ କରିବା ଆଶାରେ ଉକ୍ତ କନ୍ୟାକୁ ମହାରାଜ ବିନ୍ଦୁସାର କନ୍ୟାର ଅସାମାନ୍ୟ ରୂପଲାବଣ୍ୟ ଏବଂ ଧୀମତ୍ତା ଦର୍ଶନକରି ଏକାନ୍ତ ପ୍ରୀତ ହୋଇ ତାହାର ପାଣିଗ୍ରହଣ କଲେ । ଅଶୋକ ଏହି ଦମ୍ପତିର ସନ୍ତାନ । କଥିତ ଅଛି ଯେ, ଅଶୋକ କଦାକାର ଥିଲେ ଏବଂ କୈଶୋର ଓ ଯୈାବନରେ ତାହାଙ୍କର ପ୍ରକୃତି ନିତାନ୍ତ ଉଗ୍ର ଓ କୋପନ ଥିବାରୁ ସେ ଚଣ୍ଡାଶୋକ ନାମରେ ଅଭିହିତ ହୋଇଥିଲେ ଏବଂ ସେହି ହେତୁରୁ ନିଜ ପିତାଙ୍କର ମଧ୍ୟ ବିରାଗଭାଜନ ହୋଇଥିଲେ । ଅଶୋକଙ୍କର କନୀୟାନ ଏବଂ ଏକମାତ୍ର ସହୋଦରଙ୍କର ନାମ ବୀତଶୋକ ଏବଂ ତାହାଙ୍କର ବୈମାତ୍ରେୟ ଅଗ୍ରଜ ଭ୍ରାତାଙ୍କର ନାମ ସୁସୀମ ଥିଲା ।

 

ସୁସୀମଙ୍କ ସଙ୍ଗରେ ଅଶୋକଙ୍କର ବୈରଭାବ ଥିବାରୁ ବିନ୍ଦୁସାର ଉଭୟଙ୍କୁ ପୃଥକ ରଖିବା ଆଶୟରେ ଅଶୋକଙ୍କୁ ରାଜ୍ୟର ବାୟବ୍ୟପ୍ରାନ୍ତସ୍ଥିତ ତକ୍ଷଶିଳା ନଗରୀରେ ଘଟିଥିବା ବିଦ୍ରୋହ ଦମନ ନିମିତ୍ତ ସେଠାକୁ ପ୍ରେରଣ କଲେ । ଅଶୋକ ଅଳ୍ପକାଳ ମଧ୍ୟରେ ସୁକୈାଶଳରେ ବିଦ୍ରୋହ ଦମନ କରି ପିତାଙ୍କର ଏବଂ ପ୍ରଧାନମନ୍ତ୍ରୀଙ୍କର ଅନୁରାଗ ଆକର୍ଷଣ କଲେ । ଇତିମଧ୍ୟରେ ସୁସୀମ ରାଜଧାନୀ ପାଟିଳିପୁତ୍ର ନଗରରେ ନାନାପ୍ରକାର ଉପଦ୍ରବ କରନ୍ତେ, ବିନ୍ଦୁସାର ଅମାତ୍ୟଙ୍କ ପରାମର୍ଶ ଅନୁସାରେ ତାହାଙ୍କୁ ତକ୍ଷଶିଳାର ଶାସନ ନିମିତ୍ତ ସେଠାକୁ ପ୍ରେରଣ କଲେ ଏବଂ ଅଶୋକଙ୍କୁ ରାଜଧାନୀକୁ ଅଣାଇଲେ । କିୟତ୍କାଳ ପରେ ସୁସୀମଙ୍କର ଅନୁପସ୍ଥିତି ସମୟରେ ବିନ୍ଦୁସାରଙ୍କର ଚରମକାଳ ଉପସ୍ଥିତ ହେଲା । ସେ ସୁସୀମଙ୍କ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ଅଶୋକଙ୍କ ହସ୍ତରେ ରାଜ୍ୟଭାର ଅର୍ପଣ କରି ପରଲୋକ ଗମନ କଲେ । ସୁସୀମ ଅବିଳମ୍ବେ ତକ୍ଷଶିଳାରୁ ସସୈନ୍ୟ ପ୍ରତ୍ୟାବର୍ତ୍ତନ କରି ରାଜ୍ୟାଧିକାର ନିମିତ୍ତ ରାଜଧାନୀ ଆକ୍ରମଣ କଲେ; କିନ୍ତୁ ଅଶୋକ ତାହାଙ୍କର ପ୍ରବୀଣ ମନ୍ତ୍ରୀ ରାଧାଗୁପ୍ତଙ୍କର ସାହାଯ୍ୟରେ ସୁସୀମଙ୍କୁ ପରାସ୍ତ ଏବଂ ନିହତ କଲେ । ଉକ୍ତ ଅବଦାନ ଗ୍ରନ୍ଥରେ ଲିଖିତ ଅଛି ଯେ, ଅଶୋକ ଆପଣାର ରାଜ୍ୟକୁ ଅସପତ୍ନ ଏବଂ ନିଷ୍କଣ୍ଟକ କରିବା ଉଦ୍ଦେଶ୍ୟରେ ରାଜ୍ୟଲିପ୍‌ସୁ ସମସ୍ତ ରାଜବଂଶୀୟମାନଙ୍କୁ ବଧ କରିଥିଲେ । ତାହାଙ୍କର ତଦାନୀନ୍ତନ ନୃଶଂସ ପ୍ରକୃତିର ପ୍ରମାଣସ୍ୱରୂପ ଆହୁରି ଗୋଟିଏ କ୍ରୂର ଏବଂ ଭୀଷଣ ହତ୍ୟାକାର୍ଯ୍ୟ ବର୍ଣ୍ଣିତ ଅଛି । ଏକଦା କତିପୟ ଅଙ୍ଗନା ରାଜ୍ୟୋଦ୍ୟାନସ୍ଥ ଗୋଟିଏ ଅଶୋକବୃକ୍ଷର ଶାଖାଗୁଡ଼ିକ ଭାଙ୍ଗିପକାଇଥିବାର ଶୁଣି ସେ ସେହି କାମିନୀମାନଙ୍କୁ ପ୍ରଜ୍ଜ୍ୱଳିତ ଅଗ୍ନିରେ ଦଗ୍‌ଧ କରିବା ନିମିତ୍ତ ଚଣ୍ଡଗିରିନାମକ ଜଣେ ଆତତାୟୀକୁ ଆଦେଶ ଦେଇଥିଲେ ଏବଂ ସେହି ନିଷ୍ଠୁର ଆଦେଶ କାର୍ଯ୍ୟରେ ପରିଣତ ହୋଇଥିଲା । ଏଥିଉତ୍ତାରେ ସମୁଦ୍ରନାମା ଜଣେ ବୈାଦ୍ଧଯତିର ଅସାମାନ୍ୟ ପ୍ରଭାବଦ୍ୱାରା ସେ ବୈାଦ୍ଧଧର୍ମ ପ୍ରତି ଆକୃଷ୍ଟ ହୋଇ, ସେହି ଧର୍ମ ଗ୍ରହଣ କରି ନିଜ ଚରିତ୍ର ସଂଶୋଧନବ୍ରତରେ ନିରତିଶୟ ରତ ହେଲେ । ଅଶୋକ ବାସ୍ତବରେ ଏପରି ନୃଶଂସଚରିତ୍ର ଥିଲେ କିମ୍ବା ବୈାଦ୍ଧଧର୍ମର ମାହାତ୍ମ୍ୟବୃଦ୍ଧି ନିମିତ୍ତ ଅଶୋକଙ୍କର ପୂର୍ବଚରିତ୍ରକୁ ଏପରି କୁତ୍ସିତ ବର୍ଣ୍ଣରେ ଚିତ୍ରିତ କରିଅଛନ୍ତି, ତାହା ନିର୍ଦ୍ଧାରଣ କରିବାର ଉପାୟ ନାହିଁ । ସମ୍ଭବତଃ ବୈାଦ୍ଧଗ୍ରନ୍ଥକାରଙ୍କର ଚିତ୍ର ଅତିରଞ୍ଜିତ ଅଟେ । ଅନ୍ତତଃ ତାହାଙ୍କର ବୈାଦ୍ଧଧର୍ମ ଗ୍ରହଣ ସମ୍ବନ୍ଧରେ ଅଶୋକ ନିଜେ ସ୍ୱପ୍ରଚାରିତ ଶୈଳଖୋଦିତ ଅନୁଶାସନ ମାନଙ୍କରେ ଯେଉଁ ବିବରଣ ଦେଇଅଛନ୍ତି ତାହା ଉଲ୍ଲିଖିତ ବିବରଣ ବିରୋଧୀ ଅଟେ । ପ୍ରୋକ୍ତ ଶୈଳଲିପିଦ୍ୱାରା ସେ ପ୍ରଚାର କରିଯାଇଅଛନ୍ତି ଯେ, ତାଙ୍କ ରାଜତ୍ୱର ପ୍ରଥମ ଭାଗରେ କଳିଙ୍ଗ ରାଜ୍ୟର ବିଜୟ ନିମିତ୍ତ ସେ ଯେଉଁ ଘୋର ଯୁଦ୍ଧରେ ପ୍ରବୃତ୍ତ ହୋଇଥିଲେ, ସେଥିରେ ଅସଂଖ୍ୟ ମନୁଷ୍ୟଙ୍କର ହତ୍ୟାରୂପ ହିଂସାପ୍ରଣୋଦିତ କ୍ରୂର ବ୍ୟାପାର ଏବଂ ଲକ୍ଷ ଲକ୍ଷ ଲୋକଙ୍କର ଅଶେଷ ବିଧ ଯନ୍ତ୍ରଣା ଦର୍ଶନ କରି ସେ ହୃଦୟମଧ୍ୟରେ ଗଭୀର ଅନୁତାପ ଓ ନିର୍ବେଦ ଅନୁଭବ କରିଥିଲେ ଏବଂ ସେହି ସମୟରୁ ‘ଅହିଂସା ପରମଧର୍ମ’ ବୈାଦ୍ଧଧର୍ମର ଏହି ସ୍ୱର୍ଗୀୟ ନୀତିପ୍ରତି ଆକୃଷ୍ଟ ହୋଇ କାଳକ୍ରମେ ସେହି ଧର୍ମକୁ ପ୍ରକାଶ୍ୟରୂପେ ଗ୍ରହଣ କରିଥିଲେ ।

 

ଅଶୋକ ବୈାଦ୍ଧଧର୍ମ ଗ୍ରହଣପୂର୍ବକ ଉପଗୁପ୍ତନାମା ଜଣେ ପ୍ରବୀଣ ବୈାଦ୍ଧାଚାର୍ଯ୍ୟଙ୍କଠାରୁ ନାନାବିଧ ସଦୁପଦେଶ ଲାଭକରି ଏକାନ୍ତ ଧର୍ମନିଷ୍ଠ ହେଲେ ଏବଂ ବୈାଦ୍ଧଧର୍ମର ଗୈାରବବର୍ଦ୍ଧନାର୍ଥ ଲକ୍ଷ ଲକ୍ଷ ସ୍ତୂପ ନିର୍ମାଣ ଏବଂ ମଠାଦି ସ୍ଥାପନ କରାଇ ସ୍ୱୀୟ ଅସାଧାରଣ ଧର୍ମାନୁରାଗ ନିମିତ୍ତ ପୂର୍ବତନ ଚଣ୍ଡାଶୋକ ନାମର ପରିବର୍ତ୍ତନରେ ଧର୍ମାଶୋକ ନାମରେ ପ୍ରସିଦ୍ଧ ହେଲେ । ତାଙ୍କ ପ୍ରଚାରିତ ଶୈଳଲିପିମାନଙ୍କରେ ସେ ଆପଣାକୁ ପ୍ରିୟଦର୍ଶୀ ବା ପ୍ରିୟଦର୍ଶୀ ନାମରେ ଅଭିହିତ କରି ଯାଇଅଛନ୍ତି । କଥିତ ଅଛି ଯେ, ଅଶୋକଙ୍କ ଆଜ୍ଞାରେ ୮୪୦୦୦ ସ୍ତୂପ ନିର୍ମିତ ଏବଂ ୮୪୦୦୦ ଅନୁଶାସନ ବା ଧର୍ମାଦେଶ ଖୋଦିତ ହୋଇଥିଲା ।

 

ଅଶୋକଙ୍କ ପୁତ୍ରମାନଙ୍କ ମଧ୍ୟରେ କୁନାଳ ଓ ମହେନ୍ଦ୍ର ଏବଂ କନ୍ୟାମାନଙ୍କ ମଧ୍ୟରେ ସଂଘମିତ୍ରା ବୈାଦ୍ଧଗ୍ରନ୍ଥମାନଙ୍କରରେ ଧର୍ମାନୁରାଗ ନିମିତ୍ତ ବିଶେଷରୂପେ ପ୍ରଶଂସିତ । ମହେନ୍ଦ୍ର ଏବଂ ସଂଘମିତ୍ରା ରାଜୈଶ୍ୱର୍ଯ୍ୟଭୋଗ କାମନା ପରିତ୍ୟାଗପୂର୍ବକ ସିଂହଳଦ୍ୱୀପକୁ ଗମନ କରି ତତ୍ରତ୍ୟ ରାଜା, ରାଣୀ ଏବଂ ଅନେକ ପ୍ରଜାଙ୍କୁ ବୈାଦ୍ଧଧର୍ମରେ ଦୀକ୍ଷିତ କରିଥିଲେ । ବହୁଗୁଣାଧାର ଏକାନ୍ତ ପିତୃଭକ୍ତ କୁନାଳ ପିତାଙ୍କର ଅତ୍ୟନ୍ତ ପ୍ରିୟ ଥିଲେ । ଅଶୋକ ଏକଦା ତକ୍ଷଶିଳାରେ ସଂଘଟିତ ବିଦ୍ରୋହ ଦମନାର୍ଥ କୁାନଳଙ୍କୁ ସେଠାକୁ ପ୍ରେରଣ କରିଥିଲେ । କୁନାଳ ଦକ୍ଷତା ସହକାରେ ବିଦ୍ରୋହ ଦମନ କରି ବିଦ୍ରୋହୀ ଦଳପତି କୁଞ୍ଜରକର୍ଣ୍ଣକୁ ସ୍ୱାୟତ୍ତ କଲେ । ଇତିମଧ୍ୟରେ ଅଶୋକ ସ୍ୱପ୍ନରେ କୁନାଳଙ୍କ ମନ ବିଶୁଷ୍କ ଓ ବିବର୍ଣ୍ଣ ହୋଇ ଯାଇଥିବାର ଦେଖି ଏବଂ ଜ୍ୟୋତିଷୀମାନଙ୍କଠାରୁ ସ୍ୱପ୍ନଦ୍ୱାରା କୁନାଳଙ୍କର ପ୍ରାଣହାନି ଅଥବା ଦର୍ଶନ ଶକ୍ତିର ବିନାଶ ସୂଚିତ ହେଉଅଛି ବୋଲି ଶୁଣି ନିତାନ୍ତ ଦୁର୍ମନାୟମାନ ହୋଇ କିଛିକାଳ ରାଜକାର୍ଯ୍ୟରୁ ବିରତ ହେଲେ । ଏହି ଅବସରରେ କୁନାଳଙ୍କର ଚିରାନିଷ୍ଟକାରିଣୀ ତାହାଙ୍କର ବିମାତା ତିଷ୍ୟରକ୍ଷିତା କୁଟିଳ କୈାଶଳ ଦ୍ୱାରା ମହାରାଜାଙ୍କର ମୋହର ହସ୍ତଗତ କରି ଉକ୍ତ ମୋହରଦ୍ୱାରା ଅଙ୍କିତ ଖଣ୍ଡିଏ ଆଦେଶପତ୍ର ଲେଖାଇ ପୂର୍ବୋକ୍ତ କୁଞ୍ଜରକର୍ଣ୍ଣ ନିକଟକୁ ଏହି ଆଜ୍ଞା ପ୍ରେରଣ କଲେ ଯେ, ସେ ପତ୍ର ପ୍ରାପ୍ତି ମାତ୍ରକେ କୁାନଳଙ୍କର ନେତ୍ରଦ୍ୱୟ ଉତ୍ପାଟନ କରାଇବ । ଆଦେଶପତ୍ର ଯଥାସ୍ଥାନରେ ଉପସ୍ଥିତ ହେଲା ଏବଂ କୁନାଳ ଏପରି ଆଜ୍ଞା ଆସିଥବାର ସମ୍ବାଦ ଅବଗତ ହେଲାକ୍ଷଣି କିଂକର୍ତ୍ତବ୍ୟବିମୂଢ କୁଞ୍ଜରକର୍ଣ୍ଣ ନିକଟକୁ ଯାଇ ଆଦେଶ ଲିପି ପାଠକଲେ ଏବଂ ସେଥିରେ ଅଶୋକଙ୍କ ନାମରେ ମୋହର ଥିବାର ଦେଖି କହିଲେ, ‘‘କୁଞ୍ଜରକର୍ଣ୍ଣ, ଏହିକ୍ଷଣି ରାଜାଦେଶ ପାଳନ କର; ନତୁବା ଏହି ଅସିଦ୍ୱାରା ତୁମ୍ଭର ଶିରଚ୍ଛେଦନ କରିବି ।’’ କୁଞ୍ଜରକର୍ଣ୍ଣ ଅଗତ୍ୟା ଜଣେ ଚଣ୍ଡାଳଦ୍ୱାରା ସେହି ନିଷ୍ଠୁର ଆଦେଶକୁ କାର୍ଯ୍ୟରେ ପରିଣତ କରାଇଲେ । ଏଥିଉତ୍ତାରେ ଅନ୍ଧୀଭୂତ କୁନାଳ ଯତିବେଶରେ ଅତି କ୍ଳେଶରେ ବହୁକାଳ ଭ୍ରମଣ କରି ପାଟଳିପୁତ୍ର ନଗରରେ ଉପସ୍ଥିତ ହୋଇ ଅର୍ଦ୍ଧରାତ୍ର ସମୟରେ ରାଜପ୍ରାସାଦର ଅନତିଦୂରରେ ବଂଶୀବାଦନ କରିବାକୁ ଲାଗିଲେ । ଅଶୋକ ସେହି ଅମୃତମୟ ଧ୍ୱନି ଶୁଣି ଦିବ୍ୟାନନ୍ଦରସରେ ଅଭିଷିକ୍ତ ହୋଇ ପ୍ରାତଃକାଳରେ ବାଦକକୁ ଅଣାଇ ଦେଖିଲେ ଯେ, ସେ ତାହାଙ୍କର ପ୍ରାଣାଧିକ ତନୟ କୁନାଳ । କୁନାଳକୁ ଅନ୍ଧ, ଭିକ୍ଷୁବେଶଧାରୀ ଦେଖି ସେ ଏକାନ୍ତ କ୍ଷୁବ୍‌ଧ ଓ ବିସ୍ମିତ ହୋଇ କାରଣ ପଚାରିଲେ ;କିନ୍ତୁ ସେ କୈାଣସି ଉତ୍ତର ଦେଲେ ନାହିଁ । ପରେ ଅନୁସନ୍ଧାନ ଦ୍ୱାରା ତଥ୍ୟ ବୁଝିପାରି କ୍ରୂରା ମହିଷୀ ତିଷ୍ୟରକ୍ଷିତାର ଶିରଚ୍ଛେଦନ ନିମିତ୍ତ ଉଦ୍ୟତ ହେଲେ ;କିନ୍ତୁ କୁନାଳ ଦୟବତାର ବୁଦ୍ଧଙ୍କର ପବିତ୍ର ନାମ ଉଚ୍ଚାରଣ କରି ପିତାଙ୍କର କୋପ ଶାନ୍ତ କଲେ ।

 

ଅଶୋକଙ୍କର ଏକମାତ୍ର ସହୋଦର ବୀତଶୋକ ଏକସମୟରେ କତିପୟ ବୈାଦ୍ଧଧର୍ମଦ୍ୱେଷୀ ବ୍ରାହ୍ମଣ ମାନଙ୍କ ପ୍ରରୋଚନାରେ ଭ୍ରାତୃବିରୋଧୀ ହୋଇଥିଲେ ;କିନ୍ତୁ ପରେ ଅଗ୍ରଜଙ୍କ ଧର୍ମଗୁରୁ ଉପଗୁପ୍ତଙ୍କ ନିକଟରେ ଶରଣାପନ୍ନ ହୋଇ ବୈାଦ୍ଧଧର୍ମର ଦୀକ୍ଷା ଗ୍ରହଣପୂର୍ବକ ସନ୍ନ୍ୟାସ ଅବଲମ୍ବନ କଲେ ।

 

କତିପୟ ଉଉରୋପୀୟ ପ୍ରାଚ୍ୟ ପ୍ରତ୍ନତତ୍ତ୍ୱବିତ୍‌ ପଣ୍ଡିତମାନେ ଅସାମାନ୍ୟ ଅଧ୍ୟବସାୟସହକାରେ ଅଶୋକଙ୍କର ଅନୁଶାସନଗୁଡ଼ିକ ପାଠକରି ପ୍ରକାଶ କରିଅଛନ୍ତି । ସେହି ଲିପିଗୁଡ଼ିକ ମଧ୍ୟରୁ କେତେକ ଖଣ୍ଡଶୈଳ କଳେବରରେ, କେତେକ ଗୁମ୍ଫାମାନଙ୍କରେ ଏବଂ କେତେକ ସମୁଚ୍ଚ ସ୍ତମ୍ଭମାନଙ୍କରେ ଖୋଦିତ ହୋଇଥିବାର ଦେଖାଯାଏ । ଶୈଳାଙ୍କିତ ଘୋଷଣାଗୁଡ଼ିକ ତାହାଙ୍କର ରାଜତ୍ୱର ଦ୍ରୟୋଦଶ ଏବଂ ଚତୁର୍ଦ୍ଦଶ ବର୍ଷ ମଧ୍ୟରେ ସ୍ତମ୍ଭଲିଖିତ ଘୋଷଣାଗୁଡ଼ିକ ସପ୍ତବିଂଶ ଓ ଅଷ୍ଟବିଂଶ ବର୍ଷକମଧ୍ୟରେ ଖୋଦିତ ହୋଇଥିଲେ । ଅଶୋକ ସପ୍ତବିଂଶଦ୍‌ ବର୍ଷ ଅର୍ଥାତ୍‌ ଖ୍ରୀଷ୍ଟପୂର୍ବ ୨୫୯ ଅବ୍ଦରୁ ୨୨୨ ଅବ୍ଦ ପର୍ଯ୍ୟନ୍ତ ସାମ୍ରାଜ୍ୟଲକ୍ଷ୍ମୀ ସମ୍ଭୋଗକରି ଅବଶେଷରେ ଧର୍ମପ୍ରଚାରାର୍ଥ ସସାଗରାଧରା ବୈାଦ୍ଧସଂଘକୁ ଦାନ କରି ଏବଂ ନିଜେ ଭିକ୍ଷୁବ୍ରତ ଗ୍ରହଣ କରି ନଶ୍ୱର ଦେହ ପରିତ୍ୟାଗ କରିଥିଲେ ।

 

ଭାରତର ବିଭିନ୍ନ ଅଂଶରେ ପାଞ୍ଚଗୋଟି ଶୈଳ ଦେହରେ ଶୈଳଲିଖିତ ଅନୁଶାସନଗୁଡ଼ିକ ବର୍ତ୍ତମାନ ଅଛି; ପ୍ରଥମଟି ଭୁବନେଶ୍ୱରର ଅଦୂରବର୍ତ୍ତୀ ଦୟାନଦୀତୀରସ୍ଥ ଧଉଳିଗିରି, ଦ୍ୱିତୀୟଟି ଗଞ୍ଜାମ ଜିଲ୍ଲାସ୍ଥିତ ଜଉଗଡ଼ା ପର୍ବତ, ତୃତୀୟଟି ଗୁଜୁରାଟସ୍ଥିତ ଗିର୍ଣ୍ଣାର ପର୍ବତ, ଚତୁର୍ଥଟି ଯମୁନା ତଟସ୍ଥ ହିମାଳୟ ମଧ୍ୟବର୍ତ୍ତୀ ଖାଲସିଗିରି ଏବଂ ପଞ୍ଚମଟି ସିନ୍ଧୁନଦୀ ତୀରବର୍ତ୍ତୀ ଅଟକନଗର ନିକଟସ୍ଥ କପର୍ଦ୍ଦଗିରି । ପ୍ରତ୍ୟେକ ଶୈଳରେ ଚତୁର୍ଦ୍ଦଶଗୋଟି ଅନୁଶାସନ ଲିପିବଦ୍ଧ ହୋଇଅଛି । ପ୍ରଥମ ଅନୁଶାସନରେ ଜୀବବଧ ନିଷେଧ, ଦ୍ୱିତୀୟରେ ରୁଗ୍‌ଣ ମନୁଷ୍ୟ ଓ ପଶୁମାନଙ୍କ ଚିକିତ୍ସା ଓ ସେବା ନିମିତ୍ତ ଆୟୋଜନ,ତୃତୀୟରେ ବୈାଦ୍ଧଧର୍ମର ମାହାତ୍ମ୍ୟ-କୀର୍ତ୍ତନ ନିମିତ୍ତ ପ୍ରତି ପଞ୍ଚମ ବର୍ଷରେ ମହୋତ୍ସବର ଅନୁଷ୍ଠାନ ବିଧି,ଚତୁର୍ଥରେ ନିଜର ପୁତ୍ର ଓ ପୈାତ୍ର ଏବଂ ବଂଶଧରମାନଙ୍କ ପ୍ରତି ଧର୍ବରକ୍ଷା ଏବଂ ଧର୍ମପ୍ରଚାର ନିମିତ୍ତ ଉପଦେଶ, ପଞ୍ଚମରେ ଧନୀ ଦରିଦ୍ର ନିର୍ବିଶେଷରେ ସକଳ ସଂପ୍ରଦାୟ ମଧ୍ୟରେ ସ୍ୱଦେଶରେ ଏବଂ ବିଦେଶରେ ଧର୍ମପ୍ରଚାରକ ନିମିତ୍ତ ଧର୍ମମହାପାତ୍ର ବା ପରିବ୍ରାଜକ ଧର୍ମାଚାର୍ଯ୍ୟମାନଙ୍କର ନିଯୁକ୍ତି, ଷଷ୍ଠରେ ପ୍ରଜାଙ୍କଠାରେ ରାଜା ଋଣୀ ଏହି ଉଚ୍ଚଭାବ ଉପଲବ୍‌ଧି କରି ପ୍ରଜାଙ୍କର ଦୁଃଖହ୍ରାସ ଓ ସୁଖବୃଦ୍ଧି ନିମିତ୍ତ ଆପଣାର ସମଗ୍ର ଜୀବନକୁ ସର୍ବଦା ବିନିଯୋଗ କରିବାର ପବିତ୍ର ସଂକଳ୍ପ, ସପ୍ତମରେ ସଂକୀର୍ଣ୍ଣ ସାଂପ୍ରଦାୟିକ ବିଦ୍ୱେଷ ପରିବର୍ଜନପୂର୍ବକ ସାର୍ବଜନୀନ ମୈତ୍ରୀବ୍ରତ ସାଧନର ଅଭିପ୍ରାୟ, ଅଷ୍ଟମରେ ମୃଗୟାଦି ରାଜବ୍ୟସନର ଅନୈାଚିତ୍ୟ ପ୍ରଦର୍ଶନ ଏବଂ ଦାନ,ସେବା ଓ ସତ୍‌ସଙ୍ଗର ପ୍ରଶଂସା, ନବମରେ ସକଳ ପ୍ରକାର ଦାନମଧ୍ୟରେ ଧର୍ମଦାନର ଅର୍ଥାତ୍‌ ଧର୍ମନୀତି ବିସ୍ତାର ନିମିତ୍ତ ଆନ୍ତରିକ ଯତ୍ନର ଶ୍ରେଷ୍ଠତା ପ୍ରଖ୍ୟାପନ, ଦଶମରେ ପ୍ରଜାମାନଙ୍କ ସ୍ୱଧର୍ମାନୁରାଗ ଦର୍ଶନରେ ଆନନ୍ଦ ପ୍ରକାଶ, ଏକାଦଶରେ ଭକ୍ତି,ପ୍ରୀତି, ମୈତ୍ରୀଭାବର ସାଧନକୁ ପରମ ପୁରୁଷାର୍ଥ ବୋଲି ପ୍ରତିପାଦନ, ଦ୍ୱାଦଶରେ ସଂପ୍ରଦାୟ ନିର୍ବିଶେଷରେ ଗୃହତ୍ୟାଗୀ ସନ୍ନ୍ୟାସୀ ଏବଂ ଗୃହସ୍ଥ ଉଭୟ ଶ୍ରେଣୀର ଲୋକମାନଙ୍କ ପ୍ରତି ଶ୍ରଦ୍ଧା ସମର୍ପଣ ଏବଂ ବିଭିନ୍ନ ସଂପ୍ରଦାୟମାନଙ୍କର ପରସ୍ପର ନିନ୍ଦାର ଅଯୈାକ୍ତିକତା ପ୍ରଦର୍ଶନ, ତ୍ରୟୋଦଶରେ କଳିଙ୍ଗଯୁଦ୍ଧର ନୃଶଂସତା ବର୍ଣ୍ଣନା, ନିଜର ଅନୁତାପ ଏବଂ ନବ ଦୀକ୍ଷାଗ୍ରହଣର ଉଲ୍ଲେଖ, ଭାରତର ଦକ୍ଷିଣାଞ୍ଚଳରେ ଚୋଳ, ପାଣ୍ଡ୍ୟ ପ୍ରଭୃତି ପ୍ରଦେଶରେ ଏବଂ ଆଣ୍ଟିଓକ୍‌ସ ପ୍ରଭୃତି ଯବନ ଭୂପତିମାନଙ୍କ ରାଜ୍ୟରେ ବୈାଦ୍ଧଧର୍ମ ପ୍ରଚାରର ସୁଫଳଦର୍ଶନରେ ମହୋଲ୍ଲାସ ପ୍ରକାଶ,ଚତୁର୍ଦ୍ଦଶରେ ନିଜ ସାମ୍ରାଜ୍ୟର ବିପୁଳ ବିସ୍ତୃତିର ଏବଂ ଭବିଷ୍ୟତରେ ଧର୍ମପ୍ରଚାରାର୍ଥ ଦୃଢତର ସଂକଳ୍ପର ଉଲ୍ଲେଖ ଲିପିବଦ୍ଧ ହୋଇଅଛି ।

 

ଗୁମ୍ଫାମାନଙ୍କରେ ଖୋଦିତ ଲିପି ଗୟା ନିକଟସ୍ଥ ନାଗାର୍ଜ୍ଜୁନ ପର୍ବତରେ, ଭୁବନେଶ୍ୱର ନିକଟସ୍ଥ ଖଣ୍ଡଗିରିରେ, ମଧ୍ୟପ୍ରଦେଶର ରାମଗଡ଼ରେ ଏବଂ ଅନ୍ୟାନ୍ୟ କେତେକ ସ୍ଥଳରେ ଦେଖାଯାଏ । କେଉଁ ଗୁମ୍ଫା କେଉଁ ରାଜା ବୈାଦ୍ଧତପସ୍ୱୀମାନଙ୍କ ଉପକାରାର୍ଥ ନିର୍ମାଣ କରାଇଥିଲେ, ସେଥିର ବିବରଣ ସେହି ଗୁମ୍ଫାମାନଙ୍କରେ ଖୋଦିତ ହୋଇଅଛି ।

 

ସ୍ତମ୍ଭ ଖୋଦିତ ଲିପି ଦିଲ୍ଲୀରେ, ଏଲାହାବାଦରେ, ତ୍ରିହୁତ ଜିଲ୍ଲାର ଗ୍ରାମବିଶେଷରେ ଏବଂ ଭୂପାଳସ୍ଥିତ ସାଞ୍ଚୀ ନାମକ ସ୍ଥାନରେ ପରିଦୃଷ୍ଟ ହୁଏ । ପୂର୍ବୋଲ୍ଲିଖିତ ଚତୁର୍ଦ୍ଦଶ ଅନୁଶାସନବତ୍‌ ସ୍ତମ୍ଭାନୁଶାସନଗୁଡ଼ିକ ମଧ୍ୟ ନାନା ଧର୍ମୋପଦେଶରେ ଏବଂ ଅଶୋକଙ୍କର ଅନୁଷ୍ଠିତ ପ୍ରଜାହିତକର କାର୍ଯ୍ୟର ବିବରଣରେ ପରିପୂର୍ଣ୍ଣ ।

 

ଏହି ଅନୁଶାସନଲିପି କଥା ଚିନ୍ତାକଲେ କାହାର ହୃଦୟ ବିସ୍ମୟାପନ୍ନ ନ ହେବ ? କି ଗଭୀର ଧର୍ମାନୁରାଗ ! ଧର୍ମପ୍ରଚାରାର୍ଥ କି ଅତୁଲ୍ୟ ବ୍ୟାକୁଳତା । କେବଳ ମନୁଷ୍ୟମାନଙ୍କ ପ୍ରତି ନୁହେଁ, ନିକୃଷ୍ଟ ଜୀବାମାନଙ୍କ ପ୍ରତି ସୁଦ୍ଧା କି ଅନୁପମ ଦୟା ! କି ସ୍ୱର୍ଗୀୟ ଅସାମ୍ପ୍ରଦାୟିକ ଉଦାରତା ! କି ଅମୃତମୟ ପ୍ରଜାବାତ୍ସଲ୍ୟ ଓ ଅମାୟିକ ଲୋକହିତୈଷଣା ! ଧନ୍ୟ ଅଶୋକ ! ଧନ୍ୟ ଦେବାନାଂ ପ୍ରିୟଦର୍ଶୀ ! ଧନ୍ୟ ତୁମ୍ଭର ଦୟା ! ଧନ୍ୟ ତୁମ୍ଭର ବିଶ୍ୱାସ !

Image

 

କୁମାରୀ ତରୁ ଦତ୍ତ

 

ମନୁଷ୍ୟସମାଜର ଅର୍ଦ୍ଧାଙ୍ଗ ପୁରୁଷ ଓ ଅର୍ଦ୍ଧାଙ୍ଗ ନାରୀ । ସମାଜର ଉନ୍ନତିସାଧନ ନିମିତ୍ତ ନର ନାରୀ ଉଭୟଙ୍କର ସମବେତ ଯତ୍ନ ଏକାନ୍ତ ଆବଶ୍ୟକ । ପୁରୁଷର ବୀର୍ଯ୍ୟ, ବୁଦ୍ଧି ଓ ପ୍ରୀତିର ବିକାଶ ନିମିତ୍ତ ଶିକ୍ଷା ଯେପରି ପ୍ରୟୋଜନୀୟ, ନାରୀ ପ୍ରକୃତିର ବିକାଶ ନିମିତ୍ତ ଶିକ୍ଷା ସେହିପରି ଆବଶ୍ୟକ । କନ୍ୟାକୁ ଅତି ଯତ୍ନରେ ଶିକ୍ଷା ଦେବ, ଏହି ଉପଦେଶ ପ୍ରାଚୀନକାଳର ଋଷିମାନେ ଦେଇଯାଇଅଛନ୍ତି; କିନ୍ତୁ ଘୋର କୁସଂସ୍କାରର ପ୍ରଭାବରୁ ଆମ୍ଭମାନଙ୍କ ଦେଶରେ ନାରୀଶିକ୍ଷା ଅବହେଳିତ ହୋଇଥିବାରୁ ଆମ୍ଭମାନଙ୍କର ସ୍ତ୍ରୀଜାତି ଜ୍ଞାନଲୋକଲାଭରୁ ବଞ୍ଚିତ ହୋଇ ଅନୁନ୍ନତ ଅବସ୍ଥାରେ ଜୀବନଯାପନ କରୁଥିବାର ଦେଖାଯାଏ । ବ୍ରିଟିଶ ଶାସନରେ ଏହି ଦେଶରେ ନବ ଶୁଭଯୋଗ ଆବିର୍ଭୂତ ହୋଇଅଛି ଏବଂ ଯେପରି ପୁରୁଷ ନିମିତ୍ତ, ସେହିପରି ସ୍ତ୍ରୀମାନଙ୍କ ପାଇଁ ଜ୍ଞାନୋପାର୍ଜନର ପଥ ପରିଷ୍କୃତ ହୋଇଅଛି । ଏହି ନବଯୁଗରେ ଅନେକଗୁଡ଼ିଏ ଭାରତୀୟ ନାରୀ ସୁଶିକ୍ଷିତା ହୋଇ ନାରୀ ନାମର ସମ୍ମାନ ବଢାଇ ଅଛନ୍ତି ଏବଂ ନାରୀ ଯେ ସକଳପ୍ରକାର ବିଦ୍ୟା ଅନୁଶୀଳନ କରିବା ପାଇଁ ଉପଯୁକ୍ତା, ତାହା କାର୍ଯ୍ୟତଃ ପ୍ରମାଣ କରିଦେଇଅଛନ୍ତି । ଅତ୍ୟଳ୍ପ ବୟସରେ ପରଲୋକାନ୍ତକାରିତା କୁମାରୀ ତରୁ ଦତ୍ତଙ୍କ ଜୀବନ ଏ ବିଷୟରେ ଗୋଟିଏ ଉତ୍କୃଷ୍ଟ ଦୃଷ୍ଟାନ୍ତ ।

 

ଓଡ଼ିଶାର ଭୂତପୂର୍ବ କମିଶନର ଶ୍ରୀ ରମେଶଚନ୍ଦ୍ର ଦତ୍ତ କଲିକତା ନଗରୀର ଯେଉଁ ପ୍ରସିଦ୍ଧ ଦତ୍ତ ବଂଶରେ ଜନ୍ମଗ୍ରହଣ କରିଥିଲେ, କୁମାରୀ ତରୁ ମଧ୍ୟ ସେହି ଦତ୍ତବଂଶକୁ ଅଳଂକୃତ କରିଥିଲେ । ଏହି ପ୍ରତିଭାଶାଳିନୀ କୁମାରୀ ପ୍ରଥମେ ତାଙ୍କ ପିତା ଶ୍ରୀ ଗୋବିନ୍ଦଚନ୍ଦ୍ର ଦତ୍ତଙ୍କ ଯତ୍ନରେ ନିଜ ଗୃହରେ ବିଦ୍ୟାଶିକ୍ଷା କରିଥିଲେ । ପରେ ପିତାଙ୍କ ସଙ୍ଗରେ ଇଉରୋପ ଗମନ କରି ଫ୍ରାନ୍‌ସ ଦେଶରେ ଫରାସୀ ସାହିତ୍ୟ ଅଧ୍ୟୟନ କରି ଇଂଲଣ୍ଡରେ କିଛିକାଳ ବାସ କରିଥିଲେ । ସେ ୧୮୫୬ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରି ୧୮୭୭ ଖ୍ରୀଷ୍ଟାବ୍ଦରେ ଏକୋଇଶ ବର୍ଷ ବୟସରେ ଜୀବଲୀଳା ସମ୍ବରଣ କଲେ । ଏହି ଅଳ୍ପ କାଳ ମଧ୍ୟରେ ସେ ଉଚ୍ଚ ଶ୍ରେଣୀର ଶିକ୍ଷା ଲାଭ କରି ସୁକବି ଓ ସୁଲେଖିକା ବୋଲି ସ୍ୱଦେଶରେ ଏବଂ ବିଦେଶରେ ଯେଉଁ ସମ୍ମାନ ଓ ଯଶଃ ଲାଭ କରିଅଛନ୍ତି,ତଦ୍ଦ୍ୱାରା ଏ ଦେଶର ନାରୀକୁଳ ଗୈରବାନ୍ୱିତ ହୋଇଅଛି ।

 

କେହି କେହି ମନେକରନ୍ତି ଯେ, ସ୍କୁଲ କଲେଜରେ ଅଧ୍ୟୟନ ନକଲେ ବିଦ୍ୟାଶିକ୍ଷା ହୁଏ ନାହିଁ; କିନ୍ତୁ ଇଚ୍ଛା ଓ ଯତ୍ନ ଥିଲେ ଘରେ ବସି ସୁଦ୍ଧା ଲେଖାପଢା କଲେ ଯେ ପ୍ରଗାଢ ପାଣ୍ଡିତ୍ୟ ଲାଭ କରାଯାଇପାରେ, ଏହା ତରୁଙ୍କର ଜୀବନରେ ସୁପ୍ରମାଣିତ । ପୁଣି ପିତା,ମାତା, ପତି ବା ଭ୍ରାତାଙ୍କ ଯତ୍ନରେ ବୁଦ୍ଧିମତୀ ନାରୀ ଯେ ଜ୍ଞାନର ଉଚ୍ଚ ରାଜ୍ୟରେ ବିଚରଣ କରି କାବ୍ୟ, ଇତିହାସ, ବିଜ୍ଞାନ, ଦର୍ଶନ, ଧର୍ମଶାସ୍ତ୍ର ପ୍ରଭୃତି ସକଳପ୍ରକାର ବିଦ୍ୟା ଆଲୋଚନା କରିପାରନ୍ତି,ଏ ବିଷୟରେ ମଧ୍ୟ ସେହି ବାଳିକାର ଜୀବନୀ ସାକ୍ଷୀ ଅଟେ ।

 

ଯେତେବେଳେ ତରୁ ପିତାଙ୍କ ସଙ୍ଗରେ ଇଉରୋପ ଯାଇଥିଲେ, ସେତେବେଳେ ତାହାଙ୍କର ବୟସ ଚତୁର୍ଦ୍ଦଶ ବର୍ଷ ମାତ୍ର ହୋଇଥିଲା । ସେଠାରେ ସେ ପ୍ରାୟ ଏକ ବର୍ଷ ଫରାସୀ ଭାଷାରେ କତିପୟ କାବ୍ୟ ଓ ଅନ୍ୟାନ୍ୟ ଗ୍ରନ୍ଥ ଅଧ୍ୟୟନ କରି ଇଂଲଣ୍ଡକୁ ଗଲେ ଏବ ଶେଷୋକ୍ତ ଦେଶରେ ଜର୍ମାନ୍‌ ସାହିତ୍ୟ ଆଲୋଚନା କରିଥିଲେ । ଏହି ସମୟରେ ଫ୍ରାନ୍‌ସ ଓ ଜର୍ମାନୀ ଉଭୟ ଦେଶ ମଧ୍ୟରେ ମହାଯୁଦ୍ଧ ଲାଗିଥିଲା ଏବଂ ଶେଷରେ ୧୮୭୦ ଖ୍ରୀଷ୍ଟାବ୍ଦରେ ଫ୍ରାନ୍‌ସ ସଂପୂର୍ଣ୍ଣରୂପେ ପରାଜିତ ହୁଅନ୍ତେ, ଫ୍ରାନ୍‌ସ ସମ୍ରାଟ ଓ ସମ୍ରାଜ୍ଞୀ ସ୍ୱଦେଶରୁ ବହିଷ୍କୃତ ହେଲେ ।

 

ତରୁ ଫରାସୀସାହିତ୍ୟ ପଢୁ ପଢୁ ଫ୍ରାନ୍‌ସ ଦେଶପ୍ରତି ଏପରି ଅନୁରକ୍ତା ହୋଇଥିଲେ ଯେ, ଏହି ସମୟରେ ଅର୍ଥାତ୍‌ ପନ୍ଦର ବର୍ଷ ବୟସରେ ତାଙ୍କର ଦୈନିକ ବିବରଣରେ ଲେଖିଅଛନ୍ତ: ‘‘ହାୟ ହାୟ ! ଫ୍ରାନ୍‌ସର ପତନ ! ଏ ସମ୍ବାଦ ଶୁଣି ମୋର ହୃଦୟ ବିଦୀର୍ଣ୍ଣ ହୋଇଯାଉଅଛି । ହେ ଫ୍ରାନ୍‌ସ ! ତୋର ଅନେକ ପୁତ୍ର, କନ୍ୟା ପାପ ଓ ନାସ୍ତକତା ପଙ୍କରେ ନିମଗ୍ନ ;ସେଥିଲାଗି କି ତୋର ଏହି ଭୟାନକ ପତନ ହେଲା ? ଏବେ ଧର୍ମାବହ ପରମେଶ୍ୱରଙ୍କ ପବିତ୍ର ପୂଜାଦ୍ୱାରା ଶୁଦ୍ଧ ହୋଇ ନବଜୀବନ ଲାଭ କରିବାକୁ ଶିକ୍ଷା କର ।’’ ପନ୍ଦର ବର୍ଷର ବାଳିକାର କି ସ୍ୱର୍ଗୀୟ ଧର୍ମଭାବ ! ସୁଦୂର ପରଦେଶର ଦୁଃଖରେ କି ଉଦାର ସମବ୍ୟଥା!

 

ତରୁ ବହୁ ଅଧ୍ୟୟନ କରିଥିଲେ । ଇଂରାଜୀ, ଫରାସୀ ଓ ଜର୍ମାନ୍‌ ଭାଷାରେ ଲିଖିତ ଶତ ଶତ ସାରଗର୍ଭ ଗ୍ରନ୍ଥ ପଢିବା ଗୋଟିଏ ଏତଦ୍ଦେଶୀୟ ବାଳିକା ପକ୍ଷରେ ଅଳ୍ପ ପ୍ରଶଂସାର କଥା ନୁହେଁ-। ତାହାଙ୍କର ଅସାଧାରଣ ମେଧାଶକ୍ତି ଥିଲା ଏବଂ ରାଶି ରାଶି କବିତା ତାହାଙ୍କର କଣ୍ଠସ୍ଥ ଥିଲା । ସେ ଯାହା ପଢିଥିଲେ, ତାହା ସମୀଚୀନରୂପେ ବୁଝି ଆୟତ୍ତ କରିଥିଲେ । ସେ ଶତ ଶତ ଫରାସୀ କବିତାକୁ ଇଂରାଜୀରେ ଅନୁବାଦ କରିଥିଲେ ଏବଂ ଇଂରାଜୀରେ ବହୁ କବିତା ଓ ଫରାସୀ ଭାଷାରେ ଖଣ୍ଡେ ଉପନ୍ୟାସ ଓ ଅନେକଗୁଡ଼ିଏ ପ୍ରବନ୍ଧ ରଚନା କରିଥିଲେ । ତାଙ୍କ ରଚିତ କବିତା ପ୍ରଭୃତି ପାଠ କରି ଅନେକ ଇଂରାଜୀ ଓ ଫରାସୀ ସୁଲେଖକ ସେଗୁଡ଼ିକର ଭୂୟସୀ ପ୍ରଶଂସା କରିଅଛନ୍ତି । ବୈଦେଶିକ ଭାଷାରେ କବିତାଦି ଲେଖି ଏପରି ଯଶଃ ଅର୍ଜିବା ସାମାନ୍ୟ କଥା ନୁହେଁ ।

 

୧୮୭୩ ସାଲରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରି ତରୁ ପିତାଙ୍କ ସଙ୍ଗରେ ସଂସ୍କୃତ ଭାଷା ଅଧ୍ୟୟନ ଆରମ୍ଭ କଲେ । ମାତୃଭାଷାରେ ଗ୍ରନ୍ଥ ଲେଖିବା ଅଭିପ୍ରାୟରେ ସେ ସଂସ୍କୃତ ରାମାୟଣ, ମହାଭାରତାଦି ମହାକାବ୍ୟ ଓ ପୁରାଣମାନ ମନୋଯୋଗ ସହିତ ପଢୁଥିଲେ, ଏପରି ସମୟରେ ମାରାତ୍ମକ ବ୍ୟାଧି ତାହାଙ୍କୁ ଆକ୍ରମଣ କଲା । ରୋଗ କ୍ରମେ ବୃଦ୍ଧିପ୍ରାପ୍ତ ହୋଇ ୧୮୭୭ ସାଲର ଅଗଷ୍ଟ ମାସ ୩୦ ତାରିଖ ଦିନ ତାଙ୍କର ଐହିକ ଜୀବନ ବିନାଶ କଲା । ଅତି ଅଳ୍ପ ବୟସରେ, ବାଇଶ ବର୍ଷ ପୂର୍ଣ୍ଣ ନୋହୁଣୁ, ତରୁ ଇହଲୋକର ଲୀଳା ସମ୍ବରଣ କଲେ; କିନ୍ତୁ ଏହି ଅଳ୍ପ ସମୟ ମଧ୍ୟରେ ସେ ଯେଉଁ ପ୍ରତିଭା ଓ ସଦ୍‌ଗୁଣର ଦୃଷ୍ଟାନ୍ତ ରଖିଯାଇଅଛନ୍ତି,ତାହା କଦାପି ବିସ୍ମରଣୀୟ ନୁହେଁ । ସେ କେବଳ ଅଧ୍ୟୟନଦ୍ୱାରା ଜ୍ଞାନ ସଞ୍ଚୟ କରିଥିଲେ ଏମନ୍ତ ନୁହେଁ,ସଞ୍ଚିତ ଜ୍ଞାନକୁ ସମ୍ୟକ୍‌ ଧାରଣା ଓ ଆଲୋଚନାଦ୍ୱାରା ନିଜର ଆୟତ୍ତ କରି ତାହାକୁ ସତ୍‌କବିତା ଓ ସୁପ୍ରବନ୍ଧର ରଚନାଦ୍ୱାରା ପ୍ରକାଶ କରିଥିଲେ । ବିଧାତାଙ୍କର ଅନନ୍ତ ପ୍ରକାଶଶକ୍ତି ଯୋଗୁଁ ଏ ବିଚିତ୍ର ବିଶ୍ୱ-ସୃଷ୍ଟି ଉଦ୍ଭୂତ ହୋଇଅଛି ଏବଂ ହେଉଅଛି । ପରାତ୍ପର ବିଶ୍ୱପତି ମନୁଷ୍ୟକୁ ସେହି ପ୍ରକାଶଶକ୍ତି ଦେଇଥିବାରୁ ସାହିତ୍ୟ,ସଙ୍ଗୀତବିଦ୍ୟା, ଚିତ୍ରବିଦ୍ୟା ପ୍ରଭୃତି ଏବଂ ପବିତ୍ର ପୀତିଦୟାର ଅଗଣ୍ୟ କୀର୍ତ୍ତି ପ୍ରକଶିତ ହୋଇଅଛି । ସର୍ବାଙ୍ଗସୁନ୍ଦର ଶିକ୍ଷାହିଁ ନର ନାରୀ ଉଭୟଙ୍କର ଶକ୍ତି ବିକାଶର ମହୋପାୟ ଅଟେ । ସେହି ଶିକ୍ଷା ପ୍ରଦାନ କରିବା ମନୁଷ୍ୟ ସମାଜର ଅବଶ୍ୟ ପାଳନୀୟ ପରମ କର୍ତ୍ତବ୍ୟ ଅଟେ ।

Image

 

ହିମାଳୟ

 

ଯେଉଁ ନଗାଧିରାଜ ହିମାଳୟର ବିଚିତ୍ରାଦ୍ଭୁତ ମହିମା ବର୍ଣ୍ଣନା କରିବାକୁ ଯାଇ ବ୍ୟାସ, ବାଲ୍ମୀକି,କାଳିଦାସ ପ୍ରଭୃତି ମହାକବିମାନଙ୍କର କଳ୍ପନା, ଧାରଣା ଓ ପ୍ରକାଶଶକ୍ତି ପରାଜୟ ସ୍ୱୀକାର କରିଅଛି, ତାହାର ଦିଗନ୍ତବ୍ୟାପୀ ମହାଗମ୍ଭୀର, ମହାବିରାଟ, ମହାବିସ୍ମୟକର ଦୃଶ୍ୟରାଜିର ଦର୍ଶନରେ କାହାର ମନ ସ୍ତବ୍‌ଧ ହେବ ନାହିଁ ? ପ୍ରକାଣ୍ଡ ହିମାଦ୍ରିପ୍ରଦେଶ ଦିଗଦିଗନ୍ତର ବିସ୍ତାରିତ ମହାସମୁଦ୍ର ସଦୃଶ । ସେଥିରେ ଗଗନଭେଦୀ ଗୈାରୀଶଙ୍କରାଦି ମହୋଚ୍ଚ ତୁଷାରକିରୀଟୀ ଶତ ଶତ ଧବଳ ଗିରିଶିଖରମାଳା ସମୁଦ୍ରବକ୍ଷରେ ନିୟତ ପ୍ରକଶିତ ଉତ୍ତୁଙ୍ଗ ଲହରୀମାଳା ପରି ଶାଶ୍ୱତ ମହିମାରେ ବିରାଜିତ । ହିମାଦ୍ରିବକ୍ଷରୁ ପଞ୍ଚନଦୀସମନ୍ୱିତ ସିନ୍ଧୁ, ଆର୍ଯ୍ୟାବର୍ତ୍ତର ଜନନୀରୂପିଣୀ ଯୁମାନସଙ୍ଗିନୀ ମହାନଗରୀମାଳିନୀ ତପୋଧନସେବିତା ସୁଧାମୟୀ ଗଙ୍ଗା, ପୂର୍ବାଞ୍ଚଳପ୍ଳାବୀ ଶତୋପନଦୀସେବିତ ମହାପ୍ରବାହ ବ୍ରହ୍ମପୁତ୍ର ଏବଂ ଆହୁରି ଶତ ଶତ କ୍ଷୁଦ୍ର ବୃହତ୍‌ ନଦୀମାନେ ନିସ୍ୟନ୍ଦିତ ହୋଇ ଶତ ଶତ ପ୍ରଦେଶରେ ମେଘମାଳା ସର୍ବଦା ବିଚରଣ କରୁଅଛି । ଏହାର ବକ୍ଷରେ ଓ ପାଦଦେଶରେ ପ୍ରକାଣ୍ଡକାୟ ଶାଳ, ଦେବଦାରୁ ପ୍ରଭାତି ବନସ୍ପତିର ଅରଣ୍ୟାନୀ ଏବଂ ଅଗଣ୍ୟପ୍ରକାର ବୃକ୍ଷଲତାପରିପୂର୍ଣ୍ଣ ଦିଗ୍‌ବିଭାଗରେ କେତେ ଅଧିତ୍ୟକା ଓ ଉପତ୍ୟକା,କେତେ ଜନପଦ, କେତେ ଗିରିଦରୀ ଓ ଗିରିନିର୍ଝରିଣୀ, କେତେ ଜଳପ୍ରପାତ ଓ ହ୍ରଦ, କେତେ ଗିରିସଂକଟ ଏବଂ କେତେ ଶସ୍ୟକ୍ଷେତ୍ର ଓ ରତ୍ନଖଣି, କେତେ ଅପରିଜ୍ଞାତ ଅନାବିଷ୍କୃତ ପ୍ରଦେଶ ବିଦ୍ୟମାନ ରହିଅଛି, ତାହା କିଏ କହିପାରିବ ?

 

ଚୀନ୍‌ ଦେଶର ପ୍ରାନ୍ତରୁ ହିନ୍ଦୁକୁଶ ପର୍ବତ ପର୍ଯ୍ୟନ୍ତ ଯେଉଁ ମହାପର୍ବତଶ୍ରେଣୀ ଆଗ୍ନେୟକୋଣରୁ ବାୟବ୍ୟ କୋଣଆଡ଼କୁ ପ୍ରସାରିତ ରହିଅଛି, ହିମାଳୟ ସେହି ପର୍ବତଶ୍ରେଣୀର ଅନ୍ତର୍ଗତ । ପୂର୍ବଦିଗରେ ଯେଉଁଠାରେ ବ୍ରହ୍ମପୁତ୍ର ଦକ୍ଷିଣାଭିମୁଖରେ ଗତି କରିବାକୁ ଆରମ୍ଭ କରିଅଛି ସେହିଠାରୁ, ଯେଉଁଠାରେ ସିନ୍ଧୁନଦୀ ଦକ୍ଷିଣାଭିମୁଖୀ ହୋଇଅଛି ସେପର୍ଯ୍ୟନ୍ତ ବିସ୍ତାରିତ ପାର୍ବତ୍ୟ ପ୍ରଦେଶକୁ ହିମାଳୟଶ୍ରେଣୀ ବୋଲାଯାଏ । ଏହି ପର୍ବତଶ୍ରେଣୀର ଦୈର୍ଘ୍ୟ ୧୯୦୦ ମାଇଲ୍‌ ଏବଂ ପ୍ରସ୍ଥ ପ୍ରାୟ ୧୫୦୦ ମାଇଲ୍‌ ହେବ । ଏହି ସମୁଦାୟ ପାର୍ବତ୍ୟ ଅଞ୍ଚଳର କ୍ଷେତ୍ରଫଳ ପ୍ରାୟ ଏକ ଲକ୍ଷ ଷଷ୍ଠିସହସ୍ର ବର୍ଗମାଇଲ୍‌ ଅଟେ । ହିମାଳୟ ଉଚ୍ଚତାରେ ପୃଥିବୀର ଅନ୍ୟ ସମସ୍ତ ପର୍ବତକୁ ଜିଣିଅଛି । ଏହାର ଉଚ୍ଚତମ ଶୃଙ୍ଗ ଗୈାରୀଶଙ୍କର (ଇଂରାଜୀ ନାମ ଏଭ୍‌ରେଷ୍ଟ) ସମୁଦ୍ରପୃଷ୍ଠରୁ ୨୯୦୦୦ ଫୁଟ ଅର୍ଥାତ୍‌ ସାଢେ ପାଞ୍ଚ ମାଇଲ୍‌ରୁ ଅଧିକ ଅଟେ । କାଞ୍ଚନଜଘାଂ ପ୍ରାୟ ୨୮୦୦୦ ଫୁଟ ଓ ଧବଳଗିରି ପ୍ରାୟ ଜ୨୭୦୦୦ ଫୁଟ ଉଚ୍ଚ । ଏହି ସୁପ୍ରସିଦ୍ଧ ଶୃଙ୍ଗତ୍ରୟ ଛଡ଼ା ବଦରୀନାଥ, ଚମଲାରୀ ପ୍ରଭୃତି ଅନେକ ଶୃଙ୍ଗ ଚିରତୁଷାରାଚ୍ଛନ୍ନ ମହିମାରେ ବିରାଜିତ ରହିଅଛନ୍ତି ।

 

ଏହି ପର୍ବତଶ୍ରେଣୀର ଏକ ପାର୍ଶ୍ୱରୁ ଅପର ପାର୍ଶ୍ୱକୁ ଯାତାୟତ କରିବାପାଇଁ ଅନେକ ଦୁର୍ଗମ ସଂକୀର୍ଣ୍ଣ ପଥ ଅଛି । ସେମାନଙ୍କୁ ଘାଟି ବା ଗିରିସଂକଟ ବୋଲାଯାଏ । ଏହି ବିକଟ ଏବଂ କୈାଣସି ସ୍ଥଳରେ ପାର୍ବତ୍ୟ ମେଷ ଉପରେ ବୋଝ ଲଦି ପଥିକମାନେ ବହୁ କଷ୍ଟରେ ଗମନାଗମନ କରନ୍ତି । ଏହି ଗିରିସଂକଟମାନ ଦଶସହସ୍ରେ ଫୁଟଠାରୁ ଅଠର ସହସ୍ର ଫୁଟ ପର୍ଯ୍ୟନ୍ତ ଉଚ୍ଚ ଥିବାର ଜଣାଯାଇଅଛି ।

 

ହିମାଳୟ ହିମ ବା ବରଫର ନିତ୍ୟ ଆଳୟ । ୧୬୦୦୦ ଫୁଟ ଉଚ୍ଚ ଓ ତଦପେକ୍ଷା ଉଚ୍ଚତର ପ୍ରଦେଶମାନ ନିତ୍ୟ ତୁଷାରାବୃତ ଅଟେ । ସେ ପ୍ରଦେଶମାନଙ୍କରେ ବନସ୍ପତି ବା ଶସ୍ୟ ଜନ୍ମିପାରେ ନାହିଁ । ଦକ୍ଷିଣ ଦିଗରେ ଦଶହଜାର ଫୁଟ ପର୍ଯ୍ୟନ୍ତ ଜନପଦ, ଦେବଦାରୁ ବନ ଓ ଶସ୍ୟକ୍ଷେତ୍ର ଦେଖାଯାଏ ଏବଂ ଉତ୍ତର ଦିଗରେ ତେର ହଜାର ଫୁଟ ପର୍ଯ୍ୟନ୍ତ ମନୁଷ୍ୟର ଆବାସ, ଧାନ୍ୟଗୋଧୂମକ୍ଷେତ୍ରାଦି ଓ ଦୁଇ ତିନି ପ୍ରକାର ବନସ୍ପତି ଦେଖାଯାଏ ।

 

ଏହି ପର୍ବତଶ୍ରେଣୀର ନାନା ପ୍ରଦେଶରେ ନାନାପ୍ରକାର ଅଶ୍ୱ, ଗବୟ, ଚମରୀ, ଛାଗଳ, କସ୍ତୁରୀମୃଗ ପ୍ରଭୃତି ଜନ୍ତୁମାନେ ଆରଣ୍ୟ ଅବସ୍ଥାରେ ବିଚରଣ କରିବାର ଦେଖାଯାଏ ଏବଂ ସ୍ୱର୍ଣ୍ଣ, ତାମ୍ର, ସୀସକ, ଲୈାହ, ଗନ୍ଧକ, ସୈନ୍ଧବ ପ୍ରଭୃତି ଧାତବ ଦ୍ରବ୍ୟ ମିଳେ । ହିମାଳୟ ପର୍ବତଶ୍ରେଣୀର ଯେଉଁ ପର୍ବତରୁ ଗଙ୍ଗା ନଦୀ ବାହାରିଅଛି ତାହାର ନାମ ଗଙ୍ଗୋତ୍ରୀ । ଏହି ପର୍ବତ ନିକଟରେ ଗୋମୁଖୀ ନାମରେ ଗୋଟିଏ ତୀର୍ଥ ଅଛି । ସେଠାରେ ସ୍ତୂପୀକୃତ ତୁଷାରର ଗୋଟିଏ ହିମପ୍ରବର ପାଦତଳରେ ଗୋମୁଖୀ ତୀର୍ଥ ।

 

ସେହିଠାରୁ ଗଙ୍ଗା ପ୍ରବାହିତ ହୋଇଅଛି । ତାହାର ଉଦ୍‌ଗମସ୍ଥାନ ସମୁଦ୍ରପୃଷ୍ଠରୁ ପ୍ରାୟ ୧୪୦୦୦ ଫୁଟ ଉଚ୍ଚ । ଉଦ୍‌ଗମସ୍ଥଳରେ ଗଙ୍ଗାର ପ୍ରସ୍ଥ ପ୍ରାୟ ୨୦ ହାତ ଓ ଗଭୀରତା ପ୍ରାୟ ଏକ ହାତ ହେବ । ଗଙ୍ଗା କିଛି ଦୂର ପ୍ରବାହିତ ହୋଇ ଅଲକାନନ୍ଦା ନାମକ ନଦୀ ସଙ୍ଗେ ମିଳି ହରିଦ୍ୱାର ପର୍ଯ୍ୟନ୍ତ ଅବତରଣ କରି କ୍ରମେ ନିମ୍ନଭୂମିରେ ପ୍ରବାହିତ ହୋଇ, ପ୍ରୟାଗଠାରେ ପ୍ରସିଦ୍ଧ ଯମୁନା ନଦୀ ସଙ୍ଗରେ ସଙ୍ଗତା ହୋଇ ପରେ ଉତ୍ତର ଓ ଦକ୍ଷିଣ ଦିଗରୁ ନାନା ଉପନଦୀରୁ ବାରିରାଶି ଗ୍ରହଣ କରି ସୁବିସ୍ତୃତ ପ୍ରବାହ ବିସ୍ତାରପୂର୍ବକ ସମୁଦ୍ର ସଙ୍ଗରେ ମିଳିତ ହୋଇଅଛି ।

 

ହିମାଳୟ ଉତ୍ତର ଭାଗରେ ତିବ୍‌ବତ ଦେଶ ମଧ୍ୟଗତ କୈାଳାସ ପର୍ବତର ସନ୍ନିହିତ ମାନସସରୋବର ନାମକ ହ୍ରଦରୁ ଏବଂ ତନ୍ନିକଟସ୍ଥ ପ୍ରଦେଶରୁ ସିନ୍ଧୁ ଓ ତାହାର ଉପନଦୀମାନ ବାହାରି ଅଛନ୍ତି । ସିନ୍ଧୁ ପ୍ରଥମେ କାଶ୍ମୀରର ଲଦାକ ପ୍ରଦେଶ ମଧ୍ୟରେ ପ୍ରବାହିତ ହୋଇ ଅନେକାନେକ ଉପନଦୀର ଜଳଗ୍ରହଣ କରି ସୁପ୍ରସିଦ୍ଧ ଅଟକ ସହରଠାରୁ କ୍ରମେ କ୍ରମେ ଦକ୍ଷିଣାଭିମୁଖରେ ବହିଯାଇ ପଞ୍ଜାବରେ ଶତଦ୍ରୁବା, ଶତଲଞ୍ଜ ପ୍ରଭୃତି ପଞ୍ଚନଦୀ ସଙ୍ଗେ ମିଳିତ ହୋଇ ସିନ୍ଧୁପ୍ରଦେଶ ମଧ୍ୟରେ ପ୍ରବାହିତ ହୋଇ ଅନେକଗୁଡ଼ିଏ ଖାଡ଼ୀ ବା ମୁହାଣ ପଥରେ ସମୁଦ୍ର ସଙ୍ଗେ ମିଳିଅଛି । ସିନ୍ଧୁର ଦୈର୍ଘ୍ୟ ପ୍ରାୟ ୧୭୦୦ ମାଇଲ୍‌ ଅଟେ ।

 

ବ୍ରହ୍ମପୁତ୍ର ନଦୀ ମଧ୍ୟ ମାନସ ସରୋବର ନିକଟରୁ ବାହରିଅଛି ବୋଲି ପ୍ରାୟ ସମସ୍ତ ଭୂଗୋଳବେତ୍ତା ଅନୁମାନ କରିଅଛନ୍ତି; କିନ୍ତୁ ଅଦ୍ୟାପି ତାହାର ଉଦ୍‌ଗମସ୍ଥଳ ଆବିଷ୍କୃତ ହୋଇନାହିଁ-। ହିମାଳୟର ଅପରପାର୍ଶ୍ୱରେ ଜନ୍ମଗ୍ରହଣ କରି ପ୍ରଥମେ ସାନପୁ ନାମରେ ଅଭିହିତ ହୋଇ ଆସାମ ପ୍ରଦେଶରେ ପ୍ରବେଶ କରି ବ୍ରହ୍ମପୁତ୍ର ନାମରେ ଅଭିହିତ ହୋଇଅଛି । ଆସାମ ଓ ବଙ୍ଗ ପ୍ରଦେଶରେ ପ୍ରବାହିତ ହେବା ଅବସ୍ଥାରେ ଏହି ନଦୀ ସଙ୍ଗରେ ପ୍ରାୟ ୬୦ ଗୋଟି ନଦୀ ମିଳିଅଛନ୍ତି । ପରେ ମେଘ୍‌ନାନାମ୍ନୀ ନଦୀ ସଙ୍ଗେ ମିଳିତ ହୋଇ ପ୍ରାୟ ପାଞ୍ଚମାଇଲ୍‌ ବିସ୍ତୃତ ମୁଖ ମୁହାଣବାଟେ ବଙ୍ଗସାଗରରଯେ ପ୍ରବେଶ କରିଅଛି ।

Image

 

ରାଜମସ୍ତକ ବିକ୍ରୟ

 

ପୁରାକାଳରେ କୋଶଳ ଦେଶରେ ଜଣେ ରାଜା ଅନାଥାଶରଣ ଦୀନଜନହିତକାରୀ ବୋଲି ପ୍ରସିଦ୍ଧି ଲାଭ କରିଥିବାରୁ ତାହାଙ୍କର ଯଶଃ ସର୍ବତ୍ର ପ୍ରଚାରିତ ହୋଇଥିଲା । କୋଶଳ ଦେଶର ସନ୍ନିହିତ କାଶୀ ରାଜ୍ୟର ରାଜା ନିଜ ପ୍ରଜାମାନଙ୍କ ମୁଖରେ କୋଶଳନୃପତିଙ୍କର ଯଶୋଗାଥା ସର୍ବଦା ଶ୍ରବଣ କରି ହୃଦୟରେ ଈର୍ଷାପରବଶ ହୋଇ ଦିନେ ରାଜସଭାରେ କହିଲେ, ‘‘କୋଶଳ ରାଜ୍ୟ କାଶୀ ରାଜ୍ୟ ଅପେକ୍ଷା ସର୍ବତୋଭାବେ ହୀନ; କୋଶଳ ନୃପତିର ସ୍ପର୍ଦ୍ଧ । ଦିନକୁ ଦିନ ବଢୁଅଛି ଏବଂ ସେ ବୋ ପ୍ରଜାମାନଙ୍କ ମନରେ ମୋ ପ୍ରତି ବିରାଗ ଉତ୍ପାଦନ କରିବାକୁ ଚେଷ୍ଟା କରୁଅଛି । ମୁଁ ତାହାର ଗର୍ବ ଖର୍ବ କରିବି ।’’ ଏହା କହି ସେ ସେନାପତିଙ୍କି ଯୁଦ୍ଧ ନିମିତ ସୈନ୍ୟମାନଙ୍କୁ ଏକତ୍ର ଓ ସଜ୍ଜିତ କରିବାକୁ ଆଦେଶ ଦେଲେ । ସସଜ୍ଜ ସେନା ଘେନି ସେ କୋଶଳ ରାଜ୍ୟ ଆକ୍ରମଣ କଲେ ଏବଂ ରାଜାଙ୍କୁ ପରାସ୍ତ କରି ରଜ୍ୟରୁ ବହିଷ୍କୃତ କରିଦେଇ କହିଲେ, ‘‘ଯେଉଁ କୋଶଳରାଜ ନିଜ ରାଜ୍ୟ ଓ ଧନ ରକ୍ଷା କରିପାରିଲା ନାହିଁ, ତାହା ପକ୍ଷରେ ଦାତା ହୋଇ ଧନ ବିତରଣ କରିବା କି ବିଡ଼ମ୍ବନା ।’’ ପ୍ରଜାମାନେ କୋଶଳରାଜଙ୍କର ଦୁର୍ଭାଗ୍ୟ ଦେଖି କହିବାକୁ ଲାଗିଲେ, ‘‘ଆମ୍ଭେମାନେ ଏତେଦିନେ ପିତୃହୀନ ହେଲୁ । ହାୟ ! ଧର୍ମର ପରାଜୟ ଓ ଅଧର୍ମର ଜୟ ଦେଖି ଆମ୍ଭମାନଙ୍କର ହୃଦୟ ମର୍ମନ୍ତୁଦ ଯନ୍ତ୍ରଣା ଅନୁଭବ କରୁଅଛି । ହେ ବିଧାତଃ ! ପୁଣ୍ୟକୀର୍ତ୍ତି କୋଶଳରାଜଙ୍କ ପ୍ରତି କାହିଁକି ଏପରି ନିଷ୍ଠୁର ଦଣ୍ଡ ବିହିତ ହେଲା ?’’ କାଶୀରାଜ ଲୋକଙ୍କର ଏହିପ୍ରକାର ବିଳାପ ଶ୍ରବଣ କରି କ୍ରୋଧରେ ଅଧୀର ହୋଇ କହିଲେ, ‘‘ମୁଁ ଥାଉଁ ଥାଉଁ ଲୋକେ କାହାପାଇଁ ଶୋକ କରୁଅଛନ୍ତି ? ଶତ୍ରୁର ଶେଷ ରଖିବା କଦାପି ଉଚିତ ନୁହେଁ । ଅତଏବ ହେ ମନ୍ତ୍ରୀ ! ଚତୁର୍ଦିଗରେ ଘୋଷଣା କରିଦିଅ ଯେ ଯେଉଁ ବ୍ୟକ୍ତି ବନବାସୀ କୋଶଳରାଜକୁ ଧରି ଆଣିଦେବ, ସେ ସହସ୍ର ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ପାଇବ ।’’ ଏହି ଘୋଷଣା ପ୍ରଚାରିତ ହୁଅନ୍ତେ; ପ୍ରଜାମାନେ କ୍ଷୁବ୍‌ଧ ହୋଇ ହସ୍ତଦ୍ୱାରା କର୍ଣ୍ଣଦ୍ୱୟ ରୋଧକରି ଯେହ୍ନେ ତଦ୍ଦ୍ୱାରା ପ୍ରକାଶ କଲେ ଯେ, ଏପରି ନିଷ୍ଠୁର ଘୋଷଣା ଯେ ଶ୍ରବଣ କରିବ, ସେ ମଧ୍ୟ ପାପଭାଗୀ ହେବ ।

 

ଏଣେ ରାଜ୍ୟରୁ ବିତାଡ଼ିତ କୋଶଳରାଜ ମଳିନ ଚୀର ପରିଧାନ କରି ଦୀନବେଶରେ ଗୋଟିଏ ଅରଣ୍ୟରେ ବୁଲୁଥାନ୍ତି । ଦିନେ ଜଣେ ପଥିକ ସେହି ବନରେ ଯାଉ ଯାଉ ତାହାଙ୍କୁ ଭେଟି ସାଶ୍ରୁନେତରେ ପଚାରିଲା, ‘‘କୋଶଳ ଦେଶକୁ ଯିବାର ପଥ କେଉଁଆଡ଼େ ?’’ କୋଶଳରାଜ ତାହାକୁ ପଚାରିଲେ,‘‘ତୁମ୍ଭର କି ଦୁଃଖ ଘଟିଅଛି; କାହିଁକି କୋଶଳ ଦେଶକୁ ଯିବ ?’’ ପଥିକ ଉତ୍ତର କଲା, ‘‘ମୁଁ ବାଣିଜ୍ୟାର୍ଥ ବିଦେଶକୁ ଯାଇଥିଲି; ମୋର ଦୁଇଖଣ୍ଡି ତରଣୀ ସମୁଦାୟ ସାମଗ୍ରୀସମ୍ଭାର ସହିତ ସମୁଦ୍ରରେ ବୁଡ଼ିଯାଇଅଛି । ମୁଁ କରୁଣା-ପାରବାର କୋଶଳପତିଙ୍କର ଦ୍ୱାରସ୍ଥ ହୋଇ ସେଠାରେ କିଛି ସାହାଯ୍ୟ ଭିକ୍ଷା କରିବି ।’’ ନୃପତି କିଛିକାଳ ଚିନ୍ତାକରି କହିଲେ, ‘‘ମୋ ସଙ୍ଗେ ଆସ, ମୁଁ ପଥ ଦେଖାଇଦେବି । ଭଗବତକୃପାରେ ତୁମ୍ଭର ମନୋରଥ ପୂର୍ଣ୍ଣ ହେବ ।’’

 

ଦିନେ କାଶୀରାଜ ଆତ୍ମଗାରିମାରେ ଯେହ୍ନେ ସ୍ଫୀତ ହୋଇ ସଭାମଧ୍ୟରେ ବସିଅଛନ୍ତି ଏବଂ କୋଶଳରାଜ ଅଦ୍ୟାପି ଧୃତ ହୋଇ ନ ଥିବାରୁ ଅମାତ୍ୟମାନଙ୍କ ପ୍ରତି ବିରକ୍ତି ପ୍ରକାଶ କରୁଅଛନ୍ତି, ଏମନ୍ତ ସମୟରେ ଜଣେ ଜଟାଧାରୀ ପୁରୁଷ ରାଜସଭା ତଳେ ଦଣ୍ଡାୟମାନ ହେଲେ । କାଶୀରାଜ ପଚାରିଲେ, ‘‘ତୁମ୍ଭେ କିଏ, ଏଠାକୁ କିପାଇଁ ଆସିଅଛ ?’’ଅଭ୍ୟାଗତ ବ୍ୟକ୍ତି କହିଲେ, ‘‘ମୁଁ ବନବାସୀ କୋଶଳରାଜ । ମୁଁ ଧରାପଡ଼ିଲେ ଯେଉଁ ପୁରସ୍କାର ଦେବ ବୋଲି ଅଙ୍ଗୀକାର କରିଅଛ, ତାହା ମୋର ଏହି ସଙ୍ଗୀକୁ ଦିଅ ।’’ ଏହା ଶୁଣି କାଶୀରାଜ ଓ ସଭାରେ ଉପବିଷ୍ଟ ଅମାତ୍ୟବର୍ଗ ବିସ୍ମୟରେ ସ୍ତବ୍‌ଧ ହୋଇଗଲେ । ଅନେକଙ୍କ ଚକ୍ଷୁରୁ ଅଶ୍ରୂଧାରା ବର୍ଷିତ ହେବାକୁ ଲାଗିଲା । କାଶୀରାଜ କ୍ଷଣକାଳ ନୀରବ ରହି ବାଷ୍ପଗଦ୍‌ଗଦ ସ୍ୱରରେ କହିଲେ, ‘‘ହେ ବନ୍ଦୀ, ତୁମ୍ଭେ ନିଜର ମସ୍ତକ ନିଜେ ମୋ’ଠାରେ ଅର୍ପଣ କରି ମୋତେ ଜୟ କରିଅଛ । ତୁମ୍ଭର ରାଜ୍ୟ ପୁନର୍ଗ୍ରହଣ କର; ସେଥିସଙ୍ଗେ ମୋର ହୃଦୟ ମୁଁ ତୁମ୍ଭଠାରେ ଅର୍ପଣ କରୁଅଛି ।’’ ଏହାକହି କାଶୀରାଜ ଜୀର୍ଣ୍ଣଚୀରପରିହିତ ବନବାସୀକୁ ରାଜସଭାରେ ମହା ସମାଦରପୂର୍ବକ ବସାଇ ତାଙ୍କ ମସ୍ତକରେ ମୁକୁଟ ପିନ୍ଧାଇଦେଲେ । ସମସ୍ତ ପ୍ରଜା କୋଶଳରାଜଙ୍କର ସୈାଭାଗ୍ୟର ପୁନରାବର୍ତ୍ତନ ଓ କାଶୀରାଜଙ୍କର ହୃଦୟ ପରିବର୍ତ୍ତନ ଦେଖି ‘‘ଧନ୍ୟ ଧନ୍ୟ ଦୟା ଧର୍ମ, ଧର୍ମ ସଦା ଜୟୀ’’ ଏହି ବାଣୀ ଆନନ୍ଦରେ ଉଚ୍ଚାରଣ କରିବାକୁ ଲାଗିଲେ ।

Image

 

ମହାମହୋପାଧ୍ୟୟ ସାମନ୍ତ ଚନ୍ଦ୍ରଶେଖର ସିଂହ

 

ପ୍ରାଚୀନ କାଳରେ ଏହି ଉତ୍କଳଭୂମି ଧର୍ମ ଓ ଜ୍ଞାନର ଚର୍ଚ୍ଚା ବିଷୟରେ ଉନ୍ନତ ପଦବୀ-ଅଧିରୂଢ ହୋଇଥିଲେ ହେଁ, ଆଧୁନିକ ଯୁଗରେ ଏହା ଭାରତର ଅନ୍ୟାନ୍ୟ ଅନେକ ପ୍ରଦେଶ ଅପେକ୍ଷା ଅନୁନ୍ନତ ବୋଳି ପରିଗଣିତ ହେଉଅଛି । ବାସ୍ତବରେ ବର୍ତ୍ତମାନ ଯୁଗର ଜ୍ଞାନଶିକ୍ଷାର ଆଲୋକ ଅଦ୍ୟାପି ଉତ୍କଳରେ ସମ୍ୟକ୍‌ରୂପେ ପ୍ରକାଶିତ ହୋଇନାହିଁ ଏବଂ ଅଜ୍ଞାନଶର୍ବରୀର ଅନ୍ଧକାର ଲୋକସାଧାରଣଙ୍କ ବୁଦ୍ଧିକୁ ଆବୃତ କରି ରଖିଅଛି । ଏହି ଆଶାହୀନ ଅବସାଦମୟ ଅଜ୍ଞାନାନ୍ଧକାର ମଧ୍ୟରେ ବିଧାତାଙ୍କ ଅଦ୍ଭୁତ ବିଧାନରେ ଜଣେ ମହାମନୀଷୀଙ୍କର ଆର୍ବିଭାବ ଦେଖି ଉତ୍କଳୀୟମାନଙ୍କର ଆଶା ଓ ଉଦ୍ୟମ ଧୀରେ ଧୀରେ ଜାଗରିତ ହେଉଅଛି ।

 

ସେହି ମହାମନୀଷୀ ଶୀର୍ଷୋଲ୍ଲିଖିତ ମହାତ୍ମା ଚନ୍ଦ୍ରଶେଖର ଖଣ୍ଡପଡ଼ା ନାମକ ଉତ୍କଳର ଗୋଟିଏ କ୍ଷୁଦ୍ର କରଦ ରାଜ୍ୟର ରାଜାଙ୍କର କନିଷ୍ଠପୁତ୍ରରୂପେ ୧୮୩୫ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ରାଜବଂଶୀୟ ବୋଲି ତାହାଙ୍କର ଉପାଧି ସାମନ୍ତ ହୋଇଥିଲା । ତାହାଙ୍କର କେତେଗୁଡ଼ିଏ ଅଗ୍ରଜ ଶୈଶବରେ ମରିଯାଇଥିବାରୁ ଲୈାକିକ ପ୍ରଥା ଅନୁସାରେ ପିତାମାତା ତାହାଙ୍କୁ ‘ପଠାଣି’ ବୋଲି ଡ଼ାକୁଥିଲେ ଏବଂ ଉତ୍ତରକାଳରେ ସେ ସମଗ୍ର ଓଡ଼ିଶାରେ ‘ପଠାଣି ସାନ୍ତ’ ନାମରେ ସୁବିଦିତ ହୋଇଥିଲେ । ବାଲ୍ୟକାଳରେ ପାଠଶାଳାର ଶିକ୍ଷା ସମାପ୍ତ କରି ଚନ୍ଦ୍ରଶେଖର ସଂସ୍କୃତଭାଷାର ଅଧ୍ୟୟନ ଆରମ୍ଭ କଲେ ଏବଂ ବ୍ୟାକରଣ, କାବ୍ୟ, ଅଳଙ୍କାରଶାସ୍ତ୍ରାଦିର ଆଲୋଚନା କରି କିୟତ୍‌ପରିମାଣରେ ମନର ଉତ୍କର୍ଷ ସାଧନ କଲେ । ତାହାଙ୍କର ପିତୃବ୍ୟ ଫଳିତ ଜ୍ୟୋତିଷ ବିଷୟର ଚର୍ଚ୍ଚା କରୁଥିବାର ଦେଖି ତରୁଣ ଚନ୍ଦ୍ରଶେଖରଙ୍କ ମନ ଜ୍ୟୋତିଷ ଆଡ଼କୁ ଆକୃଷ୍ଟ ହେଲା । ଲଗ୍ନ, ଗ୍ରହ,ନକ୍ଷତ୍ର ଇତ୍ୟାଦି ବିଷୟ ପିତୃବ୍ୟଙ୍କଠାରୁ ଶିଖି ସେ ଆକାଶରେ ଗ୍ରହନକ୍ଷତ୍ରମାନଙ୍କର ଉଦୟାସ୍ତ ନିରୀକ୍ଷଣ କରିବାକୁ ଲାଗିଲେ । ଏହିପରି ନୈଶ୍ୟ ଗଗନ ପର୍ଯ୍ୟବେକ୍ଷଣ ଓ ପରୀକ୍ଷା କରୁ କରୁ ତାହାଙ୍କର ପ୍ରତିଭା ବିକାଶିତ ହେଲା ଏବଂ ପ୍ରାଚୀନ ସୂର୍ଯ୍ୟ-ସିଦ୍ଧାନ୍ତ ପ୍ରଭୃତି ଜ୍ୟୋତିଷିକ ଗ୍ରନ୍ଥମାନ ଆଲୋଚନା କରି ସେ ଉକ୍ତି ଗ୍ରନ୍ଥବର୍ଣ୍ଣିତ କେତେଗୁଡ଼ିଏ ଯନ୍ତ୍ର ସ୍ୱୟଂ ନିର୍ମାଣ କରି ତାହାରି ସାହାଯ୍ୟରେ ଗ୍ରହନକ୍ଷତ୍ରର ଗତିବିଧି ପର୍ଯ୍ୟବେକ୍ଷଣ କରିବାକୁ ଲାଗିଲେ-। ସେ ଦେଖିଲେ, ଗ୍ରନ୍ଥପ୍ରଦର୍ଶିତ ଗଣନା ସଙ୍ଗେ ଗ୍ରହନକ୍ଷତ୍ରାଦିର ପର୍ଯ୍ୟବେକ୍ଷଣ ଫଳ ମିଳୁନାହିଁ । ସେ ତହୁଁ ପ୍ରତ୍ୟହ ଗ୍ରହନକ୍ଷତ୍ରର ପରିଦର୍ଶନ ଫଳ ଦୈନନ୍ଦିନ ଲିପିରୂପେ ଲେଖିବାକୁ ଲାଗିଲେ । ସେ ଏହିପ୍ରକାରେ ଅସାମାନ୍ୟ ଅଧ୍ୟବସାୟଦ୍ୱାରା ଜ୍ୟୋତିଷ ବିଷୟକ ନାନା ତଥ୍ୟ ସାକ୍ଷାତ୍‌ ଭାବରେ ଆବିଷ୍କାର କରି ଗୋଟିଏ ନୂତନ ସିଦ୍ଧାନ୍ତ ପ୍ରଣୟନ କରିବାକୁ ଆରମ୍ଭ କଲେ । ତାହାଙ୍କର ଋଷିପ୍ରାଣ ପରମ ଶ୍ରଦ୍ଧା ଓ ନିଷ୍ଠା ସହକାରେ ଦ୍ୟୁଲୋକର ତତ୍ତ୍ୱାନ୍ୱେଷଣରୂପ ମହାତପସ୍ୟାରେ ନିରତ ହୋଇ ଯେଉଁ ସତ୍ୟ ଲାଭ କରିଥିଲା ତାହା ସେ ‘ସିଦ୍ଧାନ୍ତ-ଦର୍ପଣ’ ନାମକ ସ୍ୱରଚିତ ସଂସ୍କୃତ ଗ୍ରନ୍ଥରେ ନିବଦ୍ଧ କଲେ; କିନ୍ତୁ ସେହି ଅପୂର୍ବ ଗ୍ରନ୍ଥ ବହୁକାଳ ପର୍ଯ୍ୟନ୍ତ ଅପ୍ରକାଶିତ ରହିଥିଲା । ସୈାଭାଗ୍ୟକ୍ରମେ କଟକ କଲେଜର ସୁପ୍ରସିଦ୍ଧ ବିଜ୍ଞାନାଚାର୍ଯ୍ୟ ଶ୍ରୀ ଯୋଗେଶଚନ୍ଦ୍ର ରାୟ ମହାଶୟ ତାଙ୍କ ସଙ୍ଗେ ସାକ୍ଷାତ୍‌ କରି ତାଙ୍କର ଆଲୋକସାମାନ୍ୟ ପ୍ରତିଭାର ପରିଚୟ ପାଇ ତାଙ୍କ ଜୀବନର ମହାକାବ୍ୟ ସମ୍ବନ୍ଧରେ ପ୍ରବନ୍ଧ ପ୍ରକାଶ କଲେ ଏବଂ ବହୁ ଶ୍ରମସ୍ୱୀକାରପୂର୍ବକ ସିଦ୍ଧାନ୍ତ-ଦର୍ପଣ ଗ୍ରନ୍ଥ ମୁଦ୍ରିତ କରାଇଦେଲେ । ଗ୍ରନ୍ଥର ମୁଖବନ୍ଧରେ ରାୟ ମହାଶୟ ଇଂରାଜୀଭାଷାରେ ସାମନ୍ତ ମହୋଦୟଙ୍କ କୃତିତ୍ୱ ବିଷୟରେ ଯାହା ଲେଖିଥିଲେ, ତାହା ପାଠ କରି ଇଉରୋପର ଅନେକ ବୈଜ୍ଞାନିକ ପଣ୍ଡିତ ଆଶ୍ଚର୍ଯ୍ୟାନ୍ୱିତ ହୋଇ ସାମନ୍ତଙ୍କ ‘ସିଦ୍ଧାନ୍ତ-ଦର୍ପଣ’କୁ ଜ୍ୟୋତିଷ ସମ୍ବନ୍ଧୀୟ ଗୋଟିଏ ଅସାଧାରଣ ଗ୍ରନ୍ଥ ବୋଲି ସ୍ୱୀକାର କରିଅଛନ୍ତି । ସାମନ୍ତେ ମହାଦୟ କିଛିମାତ୍ର ପାଶ୍ଚାତ୍ୟ ଶିକ୍ଷା ନ ପାଇ, ଦୂରବୀକ୍ଷଣାଦି ଯନ୍ତ୍ରରେ ବିନା ସାହାଯ୍ୟରେ ଏବଂ ନାନା ପ୍ରକାର ପ୍ରତିକୂଳ ଅବସ୍ଥା ମଧ୍ୟରେ ଭାରତର ଦ୍ୱତୀୟ ଭାସ୍କରାଚାର୍ଯ୍ୟରୂପେ ଜ୍ୟୋତିଷ ସମ୍ବନ୍ଧୀୟ ଅଭିନବ ବିଶୁଦ୍ଧ ସିଦ୍ଧାନ୍ତ ରଚନା କରିଯାଇଛନ୍ତି । ଓଡ଼ିଶାରେ ବହୁକାଳରୁ ଯେଉଁ ସିଦ୍ଧାନ୍ତ ପ୍ରଭୃତିକୁ ଅବଲମ୍ବନ କରି ପଞ୍ଜିକା ପ୍ରସ୍ତୁତ ହେଉଥିଲା, ସେଥିରେ ବହୁ ଭ୍ରମ ଥିବାରୁ ପଞ୍ଜିକାର ଗଣନା ଦୃକ୍‌ସିଦ୍ଧ ଅର୍ଥାତ୍‌ ପ୍ରତ୍ୟକ୍ଷ ସଙ୍ଗେ ସମନ୍ୱିତ ହେଉ ନ ଥିଲା । ସାମନ୍ତ ମହୋଦୟ ଭ୍ରମପୂର୍ଣ୍ଣ ପଞ୍ଜିକାର ପ୍ରଚଳନ ରହିତ କରି ତତ୍ପରିବର୍ତ୍ତରେ ବିଶୁଦ୍ଧ ପଞ୍ଜିକାର ପ୍ରବର୍ତ୍ତନ ନିମିତ୍ତ ଚେଷ୍ଟାକଲେ ଏବଂ ପୁରୀ ମନ୍ଦିରର ମୁକ୍ତିମଣ୍ଡପ ସଭାର ପଣ୍ଡିତମାନଙ୍କର ସମ୍ମତିକ୍ରମେ ସାମନ୍ତଙ୍କର ଗଣିତ ପଞ୍ଜିକା ଓଡ଼ିଶାରେ ଏକମାତ୍ର ପଞ୍ଜିକାରୂପେ ଚଳୁଅଛି ।

 

ସାମନ୍ତ ମହୋଦୟ ରାଜପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେହେଁ ଦୁର୍ଭାଗ୍ୟକ୍ରମେ ନିଜ ଭ୍ରାତୁଷ୍ପୁତ୍ର ରାଜାଙ୍କ ବିରାଗଭାଜନ ହୋଇ ଦରିଦ୍ରାବସ୍ଥାରେ ଦିନାଦିପାତ କରିବାକୁ ବାଧ୍ୟ ହୋଇଥିଲେ-। ଲୋକ ସାଧାରଣ ମଧ୍ୟରେ ସାମନ୍ତଙ୍କ ଯଶଃର ପ୍ରଚାର ଓ ଗବର୍ଣ୍ଣମେଣ୍ଟକର୍ତ୍ତୃକ ସାମନ୍ତଙ୍କୁ ମହାମହୋପାଧ୍ୟାୟ ଉତ୍ପାଧି ଦାନଦ୍ୱାରା ତାଙ୍କ ସମ୍ମାନ ବର୍ଦ୍ଧିତ ହେବାର ଦେଖି ରାଜାଙ୍କ ମନରେ ଈର୍ଷା ଜନ୍ମିବାରୁ ସେ ସାମନ୍ତ ମହୋଦୟଙ୍କୁ ନାନା ପ୍ରକାର ଲାଞ୍ଛିତ ଓ ନିଗୃହୀତ କରିଥିଲେ; କିନ୍ତୁ ସେ ପ୍ରକାର ନିଗ୍ରହ ସାମନ୍ତଙ୍କୁ କେବେହେଁ ଲକ୍ଷ୍ୟଭ୍ରଷ୍ଟ କରିପାରି ନ ଥିଲା ।

 

ମନୀଷୀ ଚନ୍ଦ୍ରଶେଖର ଚିରରୁଗ୍‌ଣ ଥିଲେ । ଯୈାବନକାଳରୁ ଶୂଳରୋଗ ତାଙ୍କ ଜୀବନର ଚିରସହଚର ହୋଇଥିଲା; କିନ୍ତୁ ସା ସ୍ୱାସ୍ଥ୍ୟସୁଖରୁ ବଞ୍ଚିତ ହୋଇ ସୁଦ୍ଧା କଦାପି ନୈଶ-ଆକାଶ ପରିଦର୍ଶନାର୍ଥ ରାତ୍ରିଜାଗରଣରୁ ବିରତ ହେଉ ନଥିଲେ । ପୁରୁଷୋତ୍ତମ କ୍ଷେତ୍ରରେ ଦେହ ତ୍ୟାଗକରିବା ତାଙ୍କର ଚରିପୋଷିତ କାମନା ଅନୁକୂଳ ଦୈବଯୋଗେ ପୂର୍ଣ୍ଣ ହେଲା । ୧୯୦୪ ଖ୍ରୀଷ୍ଟାବ୍ଦର ମେ ମାସ ୧୧ ତାରିଖ ଦିନ ସେ ପରଲୋକପ୍ରାପ୍ତ ହେଲେ ।

 

ମହାତ୍ମା ଚନ୍ଦ୍ରଶେଖରଙ୍କ ଚରିତ୍ର ଯେପରି ପବିତ୍ର,ସେହିପରି କମନୀୟ ଥିଲା । ସାରଲ୍ୟ, ଶ୍ରଦ୍ଧା, ବିନୟ, ସତ୍ୟାନୁରାଗ ଓ ଧର୍ମବିଶ୍ୱାସ ଏବଂ ଧୈର୍ଯ୍ୟ ଓ ସହିଷ୍ଣୁତା ତାହାଙ୍କର ଚରିତ୍ରକୁ ଯେପରି ଦ୍ରଢିଷ୍ଠ,ସେହିପରି ମଧୁର କରିଥିଲା । କବିବର ରାଧାନାଥ ତାଙ୍କ ସମ୍ବନ୍ଧରେ ଲେଖିଅଛନ୍ତି-

 

ଉତ୍କଳମାତାର ଯୋଗ୍ୟତମ ସୁତ,

ତୁମ୍ଭଯୋଗୁଁ ଆମ୍ଭେ ସର୍ବେ ହେଲୁଁ ପୂତ ।

ଗୋଦାବରୀଠାରୁ ଗଙ୍ଗାଯାଏ ବ୍ୟାପୀ

କୀର୍ତ୍ତିମାଳା ଯାର ବିରାଜେ ଅଦ୍ୟାପି ।

ଏକାମ୍ରେ କୋଣାର୍କେ ଯା କୀର୍ତ୍ତି ଭାସ୍ୱର

ଯୋଗ୍ୟପୁତ୍ର ତୁମ୍ଭେ ସେହି ଉତ୍କଳର ।

X X X X

ଉତ୍କଳ-ଉଦୟ-ଅଚଳେ ଭାସ୍କର

ହେଲ ଭାରତର ଦ୍ୱିତୀୟ ଭାସ୍କର ।

X X X X

‘ସିଦ୍ଧାନ୍ତ-ଦର୍ପଣ’ ହେବ ନାହିଁ ଲୟ

ନରଦେହେ ଥିବ ଯାବତ ହୃଦୟ ।

Image

 

ଅସ୍ତ୍ର-ପରୀକ୍ଷା

 

କୈାରବ ଓ ପାଣ୍ଡବ କୁମାରମାନଙ୍କର ପିତାମହ ଭୀଷ୍ମ ସେମାନଙ୍କ ଅସ୍ତ୍ରଶିକ୍ଷା ନିମିତ୍ତ ଦ୍ରୋଣଙ୍କୁ ଗୁରୁପଦରେ ବରଣ କରି ସେମାନଙ୍କୁ ତାଙ୍କ ହସ୍ତରେ ସମର୍ପଣ କରିଥିଲେ । କାଳକ୍ରମେ ଶିଷ୍ୟମାନେ ଅସ୍ତ୍ରବିଦ୍ୟାରେ ନୈପୁଣ୍ୟ ଲାଭ କରନ୍ତେ, ଦ୍ରୋଣାଚାର୍ଯ୍ୟ ଦିନେ ରାଜସଭାରେ ଉପସ୍ଥିତ ହୋଇ ଭୀଷ୍ମ ଓ ବିଦୁରଙ୍କ ସମକ୍ଷରେ ଧୃତରାଷ୍ଟ୍ରଙ୍କୁ କହିଲେ, ‘‘ହେ ମହାରାଜ ! କୁମାରମାନେ ବିବିଧ ପ୍ରକାର ଅସ୍ତ୍ରଶିକ୍ଷାରେ କୃତବିଦ୍ୟ ହୋଇଅଛନ୍ତି; ଛାମୁଙ୍କର ଅନୁମତି ହେଲେ ସେମାନେ ସେମାନଙ୍କ ଶିକ୍ଷାର ପରିଚୟ ଦେବେ ।’’ ଦ୍ରୋଣଙ୍କ ବାକ୍ୟ ଶ୍ରବଣ କରି ଧୃତରାଷ୍ଟ୍ର କହିଲେ, ‘‘ହେ ଆଚାର୍ଯ୍ୟପ୍ରବର ! ଆପଣ ଆମ୍ଭମାନଙ୍କ ମହୋପକାର ସାଧନ କରିଅଛନ୍ତି ! ଆପଣ ଆମ୍ଭେମାନଙ୍କ ମହୋପକାର ସାଧନ କରିଅଛନ୍ତି । ଏବେ କି ପ୍ରକାରେ ରଙ୍ଗଭୂମି ପ୍ରସ୍ତୂତ ହେବ, ତାହା ନିର୍ଦ୍ଦେଶ କରନ୍ତୁ । ମୁଁ ଅନ୍ଧ, ନୟନରେ କିଛି ଦେଖି ପାରିବି ନାହିଁ; କିନ୍ତୁ ରଙ୍ଗଭୂମିରେ ଉପସ୍ଥିତ ଥାଇେ ପରୀକ୍ଷାର ବୃତ୍ତାନ୍ତ ଶୁଣିବା ନିମିତ୍ତ ଉତ୍ସୁକ ରହିଲି ।’’ ଏହା କହି ଧୃତରାଷ୍ଟ୍ର ବିଦୁରଙ୍କୁ ଅସ୍ତ୍ରକୈାଶଳ ପରିଦର୍ଶନ ନିମିତ୍ତ ଉପଯୁକ୍ତ ରଙ୍ଗସ୍ଥଳ ପ୍ରସ୍ତୁତ କରିବାପାଇଁ ଆଦେଶ ଦେଲେ । ବିଦୁର ଦ୍ରୋଣଙ୍କର ଉପଦେଶ ଅନୁସାରେ ଗୋଟିଏ ସୁପରିଷ୍କୃତ ସମତଳ କ୍ଷେତ୍ର ନିର୍ବାଚନ କରି ତାହାର ସୀମା ନିର୍ଦ୍ଦେଶ କଲେ । ନିର୍ଦ୍ଦିଷ୍ଟ ଭୂମି ଉପରେ ଏକ ପାର୍ଶ୍ୱରେ ଶିଳ୍ପୀମାନେ ବିସ୍ତୀର୍ଣ୍ଣ ଦର୍ଶନଶାଳା ଏବଂ ସେଥିମଧ୍ୟରେ ସ୍ତ୍ରୀମାନଙ୍କର ଅବଲୋକନାର୍ଥ ସୁରମ୍ୟ ଗୃହ ନିର୍ମାଣ କଲେ । ପୁରବାସୀମାନଙ୍କର ଦର୍ଶନାର୍ଥ ଉଚ୍ଚ ମଞ୍ଚମାନ ସୁସଜ୍ଜିତ ହେବାକୁ ଲାଗିଲା ।

 

ଅନନ୍ତର ନିର୍ଦ୍ଦିଷ୍ଟ ଦିନ ଉପସ୍ଥିତ ହୁଅନ୍ତେ, ମହାରାଜ ଧୃତରାଷ୍ଟ୍ର ମନ୍ତ୍ରୀମାନଙ୍କ ସଙ୍ଗରେ ମୁକ୍ତାଜାଲମଣ୍ଡିତମ, ବୈଦୁର୍ଯ୍ୟମଣୀଶୋଭିତ ଦର୍ଶନାଗାରରେ ପ୍ରବିଷ୍ଟ ହେଲେ । ମହାଭାଗା ଗାନ୍ଧାରୀ ଓ ଅନ୍ୟାନ୍ୟ ରାଜମହିଷୀମାନେ ମହାର୍ଘ ପରିଚ୍ଛଦ ପରିଧାନ କରି ଦାସୀଗଣ ସଙ୍ଗେ ନିର୍ଦ୍ଦିଷ୍ଟ ଗୃହରେ ପ୍ରବେଶ କଲେ । ପୈର ଓ ଜାନପଦ ନାନା ଲୋକେ ରାଜକୁମାରମାନଙ୍କର ଅସ୍ତ୍ରପରୀକ୍ଷା ଦେଖିବା ନିମିତ୍ତ ରଙ୍ଗଭୂମିରେ ଉପସ୍ଥିତ ହେଲେ । ଅସଂଖ୍ୟ ଦର୍ଶକଙ୍କର କୋଳାହଳରେ ରଙ୍ଗସ୍ଥଳ ଉତ୍ତାଳ ତରଙ୍ଗାକୁଳ ସମୁଦ୍ରପ୍ରାୟ ପ୍ରତିଧ୍ୱନିତ ହେବାକୁ ଲାଗିଲା । ନିରୂପିତ ସମୟ ଉପସ୍ଥିତ ହୁଅନ୍ତେ ବାଦକବୃନ୍ଦ ମଧୁର ଧ୍ୱନିରେ ବାଦ୍ୟଯନ୍ତ୍ରମାନ ବାଦନ କରି ଦର୍ଶକବୃନ୍ଦଙ୍କର କୈାତୁହଳ ବର୍ଦ୍ଧନ କରିବାକୁ ଲାଗିଲେ । ଏହି ଅବସରରେ ଶୁକ୍ଲାମ୍ବରଧାରୀ ଶୁକ୍ଲକେଶ ଶୁକ୍ଲଚନ୍ଦନାନୁଲିପ୍ତ- କଳେବର ମହାତେଜା ଦ୍ରୋଣାଚାର୍ଯ୍ୟ ପୁତ୍ର ଅଶ୍ୱତ୍‌ଥାମାଙ୍କ ସଙ୍ଗେ ରଙ୍ଗଭୂମିରେ ଉପସ୍ଥିତ ହୋଇ ପୁରୋହିତଦ୍ୱାରା ମାଙ୍ଗଳିକ କ୍ରିୟା ଅନୁଷ୍ଠାନ କରାଇ ଅସ୍ତ୍ରଶସ୍ତ୍ରାଦି ଯଥାସ୍ଥାନରେ ସ୍ଥାପନ କରାଇଲେ ।

 

ଅନନ୍ତର ମହାବୀର୍ଯ୍ୟ ରାଜପୁତ୍ରମାନେ ଅଙ୍ଗୁଳିରେ ଅଙ୍ଗୁଳିତ୍ର ଯୋଜନା କରି ବଦ୍ଧତୂଣ ଓ ବଦ୍ଧପରିକର ହୋଇ ହସ୍ତରେ ଧନୁ ଧାରଣ କରି ଜ୍ୟେଷ୍ଠକନିଷ୍ଠକ୍ରମେ ରଙ୍ଗସ୍ଥଳରେ ପ୍ରବେଶ କଲେ-

 

ପ୍ରଥମେ କୁମାର ମାନେ ଅସ୍ତ୍ରଶସ୍ତ୍ର ନିକ୍ଷେପ କରିବାକୁ ଲାଗିଲେ । ତଦନନ୍ତର ରାଜପୁତ୍ରମାନେ ବେଗଶାଳୀ ଘୋଟକମାନ ଆରୋହଣ କରି ସ୍ୱନାମାଙ୍କିତ ବାଣଦ୍ୱାରା ନାନା ଲକ୍ଷ୍ୟଭେଦ କରି ପ୍ରଶଂସା ଲାଭ କଲେ । ତହିଁଉତ୍ତାରେ ସେମାନେ ରଥାରୂଢ ହୋଇ ମଣ୍ଡଳାକାରରେ ଭ୍ରମଣ କରିବାକୁ ଲାଗିଲେ । ପରେ ଅସିବର୍ମ ଘେନି କେହି ଅଶ୍ୱାରୂଢ,କେହି ବା ଗଜାରୂଢ ହୋଇ ପରସ୍ପର ଦ୍ୱନ୍ଦଯୁଦ୍ଧ କଲେ । ଭ୍ରାମ୍ୟମାଣ ତରବାରିର ରଶ୍ମି ଚତୁର୍ଦ୍ଦିଗରେ ବିକୀର୍ଣ୍ଣ ହୋଇ ଅପୂର୍ବ ଶୋଭା ପ୍ରକାଶ କଲା । ଦର୍ଶକମଣ୍ଡଳୀ ବିସ୍ମୟାଭିଭୂତ ହୋଇ ସାଧୁବାଦ ପ୍ରଦାନ କରିବାକୁ ଲାଗିଲେ । ତଦନନ୍ତର ଭୀମ ଓ ଦୁର୍ଯ୍ୟୋଧନଙ୍କର ଗଦାଯୁଦ୍ଧ ଆରବ୍‌ଧ ହେଲା । ସେମାନେ ସିଂହନାଦପୂର୍ବକ ମଣ୍ଡଳାକାରରେ ଭ୍ରମଣ କରିବାର ଦେଖି ଏବଂ ଉଭୟଙ୍କର ତୁଲ୍ୟ ବୀର୍ଯ୍ୟ ଦର୍ଶନ କରି ଦର୍ଶକମଣ୍ଡଳୀ ଦୁଇ ଦଳ ହୋଇ,କେହି ଦୁର୍ଯ୍ୟୋଧନଙ୍କର, କେହି ଭୀମଙ୍କର ପକ୍ଷ ଅବଲମ୍ବନ କରିବାକୁ ଲାଗିଲେ ।

 

ରଙ୍ଗଭୂମିରେ ଯାହା ଯାହା ଘଟୁଥିଲା, ବିଦୁର ମହାରାଜ ଧୃତରାଷ୍ଟ୍ରଙ୍କୁ ଏବଂ ପାଣ୍ଡବଜନନୀ କୁନ୍ତୀ,କୈାରବଜନନୀ ପଟାବୃତନେତ୍ରୀ ଗାନ୍ଧାରୀଙ୍କୁ ଶୁଣାଉଥିଲେ । ଅନନ୍ତର ଦ୍ରୋଣ ବାଦ୍ୟଧ୍ୱନି ନିବାରଣ କରି ରଙ୍ଗାଙ୍ଗନରେ ଦଣ୍ଡାୟମାନ ହୋଇ କହିଲେ,‘‘ହେ ଦର୍ଶକବୃନ୍ଦ ! ମୋର ଶିଷ୍ୟମାନଙ୍କ ମଧ୍ୟରେ ଅର୍ଜ୍ଜୁନ ନିଃସନ୍ଦେହରୂପେ ସର୍ବଶ୍ରେଷ୍ଠ; ଏହାଙ୍କର କୃତିତ୍ୱ ଦର୍ଶନ କର ।’’

 

ଅନନ୍ତର ଅର୍ଜ୍ଜୁନ ନିଜ ଶକ୍ତ ପ୍ରଦର୍ଶନ କରିବାକୁ ଲାଗିଲେ । ସେ ପ୍ରଥମେ ଆଗ୍ନେୟାସ୍ତ୍ର, ବାରୁଣାସ୍ତ୍ର ଓ ବାୟବ୍ୟାସ୍ତ୍ର ପ୍ରଭୃତି ନାନାବିଧ ବାଣପ୍ରୟୋଗର ଅଦ୍ଭୁତ କୈାଶଳ ଦେଖାଇ ସ୍ଥୂଳସୂକ୍ଷ୍ମ ନାନାବିଧ ବସ୍ତୁକୁ ବାଣଦ୍ୱାରା ବିଦ୍ଧ କଲେ । ଏହିପରି ଧନୁ,ଅସି ଓ ଗଦାଦ୍ୱାରା ନାନାବିଧ କୈାଶଳ ପ୍ରଦର୍ଶନ ସମାପ୍ତ ହେଲାକ୍ଷଣି ରଙ୍ଗଭୂମିର ଦ୍ୱାରଦେଶରେ ଜଣେ ବୀରପୁରୁଷର ବାହ୍ୱାସ୍ଫୋଟନ ଶୁଣାଗଲା । ତଦନନ୍ତର ମହାବୀର କର୍ଣ୍ଣ ଦିବ୍ୟ କବଚ ଓ କୁଣ୍ଡଳରେ ଶୋଭିତ ହୋଇ ରଙ୍ଗଭୂମି ମଧ୍ୟରେ ପ୍ରବେଶ କରି ଗର୍ବଭରେ ଚାରିଆଡ଼କୁ ଦୃଷ୍ଟିପାତ କରି ଦ୍ରୋଣାଚାର୍ଯ୍ୟଙ୍କୁ ଅଭିବାଦନ କଲେ-। ଅନନ୍ତର କର୍ଣ୍ଣ ଅର୍ଜ୍ଜୁନଙ୍କୁ ସମ୍ବୋଧନ କରି କହିଲେ, ‘‘ହେ ପାର୍ଥ ! ତୁମ୍ଭେ ମନେକରିଅଛ, ଏକମାତ୍ର ତୁମ୍ଭେ ବୀରଶ୍ରେଷ୍ଠ ଅଟେ । ଦେଖ, ମୁଁ ଏହି ସମସ୍ତ ଅଦ୍ଭୁତ କର୍ମ ସାଧନ କରିବି ।’’ ଏହା କହି ଦ୍ରୋଣଙ୍କ ଅନୁମତି ଘେନି କର୍ଣ୍ଣ ନିଜ ଶକ୍ତି ପ୍ରଦର୍ଶନ କଲେ । ଦୁର୍ଯ୍ୟୋଧନ ଏତେବେଳଯାଏ ଅର୍ଜ୍ଜୁନଙ୍କର ସମକକ୍ଷ ପ୍ରତିଦ୍ୱନ୍ଦୀ ଉପସ୍ଥିତ ହେବାରୁ ହୃଷ୍ଟ ହେଲେ ।

 

କର୍ଣ୍ଣ ଅର୍ଜ୍ଜୁନକୃତ ସମସ୍ତ କର୍ମ ସାଧନ କରି ଦର୍ଶକମାନଙ୍କୁ ଚମତ୍‌କୃତ କରନ୍ତେ, ଦୁର୍ଯ୍ୟୋଧନ ଆହ୍ଲାଦଭରେ କର୍ଣ୍ଣଙ୍କୁ ଆଲିଙ୍ଗନ କଲେ । ତଦନନ୍ତର କର୍ଣ୍ଣ ଅର୍ଜ୍ଜୁନଙ୍କ ସଙ୍ଗେ ଦ୍ୱନ୍ଦଯୁଦ୍ଧଦ୍ୱାରା ତାହାଙ୍କର ବଳ ପରୀକ୍ଷା କରିବାର ଇଚ୍ଛା ପ୍ରକାଶ କରନ୍ତେ ଅର୍ଜ୍ଜୁନ କ୍ରୋଧଭରେ କହିଲେ, ‘‘ହେ ଅନାହୂତ ବର୍ବର ! ଆଜି ତୁମ୍ଭର ପ୍ରାଣ ସଂହାର କରି ତୁମର ସ୍ପର୍ଦ୍ଧାର ଦଣ୍ଡବିଧାନ କରିବି ।’’ କର୍ଣ୍ଣ ଦର୍ପଭରେ ଉତ୍ତର କଲେ, ‘‘ଏ ରଙ୍ଗଭୂମିରେ ତୁମ୍ଭର କୈାଣସି ବିଶେଷ ପ୍ରଭୁତ୍ୱ ନାହିଁ-। ଆସ, ତୁମ୍ଭ ଦର୍ପର ଶାସ୍ତି ଏହିକ୍ଷଣି ଭୋଗକରିବ ।’’ ଅନନ୍ତର ଅର୍ଜ୍ଜୁନ ଦ୍ରୋଣଙ୍କର ଅନୁମତି ଘେନି ଯୁଦ୍ଧାର୍ଥ କର୍ଣ୍ଣ ଆଡ଼କୁ ଅଗ୍ରସର ହେଲେ । କର୍ଣ୍ଣ ମଧ୍ୟ ଅର୍ଜ୍ଜୁନଙ୍କର ସମ୍ମୁଖୀନ ହେଲେ । ସଭାସ୍ଥ ସମସ୍ତେ ମନେ ମନେ ଦୁଇ ଦଳରେ ବିଭକ୍ତ ହୋଇ କେହି ଅର୍ଜ୍ଜୁନଙ୍କର, କେହି ବା କର୍ଣ୍ଣଙ୍କର ପକ୍ଷ ଅବଲମ୍ଭନ କଲେ ।

 

ଇତିମଧ୍ୟରେ ନୀତିକୁଶଳ କୃପାଚାର୍ଯ୍ୟ ଯୁଦ୍ଧ ନିବାରଣ କରିବା ଅଭିପ୍ରାୟରେ କର୍ଣ୍ଣଙ୍କୁ କହିଲେ,‘‘ଅଜ୍ଞାତକୁଳଶୀଳ ବ୍ୟକ୍ତି ସଙ୍ଗରେ ରାଜତନୟମାନଙ୍କର ଯୁଦ୍ଧ କରିବାର ନିୟମ ନାହିଁ । ତୁମ୍ଭେ ଯଦି କୈାଣସି ରାଜବଂଶର ସନ୍ତାନ ଅଟ,ତାହାଆଗେ ଜଣାଇଲେ ପାଣ୍ଡୁନନ୍ଦନ ଅର୍ଜ୍ଜୁନ ତୁମ୍ଭର ପ୍ରତିଯୋଦ୍ଧା ହେବ ।’’ ଏହି କଥା ଶୁଣି ନିଜର ଜନ୍ମବୃତ୍ତାନ୍ତ ଜାଣି ନଥିବାରୁ କର୍ଣ୍ଣ ଲଜ୍ଜାରେ ଅଧୋମୁଖ ହୋଇ ରହିଲେ । ଦୁର୍ଯ୍ୟୋଧନ କର୍ଣ୍ଣଙ୍କର ଅବମାନନା ସହି ନ ପାରି ଉତ୍ତର କଲେ, ‘‘ହେ ଆଚାର୍ଯ୍ୟ ! ମୁଁ ଜାଣିଥିଲି ଯେ ବୀର ସଙ୍ଗରେ ବୀର ମାତ୍ରର ଯୁଦ୍ଧାଧିକାର ଅଛି । ଯାହାହେଉ, ଅର୍ଜ୍ଜୁନ ଯଦି ରାଜା ଛଡ଼ା ଅନ୍ୟ କାହାରି ସଙ୍ଗରେ ଯୁଦ୍ଧ କରିବେ ନାହିଁ,ତାହାହେଲେ ମୁଁ ଏହିକ୍ଷଣି କର୍ଣ୍ଣଙ୍କୁ ଅଙ୍ଗରାଜ୍ୟର ରାଜପଦରେ ଅଭିଷିକ୍ତ କରୁଅଛି ।’’ ଏହା କହି ସେ ତତ୍‌କ୍ଷଣାତ୍‌ କର୍ଣ୍ଣଙ୍କୁ ସୁବର୍ଣ୍ଣପୀଠ ଉପରେ ବସାଇ ଅଙ୍ଗରାଜ୍ୟରେ ଯତାବିଧି ଅଭିଷିକ୍ତ କଲେ । ଦୁର୍ଯ୍ୟୋଧନ କର୍ଣ୍ଣଙ୍କର ମାନ ରକ୍ଷା କରିବାରୁ କର୍ଣ୍ଣ ଦୁର୍ଯ୍ୟୋଧନଙ୍କ ପ୍ରତି ଯତ୍ପରୋନାସ୍ତି କୃତଜ୍ଞ ହେଲେ ଏବଂ କହିଲେ, ‘‘ମହାରାଜ ! ତୁମ୍ଭର ପତ୍ୟୁପକାର କରିବା ମୋର ସାଧ୍ୟାତୀତ । ତଥାପି ତୁମ୍ଭଲାଗି ଏ ଜୀବନ ଦେବାକୁ ମୁଁ ପ୍ରସ୍ତୁତ ଅଛି ।’’ ଦୁର୍ଯ୍ୟୋଧନ ପ୍ରୀତମନରେ କର୍ଣ୍ଣଙ୍କ ସଙ୍ଗେ ଚିରସଖ୍ୟ ସ୍ଥାପନ କଲେ ।

 

ଏହି ସମୟରେ କର୍ଣ୍ଣଙ୍କର ପାଳକ ପିତା ଅଧିରଥନାମା ସୂତ ସହସା ରଙ୍ଗଭୂମି ମଧ୍ୟରେ ଉପସ୍ଥିତ ହେଲେ । ମହାବୀର କର୍ଣ୍ଣ ପିତାଙ୍କୁ ଦେଖି ଶରାସନ ତ୍ୟାଗକରି ତାହାଙ୍କୁ ଭକ୍ତିରେ ପ୍ରଣାମ କଲେ; ଅଧିରଥ କର୍ଣ୍ଣଙ୍କୁ ଅକ୍ଷତଶରୀର ଦେଖି ‘ବତ୍ସ’ ସମ୍ବୋଧନପୂର୍ବକ ତାହାଙ୍କର ମସ୍ତକକୁ ଆନନ୍ଦାଶ୍ରୁଦ୍ୱାରା ଅଭିଷିକ୍ତ କଲେ । ଏହା ଦେଖି ଭୀମ ଉପହାସ କରି କହିଲେ, ‘‘ହେ ସୂତନନ୍ଦନ ! ଯୁଦ୍ଧକ୍ଷେତ୍ରରେ ଅର୍ଜ୍ଜୁନପରି ବୀର ସଙ୍ଗରେ ଯୁଦ୍ଧ କରିବା ତୁମ ପକ୍ଷରେ ନିତାନ୍ତ ଅମଙ୍ଗଳକର । ତୁମ୍ଭ ପକ୍ଷରେ କୁଳୋଚିତ ସାରଥ୍ୟ ହିଁ ଶ୍ରେୟସ୍କର ।’’ ଏହି ଉଦ୍ଧତ ବାକ୍ୟରେ କର୍ଣ୍ଣ କ୍ରୋଧରେ ଅଧୀର ହେଲେ; ତାହାଙ୍କର ଅଧର କମ୍ପିତ ହେବାକୁ ଲାଗିଲା ଏବଂ ସେ ବହୁ କଷ୍ଟରେ ଆପଣାକୁ ସମ୍ଭାଳି ନେଇ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଆକୁଳନୟନରେ ନିରୀକ୍ଷଣ କରିବାକୁ ଲାଗିଲେ । ଅଭିମାନୀ ଦୁର୍ଯ୍ୟୋଧନ ଭୀମର ବିଦ୍ରୂପ ବାକ୍ୟରେ ଅଧୀର ହୋଇ ମତ୍ତହସ୍ତୀପରି ସହସା ଉଠି କହିଲେ,‘‘ହେ ଭୀମ ! ତୁମ୍ଭର ଅଶିଷ୍ଟ ଉକ୍ତି କେବଳ ତୁମ୍ଭପରି ବର୍ବରକୁ ଶୋଭାପାଏ । ଯେ ନିଜ ଭୁଜବଳରେ ସମଗ୍ର ପୃଥିବୀ ଜୟ କରିବାକୁକ ସମର୍ଥ, ତାଙ୍କ ପକ୍ଷରେ ଅଙ୍ଗ ରାଜ୍ୟର ରାଜା ହେବା ଅତି ଅକିଞ୍ଚିତ୍‌କର ବ୍ୟାପାର ଅଟେ । ଯେବେ ତାଙ୍କର ଅଙ୍ଗରାଜ୍ୟପ୍ରାପ୍ତି ବିଷୟରେ କାହାରି ବିଦ୍ୱେଷ ଥାଏ,ସେ ମୋ ସଙ୍ଗରେ ଯୁଦ୍ଧ କରୁ ।’’ ଏହି ଉକ୍ତି ଶ୍ରବଣ କରି ସଭାସ୍ଥ ଲୋକେ ଦୁର୍ଯ୍ୟୋଧନଙ୍କୁ ଧନ୍ୟ ଧନ୍ୟ କହିଲେ ।

 

ଏହି ସମୟରେ ସୂର୍ଯ୍ୟ ଅସ୍ତମିତ ହେବାରୁ ସେଦିନର ଅସ୍ତ୍ରପରୀକ୍ଷା ପ୍ରଦର୍ଶନ ସମାପ୍ତ ହେଲା ।

Image